Unknown

 

 

 

 

 

 

 

 

 

 

 

ଯେଉଁଠି ଫୁଲଫୁଟେ

ପ୍ରଫୁଲ୍ଲତା ମହାପାତ୍ର

 

ରାମଂ ଲକ୍ଷ୍ମଣଂ ପୂର୍ବଜଂ ରଘୁବରଂ ସୀତାପତି ସୁନ୍ଦରଂ

କାକୁତ୍ସଂ କରୁଣାକରଂ ଗୁଣନିଧି ବିପ୍ର ପ୍ରିୟେ ଧାର୍ମିକଂ....”

 

କ୍ଳାନ୍ତ-ବିଧୂର ବିଭାବସୁଙ୍କ ପକ୍ଷେ ତାହା ଏକ ଅବିସ୍ମରଣୀୟ ଅଳସ ପ୍ରତ୍ୟୁଷ ! ଅସମୟରେ ଶୋଇବା ଫଳରେ ବହଳ ତନ୍ଦ୍ରା । ଗହଳ ଭ୍ରୂଲତା ଉପରୁ ଏତେ ଶୀଘ୍ର ଆପଣା ମଉଚ୍ଛବକୁ ଉଜେଇଁ ଦେବାକୁ ଚାହୁଁ ନଥାଏ । ସ୍ଵପ୍ନ ଦେଖୁଥିବା ଭଳି ଲାଗିଲା ବିଭାବସୁଙ୍କୁ । ଭାସି ଆସୁଥିବା ଶ୍ରୀରାମ ବନ୍ଦନା ଅବଚେତନ ମନରେ ଶୁଣିପାରୁଥିଲେ ସେ । ଗଭୀର ନିଦରେ ମାଛିଟାଏ ଆସି ମୁହଁରେ ବସିଲେ ଯେମିତି ଅସ୍ଵସ୍ତିରେ ମଣିଷ ସାମାନ୍ୟ ମୁହଁବୁଲାଇ ନେଇ ମାଛିକୁ ଉଡ଼େଇ ଦିଏ, ବିଭାବସୁ ଅନେକଟା ସେହିପରି ନିବିଡ଼ ସୁପ୍ତି ଏବଂ ତୃପ୍ତି ନଷ୍ଟ କରିବାକୁ ଚାହିଁଲେ ନାହିଁ । କମ୍ବଳଟାକୁ ଆହୁରି ଉପରକୁ ଟାଣିଆଣି ପୁଣି ଶୋଇପଡ଼ିବାର ଚେଷ୍ଟା କଲେ ।

 

ହେଲେ ଆଉ ନିଦ ହେଲା ନାହିଁ । ନିଦ ସିନା ହେଲା ନାହିଁ; କିନ୍ତୁ ଆଖିଖୋଲି ଚାହିଁ ହେଉ ନଥାଏ । ଡୋଳା ଦୁଇଟିକୁ ଜୋର୍ କରି ଖୋଲି ଦେଲେ ବି ତାହା ଆପେ ଆପେ ମୁଦି ହୋଇଯାଉଥାଏ । ମନ ଚାହୁଁଥାଏ ଆହୁରି ଘଡ଼ିଏ ଶୋଇଯିବା ପାଇଁ । ଆଖି ମୁଦି ସେମିତି ପଡ଼ି ରହିଲେ ବିଭାବସୁ ।

 

ସମୟ କେତେହେବ ଅନୁମାନ କରି ହେଉନାହିଁ । ଘରର ଚାରି ପାଖକୁ ଚାହିଁ ସମୟ ବୁଝିବାର ଉପାୟ ନଥିଲା । ଘର ଅନ୍ଧାର । ଝରକା କବାଟ ସବୁ ନିବୁଜ ଭାବରେ ବନ୍ଦ ହୋଇଛି । ଚାରିପାଖରେ କନକନିଆ ଶୀତ । ବିଛଣାର ଖୋଲା ଅଂଶରେ ହାତ, ଗୋଡ଼ ବାଜିଗଲେ ତାହା ଭୀଷଣ ଥଣ୍ଡା ଲାଗୁଥିଲା ! କମ୍ବଳର ଉପର ପଟଟା ଥଣ୍ଡାରେ ପାଣିପରି ହୋଇଯାଇଥିଲା ।

 

ବିଭାବସୁ କାନପାତିଲେ–ଶୁଣିଲେ ପାଖଘରୁ ଭାସିଆସୁଛି କୋମଳ କଣ୍ଠରୁ ବନ୍ଦନା ଗୀତି । ଯଦିଓ ସୁସ୍ପଷ୍ଟ ନୁହେଁ, ତେବେ ବେଶ୍ ମଧୁର ଶୁଭୁଛି । କିଏ, ଏତେବେଳେ ବନ୍ଦନା ଗାଉଛି-? ଏ ବସାରେ ଏତେବେଳେ କିଏ ବା ଦେବାର୍ଚ୍ଚନା କରିପାରେ ?

 

ମାଇଁ ତ ରୋଗିଣୀ । କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାକୁ ସେ ଯାଆନ୍ତି ନାହିଁ । ଜାଗର ରାତିରେ ମହାଦୀପ ଉଠା ଦେଖିଯିବାକୁ ମାମୁଁ ପାଟି କରନ୍ତି । ଦିନେ ଗାଧୋଇଲେ ଦି’ ଦିନ ଦେହରେ ପାଣି ପଡ଼େ ନାହିଁ । ଏ ଡିସେମ୍ବର ମାସରେ ସକାଳ ସାତଟା ପୂର୍ବରୁ ବିଛଣା ଛାଡ଼ିବା ତାଙ୍କ ପକ୍ଷେ ଏକଦମ୍ ଅସମ୍ଭବ ।

 

ଆଉ ଜଲି ? ହସିପକାଇଲେ ବିଭାବସୁ । କି ଖରା, କି ବର୍ଷା, କି ଶୀତ–କେବେ ଯେ ସେ ସାଢ଼େ ସାତଟା ପୂର୍ବରୁ ବିଛଣା ଛାଡ଼େ ଏକଥା ସେ ଆଜିଯାଏ ଦେଖି ନାହାନ୍ତି ।

 

କିଏ ତେବେ ଏ ବସାରେ ଗାଇପାରେ ବନ୍ଦନା ? ବିଭାବସୁ କମ୍ବଳ ଆଡ଼େଇ ମୁହଁ କାଢ଼ିଲେ । ବାପରେ ବାପ ! କି ଥଣ୍ଡା ! ଓଃ ! ଏଠି ଏତେ ଶୀତ ! ପୁଣି ଜାକିଜୁକି ହୋଇ ଶୋଇପଡ଼ିଲେ ସେ ।

 

ମୁଣ୍ଡିଆ ପାହାଡ଼ ଘେରା ଇସ୍ପାତ ନଗରୀ ରାଉରକେଲା ! ବିଭାବସୁ ଅନେକ ଥର ରାଉରକେଲାକୁ ଆସିଛନ୍ତି । ମାମୁଁଙ୍କର ଚାକିରି ଆରମ୍ଭ ଏଇଠି । ସେ ପ୍ଳାଣ୍ଟରେ ଚାକିରି କରିବା ଅନେକ ବର୍ଷ ହୋଇଗଲାଣି । ବେଶ୍ ମୋଟା ଅଙ୍କର ଦରମା ପାଆନ୍ତି । ମାଟ୍ରିକ ପରୀକ୍ଷା ଦେଇସାରି, ସେହି ଲମ୍ବା ଛୁଟିରେ ପ୍ରଥମକରି ରାଉରକେଲା ଆସିଥିଲେ ବିଭାବସୁ । ସେତେବେଳେ ମନଖୁସିରେ ସେ ଗାଇଥିଲେ–‘ସଜନୀ ରାସରଙ୍ଗିନୀ ଆସୁ ପହିଲା.....’

ବିଭାବସୁଙ୍କୁ ହସମାଡ଼ିଲା ! ଅନେକ ବର୍ଷ ତଳର ସେହି କୈଶୋରାବସ୍ଥାର ସ୍ମୃତି ମନ୍ଥନରେ । ହସର ତାଡ଼ନାରେ ତାଙ୍କ ଗାଲ, ମୁହଁ ପୁଚୁକି ଉଠିଲା । ସେ ହସିଲେ ।

ସ୍ତୁତି ବନ୍ଦ ହୋଇଗଲାଣି । କାନକୁ ଆଉ କିଛି ଶୁଭୁନାହିଁ । ମନରେ କିନ୍ତୁ ସେଇ ସୁର୍‌ଟା ଗୁରେଇ ତୁରେଇ ହେଉଛି । ମାମୁଙ୍କ ବସାକୁ ବୋଧେ ଆଉ କିଏ ଆସିଥିବେ !

ହଠାତ୍ ମନକୁ ମନ ଚମକି ଉଠିଲେ । ଗତ ରାତିରେ କିଏ ତାଙ୍କୁ କବାଟ ଫିଟାଇ ଥିଲା-? ସେ କିଏ ? ତାଙ୍କର ମନେପଡ଼ିଲା, ଘଣ୍ଟା କେତୋଟି ଆଗରୁ ଘଟିଯାଇଥିବା ଘଟଣା–

ଗଭୀର ବିଭାବରୀର ମସୀ–ଚିକ୍‌କଣ କବରୀ ଶୋଭିତ ଅସଂଖ୍ୟ ଶ୍ଵେତ–ପୁଷ୍ପର ଜ୍ୟୋତିଧାରା ଧୀରେ ଧୀରେ ନିଷ୍ପ୍ରଭ, ନିସ୍ତେଜ ହୋଇ ଆସୁଥିଲା । ନିଶାନ୍ତର ଶାନ୍ତ କିଲିକିଲିଆ ପବନରେ ଗରମ ପୋଷାକ ତଳର ମଞ୍ଜ ଥରି ଉଠୁଥିଲା । ନୈଶ ରାଜ ରାସ୍ତାର ନିଷ୍ପନ୍ଦ ବୁକୁ ଉପରେ ଯାତ୍ରୀବାହୀ ଟ୍ରାନ୍‌ସପୋର୍ଟ ବସଟି ଯଥାସ୍ଥାନରେ ପହଞ୍ଚିବା ବେଳକୁ ରାତି ଦୁଇଟାରୁ କିଛି ଅଧିକ ହୋଇଯାଇଥିଲା । ତନ୍ଦ୍ରା–ଚ୍ଛନ୍ନ ଯାତ୍ରୀଦଳ ଦୋହଲୁ ଦୋହଲୁ ହଠାତ୍ ଝୁଙ୍କି ପଡ଼ିଲେ ଆଗକୁ-। ବିଭାବସୁ ବି ନିଜର ଘୁମନ୍ତ ପତା ମେଲି ବୁଝିନେଲେ ସେ ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ପହଞ୍ଚି–ଯାଇଛନ୍ତି । ଆଟାଚି ଖଣ୍ଡକ ହାତରେ ଧରି ଓହ୍ଲେଇ ଆସିଲେ ତଳକୁ ।

ପ୍ୟାଣ୍ଟକୁ ଟିକେ ଉପରକୁ ଉଠାଇ କୋଟକୁ ସଜାଡ଼ି ନେଲେ । ତାପରେ ଖଣ୍ଡେ ରିକ୍‌ସା ଧରି, ନିର୍ଦ୍ଦିଷ୍ଟ ବସାରେ ପହଞ୍ଚି ଯାଇଥିଲେ । ରିକ୍‌ସାବାଲାକୁ ବିଦାୟ ଦେଇ, ଦ୍ୱାରରେ ମୃଦୁ ଆଘାତ ଦେଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଉତ୍ତର ଫେରିଲାନି ଭିତରୁ । ମେଞ୍ଚି ମେଞ୍ଚି କ୍ଷୀଣ ଆଲୋକ ରାସ୍ତାର ବତୀ ଖୁଣ୍ଟରୁ ଛିଟିକି ଆସିଛି । କାକର ଭିଜା ପାହାନ୍ତିଆ ପବନରେ ବିଭାବସୁଙ୍କ ନାକ, କାନ, ମୁହଁ ପଥୁରିଆ ପାଲଟିଯାଉଥିଲା । ସାରା ରାତି ବସରେ ଆସି ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଅବସନ୍ନ ହୋଇ ପଡ଼ିଥିଲା । ବିଛଣା ଉପରେ ଦଣ୍ଡେ ଘୁମେଇ ପଡ଼ିଲେ ଅନେକଟା କ୍ଳାନ୍ତି ଅପସରିଯିବ ନିଶ୍ଚୟ । ଉଦ୍‌ବେଗ ଭାବେ ସେ ମାଇଁ, ମାଇଁ, ଡାକି । କବାଟକୁ ଜୋରରେ ଧଡ଼୍ ଧଡ଼୍ କରିଦେଲେ ।

ଡିସେମ୍ବର ଆକାଶରୁ କାକର ଝରୁଥିଲା ଶବ୍ଦ କରି ଭିତରୁ ବିରକ୍ତି ମିଶ୍ରିତ ନିଦମିଶା ଭାରି କଣ୍ଠର ଅସ୍ପଷ୍ଟ ବାର୍ତ୍ତା–

ଯା’ହେଉ ଏଇଥର କବାଟ ଫିଟିବ ! ଆଶ୍ଵସ୍ତ ହେଲେ ସେ । ତା’ପରେ ଖୋଲିଗଲା ରୁଦ୍ଧ ଦ୍ଵାର– ।

ଆଖିପତାରେ ବହଳ ନିଦକୁ ନେସି…ଅଧାବୁଜା ଅଧାଖୋଲା ଡୋଳାରେ ତାଙ୍କୁ ଯିଏ ଚାହିଁଦେଲା–ସେହି ମୁହୂର୍ତ୍ତରେ କି ଭୟଙ୍କର ଭାବରେ ଚମକି ପଡ଼ି ଚିତ୍କାର କରି ଉଠିଥିଲା ।

ସେ କିଏ ? ଝିଅଟିଏ ହେବ ବୋଧେ ! ଭଲ କରି ଦେଖି ପାରି ନାହାନ୍ତି । ମାମୁଙ୍କର କୌଣସି ଆତ୍ମୀୟ ହୋଇଥିବେ । ସେହି ମୁହୂର୍ତ୍ତରେ ବିଭାବସୁଙ୍କର ଧାରଣା ହେଲା, ସେହି ହୁଏତ ଦେବାର୍ଚ୍ଚନା କରୁଥାଇ ପାରନ୍ତି !

କିନ୍ତୁ ଏ ଯେଉଁ ଶୀତ… । ଓଁ ! ଦେହ ବରଫ ପାଲଟି ଯାଉଛି ! ଧନ୍ୟରେ ବାବାଃ । ଏ ଶେଷ ଡିସେମ୍ବରର କଲିଜା ଥରା ଶୀତରେ ଦେବାର୍ଚ୍ଚନା… । ଜୁହାର ବାବା– । ଜୁହାର ସେ ଠାକୁର ପୂଜାକୁ ! ଗୋଡ଼କୁ ଆହୁରି ଜାକି ଆଣିଲେ ବିଭାବସୁ ।

ଟପ୍ ଟପ୍ ହୋଇ କାକର ପଡ଼ିବାର ଶବ୍ଦ ଶୁଭୁଛି ! ଖରା ନିଶ୍ଚୟ ଟାଣ ହୋଇନାହିଁ । ଟିଣି ଟିଣି ହୋଇ ଘଣ୍ଟି ବାଜିଲା– ! ତା’ ପରେ, କେତୋଟି ମୁହୂର୍ତ୍ତପରେ–

 

‘ତୁ କ’ଣ ମଣିଷକୁ ଟିକେ ଶୁଆଇ ଦେବୁନି ? ରାତି ଅଧରୁ ଉଠି ଯାହା ତ ଖଡ଼୍ ଖାଡ଼୍ ଆରମ୍ଭ କରୁଛୁ । ତହିଁରେ ଫେର୍ ଶ୍ଳୋକ ପାଠ, ଘଣ୍ଟି ଶବ୍ଦ ଓଃ ! ମଣିଷକୁ ଆଉ ରଖେଇ ଦେବୁନି । କାହିଁକି ଯେ ତୋ’ ଭଗବାନ ତତେ ବ୍ରାହ୍ମଣ ବୁଢ଼ା ନ କରି ଏମିତି ତନ୍ଵୀ ତରୁଣୀ କରୁଥିଲେ ।

 

ବିଭାବସୁ ଜାଣିଲେ, ଏ ଜଲିର କଣ୍ଠସ୍ୱର । ମନେ ମନେ ହସରେ ଫାଟି ପଡ଼ିଲେ ସେ । ବିଚାରୀ ସକାଳୁ ଠାକୁର ପୂଜା କରି, ଜଲିଠାରୁ ଗାଳି ଖାଉଛି । ସତେ, ଏ ଶୀତରେ ସେ ଗାଧୋଇଲା କେମିତି ? ବିଭାବସୁ କୌତୂହଳରେ କାନପାତିଲେ । ଶାନ୍ତ, ହସିଲା କଣ୍ଠସ୍ୱର । ‘ତୋ’ ପରି ଝିଅକୁ ମୁଁ ଯାହା ବିଛଣାରୁ ଉଠାଇ ଦେଇପାରୁ ନାହିଁ, ସେତିକି ମୋର ଦୁଃଖ ଜଲି । ତୋଅରି ପାଖରେ ହିଁ ମୋର ଏ ପ୍ରଥମ ପରାଜୟ ।

 

—ନୁହଁ ଆଉ କଣ । ମୋର ପ୍ରଥମ ପରାଜୟ ଏହି ଯେ, ତୁ ଖଡ଼୍ ଖାଡ଼୍ କରି ମୋ ନିଦ ଭାଙ୍ଗି ଦେଇପାରୁଛୁ । କାରଣ ମୋ ଉପରେ ଶଗଡ଼ ଗଡ଼ିଗଲେ ବି ମୋର ନିଦ ଭାଙ୍ଗିବା ଭଳି ନିଦ ନୁହେଁ ନିଜ ନିଦ ପାଇଁ ଜଲି ଯେପରି ଗର୍ବ କରୁଛି ।

 

ହସିଲେ ବିଭାବସୁ—। ଏ’ତ ଭରତ, ହନୁକୁ ବାଟୁଳି ମାରିବା କଥା । କି କଚୁ ପିଲଟାଏ ତୁ ! ତୋତେ କ’ଣ ଶୀତ କରୁନାହିଁ ?

 

—ହଉ । ଆଉ ଏତେ ଗାଳିଦିଅନା । ଉଠି ସମୟ ଦେଖ ।

 

—ଉଠି ସମୟ ଦେଖିବା ଅପେକ୍ଷା, ଶୋଇକରି ସମୟ ଶୁଣିବା ଭାରି ମଜା । ଖୋଲ ତ ରେଡ଼ିଓଟାକୁ—ଜଲି ହାଲ୍‌କା ସ୍ଵରରେ କହିଲା ।

 

ବିଭାବସୁ ଶୁଣିଲେ, ହିନ୍ଦିରେ ସମ୍ବାଦ ଦେଉଛି । ସେ ବିସ୍ମିତ ହେଲେ, ଆଠଟା ବାଜିଲାଣି-। ସେ ଉଠି ଆସିଲେ ।

 

ଏଁ, ଆଠଟା ହେଲାଣି ! ଜଲି ଏଥର ଚମକିଲା ପରି କହିଲା । —ନାଁ । ଗୋ ନାଁ ! ଆଠଟା ନୁହେଁ, ଭୋର୍, ପାଞ୍ଚଟା—କମଳର କଣ୍ଠ ସ୍ଵରରେ ମଜା ଓ କୌତୁକ ଥିଲା— ।

 

ସିଲୋନ, ସିଲୋନ ଦେ । ସତରେ ବେଳ ମୋଟେ ଜଣା ପଡ଼ୁନାହିଁ । ଜଲି ବିଛଣାରେ ଉଠି ବସିଲା ।

 

ଆଚ୍ଛା କୁନି... ଜଲି ହଠାତ୍ ରହିଗଲା ।

 

—ଟେବୁଲ ଉପରେ ପେଟେଇ ପଡ଼ିଥିଲା କମଳ । ସିଲୋନ୍ ସେଣ୍ଟର ଲଗାଉ ଲଗାଉ ମୁହଁ ବୁଲେଇ ଜଲିକୁ ଚାହିଁ ଦୁହିଁଙ୍କ ଦୃଷ୍ଟି ଏକାଠି ହେଲା । ଜଲି ଫିକ୍ କିନା ହସି ଦେଲା । ସେ ହସରେ ଶବ୍ଦ ଥିଲା । କହିଲା, ଆଚ୍ଛା…କାଲି ରାତିରେ ଯେଉଁ ଭଦ୍ର ବ୍ୟକ୍ତି—ରହିଗଲା ଜଲି । —ଆସିଥିଲେ, ସେ ଉଠିଲେଣି ?

 

ସତେତ ! କମଳ ମନରେ ଚମକ ଲାଗିଲା । ଠାକୁର ପୂଜା ଓ ଗୀତା ପାଠ ଭିତରେ ସେ ଯେଉଁ ଘଟଣାକୁ ଭୁଲିଯାଇଥିଲା ଜଲି ସେ କଥା ପୁଣି ତାକୁ ମନେପକାଇଦେଲା ।

 

କମଳ ମୁହଁର ବଦଳିଯିବା ରଙ୍ଗକୁ ଜଲି ଲକ୍ଷ୍ୟ କରି ମନେ ମନେ ଏକ ପୁଲକମିଶା କୌତୁକ ଅନୁଭବ କରୁଥିଲା ।

 

କମଳ ନିଜର ଲାଲ୍‌ମଖା ମୁହଁଟାକୁ ବୁଲେଇ ନେଇ ଦୃଷ୍ଟିକୁ ରେଡ଼ିଓ ଉପରେ ରଖିଲା ।

 

—ଶୁଣ୍ ମ—ଜଲି ଡାକିଲା ।

 

—କ’ଣ କହ ।

 

—ସେ ଉଠିଲେଣି— ?

 

ମୁଁ ଜାଣିନି ।

 

କାଲି ରାତିରେ ଭାରି ମଜା ହେଲା, ନୁହେଁ ?

 

—ମଜା ନା ତୋ’ ମୁଣ୍ଡ ! ଜଲିକୁ ଅନାଇ ମୁହଁ ମୋଡ଼ିଲା କମଳ । କାଲି ପାହାନ୍ତିଆ ପ୍ରହରରେ ଘଟିଯାଇଥିବା ଘଟଣାଟା ମନେ ପଡ଼ିଗଲା । ଦାଣ୍ଡ କବାଟରେ ଠକ୍ ଠକ୍ ଶବ୍ଦ ଶୁଣି କମଳର ନିଦ ଭାଙ୍ଗିଯାଇଥିଲା । ବିରକ୍ତ ହୋଇଉଠିଲା ସେ । ବାସନ୍ତୀଟା ରାତି ଅଧରୁ ଆସୁଛି କାମ କରିବାକୁ । ଦି’ତିନି ଜଣଙ୍କ ଘର କାମ ସାରି ଏଠିକୁ ଆସିବୁ କହିଲେ ବି, ସେ ପ୍ରଥମେ ହିଁ ଏଇଠିକୁ ଆସୁଛି । ତାପରେ ଅନ୍ୟମାନଙ୍କ ଘରକୁ ଯିବ । ଓଃ ! ଏ ଯେଉଁ ଶୀତ ! ଭୋରରୁ ଉଠି, ତାକୁ କବାଟ ଫିଟାଇବ ବା କିଏ ? ନିଦ ଭାଙ୍ଗିଲେ ବି ଉଠିବା କଷ୍ଟ ।

 

କମଳ ଉଠିଲା । ସେ ଆସିବା ଦିନୁ ବାସନ୍ତୀକୁ କବାଟ ଫିଟାଇବା କାମକୁ ସ୍ଵ ଇଚ୍ଛାରେ ଆଦରି ନେଇଛି; କାରଣ ସକାଳୁ ଉଠି ସେ ଠାକୁର ପୂଜା କରେ । ବାସନ୍ତୀ ପାଇଁ ଏବେ ଆଉ ଟିକେ ସଅଳ ଉଠିବାକୁ ହେବ । ବେଶ୍ ତ; ସମୟ ମିଳିବ ଦାଣ୍ଡ ବାରଣ୍ଡାରେ ବସିବାକୁ, ପଢ଼ିବାକୁ ବା ଦି’ପଦ କବିତା ଲେଖିବାକୁ ! ସକାଳୁ ମନଟା ବେଶ୍ ସତେଜ ଓ ପ୍ରଫୁଲ୍ଲ ଥାଏ ।

 

କମଳ ଉଠିଗଲା । କନକନିଆ ଶୀତରେ ମଞ୍ଜ ଥରିଯାଉଛି ରାତି ପାହିବାକୁ ଯେ ଯଥେଷ୍ଟ ଡେରି ଅଛି, ଏହା ସେ ଅନୁମାନ କରି ଜାଣିପାରିଲା । ବିରକ୍ତ ହେଲା । ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ’ । ତୁ’ ଯେ କାହିଁକି ମଣିଷକୁ ରାତି ଅଧରୁ ଉଠେଇ ହଇରାଣ କରୁଛୁ, ତାହା ତୁ’ ହିଁ ଜାଣୁ । କେତେ ଘର କାମ କରୁଛୁ କହିଲୁ—ଏତେ ରାତି ଥାଇ ଏଠିକୁ ଆସୁଛୁ କାମ କରିବାକୁ, କହୁ କହୁ କବାଟ ଖୋଲିଦେଲା ସେ । କହିଲା, ତତେ ପରା ମନା କରିଥିଲି ଦାଣ୍ଡପଟେ ଆସିବୁନି ବୋଲି ?

 

ଏ ମାଁ’…ଚମକିପଡ଼ିଲା ! ପଡ଼ି ଯାଉ ଯାଉ ଥୁଆହୋଇଥିବା ସାଇକେଲ୍ ଉପରେ ଧକ୍‌କା ଖାଇ, କାନ୍ଥକୁ ଆଉଜି ପଡ଼ିଲା କମଳ । ସାଇକେଲ୍‌ଟା ଝନନ୍‌ ଝା ହୋଇ ତଳେ ପଡ଼ିଗଲା-। ବରଡ଼ା ପତ୍ର ପରି ଗୋଟି ସୁଦ୍ଧା ଥରୁଛି କମଳ । ଚେତନା ଶକ୍ତି ସତେ ଅବା ଲୋପ ହୋଇ ଆସୁଛି । ଘର ଭିତରକୁ ପଶି ଆସିଲା ଜଲି । କମଳର ଆତଙ୍କିତ ଚିତ୍କାର ଓ ସାଇକେଲ ପଡ଼ିଯିବାର ଶବ୍ଦ ସେ ଶୁଣିପାରିଥିଲା । ପ୍ରଥମ ଥର କବାଟ ଠକ୍ ଠକ୍ ଶବ୍ଦରେ କମଳର ନିଦ ଭାଙ୍ଗିବା ପରେ ତା’ନିଦ ମଧ୍ୟ ଭଙ୍ଗିଯାଇଥିଲା ! କ’ଣ ହେଲା ? ପାଟି କାହିଁକି କଲୁ ? ଦାଣ୍ଡ କବାଟ ପାଖରେ ଆସି ଠିଆହେଲା ଜଲି ।

 

ଆଗନ୍ତୁକଙ୍କୁ ଦେଖି ତାର ବି ଭୟ ହୋଇଥିଲା । କାଳି ଆଲୁଅରୁ ମେଞ୍ଚାଏ ଛିଟିକି ପଡ଼ିଛି-। ଚୂଡ଼ାନ୍ତ ଅସହାୟତାରେ ମ୍ରିୟମାଣ ହୋଇ ଦି’ପାଦ ପଛକୁ ହଟିଗଲା ସେ । ଭାବିଥିଲା, ବାପା ଫେରିଥିବେ ବୋଲି, କିନ୍ତୁ... ।

 

ପରିସ୍ଥିତି ଲକ୍ଷ୍ୟ କରି ଆଗନ୍ତୁକ ହୁଏତ ସବୁ ବୁଝିପାରିଲେ । ରାଉରକେଲା ଭଳି ଜାଗାରେ ଗୃହସ୍ଵାମୀ ନ ଥିବାର ଖବର ନେଇ, ଗୁଣ୍ଡାମାନେ ଯାହା କରି ଥାଆନ୍ତି—ସେଥିରେ କେଉଁ ସ୍ତ୍ରୀ ଲୋକର ଛାତି ଥରି ନ ଉଠିବ ଯେ ! !

 

—ମତେ ଚିହ୍ନି ପାରୁନୁ ଜଲି ?

 

ଏସବୁ ଘଟଣା ଭିତରେ ଆଗନ୍ତୁକ ଯେପରି ବୋକାପାଲଟି ଯାଇଥିଲେ ! ସେ ଜଲିକୁ ଚିହ୍ନିପାରି ପରିସ୍ଥିତି ଠିକ୍ ବୁଝିନେଲେ ।

 

—ଆରେରେ; ତୁମେ ଯେ ! ହଠାତ୍‌ ଏମିତି… ! ହସିଲା ଜଲି । ଆସ, ଆସ–ଘର ଭିତରକୁ ଆସ । ପିଲାଟାକୁ ଭେଟେଣା କରେଇଲଣି; ଆଉ ଏ ଥଣ୍ଡାରେ ବାହାରେ ଏମିତି ଠିଆ ହୋଇ ରହିଲ କାହିଁକି ? ଆସ, ଆସ ।

 

କମଳ ନିଶବ୍ଦରେ ନିଜ ବିଛଣା ଉପରକୁ ଯାଇ, ମୁହଁ ମାଡ଼ି ଶୋଇପଡ଼ିଲା । ଛାତିଟା ସେପର୍ଯ୍ୟନ୍ତ ଥରୁଥିଲା ।

 

ଆଗନ୍ତୁକଙ୍କ ପାଇଁ ବିଛଣାର ବନ୍ଦୋବସ୍ତ କରିସାରି ଜଲି ଆସିଲା । ହସରେ ସତେ କି ତା’ ମୁହଁଟା ଫାଟିପଡ଼ୁଛି । କମଳ ପାଖରେ ବସିପଡ଼ି କହିଲା, ବାସନ୍ତୀ ବୋଲି ଭାବି ତୁ କବାଟ ଖୋଲି ଦେଉଥିଲୁ କେମିତି ? ସେ ନ ହୋଇ ଆଉ କିଏ ହୋଇଥିଲେ ଅବସ୍ଥା କ’ଣ ହୋଇଥାନ୍ତା ଭାବିଲୁ । ଆଗ ଭିତରେ ଥାଇ ଝରକା ଆଡ଼େ ଦେଖିସାରି ସିନା କବାଟ ଖୋଲନ୍ତି ! କମଳକୁ ବୟସ୍କାଙ୍କ ଭଳି ଜଲି ଯାହା କହିଲା, ତା’ଖୋଲି କହିବା କଥା; କାରଣ କମଳ ଭଳି ଅବସ୍ଥାରେ ଜଲି ଥିଲେ ସେ ମୂର୍ଚ୍ଛା ଯାଇଥାନ୍ତା ନିଶ୍ଚୟ ।

 

କମଳର ସେ ପର୍ଯ୍ୟନ୍ତ ଭାବିବା ଓ ଅନୁଭବ କରିବା ଶକ୍ତି ଫେରି ନ ଥିଲା– । ତେଣୁ ‘ସେ ଓ ଆଉ କିଏ’ ଭିତରର ତଫାତ୍‌ ତାକୁ କିଛି ବି ଜଣାଯାଉ ନଥିଲା ।

 

ଆଜି ଏକ ଦୁର୍ଯ୍ୟୋଗରୁ ତୁ’ ବଞ୍ଚିଗଲୁ । ଶୋଇପଡ଼ । କମଳକୁ ଘୋଡ଼େଇ ଦେଉ ଦେଉ ଜଲି କହିଲା, କାଲି ଏଇକଥା ନେଇ ଭାରି ଗୋଟାଏ ମଜା ହେବ । ଟେବୁଲ ଲ୍ୟାମ୍ପକୁ ଲିଭେଇ ଶୋଇପଡ଼ିଲା ଜଲି ।

 

ଆସ୍ତେ ଆସ୍ତେ କମଳର ଛାତି ସ୍ଥିର ହୋଇଆସିଲା । ସେ ଜାଣିଲା, ଜଲି ଶୋଇପଡ଼ିଲାଣି । ତାର ନିଶ୍ଵାସ ପ୍ରଶ୍ଵାସ ସମାନ ଭାବରେ ଗତି କରୁଛି । କମଳ ଆଖି ବୁଜି, ଶୋଇବାକୁ ଚେଷ୍ଟା କଲା ।

 

ହେଲେ ସେହି ଦୃଶ୍ୟଟି କମଳ ଆଖିରେ ଭାସି ଉଠିଲା । ସେହି ଶବ୍ଦ ପୁଣି ଥରେ ମନରେ ପ୍ରତିଧ୍ଵନିତ ହୋଇଉଠିଲା । ଥରକୁ ଥର ଛାତି ଭିତରଟା ଥରିଉଠିଲା ମନଶ୍ଚକ୍ଷୁରେ ସେହି ଦୃଶ୍ୟର ବାର ବାର ଅବଲୋକନରେ । ସେ କିଏ ? —ଦୀର୍ଘ ଉଚ୍ଚତା ବିଶିଷ୍ଟ ବପୁଶାଳୀ ଶରୀର, କଳା ପ୍ୟାଣ୍ଟ, କଳା କୋର୍ଟ, ମୁହଁକୁ ଗୁଡ଼େଇ ମଫଲର ଭିଡ଼ା ହୋଇଛି । ତା’ର ଭିତରେ ଦୁଇଟି ଉଜ୍ଜ୍ୱଳ ନକ୍ଷତ୍ର ଭଳି ଜକ୍ ଜକ୍ କରୁଛି ଆଖି ଦୁଇଟି । ହାତରେ କଳା ରଙ୍ଗର ଆଟାଚି । ସତେ କି ଆସ୍‌ମାନ୍ ଡାକୁ !! କମଳ ଭୟରେ ଆଖିବୁଜି ପକେଇଲା ।

 

ସେହି କଥାକୁ ଭାବୁଛୁଟି ? ଆଜିଠାରୁ ତୋର ଭାବନା ଆରମ୍ଭ ହେଇଗଲା । ବୁଝିଲୁଟି-? ଏଁ, ବୁଝିଲୁ ? ଜଲି ଏକ ବିଚିତ୍ର ଭଙ୍ଗସହ କୌତୁକ କରି, ବାଥ୍‌ରୁମ୍ ଆଡ଼େ ଗଲା—

 

ତୁମେ ମୋର ମୁଁ ତୁମର....

ଆହେ ମୋର ସ୍ଵାମୀ...

 

ଫୁଲ ଗଛରେ ପାଣି ଦେଉ ଦେଉ କମଳ ଗୀତ ଗାଉଥିଲା । ବସି ରହିବାକୁ ତାକୁ ଆଦୌ ଭଲ ଲାଗୁନାହିଁ । ଘର କଥା ମନେପଡ଼ୁଛି । ବୋଉ, ଭାଉଜ, ଭାଇ–ବିଶେଷ କରି, ଭାଇଙ୍କର ଦଶ ମାସର ଝିଅ ଝୁନି । ତା’ରି କଥା ବେଶି ମନେପଡ଼ୁଛି । ତା’ ଚାଲି ତା ’ଡାକ, ତା’ କଉତୁକ… ସବୁଗୁଡ଼ାକ ଆଖି ଆଗରେ ଭାସିଉଠୁଛି । ମନଟା ଆପଣାଛାଏଁ ଉଦାସ ହୋଇଉଠୁଛି ।

 

ଜଲି କଲେଜରୁ ଫେରି, ଜଳଖିଆ ଖାଇ ବ୍ୟାଡ଼୍‌ମିଣ୍ଟନ୍ ଖେଳିବାକୁ ଚାଲିଗଲାଣି । ଗୁପ୍ତାବାବୁଙ୍କ ସ୍ତ୍ରୀ ଓ ମିଶ୍ରବାବୁଙ୍କ ସଙ୍ଗରେ ସେ ଖେଳେ । ଡାକ୍ତରବାବୁଙ୍କ ଝିଅ ଓ ଗୁପ୍ତାବାବୁ ସ୍ତ୍ରୀ ଗୋଟାଏ ପଟେ । ଅପର ପଟେ ମିଶ୍ରବାବୁ ଓ ଜଲି ।

 

ମିଶ୍ରବାବୁ ! ମନକୁ ମନ ହସିଲା କମଳ ।

 

ଫରେନ୍ ଫେରନ୍ତା ଇଞ୍ଜିନିୟର ମିଶ୍ରବାବୁ । ଘର, ଗଞ୍ଜାମ ବରହମ୍‌ପୁର; କିନ୍ତୁ ଚାଲି ଚଳନ ପୁରାମାତ୍ରାରେ ସାହେବୀ । ଗୁରୁବାର ଦିନ ନିଜ ସ୍ତ୍ରୀକୁ କୁକୁଡ଼ା ଅଣ୍ଡା ଖୁଆନ୍ତି । ନନା (ବାପା) ଆସିଲେ, ନନାଙ୍କ ଭୟରେ ନିର୍ମାଲ୍ୟ ପାଇ, ନିଜେ ତିଳକ ଲଗାନ୍ତି । ସେ ଅବଶ୍ୟ ଏସବୁ ଜଲିଠାରୁ ଶୁଣିଛି । ଭଦ୍ରଲୋକଙ୍କୁ ସେ ଦେଖିଛି । ବୟସ ଯୌବନର ଶେଷସୀମା ଅତିକ୍ରମ କରି ଯାଇଥିଲେ ବି, ଶିଶୁପରି, ତାଙ୍କର ସ୍ଵଭାବ ଚଞ୍ଚଳ । ତାରୁଣ୍ୟର ଉଚ୍ଛଳତାରେ ସେ ସବୁବେଳେ ଛଳ ଛଳ । ଜୀବନଟା ଯେପରି ଘୂର୍ଣ୍ଣିବାତ୍ୟା ପରି ସଦା ଅସ୍ଥିର, ସମୁଦ୍ରର ଲହରି ପରି ସଦା ଉତ୍ତଳା । କମଳର ମନେପଡ଼ିଲା ଦିନକର କଥା—

 

ସେଦିନ ମିଶ୍ରବାବୁ ଫୋନ୍ କରିବାପାଇଁ ଆସିଥିଲେ ।

 

—ତାକୁ ଦେଖି ପଚାରିଲେ, ଦାସବାବୁ ଘରେ ଅଛନ୍ତି ?

 

—ନାହାନ୍ତି । ଅତି ଧୀର ସ୍ଵରରେ ସେ କହିଲା ।

 

—କ’ଣ କହୁଛ ଶୁଭୁନାହିଁ ।

 

—ମୁହଁକୁ ବଙ୍କେଇ, କାନଟାକୁ କମଳ ଆଡ଼କୁ ନୁଆଁଇ ଆଣିଲେ ସେ ।

 

—ତାଙ୍କର ଭଙ୍ଗି ଦେଖି, କମଳକୁ ହସମାଡ଼ିଲା । ସେ ହସ ଚାପି ଈଷତ୍ ଉଚ୍ଚ ସ୍ଵରରେ କହିଲା, ମଉଷା ଘରେ ନାହାନ୍ତି— ।

 

—ଓଃ । ଦାସବାବୁ ତମର ମଉସା ହୁଅନ୍ତି । ତା’ପରେ ପରିହାସ ଭରା କଣ୍ଠରେ କହିଲେ, ମଉସା ତେବେ ଘରେ ନାହାନ୍ତି । ପଇସା ଅନ୍ଵେଷଣରେ ଯାଇଛନ୍ତି । ମାଉସୀ ଘରେ ବସି ଦ୍ଵିତୀୟା ଓଷା କରୁଛନ୍ତି ତ ? —ମାନେ, ମାଉସୀ ତମର ଘରେ ଅଛନ୍ତି ? ଅପୂର୍ବ ଭଙ୍ଗି କରି ପଚାରିଲେ ମିଶ୍ରବାବୁ ।

 

—ହଁ ।

 

—ଏଇଟା ଝିଅ, ମାଉସୀଙ୍କ ଘର । ତହିଁରେ ପୁଣି ଏଇଟା ଇସ୍ପାତ୍ ନଗରୀ । ଏଠି ତମେ ଏମିତି ନାକ ଅଗରେ, କାନକୁ ନଶୁଭିଲା ପରି କଥା କହିଲେ, ଚଳିବ ? ଇସ୍ପାତ୍ ପରି ନହେଲେ, ଏ ଇସ୍ପାତ୍‌, ନଗରୀରେ ରହିବା ଅସମ୍ଭବ । ଆଚ୍ଛା ଯାଅ ତ, ମାଉସୀଙ୍କୁ ଟିକେ ଡାକି ଦେବ—କହିବ, ମିଶ୍ରବାବୁ ଆସିଛନ୍ତି ।

 

ସେ ଯାଇ ମାଉସୀଙ୍କୁ ଡାକିଦେଲା ।

 

ଜଲି ତାକୁ ଚିହ୍ନେଇ ଦେଇଥିଲା, ଏଇ ମୋର ପାର୍ଟନର ମିଶ୍ରବାବୁ । ଜାଣିଲୁ ନା, ଫାଷ୍ଟ୍‌କ୍ଲାସ୍ ଖେଳନ୍ତି ।

 

କମଳ ଶୁଣିଲା, ଭଦ୍ରଲୋକ କହୁଛନ୍ତି, ପ୍ଳାଣ୍ଟ୍‌କୁ ଟିକେ ଫୋନ୍‌, କରିବି ଅଜ୍ଞା—

 

—କରନ୍ତୁ । —କ’ଣ ପାଇଁ ? ମାଉସୀ କହିଲେ ।

 

—ଆଜିଟା ଛୁଟି ନେଉଛି ।

 

—ଦେହ ଭଲ ନାହିଁ ?

 

ଏଇ..., କହି, ରହିଗଲେ ମିଶ୍ରବାବୁ । ତା’ପରେ ହସି ହସି କହିଲେ, ଏଇ ବୋଦା ଖୋଜିବାକୁ ଯିବି ।

 

—ଆପଣଙ୍କର ହଜିଯାଇଛି କି ?

 

—ନାଃ ହେ ! ହଜିଥିଲେ ତ ଆଡ଼ଭୋଟାଇଜ୍‌ କରି ଦେଇଥାନ୍ତି । ଛେଳିଟା ପାଇଁ ବୋଦା ଖୋଜିବାକୁ ଯିବି । ହୋ ହୋ ହୋଇ ହସି ଉଠିଲେ ଭଦ୍ରଲୋକ ।

 

ଏ କଥାର ଅର୍ଥ କିନ୍ତୁ ବୁଝିପାରି ନ ଥିଲା କମଳ । ଜଲିକୁ ପଚାରି ଥିଲା ।

 

ଧେତ୍ ତେରିକି ବଣ ଭାଲୁଟା ! ଓଲିଟା କିଛି ଜାଣେ ନାହିଁ । ମାଟ୍ରିକ କେମିତି ତୁ ପାଶ୍‌ କଲୁ ବା.... । ତା’ ପରେ ଜଲି କହିଲା, ସ୍କୁଲ ପାଠ ବୋଲି ପାଶ୍‌ କରିଗଲା, କିନ୍ତୁ କଲେଜ ପାଠ ତୁ’ଜମାରୁ ପାରିବୁ ନାହିଁ । କହୁଚୁ ଯେଉଁ ଆଇ: ଏ ପରିକ୍ଷାଟା ଦେବୁ ବୋଲି ତା’କେବଳ ବୃଥା କଥା-

 

ଜଲି କଥାରେ ବୋକୀ ପାଲଟିଗଲା କମଳ । କହିଲା, କାହିଁକି ?

 

–ଏ ସବୁ କଥା ନ ଜାଣିଲେ କ’ଣ କଲେଜରେ ପାଶ୍ କରି ହୁଏ ?

 

—ଯାଃ, ଯାଃ, ଅବିଶ୍ଵାସ କଲା ପରି, କମଳ ସେଠାରୁ ଚାଲି ଯାଇଥିଲା ।

 

ରାତିରେ ଶୋଇବାବେଳେ ଜଲି କମଳକୁ ସବୁ କଥା ବୁଝେଇ ଦେଇଥିଲା । ଦୁହେଁ ହସି ହସି ବେଦମ୍ ହୋଇଥିଲେ । କିନ୍ତୁ ମନେ ମନେ ତାଜୁବ୍ ହୋଇଗଲା କମଳ । ନିଜର ବୋକାମୀରେ ନିଜେ ସେ ହସିଥିଲା । ସେ ବୁଝିଲା, ବୟସରେ କେତେଟା ମାସ ସେ ସିନା ଜଲିଠାରୁ ବଡ଼; ହେଲେ ଜଲି କିନ୍ତୁ ତା’ଠାରୁ ବୁଦ୍ଧି, ଚତୁରତା ଅଭିଜ୍ଞତାରେ ବହୁତ ବଡ଼ । ଜଲି ତା’ ଠାରୁ ବହୁତ କଥା ଜାଣେ ।

 

ଜଲି ନାହିଁ । ଖେଳିବାକୁ ଯାଇଛି । ମାଉସୀ ଘର ପଛପାଖ ଆଚାର୍ଯ୍ୟବାବୁଙ୍କ କ୍ଵାର୍ଟରକୁ ଯାଇଛନ୍ତି । ତାଙ୍କ ପୁଅ ମଣ୍ଟୁକୁ ଭାରି ଜର । ଆଚାର୍ଯ୍ୟବାବୁଙ୍କ ସ୍ତ୍ରୀ ତାଙ୍କୁ ଡାକି ନେଇଛନ୍ତି । ମଉସା ଏ ପର୍ଯ୍ୟନ୍ତ ପ୍ଳାଣ୍ଟରୁ ଫେରିନାହାନ୍ତି ।

 

ରବର ପାଇପ୍‌ଟାକୁ ମଲ୍ଲୀବଣ ଭିତରକୁ ଥୋଇଦେଇ ଝୁଲାଟା ଉପରେ ବସିଲା କମଳ-

 

ପୌଷ ସୂର୍ଯ୍ୟର ଅସ୍ତରାଗ ଗୋଧୂଳି ସ୍ଥଳପଦ୍ମ ଗଛ ଉପରେ ସ୍ଵର୍ଣ୍ଣରେଣୁ ବିଞ୍ଚିଦେଇଛି । ତାକୁ ହିଁ ଚାହିଁ ଚାହିଁ କମଳ ବୋଲୁଥିଲା..

 

ତୁମେ ପ୍ରେମ ଦେଲେ ମୁହିଁ

ହୋଇବି ପ୍ରେମୀ...

 

ମୃଗ୍‌ଧ ହୋଇ ଶୁଣୁଥିଲେ ବିଭାବସୁ । ଆଉ କିଏ ଗାଉଥିଲେ, ଭଟ୍ଟ ଅମଳର ଗୀତ କହି ସେ ହୁଏତ ଉପହାସ କରିଥାନ୍ତେ । ଏ ଗୀତକୁ; ସାଲବେଗଙ୍କର ଏଇ ଭଜନକୁ ରେଡ଼ିଓରୁ ସେ ଅନେକ ଥର, ବସ, ଟ୍ରେନ୍‌ରେ ଗଲାବେଳେ ଅନ୍ଧ ଭିକାରୀ ମୁହଁରୁ ବହୁବାର ଶୁଣିଛନ୍ତି । ସେହ ପୁରୁଣା ଗୀତରେ ଏତେ ମାଧୁର୍ଯ୍ୟ, ସମ୍ମୋହିତ ହେବାର ଏତେ ଭାବ ଯେ ଥାଇପାରେ, ସେ ପ୍ରଥମ କରି ତାହା ଜାଣିଲେ ।

 

ଅନେକ ଦିନର ଅନେକ ଥର ଶୁଣିଥୁବା ସେହି ପୁରୁଣା ଭଜନଟି ତାଙ୍କୁ ହଠାତ୍ ନୂଆ ଲାଗିଲା । ଅଦ୍ଭୁତ ଭାବରେ ନୂଆ ଲାଗିଲା । ତାଙ୍କର ମନେହେଲା, ଯେମିତି ଗୋଟିଏ ସ୍ଥାୟୀ ସୁର ରହିଛି–ବନ୍ଧାସୁର । ଖାଲି ଗୀତର ଝଙ୍କାର ବଦଳିଯାଇଛି । ଅତି ଉଚ୍ଚକୁ ସ୍ଵର ଉଠୁ ନାହିଁ ।

 

ମଲ୍ଲୀ ବୁଦାମୂଳ ସବୁ, ଗୋଟିକ ପରେ ଗୋଟିଏ ଓଦା ହୋଇ ଯାଉଛି । କମଳ ତନ୍ମୟ ହୋଇ, ଏକ ଧ୍ୟାନରେ ଗୀତଗାଉଛି ।

 

ସଂଧ୍ୟାର ଶୀତୁଳିଆ ପବନରେ କମଳର ଅନୁଚ୍ଚ ସ୍ୱର ମଧୁର ହୋଇ ମିଶିଯାଉଥିଲା । ମନେହେଉଥିଲା, କମଳ ତାର ସର୍ବାନ୍ତକରଣ ଦେଇ, ଯେପରି ଜଗନ୍ନାଥଙ୍କୁ ଡାକୁଥିଲା । ତାର ସମସ୍ତ ହୃଦୟଟା ଯେପରି ନିବେଦନ କରୁଥିଲା—ଭକ୍ତି ରସରେ ତା’ ଅନ୍ତରଟା ଭରପୂର ହୋଇଯାଇଥିଲା ଯେପରି !

 

ବିଭାବସୁଙ୍କର ଇଚ୍ଛା ହେଲା, କମଳ ସ୍ଵରରେ ସ୍ଵର ମିଳାଇ ଗାଇବାକୁ.....“ଜଗବନ୍ଧୁ, ହେ ଗୋସାଇଁ”

 

ପଛକୁ ଚାହିଁ ଦେଇ ଲାଜେଇଗଲା କମଳ ।

 

ଚମତ୍କାର ଗାଉଛୁ, କମଳ ! ଏ ଭଜନକୁ ଅନେକ ଥର ଶୁଣିଥିଲେ ମଧ୍ୟ ଏମିତି ମଧୁର, କାରୁଣ୍ୟ ନିବେଦନଭରା ଭାବ ଭିତରେ କେବେ ଶୁଣି ନ ଥିଲି ।’ ତମ କଣ୍ଠରେ ଏ ଭଜନ କେତେ ସୁନ୍ଦର ଶୁଭୁଛି ! କେତେ ମଧୁର ହୋଇଉଠିଛି ସତେ ! ପାଖେଇ ଆସିଲେ ବିଭାବସୁ । କମଳର ପାପୁଲିକୁ ନିଜ ହାତମୁଠାରେ ଧରି କହିଲେ, ଗାଅନା କମଳ, ଆଉ ଥରେ ଗାଅ ।

 

–କମଳ ! କମଳ !

 

କମଳର କାନ ଅଠର ବର୍ଷ ହେଲା ସମସ୍ତଙ୍କ ମୁହଁରୁ ଶୁଣି ଆସୁଛି, କୁନି–କୁନି ! କିନ୍ତୁ ଆଜି..

 

କମଳର କାନରେ କେବଳ ନୁହେଁ, ମନରେ, ପ୍ରାଣରେ ବର୍ଷିଗଲା ସୁଧାଧାରା । ଫୁଟିଉଠିଲା ସହସ୍ର କମଳ ! ସେହି ସୁଗନ୍ଧରେ ଆମୋଦିତ ହୋଇଉଠିଲା ତାର କିଶୋରୀ ତନୁ, ମନ । ଅହେତୁକ ଏକ ଉନ୍ମାଦନାରେ ଉନ୍ମାଦ ହୋଇଉଠିଲା ତାର ସମସ୍ତ ସ୍ନାୟୂତନ୍ତୀ ।

 

କମଳ କ’ଣ କହିବ ହଠାତ୍ କିଛି ଭାବିପାରିଲା ନାହିଁ । ଇତସ୍ତତଃ ହୋଇପଡ଼ିଲା । ତାପରେ ଟୁଲ୍‌ରୁ ଉଠିଯାଇ କହିଲା, ବସନ୍ତୁ । ବିଭାବସୁଙ୍କ ମୁହଁକୁ ଚାହିଁ ଫିକ୍‌କିନା ହସିଦେଇ କହିଲା–ଆପଣ ବସନ୍ତୁ । ମୁଁ ମଲ୍ଲୀବୁଦା ମୂଳରୁ ପାଇପ୍ କାଢ଼ି ଆଣି, ହେଜଗଛ ମୂଳରେ ଥୋଇଦିଏଁ–

 

ଶିକ୍ଷକଙ୍କର ବାଧ୍ୟ ଛାତ୍ର ପରି କମଳ କଥାରେ ବିଭାବସୁ ଟୁଲ୍‌ ଉପରେ ବସି ତା’ର ଚାଲିଯିବାର ଭଙ୍ଗିକୁ ନିର୍ନିମେଷ ନୟନରେ ଚାହିଁ ରହିଲେ ।

 

ମଲ୍ଲୀବୁଦା ମୂଳରୁ ପାଇପ୍ ଉଠାଇ କମଳ ଚାହିଁଲା–ବିଭାବସୁ ତାକୁ ହିଁ ଚାହିଁଛନ୍ତି । କେମିତିକା ଏକ ଅନ୍ୟ ଚାହାଣିରେ ଚାହିଁଛନ୍ତି । ମନେ ମନେ ସଙ୍କୁଚିତ ହୋଇଗଲା ସେ । ବିଭାବସୁଙ୍କର ଏଠିକୁ ଆସିବା ରାତିଟାକୁ ଛାଡ଼ିଦେଲେ, ଚାରିଦିନ ହୋଇଗଲାଣି । ପ୍ରଥମ ଦିନ ସେ ତାଙ୍କୁ ଯେମିତି ଭାବିଥିଲା, ବିଭାବସୁ କିନ୍ତୁ ମୋଟେ ସେ ରକମର ନୁହନ୍ତି । ଏକବାର୍‌ ନୂଆ ବୋଲି ମାତ୍ର ଗୋଟିଏ ଦିନ ମୁହଁ ବନ୍ଦ କରି ବସିଥିଲେ ସେ । ସେହି ଦିନଟି ବିତିଯିବା ପରେ, ଜଲି କଲେଜରୁ ଆସିବା ପରେ ହିଁ ବିଭାବସୁ ଗପ ଆରମ୍ଭ କରିଦେଲେ । ଖୁବ୍ ସହଜରେ ମିଶିଗଲେ । ସତେ କି ବହୁଦିନର ଜଣାଶୁଣା । ତାଙ୍କର ସରଳ, ନିରାଡ଼ମ୍ୱର ଓ ଅମାୟିକ ବ୍ୟବହାର, ମଉଜିଆ କଥା ସବୁରେ ମୁଗ୍‌ଧ ହୋଇପଡ଼ିଲା ସେ ।

 

ହେଜଗଛ ମୂଳେ ପାଣି ଦେଲା କମଳ । ବିଭାବସୁଙ୍କୁ କିଛି ନ କହିବା ନିଶ୍ଚୟ ଖରାପ ହେବ । କିନ୍ତୁ କ’ଣ ସେ କହିବ ? କହିଲା ଏଠି ଭାରି ଥଣ୍ଡା ହେଉଛି । କି ଭୀଷଣ ଶୀତ ! ହାତଗୋଡ଼ ଥଣ୍ଡାରେ କନ୍‌କନ୍ ହୋଇଯାଉଛି, କମଳ ବିଭାବସୁଙ୍କୁ ଚାହିଁଲା ।

 

ତା’କଥାକୁ ସତେଅବା ବିଭାବସୁ ଶୁଣିପାରିଲେ ନାହିଁ । ସେ ଅନ୍ୟମନସ୍କ ହେଲାଭଳି କହିଲେ, ତମେ କବିତା ଲେଖ ବୋଲି ଜାଣିଥିଲି । ହେଲେ ତମେ….ତମେ ଗୀତ ବି ଗାଅ । ଏକାଧାରରେ ଲେଖିକା ଓ ଗାୟିକା । କି ଚମତ୍କାର !! ଖୁସିରେ ପ୍ରସନ୍ନ ଓ ଉଜ୍ଜ୍ୱଳ ହୋଇଉଠିଲା ତାଙ୍କ ମୁଖମଣ୍ଡଳ ।

 

ଗୀତ ମତେ ଗାଇ ଆସେନା । ଏମିତି ଏକୁଟିଆ ମନକୁ ମନ–ହସିଲା କମଳ ।

 

—ତମେ ଭାରି ସ୍ଵାର୍ଥପର କମଳ ।

 

କମଳ ଖାଲି ହସିଲା । ଗଛରେ ପାଣିଦେବା ଶେଷ ହୋଇଛି । ସନ୍ଧ୍ୟା ହୋଇଗଲାଣି, ସଞ୍ଜବତୀ ଦିଆଯିବ । କମଳ ବାଥ୍‌ରୁମ୍‌ର ରବର ନଳୀଟାକୁ ଖୋଲିଦେବାକୁ ଗଲା ।

 

କିଲିକିଲିଆ ଶୀତୁଆ ପବନରେ ଥରି ଉଠିଲେ ବିଭାବସୁ । ଆଜି ଖୁବ୍ ଶୀତ । ଅନେକବେଳୁ ଶୀତ ଆସିଲାଣି । ଗରମ ପୋଷାକରେ ନିଜ ଦେହକୁ ଘୋଡ଼ାଇଛନ୍ତି ସେ । ତଥାପି ସନ୍ଧ୍ୟାର ଶୀତଳ ପବନରେ ହାଡ଼, ମାଂସ କନ୍‌ କନ୍‌ ହୋଇଉଠୁଛି । ସୁଏଟରଟାର ତଳବଡ଼ର ତଳକୁ ଟାଣି ଆଣି ଠିଆ ହେଲେ ବିଭାବସୁ । ଦୁଇ ପାପୁଲିରେ ଦୁଇ ଗାଲକୁ ଚାପି ଧରି ସେ ଗେଟ୍ ଆଡ଼କୁ ଚାଲିଲେ । ଗୁଣୁ ଗୁଣୁ କରି ଗାଉଥିଲେ–ଜଗବନ୍ଧୁ, ହେ ଗୋସାଇଁ....

 

ହୁଁ....ଏ ଗୁଣୁ ଗୁଣୁ, ଉଁ ଉଁ ହେବାଟା କାହାଠୁ ଶିଖିଲ ? ଦୁଷ୍ଟାମି ହସ ହସୁ ହସୁ ଗେଟ୍ ଖୋଲି ବ୍ୟାଟ୍ ଧରି, ପଶିଆସିଲା ଜଲି । ବିଭାବସୁଙ୍କ ପଛେ ପଛେ କମଳ ଆସୁଥିଲା । ତିନିଜଣ ଏକା ବେଳକେ ହସି ଉଠିଲେ ।

 

କମଳ ଡାକୁଛି ଶୁଣି, ବିଭାବସୁଙ୍କର ବୁଜିଲା ଆଖି ଦୁଇଟି ଖୋଲିଗଲା ।

 

ନିଦ ଭାଙ୍ଗିଲା । ଦେଖିଲେ ଘର ଭିତରେ ଖରାପଡ଼ିଛି, ଗୋଟିଏ ଘରଚଟିଆ ଘର ସାରା ଫଡ୍ ଫଡ୍ ହୋଇ ଉଡ଼ୁଛି ।

 

ସେ ମୁହଁ ଲମ୍ବେଇ ବାରଣ୍ଡା ଆଡ଼କୁ ଚାହିଁଲେ । କମଳକୁ ଦେଖିପାରିଲେ ନାହିଁ । କମଳର ପାଟି ମଧ୍ୟ ଶୁଭୁ ନାହିଁ ।

 

ବେଶ ତ ଖରା ପଡ଼ିଗଲାଣି । ବିଛଣା ଉପରେ ଉଠିବସିଲେ ସେ । ସବୁଦିନେ ତ ସକାଳୁ କମଳ ତାଙ୍କୁ ଉଠାଇ ଦିଏ । ତାଙ୍କ ନିଦ ଖୁବ୍ ଡେରିରେ ଭାଙ୍ଗେ ବୋଲି, ସେ କମଳକୁ ଅନୁରୋଧ କରିଛନ୍ତି; ସୂର୍ଯ୍ୟ ଉଇଁବା ପୂର୍ଵରୁ ସେ ଯେପରି ତାଙ୍କୁ ଉଠାଇ ଦିଏ । କାରଣ ମାମୁ ଉଠିବା ପରେ ଉଠିଲେ ଖରାପ ଲାଗୁଛି । କିନ୍ତୁ ହଷ୍ଟେଲର ଅଭ୍ୟାସ ଯୋଗୁ ତାଙ୍କ ନିଦ ଆଦୌ ଭାଙ୍ଗୁ ନାହିଁ ।

 

ବିଭାବସୁ ହସିଲେ । ସତରେ କ’ଣ ମାମୁଙ୍କୁ ଲାଜ କରି ସେ ସକାଳୁ ଉଠିବାକୁ ଚାହୁଁଛନ୍ତି-। କାହିଁ, ଆଗରୁ ତ ଏ ଲଜ୍ଜା ତାଙ୍କର ଆସୁ ନ ଥିଲା କି ସକାଳୁ ବିଛଣା ଛାଡ଼ୁ ନ ଥିଲେ-

 

ସଜ ସକାଳରେ ସଜ କମଳ ପରି କମଳର ସତେଜ ଶାନ୍ତ ମୁହଁଟିକୁ ଦେଖିବାର ଲୋଭ… । ଆଃ ! ତୃପ୍ତିରେ ପୂରିଉଠିଲା ବିଭାବସୁଙ୍କ ମନ ।

 

ସୋଫାକମ୍ ବେଡ଼୍‌ରୁ ତଳେ ପାଦ ଥୋଉ ଥୋଉ ବିଭାବସୁଙ୍କର ମନେହେଲା, ଚଟାଣର ଥଣ୍ଡା ସତେକି ତାଙ୍କର ସମସ୍ତ ଦେହକୁ ବରଫ କରି ଦେବ । ବାପ୍‌ରେ । କି ଥଣ୍ଡା ! ଶାଲ୍‌ଟାକୁ ଘୋଡ଼େଇ ହୋଇ ପାଦରେ ସ୍ଲିପର ଗଳେଇ ସେ ବାଥ୍ ରୁମକୁ ଗଲେ ।

 

ଦାନ୍ତ ଘସି ସାରି ମୁଁହ ପୋଛି ପୋଛି ବିଭାବସୁ ଜଲି ଓ କମଳର ଶୋଇବା ଘରକୁ ଆସିଲେ । ଜଲି ତା’ବିଛଣାରେ ତକିଆଟାଏ ପରି ଜାକି ଜୁକି ହୋଇ ରେଜେଇ ଘୋଡ଼ିହୋଇ ଶୋଇଛି, ତାହା ବିଭାବସୁ ଆଦୌ ଜାଣିପାରିଲେ ନାହିଁ । ସେଥିପ୍ରତି ତାଙ୍କର ନଜର ମଧ୍ୟ ନଥିଲା ।

 

ତଳେ ଆସନ ଉପରେ ଚେକା ପକାଇ ବସିଛି କମଳ । ଅଗୁରୁ ଓ ଚନ୍ଦନ–ଧୂପର ସୁଗନ୍ଧ ଘରେ ଗୋଟାଏ ପବିତ୍ରତାର ବାତାବରଣ ସୃଷ୍ଟି କରିଛି । ପୂର୍ବ ଦିଗକୁ ମୁହଁ କରି ବସିଛି ସେ-। ଗୀତା ପଢ଼ୁଛି–

 

ସବଂ ଧର୍ମାନ୍ ପରତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।

ଅହଂ ତ୍ଵାଂ ସର୍ବ ପାପେଭ୍ୟା ମୋକ୍ଷୟିଷ୍ୟାମି ମା ଶୁଚଃ ।।

 

ନିର୍ଭୁଲ ଓ ସ୍ପଷ୍ଟ ଉଚ୍ଚାରଣ । ଚୌକିବାଡ଼ାକୁ ଧରି ଠିଆ ହୋଇ, ମନ୍ତ୍ରମୁଗ୍‌ଧ ପରି ଶୁଣୁଥିଲେ ବିଭାବସୁ । ସେହି ଘରର କବାଟ ପାଖ ଦେଇ ମାଇଁ ଚାଲିଗଲେ । ଚାଲି ଯାଉ ଯାଉ ଚାହିଁ ଦେଇ ହସିଲେ । କହିଲେ, କ’ଣ ଦେଖୁଛ ବିଭାସ ! ସେ ଜପିତପି କଥା କାଇଁ ପଡ଼ିଛି ! ଯେତେ କହିଲେ ସେ କ’ଣ ଶୁଣୁଛି । ସକାଳୁ ଗାଧୋଇ ଥଣ୍ଡା ଧରିଲାଣି । ଡେରିକରି ଗାଧୋଇଲେ କ’ଣ ଚଳନ୍ତା ନାହିଁ–ହସି ହସି ମାଇଁ ଚାଲିଗଲେ ।

 

କିଛି କ୍ଷଣ ପରେ ଅଧ୍ୟାୟଟା ଶେଷହେଲା । ଦଣ୍ଡବତ ହୋଇ ସାରି କମଳ ଉଠିଲା । ଗୀତାକୁ ମୁଣ୍ଡରେ ମାରି, କାନ୍ଥ ଆଲମାରୀ ଖୋଲି, ତା’ ଭିତରେ ଥୋଉ ଥୋଉ କହିଲା, ବେଶ୍ ତ ନିଦରେ ଶୋଇଲେ–

 

—ମତେ କାହିଁକି ଉଠାଇ ଦେଲ ନାହିଁ—ବିଭାବସୁଙ୍କ ସ୍ଵରରେ ଅଭିଯୋଗ ।

 

କମଳ କହିଲା, —ମୁଁ ବି ଆଜି ଟିକିଏ ଡେରିରେ ଉଠିଲି ମଉସା ଉଠିସାରିଥିଲେ, ତେଣୁ–

 

—ତେଣୁ ପୁଣି କ’ଣ ? ସେ ଉଠିଥା’ନ୍ତୁ ! ମତେ ଉଠାଇ ଦେବାରେ କ’ଣ ଅଛି ଯେ !

 

ଏ କଥାରେ ଲାଜ କରିବା ଭଳି କ’ଣ ଥିଲା କି ନାହିଁ କେଜାଣି, ହେଲେ କମଳର ମୁହଁ ଥମ୍ ଥମ୍ ହୋଇ ଉଠିଲା— ।

 

ବିଭାବସୁ କମଳକୁ ଚାହିଁଥିଲେ । ବନ–ହଳଦୀ ରଙ୍ଗର ସୂତାଶାଢ଼ି ଖଣ୍ଡେ ସାଦାକରି ପିନ୍ଧିଛି । ବେଶ୍ ମାନୁଛି ତା ଦେହକୁ । କମଳର ମୁହଁଟି ଛୋଟ, କପାଳ ସରୁ, ଗାଲ ଦୁଇଟି ପତର ପରି, ଚିବୁକ ଏକ୍‌ବାରେ ଶିଳ୍ପୀର ପ୍ରତିମା ସଦୃଶ, ଘନ ଟଣା ଟଣା ଭୂରୁ ତଳେ ଇଷତ୍‌ ଲମ୍ବାଳିଆ ଉଜ୍ଜ୍ୱଳ ଆଖି । ଆଖିର ଡୋଳା ଦୁଇଟି ଗାଢ଼ କଳା । ପତଳା ନାକ । ପତଳା ଓଠ । ତାଙ୍କର ହଠାତ୍ ମନେହେଲା, କମଳର ରୂପ ବର୍ଣ୍ଣନା ଦେବାକୁ ଗଲେ ପ୍ରାଚୀନ ଶବ୍ଦଗୁଡ଼ିକୁ ଖୋଜି ଆଣିବାକୁ ହେବ-। ସେହି ଶବ୍ଦଗୁଡ଼ିକ ବ୍ୟବହାର କରିବାକୁ ହେବ ।

 

ବିଭାବସୁ କମଳକୁ ଚାହିଁ ଭାବୁଥିଲେ । ସେ ଆଗରୁ ଜାଣି ନ ଥିଲେ, ମଣିଷର ମୁହଁ ଦେଖିଲେ ଏତେ ମାୟା ହୁଏ ବୋଲି ! ସେହି ମୁହଁଟିକୁ ଚାହିଁ ତାଙ୍କର କେମିତି ମନେ ହେଲା, ଏମିତି ମୁହଁ ସେ ଆଉ କେଉଁଠି ଦେଖି ନାହାନ୍ତି । କମଳ ହିଁ କମଳ ! କମଳଟିଏ ପରି ହିଁ ନଷ୍ପାପ, ସୁନ୍ଦର, ସ୍ନିଗ୍‌ଧ, ହାସ୍ୟଜ୍ଜୋଳ ଶାନ୍ତ ମୁହଁ । ସେହି ମୁହଁଟିର ସୃଷ୍ଟି ଯେପରି ଅନ୍ୟକୁ କେବଳ ଆନନ୍ଦ ଦେବା ପାଇଁ ।

 

ସେ ପରିହାସ କଲେ, ଏ ବୟସରେ ହରପୂଜା ନକରି, ହରିପୂଜା କାହିଁକି ? ଚିରାଚରିତ ପନ୍ଥାରେ କ’ଣ... ? ତା’ପରେ ସେ ଉତ୍‌ଫୁଲ୍ଲ ସ୍ଵରରେ ହସିଲେ । କ’ଣ–ପରେ ଯେ ‘ବର’ ଶବ୍ଦଟା ରହିଛି, ତାକୁ ହିଁ ଭାବି ସେ ଯେପରି ମନେ ମନେ ମଜା ପାଇଲେ । ତାଙ୍କ ମୁହଁରେ ଖୁସି ଖୁସି ଭାବ-

 

—ଭଗବାନଙ୍କୁ ଡାକିବା ପାଇଁ ବୟସର ନିର୍ଦ୍ଦିଷ୍ଟତା ତ ନାହିଁ ।

 

—ଆଚ୍ଛା, କ’ଣ କାମନା କରି ପୂଜା କରୁଛ ଶୁଣେ—ବିଭାବସୁଙ୍କ କଣ୍ଠରେ କୌତୁକ ।

 

—କାମନା ? ବିଭାବସୁଙ୍କ ଆଖିରେ ଆଖି ମିଳାଇଲା କମଳ । କହିଲା, ଏଇ କାମନା ବିନାଶ ପାଇଁ ହିଁ ଯେ ଭାଗବତ ଗୀତାର ସୃଷ୍ଟି । ଆଉ ଗୀତା ପଢ଼ି, ମୁଁ କାମନା ପୁଣି କରିବି କ’ଣ ? କର୍ମ କରିବା ଆମର କର୍ତ୍ତବ୍ୟ । କିନ୍ତୁ ଫଳ ପାଇବାରେ ତ ଅଧିକାର ନାହିଁ ।

 

—ସତେ ? ବିଭାବସୁ ଆଖିପତାକୁ ବଡ଼ ବଡ଼ କରି ଥଟ୍ଟା କଲେ । କହିଲେ, ନିର୍ମଳ ମନ, ପବିତ୍ର ହୃଦୟର ଖୁବ୍‍ ନିକଟରେ ନାଁ ଭଗବାନ ?

 

—ନିଶ୍ଚୟ । କମଳ କଣ୍ଠରେ ଦୃଢ଼ତା । ତା’ପରେ ସେ ସହଜ ସ୍ଵରରେ କହିଲା, ଧାର୍ମିକଙ୍କ ପରି ପାପୀକୁ ବି ଈଶ୍ଵର ଗ୍ରହଣ କରନ୍ତି । ଏହାପରେ ସେ ଯେପରି ଈଶ୍ଵର ପ୍ରେମରେ ଅଭିଭୂତ ହୋଇ ପଡ଼ିଲା ।

 

ବିଭାବସୁ କମଳର ମୁଖଭଙ୍ଗୀକୁ ଲକ୍ଷ୍ୟ କରୁଥିଲେ । ତାଙ୍କ କଥା ଶୁଣି ସେ ଆନନ୍ଦିତ ହୋଇଛି । ତାର ସେହି ଆନନ୍ଦକୁ ସେ ମନେ ପକାଇ ଖୁସି ହେଲେ ।

 

ଦୀର୍ଘଶ୍ଵାସ ଛାଡ଼ିଲା କମଳ । ତା’ମୁହଁ କ୍ଷଣକ ପାଇଁ ଉଦାସ ଏବଂ ଅନ୍ୟମନସ୍କ ହୋଇ ପଡ଼ିଲା ।

 

ହଠାତ୍ ଏମିତି ଚୁପ୍ ହୋଇଗଲ ଯେ—ବିଭାବସୁ ଆଶ୍ଚର୍ଯ୍ୟ ହୋଇଗଲେ ।

 

—ନାଇଁ, ଏମିତି ଭାବୁଥିଲି । ଅଜ୍ଞାନ ମଧ୍ୟରେ ମଣିଷ ଯେପରି ନିରୁପାୟ, ଯେପରି ଅସହାୟ, ସେପରି ଆଉ କେଉଁଠାରେ ? କମଳର ପତଳା ଓଠରେ ଧାରେ ପତଳା ହସ ଖେଳିଗଲା ।

 

—ତମର ଏଇ ଗୀତାରୁ ତମେ ଯେ କ’ଣ ବୁଝ କେଜାଣି ? ମୁଁ କିନ୍ତୁ ସେ ବିଷୟରେ କିଛି ଗୋଟେ ଧାରଣା ହିଁ କରିପାରେ ନାହିଁ, ସହଜ କଣ୍ଠ ବିଭାବସୁଙ୍କର ।

 

—କେବଳ ଆପଣ ନୁହଁନ୍ତି, ଅନେକ ଲୋକ ଧର୍ମ—ତତ୍ତ୍ଵ ବିଷୟରେ କିଛି ଧାରଣା କରି ପାରନ୍ତି ନାହିଁ ।

 

—ତମେ କ’ଣ କହୁଛ, ଏ ଗୀତା, ଈଶ୍ଵର ପ୍ରକୃତ ସତ୍ୟ ? —

 

—ନିଶ୍ଚୟ । ଏଥିରେ ଟିକିଏ ବି ସନ୍ଦେହ ନାହିଁ । ଏହାକୁ ସନ୍ଦେହ କରିବା ମାନେ ତ ନିଜକୁ ସନ୍ଦେହ କରିବା ।

 

—ଆଚ୍ଛା, ଅର୍ଜୁନ ତ ଆଗରୁ ବହୁବାର କୁରୁସେନାଙ୍କ ସହିତ ଯୁଦ୍ଧ କରଛନ୍ତି । ବିରାଟ ରାଜାଙ୍କ ଗୋବତ୍ସା ହରଣ ବେଳେ ଯେଉଁମାନଙ୍କୁ ରଣକ୍ଷେତ୍ରରେ ଲୋଟେଇ ଦେବାକୁ ତାଙ୍କର ମନ ଟିକିଏ ବି ବିଚଳିତ ହୋଇ ନଥିଲା କି ବିବେକ ପଛେଇ ଯାଇ ନଥିଲା, କୁରୁକ୍ଷେତ୍ରରେ ସେ କାହିଁକି ଧନୁର୍ବାଣ ଛାଡ଼ି ବସି ପଡ଼ିଲେ ?

 

କମଳକୁ ବିଭାବସୁ ଚାହିଁଥିଲେ । ତାଙ୍କ ମୁହଁରେ ହସ ଲାଗିଥିଲା ।

 

—କହୁ ନାହିଁ । କାହିଁକି ସେ ସେତେବେଳେ କହିଲେ, ଯୁଦ୍ଧ କରିବି ନାହିଁ । କଣ ପାଇଁ-? କୃଷ୍ଣଙ୍କ ସହ ଥଟ୍ଟା ଖେଳୁଥିଲେ ? ବିଭାବସୁ ମୃଦୁ ହସି ପଚାରିଲେ ।

 

—ସତରେ ପଚାରୁଛନ୍ତି ? କମଳ ଆଶ୍ଚର୍ଯ୍ୟ ହେଲା ।

 

—ହଁ !

 

—ଗୋବତ୍ସା ହରଣ ବେଳେ ଅର୍ଜୁନଙ୍କୁ ସେମାନଙ୍କୁ ମାରି ଦେବାକୁ ପଡ଼ି ନଥିଲା । ସେ କେବଳ ସମସ୍ତଙ୍କୁ ‘ମୋହ’ କରି ଦେଇଥିଲେ । କିନ୍ତୁ କୁରୁକ୍ଷେତ୍ରରେ, ପ୍ରକୃତରେ ସେମାନଙ୍କୁ ମାରିଦେବାକୁ ହେବ ଜାଣି, ଅର୍ଜ୍ଜୁନ ବିଚଳିତ ହୋଇ ପଡ଼ିଲେ । କମଳର ସ୍ଵର ଅତି ମାତ୍ରାରେ ଶାନ୍ତ ଓ ଧୀର ।

 

—ପ୍ରକୃତରେ ମାରି ଦେବାକୁ ହେବ ବୋଲି ପ୍ରଥମରୁ କଣ ଜାଣି ନ ଥିଲେ କି ? ଆଗରୁ କ’ଣ ସେ କଥା ଭାବି ନ ଥିଲେ ? ତେଣୁ ଯୁଦ୍ଧ ଭୂମିରେ ହଠାତ୍.... । ବିଭାବସୁଙ୍କ କଣ୍ଠରେ ବ୍ୟଙ୍ଗୋକ୍ତି ଥିଲା ।

 

—ଆପଣ ତର୍କ କଲେଣି । ହସିଲା କମଳ । ଚପା ହସ । କମଳ କେବେ ବି ତର୍କ କରେ ନାହିଁ । ସେ ପୂର୍ବପରି ପ୍ରଶାନ୍ତ କଣ୍ଠରେ କହିଲା, ‘ଆପଣ ସେ କଥା କହିପାରିବେ ନାହିଁ । ସେ ଆଗରୁ ଜାଣିଥିଲେ । ବୀର ଅର୍ଜ୍ଜୁନ ତ ଆଉ ଚପଳମତି ବାଳକ ନଥିଲେ । ମୋହ, ମାୟାଟା ଅତି ଭୟଙ୍କର । ତାକୁ ତୁଟାଇବା ସହଜ କଥା ନୁହେଁ । ଧରନ୍ତୁ, ଆପଣ ଓ ମୁଁ ଦୁଇ ଭାଇ । ଆମ ଦୁହିଁଙ୍କର ଜମି ସଂକ୍ରାନ୍ତ୍ରୀୟ ଗଣ୍ଡଗୋଳ ଲାଗିଲା ! ଆପଣ ଗାଁକୁ ଆସିବା ବେଳେ ଭାବି ଭାବି ଆସୁଛନ୍ତି ଯେ, ମତେ ଦେଖିବା ମାତ୍ରେ ହିଁ ତାଳୁ ଫଟେଇ ଦେବେ, ତେଣିକି ଯାହାହେବ ଦେଖାଯିବ-। ମନେ ମନେ ମୋ ଉପରେ ରକ୍ତ ଚାଉଳ ଚୋବେଇ ଆସୁଛନ୍ତି । ଗାଁରେ ପହଞ୍ଚିଲେ । ମୋ ସହିତ ଦେଖା ହେଲା । ତା’ପରେ ମୋ ମୁହଁକୁ ଚାହିଁ, ଆପଣଙ୍କ ମନକୁ ଆସିଲା, ‘ଛାର ଜମି ଖଣ୍ଡେ ପାଇଁ ମୁଁ ମୋ ଭାଇକୁ ମାରିଦେବି !’ ଅର୍ଜୁନଙ୍କ ମନରେ ମଧ୍ୟ ଏହି ଭାବ ଉଦୟ ହେଲା । ସେତେବେଳେ ତାଙ୍କୁ ଏହି ଆତ୍ମୀୟ ମୋହ ଆକର୍ଷଣ କଲା । ତେଣୁ ସେ କହିଲେ ରୁଧୀରଲିପ୍ତ ରାଜଭୋଗ ଅପେକ୍ଷା, ଭିକ୍ଷା ବୃତ୍ତିରେ ଜୀବନ ବିତାଇବା ସହସ୍ର ଗୁଣରେ ଭଲ । କମଳ କହିସାରି, ନଶବ୍ଦରେ ହସିଲା ।

 

ବିଭାବସୁ ବୁଝିଲେ, କମଳ ସତରେ ତର୍କ କରୁନାହିଁ । ତା’ କଣ୍ଠସ୍ଵରରେ ଅଦ୍ଭୁତ ଏକ ଶାନ୍ତ ଭାବ । ଈଶ୍ଵରଙ୍କ ବିଷୟ ପଡ଼ୁ ପଡ଼ୁ ହିଁ କମଳର ଆଖିରେ, ମୁହଁରେ କେମିତି ଏକ ପବିତ୍ର ଭାବ ଫୁଟି ଉଠେ । ସେହି ପବିତ୍ରତାକୁ ଅନୁଭବ କରୁ କରୁ, ନିଜେ ହିଁ କେମିତି ପବିତ୍ର ହୋଇ ଉଠିଲା ଭଳି ମନେହୁଏ । ଯୁକ୍ତି ତର୍କ ସମୟରେ ଏହି ପ୍ରଶ୍ନ ସେ କେତେ ଜଣଙ୍କୁ କରିଛନ୍ତି । ହେଲେ କେହି ଜଣେବିତ ଉତ୍ତର ଦେଇ ପାରି ନ ଥିଲେ । କିନ୍ତୁ କମଳ… ! ବୟସ ବା କେତେ ହେବ ! ଜଲିଠାରୁ ଛଅ ମାସ ବଡ଼ ବୋଲି ମାଇଁ କହୁଥିଲେ । ଏତେ କମ୍ ବୟସରୁ କମଳର ଏମିତି ଈଶ୍ଵର ପ୍ରୀତି ଆସିଲା କେମିତି !!

 

ସେ ହସି ହସି କହିଲେ, ତମେ ଯାହା କହ କମଳ, ମୋର କିନ୍ତୁ ଏ ସବୁରେ ଆଦୌ ବିଶ୍ୱାସ ନାହିଁ । ଶୁଣିଛି, ଆମର ଠାକୁର ଦେବତା ସବୁ କରି ପାରନ୍ତି ! ବିଜ୍ଞାନ ଯୁଗରେ ଏକଥା ଯେ କେତେ ହାସ୍ୟାସ୍ପଦ, ତାହା କୁହା ନ ଯାଏ । କେବଳ ଗଳ୍ପରେ ମୁଁ ପଡ଼ିଛି ସୀତା, ସାବିତ୍ରୀ, ସତୀ ଅନସୂୟା ।

 

—ଜାଣେ ! କମଳ ସେହିପରି ଶାନ୍ତ ଭାବରେ କହିଲା । ମୁଁ ରାମାୟଣ ମହାଭାରତ ପଢ଼ିଛି । ବୋଉଠାରୁ ମଧ୍ୟ ସେ ବିଷୟରେ କେତେ କଥା ଶୁଣିଛି । ଆପଣ ବିଜ୍ଞାନ କଥା କହିଲେ, ତାହା ଅବଶ୍ୟ ସତ୍ୟ । କିନ୍ତୁ ଆପଣ କଣ ଅସ୍ଵୀକାର କରିବେ ଯେ, ବିଜ୍ଞାନ ଉପରେ ମଧ୍ୟ ଆଉ ଏକ ‘ଶକ୍ତି’ ରହିଛି ବୋଲି ?

 

ବିଭାବସୁ ନିର୍ବାକ ହୋଇ ଚାହିଁ ରହିଲେ ।

 

କମଳ ପୂର୍ବପରି ହିଁ କହିଲା, ଭଗବାନଙ୍କୁ ଯେଉଁ ଯେଉଁ ରୂପରେ, ଯେଉଁ ଯେଉଁ ଭାବରେ ଚିତ୍ରଣ କରିଯାଇଛି, ତାହା କେବେ ବି କେଉଁ କବିର ଚାତୁରୀ ହୋଇ ନ ପାରେ । ଏସବୁ କିଏ କାହାରିକୁ କହିପାରି ନାହିଁ । ବୁଝେଇ ବି ପାରିନାହିଁ । କିନ୍ତୁ ଈଶ୍ୱର ସେ ଅଛନ୍ତି, ଏହା ନିଶ୍ଚିତ ଭାବରେ ସତ୍ୟ ।

 

ଆଶ୍ଚର୍ଯ୍ୟ ହୋଇ ବିଭାବସୁ ପଚାରିଲେ, ତମେ ସେ ମୋଟା ମୋଟା ରାମାୟଣ, ମହାଭାରତ ପଢ଼ିଛ ? ତା’ପରେ ଏକ ପ୍ରକାର ଲଜ୍ଜା ପାଇଲା ଭଳି କହିଲେ, ସେ ସବୁ ଗଳ୍ପ ସ୍କୁଲ ଜୀବନରେ ପଢ଼ୁଥିଲି । ମତେ ଅବଶ୍ୟ ଭଲ ଲାଗେ ଯେ—

 

ହସିଲା କମଳ ! ଶରତ ସକାଳର ଗଙ୍ଗଶିଉଳି ଫୁଲ ପରି ତା’ଓଠରୁ ହସ ଝରି ପଡ଼ିଲା.... । ସେ କହିଲା, ବିଶ୍ଵାସ ନ ହେଲେ ବି ସେ ସବୁ ଭଲ ଲାଗେ । ଗୋଟିଏ ସାମାନ୍ୟ, ଛୋଟ କଥା ଶୁଣନ୍ତୁ । ଗାଧୋଇ ସାରି ସୂର୍ଯ୍ୟଙ୍କୁ ନମସ୍କାର କରୁଥିବା ଲୋକଙ୍କୁ ବ୍ୟାୟାମର ଫଳ ତ ମିଳିବ, ଆଖିର ଜ୍ୟୋତି ବି ବଢ଼ିବ । ଏହା ସ୍ୱାସ୍ଥ୍ୟରକ୍ଷାରେ ଲେଖା ଅଛି । କିନ୍ତୁ କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟଙ୍କୁ ନମସ୍କାର କରେ କି ? ନାଃ ! ସେ ଉପାସନା ପାଇଁ ହିଁ କରେ । ଉପାସନା ପାଇଁ ହିଁ କରିବା ଉଚିତ୍ । ତାଦ୍ଵାରା ସେ ଦେହର ସ୍ଵାସ୍ଥ୍ୟ ଲାଭ କରେ, ବୁଦ୍ଧିର ଦୀପ୍ତି ମଧ୍ୟ ବଢ଼େ-। ସ୍ୱାସ୍ଥ୍ୟ ସାଙ୍ଗରେ ସ୍ପୁତ୍ତି ଓ ପ୍ରତିଭା ମଧ୍ୟ ତାକୁ ସୂର୍ଯ୍ୟନାରାୟଣଙ୍କ ଠାରୁ ମିଳେ । ଦେଖନ୍ତୁ, କର୍ମ ଏକା-। କେବଳ ଭାବନା ଭେଦ ହେତୁ ତହିଁରେ ପ୍ରଭେଦ ଘଟେ ।

 

ବିଭାବସୁ କମଳର ସବୁ କଥା ହୁଏତ ବୁଝି ପାରିଲେ ନାହିଁ । ଯେତିକି ବୁଝିଲେ, ତହିଁରେ ଏକ କୌତୁହଳ ହିଁ ସୃଷ୍ଟି ହେଉଥିଲା । ତେଣୁ ସେ ଉଲ୍ଲସିତ ହେଲାଭଳି କହିଲେ, ତମର କଥା ଗୁଡ଼ାକ ଖୁବ୍ ଚମତ୍କାର କମଳ ! ମୁଁ ଏପରି କଥା ଅନ୍ୟ କେଉଁଠି ବି ଶୁଣି ନ ଥିଲି । ଏସବୁ ଶୁଣିବାକୁ ଖାଲି ଯେ ମଜ୍ଜା ଲାଗୁଛି ତା’ନୁହେଁ ଆଗ୍ରହ ବି ଆସୁଛି ।

 

—ବେଶ୍ ତ ! ମୁଁ ତେବେ ସେ ସବୁ ଆପଣଙ୍କୁ ଦିନେ ଶୁଣେଇବି ।

 

—ଆଜି ଶୁଣାଅନା ? କିନ୍ତୁ… । ବିଭାବସୁ ଯାହା ଭାବିଥିଲେ, ଯାହା କହିବାକୁ ଯାଉଥିଲେ, କିଛି କହି ନ ପାରି ବିବ୍ରତ ହୋଇ ପଡ଼ିଲେ । ଶେଷରେ କହିଲେ, ବାସୁକୀ ଧରଣୀ ଧରିଛି, ଭଗବାନ, ଜଳସ୍ଥଳ, ଆକାଶ କରିଛନ୍ତି–ଏସବୁ ମନଗଢ଼ା ଗଳ୍ପ ନୁହେଁ ତ ଆଉ କ’ଣ ? ବୈଜ୍ଞାନିକମାନଙ୍କର ମତ ଶୁଣୁଛତ ? ଚନ୍ଦ୍ର ଗ୍ରହରେ ମଣିଷ ବସବାସ କରିବ ।

 

—ଶୁଣିଛି ।

 

ତେବେ କେଉଁଟା ସତ, କେଉଁଟା ମିଛ, କହିଲ ।

 

ବିଭାବସୁଙ୍କ କଥାରେ କମଳ ଆହତ ହେଲା ନାହିଁ । ରାଗିଲା ନାହିଁ । ବୟସ୍କ ଲୋକ ଛୋଟ ଛୁଆଙ୍କୁ ବୁଝାଇ କହିଲାଭଳି, ବିଭାବସୁଙ୍କୁ ଚାହିଁ କମଳ କହିଲା, ମୁଁ ବୈଜ୍ଞାନିକ ନୁହେଁ । ମୁଁ ଯୋଗୀ, ସନ୍ନ୍ୟାସୀ ବି ନୁହେଁ । ଶିକ୍ଷାଦୀକ୍ଷା ବି ମୋର ସେମିତି ନାହିଁ । ତେବେ ମୁଁ ଏତିକି ଜାଣେ, ଯୁକ୍ତିରେ ଭଗବାନ ନ ଥାନ୍ତି । ତର୍କରେ ଭଗବାନ ମିଳନ୍ତି ନାହିଁ । ତର୍କ କରିବାକୁ ମତେ ଭଲ ଲାଗେ ନାହିଁ । ମୁଁ କେବେ ବି ତର୍କ କରେ ନାହିଁ । ବରଂ ସେଥିରେ ଲାଭ ଭିତରେ ମିଳେ ମନସ୍ତାପ ! ଶୁଣନ୍ତୁ ଭଗବାନଙ୍କୁ ନେଇ ତର୍କ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ମୁଁ ଜାଣୁଛି, ଆପଣ ମତେ ଥଟ୍ଟା କରି, ଏମିତି ସବୁ କହୁଛନ୍ତି । କହୁ କହୁ କମଳର ମୁହଁ ଆରକ୍ତ ହୋଇଉଠିଲା । ସେ ନିଜର ଦୃଷ୍ଟି ତଳକୁ କରି କହିଲା, ଭଗବାନ ଆମ ପାଖେ ପାଖେ ହିଁ ରହଛନ୍ତି । ତ୍ୟାଗ, ପ୍ରେମ, ସେବା, ମମତା ଭିତରେ ହିଁ ତାଙ୍କୁ ଅନୁଭବ କରିହୁଏ ବୋଲି ନିଜେ ମହାତ୍ମାଗାନ୍ଧୀ କହିଛନ୍ତି । ସେ ନିର୍ମଳ, ପ୍ରଶାନ୍ତ ହସ ହସିଲା । ତାର ପତଳା ମୁହଁରେ, ଏହି ନିର୍ମଳ ହସ, ପ୍ରଭାତ–ସୂର୍ଯ୍ୟର ସୌମ୍ୟ–କିରଣ ଶିଶିର ସ୍ନିଗ୍‌ଧ ପୃଥିବୀ ଉପରେ ବୁଣି ହୋଇଗଲା ପରି, ବୁଣି ହୋଇଗଲା । ସେ ଆହୁରି ଶାନ୍ତ, ଆହୁରି ସ୍ନିଗ୍‌ଧ ଦିଶିଲା ।

 

ବିମୋହିତ ହୋଇ ବିଭାବସୁ ଜିଜ୍ଞାସା କଲେ, ତମେ ଭଗବାନଙ୍କୁ ଦେଖି ଚ ?

 

ହସିଲା କମଳ ! ମଧୁର ହସରେ ତା’ମୁହଁ ମାଧୁର୍ଯ୍ୟମୟ ହୋଇ ଉଠିଲା । ତରଳ ସ୍ଵରରେ କହିଲା, ନାଃ, ମୋର ସେ ସୌଭାଗ୍ୟ ଆସି ନାହିଁ । ଭଗବାନଙ୍କ ସହିତ ମୋର ଦେଖା ସାକ୍ଷାତ, କଥାବାର୍ତ୍ତା ହୋଇନାହିଁ । ମୁଁ ଜଣେ ଦର୍ଶନପ୍ରାର୍ଥୀ ମାତ୍ର ! ତେବେ ଏତିକି ଅନ୍ତତଃ ଜାଣେ ଯେ, ସେ ନିର୍ଦ୍ଦିଷ୍ଟ ଭାବରେ କିଛି ତ୍ୟାଗ, କାହାରିଠାରୁ ଦାବୀ କରନ୍ତି ନାହିଁ । ତା’ ସତ୍ତ୍ୱେ ସେ ସମସ୍ତଙ୍କୁ ଭଲ ପାଆନ୍ତି । ଅଥଚ ଆମ ମାନଙ୍କର ଭଲ ପାଇବାକୁ ସେ ଅପେକ୍ଷା କରନ୍ତି ନାହିଁ ! ହଠାତ୍ କମଳ ସଚେତନ ହେଲା । କହିଲା, ନାଁ, ଏସବୁ କଥା ଥାଉ । ଏସବୁ ଶୁଣି ଆପଣଙ୍କୁ ବୋଧେ କେମିତି ଲାଗିଲାଣି ।

 

ବିଭାବସୁଙ୍କୁ ସତରେ କିଛି ଲାଗୁ ନ ଥିଲା । ସେ’ତ ମୁଗ୍‌ଧ ହୋଇ, କମଳକୁ ଚାହିଁ ରହିଥିଲେ; କିନ୍ତୁ କମଳ ଏମିତି କହିଲା କାହିଁକି ?

 

ବିଭାବସୁଙ୍କ ଚାହାଣୀରେ କମଳ ଲଜ୍ଜା ପାଇଲା ଯେମିତି; କିମ୍ବା କେଉଁଠି ସେମିତି ବାଧା ପାଇଲା । ସେ ତେଣୁ ହଠାତ୍‍ ନୀରବ ହୋଇଗଲା । ତାର ଆଖି ତଳକୁ ହୋଇଗଲା ।

 

ବିଭାବସୁ କମଳର ତନ୍ମୟ ଭାବକୁ ଉପଭୋଗ କରୁଥିଲେ । କିଛି କହିଲେ ନାହିଁ । କମଳ ଯେତେବେଳେ ଭଗବାନଙ୍କ କଥା କହେ, ସେତେବେଳେ ସେ ଅନ୍ୟ ରକମ ମନେହୁଏ । ପବିତ୍ର, ସରଳ ଏବଂ ବିଶ୍ଵାସୀ । ସେ ଯଦିଓ ବୁଝି ପାରିଲେ ନାହିଁ ଯେ, କମଳ ଏ ସମୟରେ ଅନେକ ବଡ଼ ବୋଲି ତାଙ୍କର ମନେ ହୁଏ କାହିଁକି ! ଯେମିତି ଅନେକ ବେଶି କିଛି ସେ ଜାଣେ । ସେତିକିବେଳେ ସେ ନିଜକୁ କମଳଠାରୁ ଛୋଟ ମନେ କରନ୍ତି । ସେ ବିସ୍ମିତ ହେଉଥିଲେ, କମଳ ବୟସର ଝିଅମାନେ ସିନେମା ଥିଏଟର ନେଇ ମଉଜ କଲାବେଳେ, କମଳ ଗୀତା, ଭାଗବତ ଭିତରେ ହଜି ଯାଉଛି । ସେ କିଛି ନ କହି, ଚୁପ୍ ରହିଗଲେ । ଅନ୍ୟମନସ୍କ ହୋଇ ପଡ଼ିଲେ ।

 

—ତମେ ହାରିଗଲ ବିଭାସ ଭାଇ । କୁନି ପାଖରେ ଏଇ ପରାଜୟ ପାଇଁ, ଆମକୁ ତମେ ଦୋସା ଖୁଆଇବ । ଉଚ୍ଛ୍ଵସିତ ଆନନ୍ଦରେ ଫାଟି ପଡ଼ି, ଜଲି ରେଜେଇ ତଳୁ ହଠାତ୍ ବାହାରି ପଡ଼ି, ତଳେ ଠିଆ ହୋଇଗଲା ।

 

ଚମକି ଉଠିଲେ ବିଭାବସୁ । ତୁ’ ? ତାଙ୍କ ଆଖି ବିସ୍ଫାରିତ ହୋଇ ପଡ଼ିଲା ।

 

—‘ଓଃ ! ଓଠ ଉପରେ ବାଁ ହାତର ବିଶି ଆଙ୍ଗୁଠିଟାକୁ ଥୋଇ, ଜଲି ଏକ ବିଚିତ୍ର ଭଙ୍ଗି କରି କହିଲା, ‘ତମେ ତେବେ ଭାବିଥିଲ, ଏ କୁହୁଡ଼ିଆ କାକର ଭିଜା ସକାଳରେ, ଏଇ କୋଠରୀ ଭିତରେ, କୁନି ସହ ତମେ ହିଁ କେବଳ ଅଛ ବୋଲି ନା ? ଉଦ୍ଦାମ ହସରେ ଫାଟି ପଡ଼ିଲା ଜଲି । ଜଲି ସେମିତି କିଛି ଭାବି, କଥାଟା କହି ନଥିଲା । ଥଟ୍ଟାରେ କହି ଦେଇଥିଲା ମାତ୍ର । ସେ ବଡ଼ ଚପଳମତି, ଅସ୍ଥିର ସ୍ଵଭାବର । ବୟସ ତାକୁ ଆୟତ୍ତ କରି ପାରିନାହିଁ । ପିଲାଳିଆ ଚଞ୍ଚଳ ପ୍ରକୃତି ତାର ।

 

–ଧେତ୍ ! କମଳର କଅଁଳ ମୁହଁ ଉପରେ ବାଳ ସୂର୍ଯ୍ୟର ଲାଲ କିରଣ ଯେପରି କିଏ ଛାଟିଦେଲା ।

 

କମଳର ଚାଲିଯିବା ପଥକୁ, ଦୁଇବାହୁ ବିସ୍ତାରି, ଅଟକାଇ–ଦେଲା ଜଲି । କହିଲା, ଲାଜ ଲାଗୁଚି ? କାହିଁକି ? କାହିଁକି ଲାଜ ଲାଗୁଚି ଶୁଣେ । ଏ, ଏଇ ମୋ’ କଥା ଶୁଣ୍ । ଆଜିର ବିଜୟ ପାଇଁ ତତେ ମୋର ଆନ୍ତରିକ ଧନ୍ୟବାଦ । ଏଥିପାଇଁ ତୁ ନିଶ୍ଚୟ ଦୋସା ଖାଇବୁ

 

କମଳ ଲଜ୍ଜାରେ ଜଡ଼ସଡ଼ ହୋଇ ଯାଇଥିଲା । କହିଲା, ଉଠ୍‌ମ ! ସକାଳଟାରୁ ହିଁ ତୋର ଫାଜିଲାମି ଆରମ୍ଭ ହୋଇଗଲା ।

 

—ନାଃ, ତତେ ଯିବାକୁ ହେବ ନାହିଁ । ମୁଁ ଯାଉଛି, କହି ଜଲି ଭିତର ପଟ ଦେଇ ବାଥ୍‌ରୁମ୍ କୁ ଗଲା ।

 

ଅଦ୍ଭୁତ ଏକ ଲଜ୍ଜାରେ କମଳ ଚୁପ୍‌ଚାପ୍‍ ଠିଆହୋଇ ରହିଲା । ସରମାଭାରେ ତା’ମୁହଁଟି ଅପୂର୍ବ କମନୀୟ ହୋଇ ଉଠିଥିଲା । ବନହଳଦି ରଙ୍ଗର ଶାଢ଼ିଟିଏ ପିନ୍ଧିଥିଲା ସେ । ଘୋଡ଼େଇ ହୋଇଥିଲା, କଳା ରଙ୍ଗର ଛୋଟ ଶାଲ୍‌ଟିଏ । ହଳଦି ଓ କଳା ରଙ୍ଗ ଭିତରେ ସେ ହଳଦି ବସନ୍ତଟିଏ ପରି ଦିଶୁଥିଲା ।

 

ବିଭାବସୁ ନିର୍ମିମେଷ ନୟନରେ କମଳକୁ ଚାହିଁଥିଲେ । ତାର ଠିଆ ହେବାର ଭଙ୍ଗିରେ ସେ ମୁଗ୍‌ଧ ହୋଇ ପଡ଼ିଥିଲେ । ତାଙ୍କ ଓଠରେ ହସର ତରଙ୍ଗ । ସେ ହସ, ପାଇବାର ହସ ! ସେ ଚାହାଣୀରେ ଅନେକ ସ୍ଵପ୍ନ । ଇନ୍ଦ୍ରଧନୁର ସାତ ରଙ୍ଗରେ ମନ ଯେପରି ରଙ୍ଗି ଯାଉଛି । ସେ ବିହ୍ୱଳ ହୋଇ ଉଠିଲେ ।

 

କମଳ କ୍ରୀଡ଼ାବତୀ ସାଜି, ତଳକୁ ମୁହଁ କରି, ଅପୂର୍ବ ଭଙ୍ଗିରେ ଠିଆ ହୋଇଛି ।

 

ବିଭାବସୁ କହିଲେ, ଅଦିନରେ ହଳଦୀ–ବସନ୍ତଟିଏ ଦେଖି ମୋର ଭ୍ରମ ହେଉଛି, ପୃଥିବୀକୁ ବସନ୍ତ ଆସିଲାଣି ବୋଲି ।

 

ମୁହଁ ଟେକି, ବିଭାବସୁ ଥରେ ଚଞ୍ଚଳ ଚାହାଣୀରେ ଚାହିଁଦେଇ, ଦ୍ରୁତ ପଦପାତରେ କମଳ ସେ ଘରୁ ବାହାରିଗଲା ।

 

ମୁଗ୍‌ଧ ଚକିତ ଚାହାଣୀରେ କମଳ ଚାଲିଯିବାର ପଦ ଛନ୍ଦକୁ ବିଭାବସୁ ଚାହିଁ ରହି ଭାବିଲେ, ହଠାତ୍ ସେ କମଳକୁ ଏମିତି ପରିହାସ କଲେ କିପରି ? କାହିଁକି ?

 

ନିଜ କଥାରେ ନିଜେ ଯେମିତି ସେ ଚକିତ ହେଲେ ।

 

ଇସ୍‌ପାତ ମାର୍କେଟରୁ ଫେରୁଥିଲେ ବିଭାବସୁ ଓ କମଳ; ଶୀଘ୍ର ଫେରି ଆସିବେ ବୋଲି-। ରାତି ପ୍ରାୟ ଆଠଟା ବାଜିବ । ଛୋଟ ବଡ଼, ଏଣୁ ତେଣୁ ଅନେକ ଜିନିଷ କିଣିବାର ଥିଲା । କାଲି ଶାମ୍ବ ଦଶମୀ । ଓଡ଼ିଆ ଘରର ବେଶ୍‌ ବଡ଼ ପର୍ବଟିଏ । ମାଉସୀଙ୍କ ବରାଦ ମୁତାବକ ସବୁ ଜିନିଷ କିଣିଲା କମଳ । ଗୋଲ ମରିଚ, କର୍ପୂର, ନଡ଼ିଆ, ଗୁଆ, ଗୁଡ଼, ପାନ, ଆଳୁ, ପିଆଜ, ଦେଶୀଆଳୁ, ବାଇଗଣ, ଲବଙ୍ଗ, ଅଳେଇଚ, ଏମିତି ଅନେକ ଛୋଟ ବଡ଼ ଜିନିଷ । ତାଲିକା ହୋଇଥିଲା-। ଜବାକୁସୁମ ଓ କଣ୍ଡେନ୍‌ସ ମିଲ୍‌କ ଡବାଟାଏ ବି କିଣା ହେଲା । ଶୀତଦିନ ବୋଲି ଚା’ର ଆବଶ୍ୟକ ଅଧିକ ପରିମାଣ ହୋଇ ଉଠୁଛୁ । ପଣ୍ଡସ୍ କ୍ରିମଟାଏ, ସଲ୍‌ଟ ବିସ୍କୁଟ୍‌ କିଛି ମଧ୍ୟ କିଣା ହେଲା । ଜଲି କହିଥିଲା, ‘ମୁଡ଼କୁ’ ଓ କାଜୁବାଦାମ–ତାହା ବି ଆସିଛି ।

 

ରିକ୍‌ସାରେ ଜିନିଷ ପତ୍ର ଥୋଇ, ବସିବାବେଳେ କମଳ ନିଜ ହାତ ଘଣ୍ଟାକୁ ଚାହିଁଲା । ଆଠଟା ବାଜିବାକୁ ଦଶ ମିନିଟ୍ ଅଛି । ଆଶ୍ଚର୍ଯ୍ୟ ହେଲା ଭଳି କହିଲା, ଏତେ ରାତି ହୋଇଗଲାଣି ।

 

ବିଭାବସୁ କୋଟରେ ହାତ ଠେଲି ନିଜ ହାତ ଘଡ଼ି ଦେଖିଲେ । ସ୍ମିତ ହସିଲେ, ‘ଏତେ ରାତି ଆଉ କ’ଣ ? ଆମେ ତ ବସାରୁ ବାହାରୁ ବାହାରୁ ପ୍ରାୟ ଛଅଟା ହୋଇ ଯାଇଥିଲା । ଦେଢ଼ଘଣ୍ଟା ତ ଲାଗିଲା ମୋଟେ । ଅଧଘଣ୍ଟା ତ ବାଟରେ ଗଲା ।

 

ହସି ପକାଇଲା କମଳ । ‘ଦେଢ଼ଘଣ୍ଟାଟା ଆପଣଙ୍କୁ ମୋଟେ ପରି ଲାଗୁଛି ନା ? କି ଥଣ୍ଡା ପଡ଼ୁଛି, ଦେଖୁଛନ୍ତିଟି’—

 

ବିଭାବସୁଙ୍କର ମନ ହେଉଥିଲା କହିଦେବାକୁ—ତମେ ମୋ ପାଖରେ ଥିଲେ ଯୁଗଟାଏ ହିଁ ‘ମୋଟେ’ ହୋଇଯିବ କମଳ ! ତମେ ଯେ ମୋର ପ୍ରତିଟି ଲଗ୍ନକୁ ସୁରଭିତ କରି ଦେଉଛ ।

 

ହେଲେ ମନେ ମନେ ଭାବୁଥିବା କଥାକୁ କହିପାରିଲେ ନାହିଁ । ସେ ବି ଥଣ୍ଡାକୁ ଅନୁଭବ କଲେ । ମାର୍କେଟ୍ ଭିତରେ ଲୋକ ଗହଳି ଓ ଭରା ଆଲୋକ ଭିତରେ ବେଶ୍ ଗରମ ଲଗୁଥିଲା । ଆଉ ଏ ବାହାରେ ! ବାପ୍‌ରେ ! କି କଲିଜା ଥରା ଶୀତ ! ନିଜ ପ୍ୟାଣ୍ଟ କୋର୍ଟକୁ ସଜାଡ଼ି ନେଲେ ସେ ।

 

ହାଲ୍‌କା ଦୃଷ୍ଟିରେ ଚାହିଁଥିଲା କମଳ । ଆସିବା ରାତିରେ ସେହି ଗରମ କଳା ପ୍ୟାଣ୍ଟ ଓ କଳା କୋଟ, କଳା ଯୋତା । ଗରମ ମୋଜା ଦିଶୁନାହିଁ । ଦି’ ଗାଲ ଓ ଦି’ଟା ଯାକ କାନକୁ ଘୋଡ଼େଇ ରଖିଛି ମଫଲର । ଠିକ୍ ଏହି ପୋଷାକରେ ସେଦିନ ରାତିରେ ବିଭାବସୁଙ୍କୁ ଦେଖି ସେ ଅସମ୍ଭବ ରକମର ଭୟ ପାଇଥିଲା । ଆଜି ସେହି ପୋଷାକରେ ତାଙ୍କୁ ଦେଖି–ନିଜ ଭାବନାରେ ନିଜେ ଲାଜେଇ ଗଲା କମଳ । ସତରେ ବିଭାବସୁ ସୁନ୍ଦର । ଭାରି ସୁନ୍ଦର ।

 

—ବସ । ବିଭାବସୁ କମଳକୁ ବସିବାକୁ ଇଂଗିତ କଲେ । ସେ ଇଂଗିତ ଆଉ ଫେରିଲା ନାହିଁ । କମଳ ଆଗେଇ ଯାଉଛି । ଚାହିଁଛନ୍ତି ବିଭାବସୁ । ଇଷତ୍ ଧୂସର ରଙ୍ଗର ଶାଢ଼ି ଖଣ୍ଡେ ପିନ୍ଧଛି ସେ । ତା ଉପରେ କୋର୍ଟ । କଳାରଙ୍ଗର କୋର୍ଟଟାର ଗଳା ପାଖରେ ମସ୍ତ କଲର । ପାଦରେ ଗରମ ମୋଜା । ମୁଣ୍ଡରେ ବାନ୍ଧିବ ବୋଲି କୋର୍ଟ ପକେଟରେ ମଫଲର୍ ରଖିଛି । ଏ ପର୍ଯ୍ୟନ୍ତ ବାନ୍ଧିନାହିଁ । ରିକ୍‌ସାରେ ବସି ଶାଢ଼ି ସଜାଡ଼ି ନେଲା କମଳ । ଚାହିଁଲା–ବିଭାବସୁ ତାଙ୍କୁ ହିଁ ଚାହିଁଛନ୍ତି ! ସେ ଚାହାଣୀ କମଳକୁ କେମିତି କେମିତି ମନେ ହେଲା । ସେ ଲାଜ ପାଇ, ମୁହଁ ତଳକୁ କଲା ।

 

ବିଭାବସୁ ରିକ୍‌ସା ଉପରକୁ ଉଠି ଆସିଲେ । କମଳର ପାଖକୁ ଲାଗି ବସିଲେ । ରିକ୍‌ସାବାଲା ଉଦ୍ଦେଶ୍ୟରେ କହିଲେ, ସେକ୍‌ଟର ଛକୁ ଚଲା । ତା’ପରେ କମଳକୁ ଚାହିଁ କହିଲେ, ତମେତ ଭାରି କାମିକା ଝିଅ ଦେଖୁଛି ।

 

—ଉଁ ଉଁ ! ଥଟ୍ଟା !

 

—ଥଟ୍ଟା କ’ଣ ? ସତରେ । ନିଜ ଆଖିରେ ତ ଦେଖିଲି । ନିଅ, ପାନଖଣ୍ଡେ ଖାଅ । ବିଭାବସୁ ପାନ ବଢ଼ାଇ ଦେଲେ । କମଳ ପାନ ନେଇ ପାଟିରେ ପୁରେଇଲା ।

 

—ସଉଦା କରିବାରେ ତମେତ ଖୁବ୍ ପାରଙ୍ଗମ ।

 

—ଏଇଠିକି ଆସି ପ୍ରଥମେ ବଜାର କଲି ମୁଁ । ମୁଁ ଆସିଲା ଦିନୁ ଜଲି ଓ ମୁଁ ଆସୁ ।

 

—ତମେ ଏଠି କେତେଦିନ ରହୁଛ ବୋଧେ !

 

—ନା । ପଢ଼ାପଢ଼ି ହେଇ ପାରୁ ନାହିଁ । ତେଣୁ ଚାଲିଯିବି ବୋଲି ଭାବୁଛି । ତା’ଛଡ଼ା ବୋଉ ମତେ ଛାଡ଼ି ମୋଟେ ରହି ପାରେ ନାହିଁ ।

 

—ଆଉ ତମେ ? ମଉଜିଆ ସ୍ଵରରେ କହିଲେ ବିଭାବସୁ । ହସରେ ମୁହଁଟା ତାଙ୍କର ଫାଟି ପଡ଼ୁଥିଲା ।

 

—ଧେତ୍ । ଲାଜ ପାଇଲା କମଳ ।

 

—ବୋଉ ତମକୁ ଛାଡ଼ି ରହି ପାରନ୍ତି ନାହିଁ । ଶାଶୁ ଘରକୁ ବି ତ ଛାଡ଼ିବେ ନାହିଁ । କହୁ କହୁ ହସ ସମ୍ବରଣ କରିନପାରି ହସି ପକେଇଲେ ବିଭାବସୁ ।

 

—ଉଁ ଉଁ–ଅସଭ୍ୟ— !!

 

ଅସଭ୍ୟ ! ବିଭାବସୁଙ୍କ କାନକୁ ଅସଭ୍ୟଟା ଏତେ ସୁନ୍ଦର ଶୁଭିଲା ଯେ, ସେ ନୀରବ ହୋଇଯାଇ ଛାତିତଳେ ତାଆରି ପ୍ରତିଧ୍ଵନିକୁ ଅନେକ ବେଳଯାଏ ଶୁଣିଲେ ।

 

ରିକ୍‌ସା ଚାଲିଛି । ଥଣ୍ଡା ଥଣ୍ଡା ପବନ ଆସି ମୁହଁକୁ ପଥୁରିଆ କରି ଦେଉଛି । ବିଭାବସୁ ନିଜ କାନକୁ ବାଁ ହାତରେ ସାଉଁଳାଇଲେ । ଇସ୍ ! ବରଫ ପରି ଥଣ୍ଡା… । ଓଃ ! କି ଶୀତରେ ବାବା-! ସିଗାରେଟ୍ ଖଣ୍ଡେ ଟାଣିଲେ ବେଶ୍‌ ଭଲ ଲାଗନ୍ତା ! ତା’ଆଗରୁ ଚା’କପେ ହେଲେବି ଆହୁରି ଭଲ-

 

—ଚା’ ଖାଇବ ?

 

—ନାଁ ଥାଉ । କମଳ ଉଦାସ ଭାବରେ କହିଲା ।

 

—ଭାରି ଥଣ୍ଡା ହେଉଛି । କପେ ଖାଅ । ଟିକେ ଗରମ ଲାଗିବ । ଏ ରିକ୍‌ସା‚ ରହତ !

 

ରିକ୍‌ସା ଚା ଦୋକାନ ଆଗରେ ଅଟକିଲା । ତିନିକପ୍ ସ୍ପେଶାଲ ଚା ପାଇଁ ବରାଦ ଦେଲେ ବିଭାବସୁ !

 

—ତମର ଏ ଦୁର୍ବଳ ସ୍ଵାସ୍ଥ୍ୟ ନେଇ, ଆଉ ନ ପଢ଼ିଲେ କ୍ଷତି କ’ଣ ଯେ ?

 

—ଦୁର୍ବଳ ଆଉ କଣ ? ହସିଲା କମଳ ! ଅସୁବିଧା ପାଇଁ ତ କଲେଜ ଯାଉନି । ଘରେ ବସିବି କାହିଁକି; ତେଣୁ ଆଇ: ଏ: ପରୀକ୍ଷାଟା ଦେଇ ଦେବି ବୋଲି ଭାବିଲି ।

 

ହୁଁ ! ବିଭାବସୁ ଯେପରି କ’ଣ ଭାବିଲେ । ସତେ ବା କଣ କହିବେ କହିବେ ହୋଇ କହି ପାରୁନାହାନ୍ତି ।

 

ଚା’ ଆସିଲା । କମଳକୁ ଗୋଟାଏ କପ୍ ଦେଇ ନିଜେ ଗୋଟେ କପ୍ ଧରିଲେ । ରିକ୍‌ସା ବାଲାକୁ ଅନ୍ୟ କପ୍‌କ ଚା ଖାଇବାକୁ କହିଲେ । କୃତଜ୍ଞତାରେ ରିକ୍‌ସା ବାଲାର ମୁହଁ ଉଜ୍ଜ୍ୱଳି ଉଠିଲା-। ସେ ହୁଏତ ଏହା ଆଶା କରି ନଥିଲା । ଚା’ କପ୍‌ରେ ଚୁମକ ଦେଲେ ବିଭାବସୁ । କମଳ ମୁହଁକୁ ଚାହିଁଲେ । ମୁହଁରେ କିଛି କହିଲା, କହିଲା ଭାବ । ଓଠ ଦୁଇଟା ଅଳ୍ପ ଥରି ଉଠି ପୁଣି ସ୍ଥିର ହୋଇଗଲା । ସେ ଚା’ କପ୍‌ରେ ଓଠ ଦେଲେ ।

 

ଯାହା କହିବାକୁ ଚାହୁଁଥିଲେ, କହି ନପାରି ଇତସ୍ତତ ହେଲେ । ଅବଶ୍ୟ ମନେ ମନେ । ତା ପରେ କହିଲେ, ଏହି ଆସନ୍ତା ମାର୍ଚ୍ଚ ମାସରେ ମୋର ଫାଇନାଲ ପରୀକ୍ଷା । ତା’ ପରେ ପଢ଼ାଶେଷ । ତେଣିକି ଚାକିରି ବାକିରିର ଧନ୍ଦା । ଉଦାସ ଭାବରେ ଏତକ କହି‚ ସେ ପୁଣି ଚା ଖାଇଲେ ।

 

—ତେଣିକି ଆଉ ଆମପରି ଗରିବକୁ କିଏ ପଚାରେ ! ଆମେମାନେ ପଢ଼ିବାହିଁ ଅସମ୍ଭବ ହେଇଯିବ । ରମଜ କଣ୍ଠରେ କମଳ କହିଲା ।

 

ଭୁଲିଯିବା କ’ଣ ଏଡ଼େ ସହଜ ? ବିଭାବସୁ ଯେଡ଼େ ସହଜ ଭାବରେ କଥାଟା କହିଲେ, କମଳ କାନକୁ କିନ୍ତୁ ସେଡ଼େ ସହଜ ହୋଇ ଶୁଭିଲା ନାହିଁ । ବିଭାବସୁଙ୍କ କଥାରେ ଓ ସ୍ଵରରେ ଯେତେ ଓଜନ ଥିଲା, କମଳ ତାହାକୁ ନିଜ ମନ ନିକିତିରେ ଓଜନ କରୁ କରୁ ଚୁପ୍ ହୋଇଗଲା ।

 

ଚା ଖିଆ ସରିଗଲା !

 

—ବାବୁ—ମା’ ପାନ ଖାଇବେ ? ରିକ୍‌ସା ବାଲା କଥାରେ କମଳ ଲଜ୍ୟାରେ ମରିଗଲା-। କ’ଣ ଭାବିଛି ରିକ୍‌ସା ବାଲାଟା !

 

ବିଭାବସୁ କିନ୍ତୁ ସେମିତି ନିସ୍ପନ୍ଦ ଭାବରେ ବସିଥିଲେ । ସତେ କି ବାହ୍ୟ ଜଗତର ଅନ୍ତରାଳରେ ସେ ହଜି ଯାଇଥିଲେ । ଚମକି ଉଠିଲା ଭଳି କହିଲେ, କ’ଣ କହିଲୁ ?

 

—ପାନ ଆଣିବି ବାବୁ ?

 

—ନାଁ ପାନ ଅଛି । ତୁ’ ଆ । ଶୀଘ୍ର ଚଲା ।

 

ରିକ୍‌ସା ଚାଲିଲା ।

 

ଜ୍ୟୋତ୍ସ୍ନା । ବିଧୌତ ରଜନୀ । ପିଚୁରାସ୍ତା ଲମ୍ବି ଯାଇଛି । ଥୋଡ଼ାଏ ବାଟ ରିକ୍‌ସା ରାସ୍ତା ଉପରକୁ ଉଠୁଛି ତ, ଆଉ କେତେ ବାଟ ରିକ୍‌ସା ତା’ ଛାଁ କୁ ଛାଁ ଗଡ଼ି ଯାଉଛି । ରାଉରକେଲା ରାସ୍ତା ହିଁ ଏମିତି ! ପୁରୁଣା ରାଉରକେଲାକୁ ଗଲାବେଳେ ତ, ରିକ୍‌ସା ଠେଲିବାକୁ ସେଠି ଲୋକ ଥାନ୍ତି । ସେମାନେ ପଛପଟୁ ରିକ୍‌ସା ଠେଲନ୍ତି । ରିକ୍‌ସା ବାଲାଠାରୁ ପଇସା ନିଅନ୍ତି । ଉଚ୍ଚାରାସ୍ତାରେ ରିକ୍‌ସା ଉଠିବା ଯେତିକି କଷ୍ଟ, ଗଡ଼ାଣିଆ ରାସ୍ତାରେ ରିକ୍‌ସା ଗଡ଼ିଯିବା ସେତିକି ପୁଲକଦାୟକ ।

 

ଉଚ୍ଚାରାସ୍ତା ଶେଷକରି, ରିକ୍‌ସା ଗଡ଼ାଣିଆ ରାସ୍ତାରେ ଗଡ଼ିଯାଉଛି । ରିକ୍‌ସାବାଲାକୁ ପେଡ଼େଲ ମାରିବାକୁ ହେଉନାହିଁ ।

 

ସେ ନିଜ ସିଟ୍ ଉପରେ ବସି ହାଲିଆ ମାରୁଛି ।

 

ରିକ୍‌ସା ଗଡ଼ି ଯାଉଛି । ଦେହ ଥରି ଥରି ଉଠୁଛି । ଦେହକୁ ଦେହ ବାଜୁଛି । ଶୀତଟା ସେତେ ଜଣା ପଡ଼ୁନାହିଁ । ମନଟା କେମିତି ଏକ ମତୁଆଲା ଭାବରେ ହଲି ଦୋହଲି ଯାଉଛି ।

 

ବିଭାବସୁ ଡାହାଣ ଗୋଡ଼କୁ ଅଳ୍ପ ଉଠାଇ ନିଜେ ବାଁ ଆଡ଼କୁ ଢଳି–ପକେଟରୁ ସିଗାରେଟ୍ ଖଣ୍ଡେ କାଢ଼ିଲେ । ମୁହଁରେ ଲଗାଇ, ଦିଆସିଲି ମାରିଲେ ।

 

ଆପଣ ସିଗାରେଟ୍ ଖାଆନ୍ତି ? କମଳ କଣ୍ଠର ବିସ୍ମୟକୁ ବୁଝି ପାରିଲେ ବିଭାବସୁ । ପାଟିର ଧୂଆଁକୁ ଉପରକୁ ଫୁ କରି ଛାଡ଼ିଦେଇ ସାରି କହିଲେ ‘କେବେ କେମିତି ଖାଇଦିଏ !’

 

କେବେ କେମିତି ହେଉ ହେଉ ହିଁ ଅଭ୍ୟାସ ହୋଇଯିବ । ତା’ପରେ ଆନ୍ତରିକତାଭରା କୋମଳ ସ୍ଵରରେ କହିଲା, ସିଗାରେଟ ଗୁଡ଼ାକ ଯେ କେତେ ଖରାପ, ଏହାତ ଜାଣିଥିବେ । କାହିଁକି ସେଗୁଡ଼ାକ ଖାଉଛନ୍ତି ?

 

କମଳର ଏ କଥାରେ ବିଭାବସୁଙ୍କର ମନ କେମିତି ଭାବରେ ଉଦାସ ହୋଇ ପଡ଼ୁଥିଲା-! ଏପରି କଥା ତାଙ୍କୁ କେହିତ କହି ନ ଥିଲେ ! ସେ କହିଲେ, ମୁଁ ସିଗାରେଟ୍ ଖାଇବା ବିପକ୍ଷରେ ତେବେ ତମେ… ।

 

କମଳ ନୀରବ ରହିଲା । ଏ କଥାର କ’ଣ ବା ଉତ୍ତର ଦେବ ସେ । ଆଗରେ ଛଅ ନମ୍ବର ମାର୍କେଟ । ଛୋଟ ମାର୍କେଟ । ସବୁ ଜିନିଷ ମିଳେନାହିଁ । ଏଠିକି ଆସି, କମଳ ଓ ଜଲି ଅନେକ ଥର ସଉଦା ନେଇଛନ୍ତି, କୋ ଅପରେଟିଭ୍ ଷ୍ଟୋରରୁ !

 

ଉଦାସ ମିଶା ସ୍ପନ୍ଦିତ ଗଳାରେ ବିଭାବସୁ ଡାକିଲେ–କମଳ ! ସେ ଡାକରେ କ’ଣ ଥିଲା କେଜାଣି, କମଳର ଅନ୍ତର ଥରିଉଠିଲା ! କିଛି କହି ପାରିଲା ନାହିଁ ସେ ।

 

ପୁଣି ସେହି କଣ୍ଠର ସେହି ସମ୍ମୋହନ ଡାକ–କମଳ !! କମଳର ଛାତି ଭିତରେ ଯେଉଁ ଆଲୋଡ଼ନ ସୃଷ୍ଟି ହେଉଥିଲା ତାକୁ ଅନୁଭବ କରୁଥିଲେ ମଧ୍ୟ କିଛି ବୁଝିପାରୁ ନଥିଲା ସେ ! ଛାତି ଭିତରର ଏ ଓଲଟ ପାଲଟ ଭାବ କାହିଁକି ? କ’ଣ ପାଇଁ ??

 

ବିଭାବସୁ କମଳର ବାଁ ହାତଟିକୁ ନିଜର ଦୁଇ ହାତରେ ମୁଠାଇ ଧରିଲେ ! ସେତେବେଳେ ତାଙ୍କ ହାତରେ ଆଉ ସିଗାରେଟ୍ ନ ଥିଲା ।

 

ସେ ସ୍ପର୍ଶରେ, ସେ ହାତର ମୁଠାଇ ଧରିବାର ଦୃଢ଼ତାରେ କମଳର ଦେହ, ମନ ଥରି ଉଠିଲା ! ଏତେ ଶୀତରେ ବି ତା’ ଦେହ ଯେ ଝାଳେଇ ଯାଉଛି, ଏହା ସେ ବେଶ୍ ଭଲ ଭାବରେ ଜାଣି ପାରୁଥିଲା ! ନିଶ୍ଵାସ ବି ପ୍ରଖର ହୋଇ ଆସୁଥିଲା । କମଳ ନିଜକୁ ଯଥା ସମ୍ଭବ ସଞ୍ଜତ କରିବାକୁ ଚେଷ୍ଟା କରୁଥିଲା ।

 

ନିଜ ହାତମୁଠା ଭିତରେ କମଳର ହାତ ଯେ ଥରୁଛି ଏକଥା ବେଶ୍ ଅନୁଭବ କରି ପାରୁଥିଲେ ବିଭାବସୁ ।

 

ଆହୁରି ମଧ୍ୟ ସେ ଜାଣି ପାରୁଥିଲେ ଯେ, ତାଙ୍କ ପାପୁଲି ଦୁଇଟା ଅସମ୍ଭବ ଭାବରେ ଗରମ ହୋଇ ଉଠିଛି । ତାଙ୍କ ରକ୍ତ ବି ଗରମ ହୋଇ ଯାଉଛି ଓ ତାହା ଖୁବ୍ ଚଞ୍ଚଳ ହେଇ ପଡ଼ିଛି । ସେ କମଳର ମୁହଁକୁ ଚାହିଁଲେ ! କମଳର ଅନ୍ୟମନସ୍କା ଉଦାସୀନ ଦୃଷ୍ଟି ଲମ୍ବିଯାଇଛି ରାସ୍ତା ଉପର ଦେଇ ଦୂରକୁ.... ଦୂରକୁ !

 

—ଏଇ ରାତିଟା ମତେ ଭାରି ଭଲ ଲାଗୁଛି କମଳ । କଥାଟା କହି ଦେଇ ସାରି ବିଭାବସୁ ନିଜେ କେମିତି ଅପଦସ୍ତ ହେଲା ଭଳି ବୋଧ କଲେ । ଅନ୍ଧାର ରାତି ବା ଜହ୍ନ ରାତିର ତାଙ୍କ ପାଖରେ କିଛି ବିଶେଷତ୍ଵ ନାହିଁ । ସେ ରାତିର ନୀରବ ନିସ୍ପନ୍ଦ ଲଗ୍ନରେ ଏକୁଟିଆ ବସି–ନାହାନ୍ତି କେବେ । କେବଳ ସେସବୁ କଥା ସେ ବହିରୁ ପଢ଼ିଛନ୍ତି । କୋଇଲିର ‘କୁହୁ’ରେ, ଫୁଲର ସୌନ୍ଦର୍ଯ୍ୟରେ ‘ମାଦକତା’ ଥାଏ ବୋଲି ପଢ଼ିଛନ୍ତି । ମନକୁ ମନ ହସିଛନ୍ତି । ସେ ସବୁକୁ କିନ୍ତୁ କେବେ ବି ଛାତି ଭିତରେ ଅନୁଭବ କରିନାହାନ୍ତି । ଆଜି କିନ୍ତୁ ସତରେ ଏ ରାତିଟା ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା । ସେହି କଥାଟା ହିଁ ସେ କହି ପକେଇଲେ ।

 

କମଳ କାନରେ ପ୍ରତିଧ୍ଵନିତ ହେଉଥିଲା, ‘‘ଏଇ ରାତିଟା ମତେ ଭାରି ଭଲ ଲାଗୁଛି, କମଳ ।” ତାକୁ କିନ୍ତୁ ଏ ରାତି ଅପେକ୍ଷା ଅନ୍ଧାର, କିଟି କିଟି ଅମାବାସ୍ୟାର ରାତି ବେଶୀ ଭଲ ଲାଗେ । ସେ ରାତିର ଅନ୍ଧକାରର ନିବିଡ଼ତା, ସେହି ନିବିଡ଼ ଅନ୍ଧକାର ଭିତରେ ଗଭୀର ବିଭାବରୀର ମସୀ–ଚିକ୍‌କଣ କବରୀଶୋଭିତ ଅସଂଖ୍ୟ ଶ୍ଵେତପଦ୍ମର ଜ୍ୟୋତିଧାରାକୁ ନିରେଖି ଚାହିଁବାରେ ସେ ପାଏ ଅସୀମ ତୃପ୍ତି । ‘ଅନ୍ଧାର ଭିତରେ ଆଲୋକ ଖୋଜ’–ଏହା ତାର ବ୍ୟକ୍ତିଗତ ମତ ।

 

କମଳ ବିଭାବସୁଙ୍କ କଥାର ଗଭୀରତା ବୁଝିଲା । କିନ୍ତୁ ଏମିତି ଏକ ବିଯୋଡ଼ି କଥାର ବା କି ଉତ୍ତର ଥାଇପାରେ ! ହୁଏତ ଥାଇପାରେ । କିନ୍ତୁ ସେଇ କଥାର ଉତ୍ତର ତନ୍ଵୀ, ଅନୁଢ଼ା, କିଶୋରୀ କମଳକୁ ଜଣାନାହିଁ ।

 

କମଳର ତମସାବୋଳା ଡୋଳା ଦୁଇଟିକୁ ଚାହିଁ ରହି, ବିଭାବସୁ କହିଲେ, ତମକୁ କ’ଣ ଏମିତି ଚନ୍ଦ୍ରାବାଉଳା ରାତ୍ରି ଭଲ ଲାଗେନି କମଳ ?

 

ପୁଣି ସେଇ ଖାପଛଡ଼ା ପ୍ରଶ୍ନ !

 

କମଳର ମନେ ହେଲା, ଏକ ଅଜଣା ସ୍ପନ୍ଦନପୂର୍ଣ୍ଣ ଢେଉ ଆସି ତା’ ମନ–ବନ୍ଧରେ ଧକ୍‌କା ଦେଉଛି । ସେହି ଢେଉର ଧକ୍‌କାରେ ତା’ ମନର ସଂଯମ ଓ ଦୃଢ଼ତା ଯେପରି ଅତଡ଼ା ଅତଡ଼ା ହୋଇ ଖସି ପଡ଼ୁଛି । ତା’ର ହଠାତ୍ ମନେ ହେଲା ସେ ଯେମିତି ସେଇଠି ଠିଆ ହୋଇଥିଲା, ଆଉ ଅତଡ଼ା ସହ ସେ ନିଜେ ବି ସେହି ଅଜଣା ସ୍ପନ୍ଦନପୂର୍ଣ୍ଣ ଲହରୀରେ ପଡ଼ିଗଲା । ଚମକି ଉଠିଲା କମଳ । ତା’ର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠିଲା ।

 

କମଳର ସେହି ଶିହରଣ ବିଭାବସୁଙ୍କୁ ଏଡ଼ାଇ ପାରିଲା ନାହିଁ । ସେ କମଳର ପାପୁଲିକୁ ଆହୁରି ଜୋରରେ ମୁଠାଇ ଧରି କହିଲେ, କ’ଣ ହେଲା ?

 

ଚାରି ଆଖି ମିଶିଯିବା ମାତ୍ରେ କମଳ ଦୃଷ୍ଟି ବୁଲେଇ ନେଲା । ଖିଆଲି ଭାବରେ କହିଲା, ନାଁ, କିଛିନାହିଁ ! ତା ସ୍ଵର ଥରି ଥରି ଉଠୁଥିଲା ।

 

—ସତରେ କମଳ, ଏଇ ଚାନ୍ଦ–ରାତି ପରି ତମେ ଶୀତଳ, ସ୍ନିଗ୍‌ଧ ଓ ସୁନ୍ଦର । କମଳର ହାତ ବିଭାବସୁଙ୍କ ହାତମୁଠା ଭିତରେ ଚାପି ହୋଇ ରହିଥିଲା । କମଳର ସମସ୍ତ ଶରୀର ଏକ ନୂତନ ଉଷ୍ମତାରେ ଉଷ୍ମ ହୋଇ ଉଠିଲା । ଚନ୍ଦ୍ରା ଘାରିଲା ପରି ଆଖି ପତା ଦୁଇଟି ବୁଜି ହୋଇ ଆସୁଥିଲା । ଓଠ ଦୁଇଟି କମ୍ପି ଉଠିବା ଭଳି ଇଷତ୍ ସଂକୁଚିତ ହୋଇଗଲା ! ଶୀହରଣରେ ଶିକାରି ଉଠିଲା କମଳ ।

 

ବସା ପାଖ ହୋଇ ଆସିଲା । ରିକ୍‌ସା ମୋଡ଼ ଘୂରିଲା । ଛକ ଉପର ପାନ ଦୋକାନ ପଛରେ ରହିଲା । ରାସ୍ତା ଦି’ କଡ଼ର ଗଛ ମୃଦୁ ପବନରେ ଦୋହଲି ଉଠୁଛି ଧୀରେ ଧୀରେ । କମଳର ହାତ ମୁଠାକୁ ଛାଡ଼ି ଦେଲେ ବିଭାବସୁ ।

 

ନିଜ ହାତରେ ନିଜ ଗାଲ ଦୁଇଟାକୁ ଆଉଁସି ଆଣିଲା କମଳ । ଗାଲ ଦି’ ଟା ଖୁବ୍ ଥଣ୍ଡା ଲାଗୁଛି । ମଫଲର କୋଟ ପକେଟରେ ଅଛି । ବାନ୍ଧିବ ବାନ୍ଧିବ ହୋଇ ବାନ୍ଧି ପାରିନାହିଁ ସେ । ଖୁବ୍ ଥଣ୍ଡା ପଡ଼ୁଛି । ତାହାର ଜ୍ଵଳନ୍ତ ଦୃଷ୍ଟାନ୍ତ ହିଁ ତା’ ଗାଲର ଥଣ୍ଡା । ମନର ଉଷ୍ମତା ଯୋଗୁଁ ଦେହଟା କିନ୍ତୁ ବେଶ୍, ଉଷ୍ଣ ଥିଲା !

 

ବାଁ ପାପୁଲିକୁ ପୁଣି ମୁହଁ ସାରା ବୁଲେଇ ଆଣିଲା କମଳ ! ସିଗାରେଟ ଗନ୍ଧ ସହିତ ମିଶିଛି ଏକ ନୂତନ ଗନ୍ଧ । ଏଇ ପାପୁଲିଟି ବିଭାବସୁଙ୍କ କର–ମୁଠା ଭିତରେ ଅନେକ ସମୟ ରହିଥିଲା । ଏଥିରେ ବିଭାବସୁଙ୍କ ଦେହର ସ୍ପର୍ଶ ଅତି ନିବିଡ଼ ଭାବରେ ମିଶି ଯାଇଛି ।

 

କମଳର ସମସ୍ତ ସ୍ନାୟୁ ତନ୍ତ୍ରୀ ହଠାତ୍ କେମିତି ଉନ୍ମନା ହୋଇ ଉଠିଲା । ତା’ ପରେ କମଳ ଆଉ କିଛି ଅନୁଭବ କରି ପାରିଲା ନାହିଁ । କେଉଁ ଏକ ଅଜଣା ସୁଖକର ଜୀବନ୍ତ ମାଦକତା ତାର ଚେତନାକୁ ଧୀରେ ଧୀରେ ଆଚ୍ଛନ୍ନ କରି ପକେଇଲା… ।

 

ଅନେକ ରାତି ହୋଇଯାଇଥିଲା । ଘର ସାରା ନୀରବତା, ନିଝୁମ ନିସ୍ତବ୍‌ଧତା ପୁରି ରହିଥିଲା । ସେହି ଗଭୀର ନୀରବତା ଭିତରେ ଏକାକୀ କମଳ ଚାହିଁଥିଲା । ଚେଷ୍ଟା କରି ମଧ୍ୟ ସେ ନିଦରେ ଶୋଇପାରି ନାହିଁ ।

 

ଜଲି ନିଘୋଡ଼ ନିଦରେ ଶୋଇ ଯାଇଛି । ଘନ ଅନ୍ଧାରରେ ତାର ଭାରି ନିଶ୍ଵାସର ଶବ୍ଦ ଶୁଣା ଯାଉଛି । କମଳ ସ୍ଥିର ଓ ଶାନ୍ତ ହୋଇ ବିଛଣାରେ ଶୋଇ ରହିଥିଲା । କେତେବେଳେ ଆଖି ପତା ଦୁଇଟି ବନ୍ଦକରି ଦେଉଥିଲା ତ କେତେବେଳେ ବା ଖୋଲି ଦେଇ, ଅନ୍ଧକାର ଭିତରକୁ ଅନେଇ ରହୁଥିଲା ।

 

ବାହାରେ ଶେଷ ପୌଷର ତୀବ୍ର ଶିଶିର ସଂପାତ । କାନ ଡେରିଲେ ଅକସ୍ମାତ ଗୋଟିଏ ଦୁଇଟି ଶୀତାର୍ତ୍ତ ପକ୍ଷୀ ଡାକି ଉଠିବା ଶୁଭୁଛି । ପୁଞ୍ଜିଭୂତ ଶିଶିର ଓ ଶୀତଳ ଆର୍ଦ୍ର ଜୋତ୍ସ୍ନା କମଳ ଦେଖି ପାରୁ ନ ଥିଲା । ଝରକା କବାଟ ସବୁ ନିବୁଜ ଭାବରେ ବୁଜା ହୋଇଛି । ସେ କଳ୍ପନା କଲା, ଶିଶିର ଭିଜା ଜ୍ୟୋତ୍ସ୍ନା ପୃଥିବୀ ଉପରେ କେମିତି ଦିଶୁଥିବ ? ଭିଜା ଭିଜା ରାକାକୁ ନିଜ ବୁକୁରେ ଜଡ଼ାଇ ରଖି‚ ମାଝି ସ୍ନେହ ପ୍ରେମରେ ଶିକ୍ତ ହୋଇ ଯାଉଥିବ !

 

ବେକ ପର୍ଯ୍ୟନ୍ତ ରେଜେଇ ଘୋଡ଼େଇ ହୋଇ କମଳ ଏଇ ସ୍ତବ୍‌ଧତା ଓ ସୁସୁପ୍ତି ମଧ୍ୟରେ ଚାହିଁଥିଲା । ତା’କୁ ନିଦ ମାଡ଼ୁ ନାହିଁ । ନିଦ ଆସୁ ନ ଥିବାରୁ ସେ ବିରକ୍ତ ଓ ଅପ୍ରସନ୍ନ ହେଉ ନ ଥିଲା-। କେଉଁ ଏକ ନିର୍ଜନ ସ୍ଥାନରେ ବସି, ମଣିଷ ଯେପରି ଅତି ବିସ୍ତୃତ ମନୋରମ ଓ ରହସ୍ୟମୟ ପ୍ରାକୃତିକ ଦୃଶ୍ୟ ଆଡ଼କୁ ତନ୍ମୟ ହୋଇ ଅନେଇ ଥାଏ–ସେ ମଧ୍ୟ ସେହିପରି, ନିବୁଜ କୋଠରୀର ଗାଢ଼ ଅନ୍ଧକାର ଭିତରେ ସେହି ରକମ, କେଉଁ ଏକ ଦୃଶ୍ୟକୁ ଚାହିଁ ରହି ଶୋଇଥିଲା-

 

ଗୋଟି ଗୋଟି ହୋଇ ଆଜି ସନ୍ଧ୍ୟାର ଘଟଣାବଳୀ ତା’ ଆଖିରେ ଆକାଶର ଚଳନ୍ତି ବଉଦରାଜି ପରି ଭାସି ଯାଉଥିଲା–

 

ମାଉସୀଙ୍କ କଥାନୁସାରେ ମାର୍କେଟ ଯିବାପାଇଁ ସେ ଜଲିକୁ ଡାକିଲା । ଜଲି କିନ୍ତୁ ଆଦୌ ରାଜି ହେଲା ନାହିଁ, ବରଂ ବିରକ୍ତ ହୋଇ କହିଲା, ବଜାର ହେବ ବୋଲି ବୋଉର ଦିନରୁ ମନେ ପଡ଼ିଲା ନାହିଁ ପରା ! ଏ ଯେଉଁ ଶୀତ, ଏଥିରେ ଏ ସଂଧ୍ୟା ବେଳେ କିଏ ଯିବ ! କାଲି ପଛେ ଶାମ୍ବ ଦଶମୀ ପିଠା ମୁଁ ନଖାଇବି କିନ୍ତୁ ଆଜି ଏ ଶୀତରେ ମୁଁ ଯାଇ ପାରିବି ନାହିଁ । ମୋର କିଛି ପଢ଼ା ମଧ୍ୟ ବାକି ରହିଛି । ତୁ’ ବିଭାସ ଭାଇଙ୍କ ସହିତ ଚାଲି ଯା ।

 

ଜଲିକୁ ଅସହାୟ ଦୃଷ୍ଟି ରେ ଚାହିଁଥିଲା କମଳ । ତା’ ପରେ ବୁଝେଇବା ଭଳି କହିଲା, ଏମିତି କହିଲେ ହେବ କିମିତି ଯେ ! ଚାଲୁନୁ ?

 

—ସତରେ କୁନି, ମୁଁ ଜମ୍ମାରୁ ଯାଇ ପାରିବି ନାହିଁ ।

 

—ମୁଁ ତେବେ ଏକା କିମିତି ଯିବି ଯେ !

 

—ଏକା ? ଏକା କାହିଁକି ! ସାଙ୍ଗରେ ତାଙ୍କୁ ତ ନେଇ ଯିବୁ ! ତା’ ପରେ ଜଲି ହସିଲା । ଦୁଷ୍ଟ ହସରେ ତା’ ମୁହଁ ଫାଟି ପଡ଼ିଲା ।

 

ତୁ’ ଦିନକୁ ଦିନ ଖୁବ୍ ଫାଜିଲ୍ ହୋଇ ଉଠୁଛୁ ଜଲି । ସେ ଘରେ ପରା ବିଭାସ ଭାଇ ! ଛିଃ ଛିଃ । କ’ଣ ଯେ ତୁ’କହୁ ! ହଉ, ସେ ସବୁ କଥା ଥାଉ ! ଚାଲୁନୁ ଯିବା ।

 

—ଦେଖ୍ କୁନି, ବାପାତ ଆଜି ପ୍ଳାଣ୍ଟ୍‌ରେ ନାଇଟ୍‍ ଡିଉଟିରେ ରହିଲେ । ରାତିର ରୋଷେଇ ସରି ଯାଇଛି । ବୋଉ ‘‘ନୀଳ–ଶୈଳ” ପଢ଼ିବାରେ ବ୍ୟସ୍ତ । ତେଣୁ ତୁ ବ୍ୟସ୍ତ ନ ହୋଇ, ବିଭାସ ଭାଇଙ୍କ ସହ ଚାଲିଯା । ତୁ’ ଫେରିବା ଯାଏ ମୁଁ ଏଇଠି ଏମିତି ତୋ’ ବାଟ ଚାହିଁ ବସିଥିବି…ହେଲା ?

 

ଜଲି କଥା ଶୁଣି ଅବାକ୍ ହୋଇଗଲା କମଳ । ଏ’ କି ଅଦ୍ଭୁତ ଅବାନ୍ତର କଥା ! ସେ ଆଦୌ ରାଜି ହେଲା ନାହିଁ । ଶେଷରେ ମାଉସୀଙ୍କ କାନକୁ କଥା ଗଲା ଓ ଜଲିର ହିଁ ଜୟ ହେଲା । ତାକୁ ମାଉସୀ କହିଲେ,‘‘ସେ’ ତ ଅଳସେଇଟାଏ । ତୁ’ ମା ବିଭାସ ସହିତ ଯାଇ, ସଉଦାତକ ନେଇ ଆସିଲୁ । ମୁଁ ଯାଇଥାନ୍ତି ଯେ, ହେଲେ ଏ ଯେଉଁ କାଠୁଆ ଶୀତ...ମଞ୍ଜ ତ ଖାଲି ଥରି ଯାଉଛି । ଯା’ ମା’ ଯାଆ ଟିକେ….”

 

ଅଗତ୍ୟା କମଳ ବାଧ୍ୟ ହେଲା ବିଭାବସୁଙ୍କ ସହିତ ମାର୍କେଟ ଯିବା ପାଇଁ । ଆଗରେ ଛକ, ସେ ପର୍ଯ୍ୟନ୍ତ ଚାଲି କରି ଯିବାକୁ ହେବ । ଚାଲି ଚାଲି ଯିବାକୁ ସେ ଆତଙ୍କ ମଣୁଥିଲା । ବାହାରେ ଖୁବ୍ ଥଣ୍ଡା ପଡ଼ୁଛି ।

 

ଆଉ ଇସ୍ପାତ୍ ମାର୍କେଟ୍‌ରୁ ସଉଦାପତ୍ର ଆଣି ଫେରିବା ବେଳେ…

 

ଏକ ଉଷ୍ମ–ମଧୁର ଅନୁଭୂତିରେ ଥରକୁ ଥର କଂପି ଉଠୁଥିଲା ସେ । ଗଛରୁ ଶାଖା ପ୍ରଶାଖା ପରି ତା’ ମନଟା ନାନା ଆଡ଼କୁ କୁଆଁ ମେଲି ଯାଉଥିଲା । ତାର ମନେ ହେଲା‚ ନିଜ ଅଜାଣତରେ ସେ ବିଭାବସୁଙ୍କର ଖୁବ୍ ନିକଟବର୍ତ୍ତୀ ହୋଇ ଯାଇଛି । ତା’ ଦେହ ଥରି ଉଠିଲା । ଏହାର ଶେଷ ପରିଣତି କ’ଣ ? ଏହାର ସ୍ଵରୂପ ମଧ୍ୟ କଣ ?

 

ଏହି କଥା ଭାବିଦେବା ମାତ୍ରେ, କେମିତି ଏକ ଆଶ୍ଚର୍ଯ୍ୟ ଜଡ଼ତା ଏବଂ ଚାପା ଅସ୍ଥିରତାରେ ସେ ସ୍ଥିର ହୋଇଗଲା ।

 

ବିଭାବସୁ ! ଏହି ଚାରିଟି ଅକ୍ଷରର ନାଆଁକୁ ମନେ ମନେ ଯେତେ ଥର ସେ ଉଚ୍ଚାରଣ କରୁଛି, ସେତେଥର ତା’ ଛାତି ଭିତର ଚାଉଁ ଚାଉଁ ହୋଇଯାଉଛି ! କ’ଣ ଅଛି ସେ ନାଆଁରେ ! ତାଙ୍କ ପ୍ରତି ତାର ଏ ଅହେତୁକ ଆକର୍ଷଣ କାହିଁକି ?

 

ବିଭାବସୁ ବଡ଼ ଲୋକ । ଐଶ୍ୱର୍ଯ୍ୟ ଭିତରେ ତାଙ୍କ ଜୀବନ ଗଢ଼ି ଉଠିଛି ! ହେଲେ ସେ ଯେମିତି ଅନ୍ୟ ପ୍ରକାରର । ଐଶ୍ଵର୍ଯ୍ୟ ଭିତରେ ରହି ମଧ୍ୟ ସେ ସେଥିରେ ଭୁଲି ନାହାନ୍ତି । ମୋହିତ ହୋଇ ନାହାନ୍ତି । ସେହି ସୁଠାମ, ସୁଦର୍ଶନ ଯୁବକଙ୍କ ସହିତ ହଠାତ୍ ଦେଖା, ଚିହ୍ନା ପରିଚୟ । ମାତ୍ର ଅଳ୍ପ କେତୋଟି ଦିନରେ ଦେଖା ଚାହାଁ । କଲେଜ ଖୋଲିଲେ ସେ ଚାଲି ଯିବେ । ଆଉ କେଉଁ ମୁହୂର୍ତ୍ତରେ ଭାଇ ପହଞ୍ଚିଗଲେ, ସେ ମଧ୍ୟ ଚାଲିଯିବ । ତା’ପରେ…

 

ତା’ପରେ କେବଳ ନୀରବତା, କେବଳ ଶୂନ୍ୟତା ଦେଖାଗଲା ତାକୁ । ସେ ଏକ ରକ୍ଷଣଶୀଳ ପରିବାରର ଝିଅ । ତାର କୌଣସି କଥା କହିବା ଭଳି ନୁହେଁ । ଫୁଲବାଣୀ ଜିଲ୍ଲାର ଫୁଲଝରା ଗାଁରେ ତାଙ୍କ ଘର । ଗାଁ ପାଖ ମାଇନର ସ୍କୁଲରେ ବାପା ହେଡ଼୍‌ମାଷ୍ଟର ଥିଲେ । ଭାଇଙ୍କୁ ଯେତେବେଳେ ଚଉଦ ବର୍ଷ ସେତେବେଳେ ତାର ଜନ୍ମ । ତାକୁ ଯେତେବେଳେ ଚାରିବର୍ଷ, କେତେଟା ଦିନର ଜ୍ଵରରେ ବାପା ଚିର ଦିନ ପାଇଁ ଆଖି ବୁଜିଦେଲେ । ତାଙ୍କର ବହୁତ ଜମିବାଡ଼ି ଅଛି । ସେଇଥିରେ ସେମାନେ ଚଳିଗଲେ । ଭାଇ ବି.ଏ. ପାଶ୍ ପରେ ଚାକିରୀ କଲେ । ସେ ମାଟ୍ରିକ ପାଶ୍ କରି ଘରେ ଅଛି । ଭାଇଙ୍କର ଯେଉଁଠିକି ବଦଳି ହୋଇଛି, ସେଠି କଲେଜ ନାହିଁ । ହଷ୍ଟେଲରେ ରଖି ପଢ଼େଇବା ପାଇଁ ବୋଉ ବା ଭାଇଙ୍କର ଇଚ୍ଛା ନୁହେଁ । ତେଣୁ କମଳ ଘରୋଇ ଭାବରେ ଆଇ. ଏ. ପରୀକ୍ଷା ଦେବାକୁ ସ୍ଥିର କରି, ପଢ଼ାପଢ଼ି କରୁଛି-। ଏଇ କେତେମାସ ହେଲା ଭାଇ ସୁନ୍ଦରଗଡ଼ରୁ ରଣପୁରକୁ ବଦଳି ହୋଇ ଆସିଛନ୍ତି । ଥରେ ମଉସା, ମାଉସୀ, ଜଲି ଯାଇଥିଲେ ଓ ତାକୁ ବୁଲିବା ପାଇଁ ନେଇ ଆସିଲେ । ସେ କେବେ ଘର ଛାଡ଼ି କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ନଥିଲା । କିନ୍ତୁ ପ୍ରଥମେ ମାଉସୀଙ୍କ ଘରକୁ ଆସି, ଏ କେଉଁ ଅନୁଭୂତି ନେଇ ସେ ଘରକୁ ଫେରିଯିବ ? ଏ ଅନୁଭୂତି ତା’ ମନର ନାଁ ତା’ ବୟସର-?

 

ବିଭାବସୁଙ୍କ ପ୍ରତି ଯେଉଁ ଅନୁରାଗ ଓ ଅନୁରକ୍ତି, ତା’ର କଳେବର ଅନ୍ତରର ନିଭୃତରେ ବୃଦ୍ଧି ପାଉଛି ବେଳକୁ ବେଳ । ସଂପୂର୍ଣ୍ଣ ନୂତନ ଏକ ସ୍ଵର ମୂର୍ଚ୍ଛନାରେ ତା’ ଭିତରଟା ଅନୁରଣୀତ ହୋଇ ଉଠୁଛି । ସେ ଖାଉଛି, ଶୋଉଛି, କାମ କରୁଛି…ହେଲେ ତା’ ଭିତରେ ଥିବା ତାର ସେହି ଏକକ ମନଟି–ଆଃ ! ସେ’ତ କମଳଟିଏ ପରି ହିଁ ଫୁଟି ଯାଇ, ଆକାଶର ବିଭାବସୁଙ୍କୁ ଚାହିଁ ରହିଛି ଯେପରି !

 

ତା’ କାନରେ ବାରମ୍ବାର ପ୍ରତିଧ୍ଵନିତ ହେଲା, ସେହି ଉଦାସ ମିଶା ସ୍ପନ୍ଦିତ କଣ୍ଠର ସମ୍ମୋହିତ ଡାକ, ‘କମଳ’...‘କମଳ’ । ତାର ଆଖି ଖୋଲିଗଲା ।

 

ନାଃ, ବିଭାବସୁ ନାହାନ୍ତି । ସେ ଡ୍ରଇଁ ରୁମ୍‌ରେ ଶୋଇଛନ୍ତି । ପ୍ରଥମ ଦିନ ସକାଳେ ଗାଧୋଇ ସାରି‚ ଡାଇନିଂ ଟେବୁଲ ପାଖରେ ବିଭାବସୁ ବସିଥିବାର ଆଉ ସେ ତାଙ୍କୁ ଜଳଖିଆ ଦେବା ଚିତ୍ର ତା’ ଆଖିରେ ଭାସିଗଲା–

 

ରାତିର ଭୟଙ୍କର ଭୟାର୍ତ୍ତ ଅନୁଭୂତି ପରେ କମଳ କିଛି ଭାବିପାରି ନଥିଲା । ସକାଳୁ ବିଭାବସୁଙ୍କର ଗୌର ତନୁ‚ ସୁଠାମ ସ୍ଵାସ୍ଥ୍ୟୋଜ୍ଜଳ ତେଜଦୀପ୍ତ ଚେହେରା ତା’ ଆଖିକୁ ଭଲ ଦିଶିଥିଲା । ଲୁଗାକୁ ଦି’ପରସ୍ତ କରି ଭାଙ୍ଗି’ ଲୁଙ୍ଗିପରି ପିନ୍ଧିଥିଲେ ସେ । ହାତକଟା ସଫେଦ୍ ନେଟ୍ ଗଞ୍ଜି ଖୁବ୍ ମାନୁଥିଲା ତାଙ୍କୁ । ଆଉ ତାଙ୍କ ଆଖିର ଖୁସି ଖୁସି ସେହି ଛମ୍ ଛମ୍ ଚାହାଣୀ । ତାହା ସେ ଦିନର କଥା ହେଲେ ବି ଆଜିର ଏଇ ନିଃସଙ୍ଗ ମୁହୂର୍ତ୍ତରେ, କମଳ ସେସବୁକୁ ସ୍ପଷ୍ଟ ଭାବରେ ଦେଖି ପାରୁଥିଲା ।

 

କାନରେ ପ୍ରତିଧ୍ଵନିତ ହେଲା, କମଳ ! କମଳ !!

 

ପୁଣି ଏକ ଅନିର୍ବଚନୀୟ ଅନୁଭବ ଭିତରେ ହଜିଗଲା କମଳ ।

 

କମଳ ! କମଳ !! କମଳ !!! ସହସ୍ର କଣ୍ଠରେ, ସହସ୍ର ସୁରରେ ଯେପରି ଏକାବେଳକେ ଝଂକୃତ ହୋଇ ଉଠୁଛି ଏହି ଡାକଟି । ସେହି କମଳର ଚାରିପାଖରେ କମଳ ପାଖୁଡ଼ା ପରି ଅସଂଖ୍ୟ ମୁହଁ ଫୁଟି ଉଠୁଛି । ସେ ମୁହଁ ବିଭାବସୁଙ୍କର ।

 

ଆଃ ! ପ୍ରଣୟର ପୁଲକ–ବନ୍ୟାରେ ଓଦା ସରସର ହୋଇ କମଳର ଅନୂଢ଼ା–ମନଟି ଉଠି ଆସିଲା, ବାସ୍ତବର ବାଲୁଚର ଉପରକୁ ।

 

ତା’ର ମନେ ହେଲା, ବିଭାବସୁ ତା’ରି ପାଖରେ ବସିଛନ୍ତି । ତା’ ପାପୁଲିକୁ ତାଙ୍କ ହାତରେ ମୁଠେଇ ଧରିଛନ୍ତି । ତାଙ୍କ ଆଖିର ସେହି ଗଭୀର ଦୃଷ୍ଟିରେ ଅନେକ ଆଶ୍ଵସନା ଭରି ରହିଛି-। ତାଙ୍କ ଛାତିରେ ମଥା ଥାପିବା ପାଇଁ ନିଜ ଭିତରେ କେମିତି ଏକ ଆଗ୍ରହ ସେ ଅନୁଭବ କଲା-। ଆଉ ଅନୁଭବ କରୁ କରୁ ହିଁ ଏକ ଅଦ୍ଭୁତ ଶିହରଣରେ ସେ ଚହଲି ଉଠିଲା । ରୋମାଞ୍ଚ–ରହସ୍ୟର ଗଭୀର ଆନନ୍ଦରେ ଥରକୁ ଥର ତା’ ଛାତି ଥରି ଉଠିଲା । ସେ ଅଧୀର ପୁଲକରେ ବୁଡ଼ି ବୁଡ଼ି ଗଲା... ।

 

ସମ୍ପୂର୍ଣ୍ଣ ନୂତନ ଏହି ଅନୁଭବ ଭିତରେ ବୁଡ଼ିରହି, କମଳ ନିଜକୁ ହିଁ ନିରେଖି ଦେଖୁଥିଲା ।

 

ନିଜର ଅଜାଣତରେ, ନିଜ ବାଁ ହାତ ପାପୁଲିକୁ ସାରା ମୁହଁ ଉପରେ ବୁଲେଇ ଆଣୁ ଆଣୁ, ତା’ ହାତଟା ହଠାତ୍‌ ବନ୍ଦ ହୋଇଗଲା । ଏହି ପାପୁଲିଟି ବିଭାବସୁଙ୍କ ହାତମୁଠା ଭିତରେ ଅନେକ ସମୟ ରହିଥିଲା । ବିଭାବସୁ ପରମ ଆଗ୍ରହରେ ଏଇ ପାପୁଲିକୁ ନିଜ ହାତ–ମୁଠାରେ ବନ୍ଦୀ କରି ରଖିଥିଲେ । ଆଉ ସେତେବେଳେ କେବଳ ଏଇ ହାତ ପାପୁଲିଟି ନୁହେଁ, ତାର ଦେହ, ମନ ମଧ୍ୟ ଥରୁଥିଲା… । ଓଃ ! ଦେହଟା ପୁଣି ଏମିତି ହୋଇଯାଏ ! !

 

ନିଜ ପାପୁଲିଟିକୁ ଶୁଙ୍ଘି ପକେଇଲା କମଳ । ଆଜି ସତରେ ଏପରି କ’ଣ ହେଲା ? କାହିଁକି ବା ହେଲା ? କିଛି ବି ବୁଝି ପାରୁ ନ ଥିଲା କମଳ ।

 

ସେ କି ଗନ୍ଧ ? ସିଗାରେଟ୍ ଗନ୍ଧ ସହ ଆଉ ଗୋଟାଏ କିମିତି ଗନ୍ଧ ଯେପରି ମିଶି ଯାଇଥିଲା । ସେହି ଗନ୍ଧକୁ ପୁଣି ଥରେ ପାଇବାକୁ କମଳର ଘ୍ରାଣ ଶକ୍ତି ଓ ମନ ଚଞ୍ଚଳ ହୋଇ ପଡ଼ିଲା ।

 

ଯେଉଁ ପାପୁଲିରୁ ସେ ସେହି ସମ୍ମୋହିତ ହେବାର ଗନ୍ଧ ପାଇଥିଲା, ସେହି ପାପୁଲିରୁ ବର୍ତ୍ତମାନ କୌଣସି ଗନ୍ଧ ନ ପାଇ କମଳର ମନ ବିଷଣ୍ଣ ହୋଇପଡ଼ିଲା ।

 

କ’ଣ ହେଲା ତାର ?

 

ରିକ୍‌ସାଟା କ୍ୱାର୍ଟର ସାମ୍ନାରେ ପହଞ୍ଚିବା ମାତ୍ରେ, କେମିତି ସେ ସେଥିରୁ ଓହ୍ଲାଇ, ଘର ଭିତରକୁ ଆସିଲା, କିଛି ବି ତାର ସ୍ମରଣକୁ ଆସିଲା ନାହିଁ ! ସବୁଗୁଡ଼ାକ କେମିତି ବେହୋସ ବେହୋସ୍ ଲାଗୁଥିଲା । ସେହି ସବୁ ଶାରୀରିକ ଅନୁଭୂତିକୁ ପୁଣି ଥରେ ଅନୁଭବ କଲା କମଳ । ତାର କପାଳ ଓ କାନମୂଳ ଗରମ ହୋଇ ଉଠୁଥିଲା । ଆଖିରେ ବି ଜ୍ଵାଳା ଅନୁଭବ କଲା । ଶର୍ଦ୍ଦି ଜର ପରି ସର୍ବାଙ୍ଗ ଶରୀର ଶିର୍ ଶିର୍ ଲାଗୁଛି । ନିଶ୍ଵାସ ପ୍ରଶ୍ଵାସ ଉଷ୍ମ–ଆଉ ବୁକୁ ଭିତରେ…

 

ଚୁଲି ଉପରେ ବସିଥିବା ଦୁଧ ପରି, ସେ ସେହି ଅନୁଭୂତିର ଅନୁଭବରେ ଥରକୁ ଥର ଦଗ୍‌ଧ ହେଉଥିଲା ।

 

ବାଁ ହାତ ପାପୁଲିକୁ ଶକ୍ତ କରି ମୁଠେଇ ଧରିଲା କମଳ ! ତାର କ’ଣ ହେଉଛି, ନିଜେ ହିଁ ସେ ବୁଝି ପାରୁ ନ ଥିଲା !

 

ହଠାତ୍ ଯେପରି ତା’ ସମ୍ମୁଖରୁ ଗୋଟିଏ ପରଦା ଅପସାରିତ ହୋଇଗଲା । ଆଉ ଯାହା ସେ ଦେଖି ପାରୁ ନ ଥିଲା, ସେ ସବୁର ଦର୍ଶନରେ ତା’ ଆଖି ଉଜ୍ଜ୍ୱଳ ହୋଇ ଉଠିଲା । ତା’ ମନ ଭରି ଭରି ଗଲା...

 

ନିଜ ବିଷୟରେ ସେ ସଚେତନ ହୋଇ ଉଠିଲା ! ନିଜକୁ, ନିଜ ବୟସକୁ, ନିଜ ଅଙ୍ଗ ବଲ୍ଲରୀକୁ ନ ଦେଖି, ସେ ଏତେ କଥା ଭାବି ହେଉଛି । ବହିରେ ପଢ଼ିଥିବା ଅନେକ ଅନେକ କଥା ତା’ର ମନେ ପଡ଼ିଲା ।

 

ତାର ବୟସ ହୋଇଛି । ଯେଉଁ ବୟସରେ କି ଭଲମନ୍ଦ କଳନା କରି ହୁଏନାହିଁ । ମନକୁ ଯାହା ଭଲ ଲାଗେ, ତାହାହିଁ ପ୍ରକୃତରେ ଭଲବୋଲି ଧାରଣା ହୁଏ । ତା’ ମନ ବିଭାବସୁଙ୍କୁ ଭଲ ବୋଲି ଗ୍ରହଣ କରିଛି । ତେଣୁ ବିଭାବସୁ ତାକୁ ଭଲ ଲାଗୁଛନ୍ତି ।

 

ଏହାକୁ ହିଁ କ’ଣ ‘ପ୍ରେମ’ କହନ୍ତି ?

 

ନାରୀ ଓ ପୁରୁଷର ପ୍ରେମ...

 

ତାର ସୃଷ୍ଟି କେମିତି ହୁଏ । କାହିଁକି ହୁଏ ! କେମିତି ବା ମନ ତଳର ଲାଭା ଉଛୁଳି ଆସେ ଆଉ ଜଣଙ୍କ ସମ୍ପର୍କ ଭିତରକୁ…ଏସବୁ କିଛି ବି ବୁଝିପାରୁ ନ ଥିଲା କମଳ । କିଛି ବି ଭାବିପାରୁ ନଥିଲା । ସବୁ ତାକୁ ଆଶ୍ଚର୍ଯ୍ୟ ମନେ ହେଉଥିଲା ।

 

ତା’ ମନରେ ପ୍ରଶ୍ନ ଉଠିଲା, ସେ ଯେଉଁ ଅଜଣା ପଥରେ ଅଜାଣତରେ ପଥୁକୀ ହୋଇ ଯାଉଛି…ସେ ପଥ କ’ଣ ଭୁଲ୍ ? ସେ କ’ଣ କିଛି ଅନ୍ୟାୟ କରୁଛି, କରିବାକୁ ଯାଉଛି କି ?

 

ଗ୍ରନ୍ଥି ସହିତ ଗ୍ରନ୍ଥିର ବନ୍ଧନ ପାଇଁ ଯେଉଁ କାମନା ଉଦ୍ଦୀପିତ ହୁଏ, ତାହା କ’ଣ ଅନ୍ୟାୟ-? ସେ ନିଜ ଭିତରେ ଅସ୍ଥିର ହୋଇ ଉଠୁଥିଲା । ନିଜର ଗୋଟିଏ ପ୍ରଶ୍ନର ଉତ୍ତର ମଧ୍ୟ ସେ ପାଉ ନ ଥିଲା ।

 

ବିଭାବସୁଙ୍କ ପାଇଁ ତା’ ମନରେ, ତା’ ପ୍ରାଣରେ ଯେ ଏକ‌ ପ୍ରବଳ ଆକର୍ଷଣ ଆସୁଚି—ଏହା ସୂର୍ଯ୍ୟଙ୍କ ଆଲୋକ ପରି ସତ୍ୟ ବୋଲି ତାର ହୃଦ୍‌ବୋଧ ହେଲା । ସେଦିନ ରାତିରେ କମଳ ପ୍ରଥମ କରି ଆବିଷ୍କାର କଲା, ତା’ମନ–ପ୍ରାଣକୁ ବିଭାବସୁ ଆଶ୍ଚର୍ଯ୍ୟ ଭାବେ ଆଚ୍ଛନ୍ନ କରି ରଖିଛନ୍ତି ! ତାର ସମସ୍ତ ଭାବନାକୁ ଦିଗ୍‌ବଳୟ ସମବେଷ୍ଟନ କରି ରହିଛନ୍ତି । ଏକଥା ଭାବିବାମାତ୍ରେ ତା ମୁହଁରେ ମଧୁର ହସର ଛୋଟ ଛୋଟ ତରଙ୍ଗ ଖେଳିଗଲା । ସେହି ତରଙ୍ଗର ସ୍ପର୍ଶରେ, ସୁମଧୁର ଶୀତଳତାରେ ସେ ନୟନ ମୁଦ୍ରିତ କଲା ।

 

ଅନେକ ରାତିଯାଏ, ସେ ତା’ର ଆବେଗଭରା ଅନୁଭୂତିକୁ କୁଣ୍ଡଳି କରି, ସେହି ସବୁ କଥାକୁ ଗଭୀର ଭାବରେ ଭାବିଲା । ବହୁ ସମୟ ସେ ବିଭାବସୁଙ୍କର ‘କମଳ’ ଡାକକୁ କାନ ପାତି ଶୁଣିଲା । ତା’ ହାତକୁ ମୁଠେଇ ଧରିବାର ସ୍ପର୍ଶ ଅନୁଭବ କଲା । ‘ତମକୁ କ’ଣ ଏମିତି ଚନ୍ଦ୍ର–ବାଉଳା ରାତି ଭଲ ଲାଗେନି କମଳ ?’ –ସେ କହିଥିବା ଏହିସବୁ କଥା ଗୁଡ଼ିକ, କମଳର ଚେତନାକୁ କେବେ ଫିକା କେବେ ଉଗ୍ର କରୁଥିଲା । ସେହି ସବୁ କଥାକୁ ଭାବି ଭାବି ଗଭୀର ଭାବରେ ଅନୁଭବ କରୁ କରୁ, କମଳକୁ ନିଦ ଲାଗିଗଲା ।

 

ସେଦିନ ଖୁବ୍ ଶୀତ ପଡ଼ିଥିଲା । ତିନିଟା ନ ବାଜୁଣୁ ହିଁ ମନେ ହୋଇଥିଲା ସନ୍ଧ୍ୟା ଯେପରି ଆସି ଯାଇଛି । ଖରା ଏକଦମ୍ ଫିକା ପଡ଼ିଯାଇଥିଲା । ହାଡ଼ ମାଂସ ଥଣ୍ଡାରେ କନ୍ କନ୍ ହୋଇ ପଡ଼ୁଥିଲା । ନିକଟସ୍ଥ ମୁଣ୍ଡିଆ ପାହାଡ଼ର ହେମାଳିଆ ପବନ ମଝିରେ ମଝିରେ ଦେହକୁ ଆହୁରି ଥରାଇ ଦେଉଥିଲା ।

 

ଶୀତର ଜଡ଼ତା ଦୂର କରିବାକୁ ବିଭାବସୁ ଜଲି ସହ ସାମ୍ନା ବଗିଚାରେ ବ୍ୟାଡ଼୍‌ମିଣ୍ଟନ ଖେଳୁଥିଲେ । ଜଲି କିନ୍ତୁ ତାଙ୍କ ସହ ଏଇଠି ଏମିତି ଭାବରେ ଖେଳିବାକୁ ରାଜି ହେଲାନାହିଁ । କହିଲା, ଚାଲ, ସେ ଆଡ଼େ ପଡ଼ିଆରେ ଖେଳିବା ।

 

—ଧେତ୍ ! ସେ ପ୍ରମିଳା ସେନାଙ୍କ ସହ କିଏ ଖେଳିବ ?

 

—ଏଠି କେଉଁ ଅର୍ଜୁନ ସେନାସହ ଖେଳୁଛ ଖେଳ ବାବା ! ଆମେ ଚାଲିଲୁ । ଚକାଭଉଁରୀ ଖେଳିଲାପରି ଘୂରି ଘୂରି ଦୌଡ଼ି ଚାଲିଗଲା ଜଲି ।

 

ବିଭାବସୁ ଚାହିଁଲେ, ଅପରାହ୍ନର ମଉଳା ଆଲୁଅ ଟିକକ ଦେଖୁ ଦେଖୁ ଲିଭି ଯାଉଛି । ଆଖି, ନାକ, ମୁହଁ କନକନିଆ ଶୀତରେ ପଥୁରିଆ ଲାଗୁଥିଲା । ଥଣ୍ଡାଳିଆ ପବନରେ ସାରା ଦେହ ଥରି ଉଠୁଛି । ବିଭାବସୁ ଘର ଭିତରକୁ ଆସିଲେ ।

 

ବାସନ୍ତୀ ଆସି ବାସନକୁସନ ମାଜି, ଘରଦ୍ୱାର ପରିଷ୍କାର କରି ଚାଲିଗଲାଣି । ମାଇଁ ଘୋଡ଼େଇ ହୋଇ ଶୋଇ ଖଣ୍ଡେ ବହି ପଢୁଛନ୍ତି । ବହି ପଢ଼ିବାରେ ତାଙ୍କର ପ୍ରବଳ ଝୁଙ୍କ୍ । ବହି ଖଣ୍ଡେ ପାଇଲେ, ପଢ଼ି ନ ସାରିବା ଯାଏ ତାଙ୍କ ମନ ଥୟ ହୁଏ ନାହିଁ । ଘରେ ନାନାପ୍ରକାର ମାସିକ, ପାକ୍ଷିକ, ସାପ୍ତାହିକ ପତ୍ରିକା । ପ୍ରତି ମାସରେ କିଛି ନାଁ କିଛି ବହି କିଣାଯିବ । ମାମୁଁ ସେଥିପାଇଁ ପରିହାସ କରନ୍ତି ‘ତମେ ଯେତେ ବହି ପଢ଼ୁଛ, ସେତିକି ପଢ଼ା ବହି ଯଦି ପଢ଼ନ୍ତ ତେବେ ଏମ୍. ଏ. ପରୀକ୍ଷାଟା ଦେଇ ସାରନ୍ତଣି ।’ ଏହି କଥାରେ ଅନେକ ଥର ହସ ହୋଇଛି । ସ୍କୁଲ, କଲେଜରେ ନ ପଢ଼ିଥିଲେ ସୁଦ୍ଧା ତାଙ୍କର ବୁଦ୍ଧି ତୀକ୍ଷ୍‌ଣ । ବେଶ୍ ଋଚିଶୀଳା ଓ ଆଧୁନିକା । ଦେହର ବର୍ଣ୍ଣ ସାମାନ୍ୟ ମହଳ ହେଲେ ମଧ୍ୟ ରୂପର ଆଭିଜାତ୍ୟ ଅଛି । ବୟସରେ ପ୍ରୌଢ଼ ହେଲେ ବି ଦେହ ବଲ୍ଲରୀ ଭାଙ୍ଗି ପଡ଼ିନି । କଥାରେ ସ୍ନେହ ଓ ଅମାୟିକ ବ୍ୟବହାରରେ ପରକୁ ଆପଣାର କରି ନେବାରେ ତାଙ୍କପରି କମ୍ ସ୍ତ୍ରୀ ଲୋକ ସେ ଦେଖିଛନ୍ତି । ତାଙ୍କ ଜୀବନର ଏହି କ୍ଷୁଦ୍ର ପରିସର ଭିତରେ ସେ ଏହି ପରିବାରଟି ସହିତ ଯାହା ଅତି ନିବିଡ଼ ଭାବରେ ଜଡ଼ି ରହିଥିଲେ ।

 

ବିଭାବସୁଙ୍କ ଆଖି ଚତୁର୍ଦ୍ଦିଗରେ ଘୂରିଗଲା । କମଳ କାହିଁ ? ଦିଶୁ ନାହିଁ ତ ! ପଢ଼ୁଛି ବୋଧେ । କମଳର ଶୋଇବା ଘରକୁ ନିଃଶବ୍ଦ ପାଦରେ ପଶିଗଲେ ସେ । ଝରକା ପାଖରେ ଶାଲ୍ ଘୋଡ଼େଇ ହୋଇ ବସିଛି କମଳ । ଏକ ଧ୍ୟାନରେ କ’ଣ ଗୋଟାଏ ବୁଣୁଛି । ପାଦ ଚିପି ଚିପି ସେ ଗଲେ । ପଛରୁ ଚାହିଁଲେ, ଖଣ୍ଡିଏ ରୁମାଲ୍ । ନୀଳ ସୂତାରେ ସୁନ୍ଦର ଭାବେ ବର୍ଡ଼ର ବୁଣା ଯାଇଛି । ଗୋଟିଏ କୋଣରେ ଅଙ୍କା ହୋଇଛି ଦରଫୁଟିଲା ପଦ୍ମଟିଏ । ତାକୁ ଛନ୍ଦି ଲମ୍ବି ଯାଇଛି କଢ଼ଟିଏ । ସବୁଜ ସୂତାରେ ପତ୍ର ହୋଇଛି । ଫୁଲଟିକୁ ଗୁଡ଼େଇ ଧରିଛି ଇଂରାଜୀ ଅକ୍ଷର ‘ବି’ । ଶିଳ୍ପୀର ନିଖୁଣ ଆର୍ଟ ସେହି ଇଂରାଜୀ ଅକ୍ଷର ‘ବି’ ଭିତରେ ହିଁ ପରିସ୍ଫୁଟ ହୋଇଛି । ଆଃ, କି ଚମତ୍କାର ଦିଶୁଛି !

 

ସତକୁ ସତ କଥାଟିକୁ କହି ଦେବାକୁ ଯିବାର ଠିକ୍ ପୂର୍ବ ମୁହୂର୍ତ୍ତରେ ହିଁ ବିଭାବସୁଙ୍କର ମୁଣ୍ଡକୁ ଆଉ ଏକ କଳ୍ପନା ଆସିଲା । କମଳର ଆଖି ଦୁଇଟିକୁ ଚାପି ଧରିଲେ କେମିତି ହୁଅନ୍ତା ?

 

ସେ କମଳର ଆଖି ଉପରେ ନିଜ ହାତକୁ ଚାପି ରଖିଲେ ।

 

ଆଃ—ବେଦନାପୂର୍ଣ୍ଣ ଆର୍ତ୍ତ କଣ୍ଠସ୍ଵର । ହଠାତ୍ ଯେପରି ଆଖି ବନ୍ଦ କରିଥିଲେ ସେହିପରି ହଠାତ୍‌ ଆଖି ଦୁଇଟିରୁ ହାତକୁ ଖସେଇ ଆଣି ଠିଆ ହୋଇଗଲେ ବିଭାବସୁ । ସତେ କି ସେ ଦୋଷୀଟିଏ !

 

କମଳ ନିବିଷ୍ଟ ମନରେ ଅଙ୍କିତ ପଦ୍ମଫୁଲକୁ ବୁଣୁଥିଲା । ହଠାତ୍ ଆଖି ଦୁଇଟି ବନ୍ଦ ହୋଇଯିବା ଫଳରେ ଚମକି ପଡ଼ିଲା । ଡାହାଣ ହାତରେ ଧରିଥିବା ଛୁଞ୍ଚିଟା କନା ଭେଦ କରି ବାଁ ହାତର ବିଶି ଆଙ୍ଗୁଠିରେ ଫୁଟିଗଲା । ନିଜର ଅଜାଣତରେ ହିଁ ତା’ ପାଟିରୁ ବେଦନା ଜଡ଼ିତ ଚିତ୍କାର ବାହାରିଗଲା ।

 

ନିଜ ଆଙ୍ଗୁଠିକୁ ଚାପି ଧରି କମଳ ବିଭାବସୁଙ୍କୁ ଚାହିଁଲା । ସେ ଦୋଷୀଟି ଭଳି ଠିଆ ହୋଇଛନ୍ତି । ଆଖି ଦୁଇଟିରେ ଭରି ରହିଛି ଅପରାଧୀର ଚାହାଣୀ ।

 

—ଭାରି କାଟିଲା ନା ? ଦେଖି ? ହାତ ବଢ଼ାଇଲେ ବିଭାବସୁ ।

 

—ନା, କିଛି ହୋଇ ନାହିଁ । ଫିକ୍ କିନା ହସିଦେଲା କମଳ ।

 

ସତେ କି ତା’ ଓଠରୁ କମଳ ପାଖୁଡ଼ା ଝରି ପଡ଼ିଲା । ଆଉ ବିଭାବସୁ ନିଜର ଦୃଷ୍ଟିରେ ତାକୁ ସାଉଁଟି ନେଇ, ମନରେ ଆଘ୍ରାଣ କଲେ ।

 

କମଳ ବସିବା ସ୍ଥାନରୁ ଉଠିଗଲା । ଆଲମାରୀ ଖୋଲି ଫ୍ରେମ୍ ସହିତ ରୁମାଲ କନାଟିକୁ ଥୋଇ ଦେଲା । କହିଲା, ଆଜି ଭୀଷଣ ଶୀତ ! ତା’ପରେ ପଛକୁ ବୁଲି ଚାହିଁ କହିଲା, ଆରେ, ଆପଣ ଠିଆ ହୋଇ ରହିଛନ୍ତି ଯେ ! ବସନ୍ତୁ ।

 

ବିଛଣା ଉପରେ ବସି ପଡ଼ି କମଳକୁ କହିଲେ, ହଁ, ଆଜି ଭାରି ଶୀତ ! ଡିସେମ୍ବରର ଶେଷ ଦିନ କି’ନା–ସେଇଥି ପାଇଁ ତ ଶୀତ ଅଜାଡ଼ି ହୋଇ ପଡ଼ୁଛି । ପରିହାସ କଲା ଭଳି କହିଲେ ବିଭାବସୁ । ତା’ ପରେ କହିଲେ, ବାହାରେ ଆଦୌ ବସି ହେଉନି ।

 

—ଆପଣ ଖେଳୁଥିଲେ ପରା ?

 

—ଜଲି ଖେଳିବା ପାଇଁ ଚାଲିଗଲା ।

 

—ଆପଣ ଗଲେ ନାହିଁ ?

 

—ଇରେ ବାପ୍‌ରେ, ସେଠିକୁ କିଏ ଯିବ । ଏଥର ନୁହେଁ, ଆଉ ଥରେ ଆସିଥିଲି । ଦି’ ତିନିଥର ଖେଳିବା ପାଇଁ ଯାଇଥିଲି । ଯାଇ ଯେଉଁ ହାସ୍ୟରୋଳର ଶୀକାର ହୋଇଛି ନାଁ’, ଛାଡ଼ ସେ କଥା !

 

ବିଭାବସୁଙ୍କର ଖେଳରେ ହାରିବା କଥା ଜଲିଠାରୁ କମଳ ଶୁଣିଥିଲା । ହସି ହସି କହିଲା, ହାରି ଗଲେ ବା ରାଗ କଣ ? ଜଣେ ତ ଜିତିବ, ଜଣେ ତ ହାରିବ । ତା’ ବ୍ୟତୀତ ହାର ଜିତ୍‌ର ପଣ ନ ରଖି ଖେଳିବା ମନୋବୃତ୍ତି ନେଇ ଖେଳିଲେ ତ କ୍ରୋଧ ବା ଦୁଃଖ ଆସିବ ନାହିଁ ।

 

—ବାଃ ରେ । ତମେ ତ ଏଠି ସ୍ଥିତପ୍ରଜ୍ଞର ଅବତାରଣା କଲଣି । ବାଜି ରଖି ନ ଖେଳିଲେ, ଖେଳରେ ମଜ୍ଜା ଉଠେନାହିଁ । ତା’ ଛଡ଼ା, ତମେ ଯାହା ଭାବିଚ ତା’ ଠିକ୍ ନୁହେଁ । ମୁଁ ରାଗି ନାହିଁ । ମନ ବି ଦୁଃଖ କରିନାହିଁ । ମତେତ ସେମିତି ଖେଳି ଆସେ ନାହିଁ । ଜଲି ଓ ମାମି କି ଚମତ୍କାର ଖେଳନ୍ତି ! ମୁଁ ସେମାନଙ୍କ ପରି ଖେଳି ପାରେ ନାହିଁ । ମୋର ପ୍ରାକ୍‌ଟିସ୍ ନାହିଁ–କହୁ କହୁ ବିଭାବସୁ ନିଜର ଅକ୍ଷମତା ଯୋଗୁ ନିଜେ ହସିଲେ । କହିଲେ, ମୋର ଖେଳର ଅପଟୁତା ଦେଖି ସେମାନେ ଯେମିତି ହସନ୍ତି ନା...କହୁ କହୁ ସେ ହସି ପକାଇଲେ ।

 

—ଖେଳି ତ ଆସେ ନାହିଁ ! ତହିଁରେ ପୁଣି ହସ । କମଳ ଲଘୁ ପରିହାସ କଲା ।

 

କମଳର ପରିହାସ ବିଭାବସୁଙ୍କ ପକ୍ଷେ ନୂଆ । ତେଣୁ ତାର ଏହି ପରିହାସ ତାଙ୍କୁ ଖୁବ୍ ଭଲ ଲାଗିଲା । ସେ ମନ ଆନନ୍ଦରେ ଗୋଡ଼ ଦୁଇଟାକୁ ହଲାଇ ହଲାଇ କହିଲେ, ହଉ ଏବେ ତମରି କଥା ହେଲା ।

 

ଝରକାଟା ବନ୍ଦ କରି ଦେଇ, କମଳ ଲାଇଟ୍ ଜାଳିଦେଲା । ବିଭାବସୁ କହିଲେ, ଉଃ, ଭାରି ଶୀତ । କପେ ଚା ଦେଲେ ଧର୍ମ ହୁଅନ୍ତା । ତାଙ୍କର କହିବା ଭଙ୍ଗିରେ କମଳ ହସି ପକାଇଲା । କହିଲା, ଆମର ସେ ଧର୍ମ ଦରକାର ନାହିଁ ।

 

–ତମର ଫେର, ଧର୍ମ ଦରକାର ନାହିଁ ?

 

–ଅତନ୍ତଃ ଚା ଦେବା ଧର୍ମ ଦରକାର ନାହିଁ ।

 

–ଜଣେ ବୁଢ଼ା ବ୍ରାହ୍ମଣକୁ ଦେଉଛ ଜ୍ଞାନ କରି ମତେ ଦିଅନା । ବିଭାବସୁଙ୍କ କଥାରେ ଦୁହେଁ ଏକାବେଳେ ହସି ଉଠିଲେ ।

 

ହିଟର ଉପରେ ପାଣି ବସେଇ ଦେଇ, ଚିନି ଓ ଚାହା ପାଇଁ କମଳ ରୋଷେଇ ଘରକୁ ଗଲା ।

 

ବିଭାବସୁ ବିଛଣା ଉପରୁ ତକିଆଟାକୁ ଉଠେଇ ନେଇ, କୋଳରେ ଜାକି ଧରିଲେ । ଗୋଡ଼ ଦୁଇଟାକୁ ତଳକୁ ଝୁଲେଇ ରଖି, ସେ ଚିତ୍ ହୋଇ ଶୋଇଗଲେ । ବିଛଣାଟା ବେଶ୍ ନରମ । ବିଛଣା ଚଦରଟା ଖୁବ୍ ସୁନ୍ଦର ହୋଇଛି । ଶୋରିଷ ରଙ୍ଗର ଜମି । ତା’ ଉପରେ ଗୋଲାପି ସୂତାର ଧାଡ଼ି ଧାଡ଼ି ଗଛ । ପାଇନ୍ ଜାତୀୟ, ପାହାଡ଼ୀ ଗଛ । ମୁଣ୍ଡ ପାଖ ଓ ପାଦ ପାଖ ଗଛଗୁଡ଼ିକ ସାଦା ସୂତାର, ବାକି ସବୁ ଗୋଲାପ । ଏହି ଚଦରଟା ବିଛଣା ଉପରେ ପଡ଼ିବା ଦିନରୁ, ତାଙ୍କୁ କାହିଁକି ଘରଟା ବେଶୀ ଉଜ୍ଜ୍ୱଳ ଲାଗୁଛି । ଏକଥା ସେ ଥରେ କମଳକୁ କହିଥିଲେ । ସେ ହସିଦେଲା । କମଳର ଖୁବ୍ ପସନ୍ଦ ଏହି ଚଦରଟି ! ହଠାତ୍ ବିଭାବସୁଙ୍କୁ ମଧ୍ୟ ଚଦରଟି ଭାରି ଚମତ୍କାର ମନେ ହେଲା ।

 

ହଠାତ୍ ବିଭାବସୁ ଅନୁଭବ କଲେ, ବିଛଣାରୁ କେମିତି ଏକ ଗନ୍ଧ ବାହାରୁଛି । ଗନ୍ଧଟା ଯେ କମଳ ଦେହର, ଏହା ବିଭାବସୁ ବୁଝି ପାରିଲେ । ଜବାକୁସୁମ ତେଲ, ହାଜଲେନ୍ ସ୍ନୋ, ପଣ୍ଡସ୍ କ୍ରିମ୍ ଆଉ ଯେପରି କି କି ମିଶା ଗନ୍ଧ । କିନ୍ତୁ ଏସବୁ ଭିତରେ କମଳ ଦେହର ଗନ୍ଧ ହିଁ ବେଶି, ଏହା ସେ ଅନୁଭବ କରୁଥିଲେ । ସେ ଭଲ ଭାବରେ ଆଘ୍ରାଣ କଲେ ।

 

ସେ ଭାବିଲେ, ଏହା କ’ଣ ପ୍ରକୃତରେ କମଳ ଦେହର ଗନ୍ଧ ? ନାଁ ଦୁର୍ବଳତାର ଗନ୍ଧ ? କ’ଣ, ଏହା କି ଗନ୍ଧ ?

 

ହୁଏତ ଏହା ଦୁର୍ବଳତାର ଗନ୍ଧ ହୋଇ ପାରିଥାଏ । କମଳର କୋମଳତା, ସ୍ନିଗ୍‌ଧତା, କିବା ନମ୍ରତା ଓ ମାୟା ମମତାର, କି ପ୍ରକାର ଗନ୍ଧ, ସେ ଠିକ୍ ବୁଝିପାରିଲେ ନାହିଁ ।

 

କେଜାଣି କାହିଁକି, ହଠାତ୍ ସେ ଉନ୍ମନା ଏବଂ ଉଦାସ ହୋଇ ପଡ଼ିଲେ ।

 

ଜଲି ବ୍ୟତୀତ ଅନ୍ୟ କୌଣସି ଝିଅର ନିକଟ ସଂସ୍ପର୍ଶରେ ସେ ଆସି ନାହାନ୍ତି । କମଳକୁ ଦେଖିବା ପରଠାରୁ, ତା’ ସହ ମିଳାମିଶା କରିବା ପରଠାରୁ ହିଁ ତା’ ପ୍ରତି ତାଙ୍କ ମନରେ କିପରି ଏକ ମାୟା, ଆଶକ୍ତି ଓ ଅନୁରାଗ ଭରି ଯାଇଛି । ସେ ଅନେକ ଝିଅଙ୍କୁ ଦେଖିଛନ୍ତି, ସହପାଠିନୀମାନଙ୍କ ସହିତ ମାମୁଲି କଥାବାର୍ତ୍ତା ମଧ୍ୟ କରିଛନ୍ତି, କିନ୍ତୁ କାହାରି ପାଇଁ ବ୍ୟାକୁଳତା ବା ଆକର୍ଷଣ କେବେ ହେଲେ ସେ ଅନୁଭବ କରି ନାହାନ୍ତି । କମଳ ହିଁ ସେଇ ଝିଅ, ଯିଏ ତାଙ୍କ ଜୀବନରେ ନୂତନ ଦିଗ ଦେଖାଇଛି । କମଳ ହିଁ କମଳ । କାହାରି ସହିତ ତାର ତୁଳନା ନାହିଁ । ହୋଇ ପାରେନା ।

 

ଭାବୁ ଭାବୁ ବିଭାବସୁ ସଂପୂର୍ଣ୍ଣ ନୂତନ ଏକ ପୁଲକ ଅନୁଭବ କରି ପୁଲକି ଉଠିଲେ । ତକିଆଟାକୁ ଛାତି ଉପରେ ରଖି; ଗୋଡ଼ ଦୁଇଟାକୁ ହଲାଉ ହଲାଉ ଆନମନା ହୋଇ ଗୁଣୁ ଗୁଣୁ କରି ଗାଇଲେ, ‘କାଳିଆ କମଳ ଦେଖିଲେ କମଳ ନୟନରେ ହୁଏ ଜରଜର । ’ ପ୍ରଥମେ ଗୁଣୁ ଗୁଣୁ କରି ଗାଉ ଗାଉ ପରେ ଅନୁଚ୍ଚ ଗଳାରେ ଗାଇଲେ ।

 

ଏତିକିବେଳେ କମଳ ଚା’ ମଗ ଧରି ଆସିଲା । କମଳ ଆସିଛି ଜାଣି ମଧ୍ୟ ବିଭାବସୁ ଉଠିଲେ ନାହିଁ, ବରଂ କମଳ ଶୁଣି ପାରିବା ଭଳି ସେ ସ୍ପଷ୍ଟ କରି ଗୀତଟିକୁ ବୋଲିଲେ ।

 

ଚା’ ମଗ୍ କୁ ହାତରେ ଧରି, କମଳ ନିଶବ୍ଦରେ ଠିଆ ହୋଇ ରହିଲା ।

 

ଯେମିତି ଖୁବ୍ ଗୋଟାଏ ବିସ୍ମୟର କାର୍ଯ୍ୟ କରି ଦେଇଛନ୍ତି, ସେହିପରି ମୁଖ ଭଙ୍ଗି କରି, ବିଭାବସୁ କହିଲେ, ଦେଖିଲ ତ କେମିତି ଚମତ୍କାର ଗୀତ । ଗାଉ ଗାଉ ହିଁ ସାକ୍ଷାତ କମଳ ଆସି ପାଖରେ ହାଜର ।

 

କମଳ ଲାଜରା ହେଲା । କହିଲା, ବିଶୁଦ୍ଧ କବିଙ୍କ ରଚନା କି’ନା, ସେହିପରି ତ ହେବାର କଥା । ଗୀତଟି ପୂରା ଜାଣିଛନ୍ତି ? ଆପଣ ଓଡ଼ିଶା ବାହାରେ ରହି ମଧ୍ୟ ବେଶ୍ ତ ଓଡ଼ିଆ ଗୀତ ଗାଇ ପାରୁଛନ୍ତି ?

 

ଓଡ଼ିଶା ବାହାରେ ରହିଲେ ମଧ୍ୟ ଆମେ ତ ଓଡ଼ିଆ । କିନ୍ତୁ ଗୀତଟି ପୁରା ଜାଣି ନାହିଁ । ପଦେ ମାତ୍ର ମନେ ଅଛି । ବିଭାବସୁ ଦୁଇ ମୁହୂର୍ତ୍ତ ଭାବିଲେ । ତା’ପରେ କହିଲେ, ମୁଁ କ’ଣ ଜାଣିଥିଲି, ଏଠାରେ ଗୋଟିଏ କମଳ ଅଛି ବୋଲି ? ତା’ହେଲେ ଗୀତଟିକୁ ପୁରା ଶିଖି ଆସିଥାନ୍ତି । ତାଙ୍କ ମୁହଁରେ ଦୁଷ୍ଟାମିର ହସ ।

 

ଏ କଥାରେ କମଳ କିପରି ବିବ୍ରତ ବୋଧ କଲା । ମୁହଁ ବୁଲେଇ ନେଉ ନେଉ କହଲା, ଚା ନିଅନ୍ତୁ । ଥଣ୍ଡା ହୋଇ ଯାଉଛି । ଏପରି ପରିହାସରେ ସେ ଅଭ୍ୟସ୍ତ ନୁହେଁ । ତାକୁ ଅଡ଼ୁଆ ଲାଗିଲା ।

 

ବିଭାବସୁ ଉଠି ବସିଲେ । କମଳ ହାତରୁ ଚା ନେଇ ଓଠରେ ଲଗାଇଲେ । ଦି” ଢୋକ ଚା’ ଖାଇ ସାରି କହିଲେ, ତମ ହାତ ତିଆରି ଚା ସତରେ ଭାରି ଚମତ୍କାର କମଳ । ଖୁସିରେ ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା ।

 

ହସିଲା କମଳ । ବିଭାବସୁଙ୍କର ସବୁ କଥାରେ ଚମତ୍କାର କହିବାର ଅଭ୍ୟାସ ଅଛି । କୌଣସି କାରଣରୁ ସେ ଖୁସି ହୋଇଗଲେ, ସେହି ଭାବ, ପିଲାମାନଙ୍କ ପରି, ତାଙ୍କ ମୁହଁରେ ସ୍ପଷ୍ଟ ହୋଇ ଉଠେ । ସେତେବେଳେ କମଳର ମନେ ହୁଏ, ବିଭାବସୁ ବଡ଼ ସ୍ନେହ କାଙ୍ଗାଳ ।

 

କମଳ କହିଲା, ଆପଣଙ୍କ ସ୍ଵର ତ ଭାରି ସୁନ୍ଦର । ଖୁବ୍ ଭଲ ଗୀତ ଗାଉଛନ୍ତି । ଆଜିଯାଏ ଜଣେଇ ନଥିଲେ ଯେ ? ସେ ହସିଲା ।

 

ଅନ୍ୟକଥା ଭଳି ଏକଥାରେ ବିଭାବସୁ ତାଙ୍କର ସ୍ଵଭାବ ସୁଲଭ ହସ ନହସି କିପରି ଉଦାସ ହୋଇଗଲେ । କମଳକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ତାର ଏହି କଥାରେ ବିଭାବସୁ ତ କିଛି ପରିହାସ କରିବାର କଥା । କ’ଣ ହେଲା । ସେ ତାଙ୍କୁ ଚାହିଁଲା ।

 

ବିଭାବସୁ ଉଦାସ ମିଶା ଗଭୀର ସ୍ଵରରେ କହିଲେ, ମା’ ଭଲ ଗୀତ ବୋଲୁଥିଲେ । ଗୀତ ପ୍ରତି ତାଙ୍କର ବେଶି ଝୁଙ୍କ ଥିଲା । ଝିଅଟିଏ ହେଲେ ତାକୁ ଗୀତ ଶିଖେଇବେ ବୋଲି କେତେ କଳ୍ପନା ଜଳ୍ପନା କରୁଥିଲେ । ଆମେ କେହି ଗୋଟିଏ ଭାଇ ବି ତାଙ୍କର ମନସ୍କାମନା ପୂର୍ଣ୍ଣ କରି ପାରିଲୁ ନାହିଁ । କେହି ହେଲେ ଗାୟକ ହୋଇ ପାରିଲୁ ନାହିଁ ।

 

କମଳ ସମ୍ବେଦନଶୀଳ କଣ୍ଠରେ କହିଲା, ଆପଣଙ୍କର କଣ୍ଠ ଅଛି । ଅଭ୍ୟାସ କଲେ ନହେବ କାହିଁକି ଯେ ?

 

ବିଭାବସୁ ମୁଣ୍ଡ ହଲେଇଲେ । କହିଲେ, ଜାଣ, ମା କହନ୍ତି ବିନା ସାଧନାରେ ଅନ୍ୟ ଯାହା ହେଉନା କାହିଁକି ସଙ୍ଗୀତ ବିଦ୍ୟା, ନୃତ୍ୟ ବିଦ୍ୟା ଆୟତ୍ତ ହୁଏ ନାହିଁ । ମୋର ମନେ ଅଛି, ମା’ ଗୋଟିଏ ସୁନ୍ଦର କାହାଣୀ କହନ୍ତି ।

 

କମଳ ଦେଖିଲା, ବିଭାବସୁଙ୍କ ମୁହଁ ଅନ୍ୟ ରକମ ଦିଶୁଛି । ତାଙ୍କର ଦୃଷ୍ଟି ସମ୍ମୁଖର ଲକ୍ଷ୍ମୀଙ୍କ ଫଟୋରେ ନିବଦ୍ଧ । ସେ ଜିଜ୍ଞାସା କଲା, କଣ ?

 

—ଶୁଣିବ ? କହି ବିଭାବସୁ କମଳକୁ ଚାହିଁଲେ । କପ୍‌ରୁ ଶେଷ ଚା’ତକ ପିଇଦେଇ, ଝରକା ଉପରେ କପଟାକୁ ଥୋଇଦେଲେ । କମଳକୁ ବସିବା ପାଇଁ କହିଲେ । ତା’ପରେ ସେ କହିଲେ, ମା’ କହନ୍ତି—ସେତେବେଳେ ଓଡ଼ିଶାର ନାଁ କଳିଙ୍ଗ ଥିଲା । ଏହା ହେଉଛି ସେତିକିବେଳର କଥା ।

 

ସେତେବେଳେ ସାଧାରଣତଃ ରାଜା ରାଜୁଡ଼ାମାନେ ଗୁଣଗ୍ରାହୀ ଥିଲେ । ଗୁଣୀଜନଙ୍କୁ ଦେଶରେ ପରିଚିତ କରାଉଥିଲେ । ଆମ କଳିଙ୍ଗର ଗଜପତି ଖୁବ୍ କଳାପ୍ରେମୀ ଥିଲେ । ଏକଥା ଅଙ୍ଗ, ବଙ୍ଗ, କୋଶଳ ଚାରିଆଡ଼େ ପ୍ରଚାର ହୋଇ ଯାଇଥିଲା । ଥରେ ବନାରସରୁ ଜଣେ ସରୋଦ ବାଦକ ଆସିଥିଲେ । ଗଜପତି ତାଙ୍କୁ ଖୁବ୍ ଆଦର ଯତ୍ନ କଲେ । ଆସର ବସିଲା । ସେ ସରୋଦରେ ଆଳାପ ଆରମ୍ଭ କଲେ । ଅଦ୍‌ଭୁତ ଆଳାପ । ମାଟିପାଣି ଆକାଶ ପବନ ସେହି ସୁରର ତରଙ୍ଗରେ କାନ୍ଦି ଉଠିଲେ ଯେପରି । ସମସ୍ତ ଶ୍ରୋତା ସ୍ତବ୍‌ଧ ! ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏ କ’ଣ ମନୁଷ୍ୟ ନାଁ କେଉଁ ଦେବ ଦେବୀ ଅଭିଶାପ ଗ୍ରସ୍ତ ହୋଇ ପୃଥିବୀକୁ ଆସିଛନ୍ତି ? ତାଙ୍କର ସେହି ସୁର ଶୁଣି ବଣରୁ ହରିଣମାନେ ବଣଛାଡ଼ି ଚାଲି ଆସିଥିଲେ ଆଉ ସେହି ସୁରର ତାଳେ ତାଳେ ନାଚିଥିଲେ । ଆମ ଗଜପତି ଏତେ ତନ୍ମୟ ହୋଇ ପଡ଼ିଥିଲେ ଯେ, ନିଜ ଗଳାର ଗଜମୋତି ହାର ଖୋଲି ସେ ଶିଳ୍ପୀଙ୍କ ଗଳାରେ ପିନ୍ଧେଇ ଦେବାକୁ ଗଲେ, କିନ୍ତୁ ମୋହଗ୍ରସ୍ତ ହୋଇ ଗୋଟିଏ ହରିଣୀ ଗଳାରେ ହାରଟିକୁ ଗଳେଇଦେଲେ ।

 

ସରୋଦ ବାଦନ ବନ୍ଦ ହେଲା । ସଙ୍ଗେ ସଙ୍ଗେ ହରିଣ ହରିଣୀମାନେ ପୁଣି ବଣକୁ ଦୌଡ଼ି ପଳେଇଲେ । ଗଜପତି ପ୍ରକୃତିସ୍ଥ ହେଲେ । ଶିଳ୍ପୀଙ୍କ ଗଳାରେ ତାଙ୍କର ବହୁମୂଲ୍ୟ ହାରଟିକୁ ନ ଦେଖି, ସେ ଚକିତ ହେଲେ । ନିଜର ଭ୍ରମ ବୁଝିପାରି ଉପାୟ ଖୋଜିଲେ । ସେ ଶିଳ୍ପୀଙ୍କୁ କହିଲେ, ଆପଣ ପୁଣି ସରୋଦରେ ଆଳାପ ଆରମ୍ଭ କରନ୍ତୁ । ହରିଣ ସବୁ ଆସିଲେ, ତା’ ଠାରୁ ହାରଟି ଆଣି ଆପଣଙ୍କ ଗଳାରେ ଦେବି ।

 

କିନ୍ତୁ ଶିଳ୍ପୀ ନିଶବ୍ଦ ହସ ହସିଲେ । କହିଲେ ମହାରାଜ, ଆପଣଙ୍କ କଳିଙ୍ଗରେ କ’ଣ ଏପରି ସଙ୍ଗୀତଜ୍ଞ ନାହାନ୍ତି ଯିଏ କି ହରିଣୀ ବେକରୁ ହାରଟିକୁ କାଢ଼ି ଆଣି ପାରିବ ?

 

ଗଜପତି ଚମକି ଉଠିଲେ । ସତେତ ! ଏହା ତ ଏକରକମ କଳିଙ୍ଗର ପରାଜୟ । କଳିଙ୍ଗର ଅପମାନ । ମୋ ରାଜ୍ୟରେ କି ସତରେ ଏପରି ଶିଳ୍ପୀ ନାହାନ୍ତି ? ଏହା ତ ଘୋର ଅପମାନର କଥା ।

 

ସେ ସଙ୍ଗେ ସଙ୍ଗେ ଗୁଣୀ ଜନଙ୍କୁ ଆହ୍ଵାନ କଲେ । କଳିଙ୍ଗରେ କ’ଣ ଏପରି ଶିଳ୍ପୀ ନାହାନ୍ତି ଯିଏ କି ବଣର ଜୀବ ଜନ୍ତୁଙ୍କୁ ମୋ ଆଗକୁ ନେଇ ଆସି ପାରିବ ?

 

ଜଣେ କ୍ଷୀଣକାୟ ବ୍ୟକ୍ତି ଉଠି କହିଲେ, ମଣିମା ! ବୁଝ୍‌ଛି ଯେ ଏଇଟା କଳିଙ୍ଗ ପକ୍ଷରେ ଘୋର ପରାଜୟ । ମୁଁ ଓଡ଼ିଆ, ତେଣୁ ଏହାକୁ ମାନି ନେବା ମୋ ପକ୍ଷରେ ଅସମ୍ଭବ । ତେବେ ଏଇ ସାଙ୍ଗେ ସାଙ୍ଗେ ତ ସମ୍ଭବ ନୁହେଁ । କାରଣ ଦିବାବସାନ ଘଟିଲାଣି । ମୁଁ କାଲି ପର୍ଯ୍ୟନ୍ତ ସମୟ ନେଉଛି ।

 

ତାହାହିଁ ହେଲା । ତା’ ପରଦିନ ପୁଣି ସେହିଠାରେ ଆସର ବସିଲା— । ଗତ ଦିନ ଅପେକ୍ଷା ଅଧିକ ଲୋକ ସମାଗମ ହୋଇଥିଲା । ସମସ୍ତଙ୍କ ଛାତି ଧଡ଼୍ ଧଡ଼ । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ସତେ କ’ଣ ଏଇ ଶୀର୍ଣ୍ଣକାୟ ଲୋକ ଜଣକ ବଣରୁ ହରିଣ ପଲକୁ ଟାଣି ଆଣି ପାରିବ ? ନିଜେ ଗଜପତି ଚିନ୍ତିତ, ଗମ୍ଭୀର ।

 

ସଙ୍ଗୀତଜ୍ଞଙ୍କ ଅନୁରୋଧରେ ଗୋଟିଏ ଗାଈ ଓ ତାର ମାସକର ବାଛୁରୀ ମଧ୍ୟ ଅଣାଗଲା । ବାଛୁରୀଟାକୁ ଜଣେ ଲୋକ ଧରି ରଖିଲା । ନିର୍ଦ୍ଦେଶ ଥିଲା ସଙ୍ଗୀତଜ୍ଞ ଆଖିରେ ଇଙ୍ଗିତ କରିବା ମାତ୍ରେ ବାଛୁରୀକୁ ଛାଡ଼ି ଦେବାକୁ ହେବ । କିନ୍ତୁ ଗୀତ କଣ ବାଜିବ, ଗାଈର ହମ୍ବା ରଡ଼ିରେ ଚଉଦିଗ କମ୍ପୁଛି । ଆଉ ବାଛୁରୀଟା ଖିର ଖାଇବ ବୋଳି ଟାଣି ହେଉଛି । ଏ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ବନାରସର ଗାୟକ ଜଣକ ଭାବିଲେ ତାଙ୍କୁ କେମିତି ପ୍ରକାରେ ଠକେଇ ଦେଇ ପାରିଲେ କଳିଙ୍ଗକୁ ବଞ୍ଚେଇ ଦେବ ବୋଲି ଏ ଲୋକଟା ମସୁଧା କରୁଛି । ତେଣୁ ସେ ଖୁବ୍ ସତର୍କ ହୋଇ ବସିରହିଲେ ।

 

ଗୀତ ଆରମ୍ଭ ହେଲା । ବାଜା ନାହିଁ, ବୀଣା ନାହିଁ, ପାଟିରେ ଗୀତ ଆରମ୍ଭ ହେଲା । ଗତ କାଲି ପରି ଆଜିବି ଆକାଶ ପବନ କାନ୍ଦି ଉଠିଲା । ବଙ୍ଗୋପସାଗରର ଅଶାନ୍ତ ଢେଉ ସ୍ଥିର ହୋଇଗଲା । ବଣରୁ ହରିଣ ପଲ ନାଚି ନାଚି ଧାଇଁ ଆସିଲା । ଏପରି କି ସେ ଗଜ ମୋତି ହାର ପିନ୍ଧା ହରିଣଟି ମଧ୍ୟ ଆସିଲା । କିନ୍ତୁ ସେମାନେ ସବୁ ନାଚି ନାଚି ଆସିଥିଲେ ମଧ୍ୟ ପାଖରେ ପହଞ୍ଚି ସ୍ଥିର, ଅଚଞ୍ଚଳ ହୋଇ ଠିଆ ହୋଇଗଲେ । ସେହି ଗାଈଟି ମଧ୍ୟ ହମ୍ବାରଡ଼ି ନ ଦେଇ ସ୍ଥିର ହୋଇଗଲା ଓ ବାଛୁରୀଟି ମଧ୍ୟ ସ୍ତବ୍‌ଧ ହୋଇ ହଲଚଲ ନ ହୋଇ ଠିଆ ହୋଇ ରହିଲା । ଖିର ଖାଇବା ଭୁଲିଗଲା । ମଣିଷମାନଙ୍କ କଥା କହିବା ନିଷ୍ପ୍ରୟୋଜନ । ଚତୁର୍ଦ୍ଦିଗ ସ୍ତବ୍‌ଧ ହୋଇ ପଡ଼ିଲା । ପବନ ଯେମିତି ସ୍ଥିର ହୋଇଗଲା । ଧୀର ଧୀରେ ସମସ୍ତେ ଚେତନାଲୁପ୍ତ ହୋଇପଡ଼ିଲେ ।

 

ସବୁ ଯେପରି ବ୍ରହ୍ମମୟ !

 

ଗାୟକ ଯେ କେତେବେଳେ ଉଠି ହରିଣୀ ବେକରୁ ହାରଟିକୁ କାଢ଼ି ଆଣି ମହାରାଜାଙ୍କ ଗଳାରେ ପିନ୍ଧେଇ ଦେଇଛନ୍ତି, ଅନ୍ୟ କେହି ତ ଦୂରର କଥା ନିଜେ ଗଜପତି ଜାଣି ପାରିଲେ ନାହିଁ ।

 

ଅବଶେଷରେ ଗୀତ ବନ୍ଦ ହେଲା ।

 

ସମସ୍ତେ ଯେପରି ଧୀରେ ଧୀରେ ଚେତନାଲୁପ୍ତ ହୋଇଥିଲେ, ସେପରି ଧୀରେ ଧୀରେ ଚେତନା ଫେରି ପାଇଲେ । ବାଛୁରୀ ଦଉଡ଼ିଗଲା ଗାଈ ପାଖକୁ । ସମସ୍ତେ ଦେଖିଲେ, ଆଜି କେବଳ ହରିଣ ଦଳ ନୁହେଁ; ବଣର ବାଘ, ସିଂହ ମଧ୍ୟ ହିଂସା ଭୁଲି, ସ୍ତବ୍‌ଧ ହୋଇ ଠିଆ ହୋଇ ରହିଥିଲେ । ଗୀତ ଶେଷ ହେବା ସଙ୍ଗେ ସଙ୍ଗେ ଯିଏ ଯୁଆଡ଼େ ଦୌଡ଼ି ପଳେଇଲେ ।

 

ଗାୟକ ଜିଜ୍ଞାସା କଲେ, ମଣିମା, ମାଳାଟିକୁ ପାଇଛନ୍ତି ତ ? ଗଜପତି ଆନନ୍ଦ ବିହ୍ୱଳ ହୋଇ କହିଲେ, ହେ ଗାୟକ ଚୂଡ଼ାମଣି । ଗାୟକ ଶ୍ରେଷ୍ଠ ! ଗଜପତିର ଅନ୍ୟକୁ ପ୍ରଣାମ କରିବାର ନିୟମ ନାହିଁ । ତେଣୁ ମୁଁ ତାହା କରି ପାରୁ ନାହିଁ । କିନ୍ତୁ ସ୍ୱୀକାର କରୁଛି, ଆପଣଙ୍କୁ ପ୍ରଣାମ କରିବାର କୌଣସି ଯୋଗ୍ୟତା ମୋର ନାହିଁ । ମତେ ସହସ୍ରବାର ଧିକ୍ । ଆପଣ ମୋ ରାଜ୍ୟରେ ଅଛନ୍ତି, ଅଥଚ ମୁଁ ଜାଣି ପାରି ନାହିଁ ।

 

ଗାୟକ କହିଲେ, ମଣିମା, ମୁଁ ନୀରବରେ ସାଧନା କରେ । ମୁଁ ତ ଯଶ, ମାନ, ଧନ ଚାହିଁ ନାହିଁ । ମୁଁ ଯଶ ବିଭବ ପାଇଁ ସଙ୍ଗୀତ କରେ ନାହିଁ । କେବଳ ପ୍ରଭୁଙ୍କ ପାଇଁ ହିଁ ଗାଇଥାଏ । କଳିଙ୍ଗର ପରାଜୟ ତ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁଙ୍କର ପରାଜୟ । ତାକୁ ସହ୍ୟ କରିବା ଅସମ୍ଭବ ବୋଲି ତ ମୁଁ ତାଙ୍କରିଠାରୁ ଅନୁମତି ନେଇ, ପଦାକୁ ବାହାରି ଆସିଲି ।

 

ତାଙ୍କ କଥାରେ ଲେକେ ବିସ୍ମୟାମୁଢ଼ ।

 

ଗଜପତି ସେହି ବହୁମୂଲ୍ୟ ହାରଟିକୁ ନିଜ ଗଳାରୁ ବାହାର କରି, ପୂର୍ବ କଥାନୁସାରେ ପୂର୍ବ ଗାୟକଙ୍କ ଗଳାରେ ପିନ୍ଧାଇ ଦେବାକୁ ଗଲେ । କିନ୍ତୁ ସେ ସଙ୍ଗେ ସଙ୍ଗେ ହାତ ଯୋଡ଼ି କହିଲେ, ମୁଁ ତ ଏହାର ଅଯୋଗ୍ୟ । ଏହାକୁ ଗ୍ରହଣ କରିବାର ଯୋଗ୍ୟତା କେବଳ ଏଇ କଳିଙ୍ଗବାସୀ ଗାୟକଙ୍କର ଅଛି ! ତେବେ ମୋର ବିନୀତ ଅନୁରୋଧ, ଯଦି ଆପତ୍ତି ନଥାଏ ତେବେ ସେ ପ୍ରକାଶ କରନ୍ତୁ, ଆଜି ଏଠାରେ ଯାହା ଘଟିଲା ତାହା ସମ୍ଭବ ହେଲା କିପରି ?

 

ଉତ୍ତରରେ କଳିଙ୍ଗର ଗାୟକ କହିଲେ, ଆମେ ନାଭିରୁ ଯେଉଁ ଶବ୍ଦ ଆଣୁ ତାହାହିଁ ତ ହେଉଛି ନାଦ–ବ୍ରହ୍ମ ! ଅର୍ଥାତ ଏହି ଜଗତରେ ଯାହା କିଛି ଦେଖୁଛନ୍ତି, ସେ ସବୁ ହେଉଛି, ବ୍ରହ୍ମଙ୍କ ସ୍ୱରୂପ । କିନ୍ତୁ ବ୍ରହ୍ମ ନିଜେ କିଛି କରନ୍ତି ନାହିଁ । ଶକ୍ତି ତାଙ୍କ ସହିତ ମିଶ୍ରିତ ହୋଇ କାର୍ଯ୍ୟ କରନ୍ତି । ସେହି ଶକ୍ତିକୁ ଯଦି ଥରଟିଏ ଆପଣ ବିଚ୍ଛିନ୍ନ କରି ଦେଇ ପାରିବେ, ତେବେ ତ ସବୁ ସ୍ଥିର ହୋଇଯିବ-। ଅର୍ଥାତ୍ ବ୍ରହ୍ମ ପ୍ରାପ୍ତ ହେବ । ଏହି ବ୍ରହ୍ମାଣ୍ଡଟା ତ ଶବ୍ଦ ଦେଇ ତିଆରି ହୋଇଛି । କେବଳ ତାକୁ ବୁଝିଲେ ହେଲା, ଶୁଣିଲେ ହେଲା । ପୃଥିବୀଟା ଯେ ଘୂରୁଛି, ଏହା ସମସ୍ତେ ଜାଣନ୍ତି । କିନ୍ତୁ ତାକୁ କଣ କେହି ବୁଝି ପାରେ ? ସେହି ଘୂରିବା ଶବ୍ଦ ତ କାନକୁ ଶୁଭେ ନାହିଁ । କିମ୍ବା ଝୁଲିବାଟା ବି ଜଣା ଯାଉ ନାହିଁ । କିନ୍ତୁ ସେହି ଘୂରିବା ଶବ୍ଦଟି ଯଦି ଆମେ ଶୁଣିପାରିବା, ଯଦି ଆମ କାନରେ ସେହି ପ୍ରଣବ–ଧ୍ଵନି ଧରାପଡ଼େ, ତା’ ହେଲେ ଆଉ ଭାବି ହେବାକୁ, ଘୂରି ହେବାକୁ ପଡ଼ିବ ନାହିଁ । ସାମ ବେଦର ପ୍ରଥମ ଓଁ କାର ଧ୍ଵନି ତ ସେହି ଘୂର୍ଣ୍ଣନ । ସଙ୍ଗୀତ ହିଁ ସାମବେଦ, ଯାହାକି ଚାରିବେଦ ମଧ୍ୟରୁ ପ୍ରଥମେ ରଚିତ ହୋଇଥିଲା–ବିଭାବସୁ ହଠାତ୍ ନୀରବ ହୋଇଗଲେ ।

 

କମଳ କହିଲା, ତା’ପରେ ? ସେ ଯେପରି ଅନ୍ୟମନସ୍କ ହୋଇପଡ଼ିଲା ।

 

–ମା’ କହନ୍ତି, ଏହି ଓଁ କାର ସ୍ଵରକୁ ନାଭିରୁ ଉଠେଇ ତ ଋଷି ମୁନିମାନେ ଦ୍ରଷ୍ଟା ହୋଇ ପାରିଛନ୍ତି । ସେଥିପାଇଁ ସାଧନା ଲୋଡ଼ା,କେବଳ ସାଧନା । ଚେଷ୍ଟା ଦରକାର । ବିନା ସାଧନାରେ କଣ କେବେ କିଛି ହୋଇଛି ?

 

କମଳ ଭାବୁଥିଲା, ବିଭାବସୁ ତାଙ୍କ ମା’ଙ୍କୁ କିପରି ମନେ ପକାଉଛନ୍ତି । ସବୁ ପୁଅ ସବୁ ମା’ ବାପାଙ୍କୁ ମନେ ରଖନ୍ତି । ମନେ ପକାନ୍ତି ମଧ୍ୟ । ହେଲେ ମନେ ପକାଇବାଭଳି ମନେ ପକାନ୍ତି କେତେ ଜଣ ?

 

ବିଭାବସୁ ହାଲୁକା ସ୍ଵରରେ କହିଲେ, ଏଇତ, ସେହି ବେଦ, ବ୍ରହ୍ମ ଶୁଣୁ ଶୁଣୁ ତମେ କିପରି ଅନ୍ୟ ପ୍ରକାରର ହୋଇଗଲ । ମା’ଙ୍କ ପରି ତମେ ବି ଯେ କେତେ କଥା ଜାଣ, ମୁଁ ବେଳେ ବେଳେ ତାଜୁବ୍ ହୋଇଯାଏ ! ମୋର କିନ୍ତୁ ସେସବୁ କିଛି ମନେ ରହେ ନାହିଁ । କହୁ କହୁ ସେ ହସିଲେ ଓ ଅକାରଣରେ ଝରକା ଉପରୁ ଚା ହୀନ କପ୍‌ଟାକୁ ଉଠାଇ ଆଣି ନଇଁ ପଡ଼ି ଖଟ ତଳେ ରଖି ଦେବାକୁ ଯାଉଥିଲେ; କମଳ ତାଙ୍କ ହାତରୁ ନେଇ ବାରଣ୍ଡାର ଡାଇନିଂ ଟେବୁଲ୍‌ ଉପରେ ଥୋଇ ଦେଇ ଆସିଲା ।

 

—ସତେ କମଳ, ତମ ହାତ ତିଆରି ଚା’ର ଏହି ସ୍ଵାଦକୁ ମୁଁ କେବେ ମଧ୍ୟ ଭୁଲି ପାରିବି ନାହିଁ । ତମେ ଏତେ ଚମତ୍କାର ଚା’ ତିଆରି କର ଯେ ମୁଁ କ’ଣ, ଆଉ କିଏ ହେଲେ ବି ଥରଟିଏ ଖାଇଲା ପରେ, ସେ ଆଉ ଭୁଲି ପାରିବ ନାହିଁ । ଏଠୁ ଗଲାପରେ କ୍ୟାଣ୍ଟିନ୍‌ ଚା’ ମୋଟେ ଭଲ ଲାଗିବ ନାହିଁ ।

 

କମଳର ମନ ଉଦାସ ହୋଇ ପଡ଼ିଲା । ବିଭାବସୁ ସତେ ଚାଲିଯିବେ ।

 

କୋଳ ଉପରେ ତକିଆଟିକୁ ଏପଟ ସେପଟ କରୁ କରୁ ବିଭାବସୁ ହଠାତ୍ କହି ଉଠିଲେ, ଏ ବିଛଣାରେ ତମ ଦେହର ଗନ୍ଧ କି ନିବିଡ଼ ଭାବରେ ଜଡ଼ି ରହିଛି । ପିଲାଳିଆ ହସ ତାଙ୍କ ମୁହଁରେ ଫୁଟି ଉଠିଲା ।

 

–ଗନ୍ଧ ? ଯେମିତି ଚମକି ଉଠିଲା କମଳ ।

 

–ହଁ, ତମ ଦେହର ଗନ୍ଧ: କି ଚମତ୍କାର ଗନ୍ଧ ସତେ ! ତା’ ପରେ ସେ ଅନ୍ୟମନସ୍କ ଭଳି କହିଲେ, ଆଚ୍ଛା କମଳ, ପ୍ରତି ସ୍ତ୍ରୀ ଲୋକଙ୍କ ଦେହରେ କ’ଣ ଗନ୍ଧ ଥାଏ ? କ’ଣ କି–ଢୋକ ଗିଳିଲେ ବିଭାବସୁ । କହିଲେ, ମୋ ବୋଉ ସହିତ ତମର ଯେମିତି ଅନେକ ସାମଞ୍ଜସ୍ୟ ଅଛି । ବୋଉ ମଲାପରେ, ଆଉ କୌଣସି ସ୍ତ୍ରୀ ଲୋକଙ୍କର ନିକଟ ସଂପର୍କରେ ମୁଁ ଆସି ନ ଥିଲି ତମକୁ ଦେଖି, କେଜାଣି କାହିଁକି ବୋଉ କଥା ମନକୁ ଆସୁଛି–କହୁ କହୁ ତାଙ୍କ ମୁହଁ ବିଷଣ୍ଣ ହୋଇ ଉଠିଲା ।

 

କମଳ ତାଙ୍କ ପରିବାର କଥା ଶୁଣିଛି ତ । ସେ ନୀରବ ରହିଲା ।

 

Unknown

ଟିକିଏ ପରେ ବିଭାବସୁ କାନ୍ଧ ଝାଡ଼ି, ସଳଖ ହୋଇ ବସିଲେ ।” କପାଳ ଉପରେ ଝୁଲି ପଡ଼ିଥିବା କେଶକୁ ବାଁ ହାତରେ ସଜାଡ଼ି ଦେଲେ । ମ୍ଳାନ ହସି କହିଲେ, ଯଦିଓ ଏହି ଗନ୍ଧ କଥା ସଠିକ୍ ମୁଁ ଜାଣେ ନାଇଁ, ତେବେ ତମ ଦେହର ଗନ୍ଧ ସହିତ ମୁଁ ଯେମିତି ପରିଚିତ ହୋଇ ଗଲିଣି । ଦେଖୁ ନାହଁ, ଏଇ କେତୋଟି ଦିନ ଭିତରେ ମୋ ନାକ ଠିକ୍ ବାରି ନେଲାଣି ତମ ଦେହର ଗନ୍ଧକୁ…-। ଜାଣିଲ ନା— ? ଶେଷ ଆଡ଼କୁ ତାଙ୍କ ସ୍ଵରରେ ଖୁସି ଖୁସି ଭାବ ଥିଲା ।

 

କମଳର ସର୍ବାଙ୍ଗରେ ଗୋଟାଏ ଶିହରଣ ଖେଳିଗଲା । ତା ମନ କେମିତି ଏକ ଉଷ୍ମତା ଯୋଗୁ ଅସ୍ଵାଭାବିକ ହୋଇ ପଡ଼ିଲା । ତାର ମନେପଡ଼ିଗଲା, ସେହି ସଂଧ୍ୟାର ଘଟଣାଟି । ରିକ୍‌ସାରେ ବିଭାବସୁଙ୍କ ହାତ ମୁଠାରେ ତା’ ହାତ…ସେ ଭିତରେ ଭିତରେ ଥରି ଉଠିଲା । ସେହି ଗନ୍ଧ ପାଇବାକୁ ତାର ବାସନା ଜାଗିଲା । ନିଜର ବାଁ ପାପୁଲିକୁ ସେ ମୁହଁସାରା ବୁଲେଇ ଆଣିଲା ।

 

ବିଭାବସୁଙ୍କ ବିଛଣାକୁ କମଳ ପ୍ରତିଦିନ ସୋଫା–କମ–ବେଡ଼ରୁ ଉଠେଇ ସଜାଡ଼ି ରଖେ-। ବିଛଣା ଚଦର ଭାଙ୍ଗୁ ଭାଙ୍ଗୁ, ତକିଆ ଥୋଉ ଥୋଉ ତା’ ନାକରେ ଯେଉଁ ଗନ୍ଧ ଆସି ବାଜେ ସେହି ଗନ୍ଧକୁ ତା’ ମନ ଆଉ କେଉଁଠି ପାଇଥିଲା ବୋଲି ହେଜି ହୁଏ । କିନ୍ତୁ ଠିକ୍ ମନେ ପଡ଼େ ନାହିଁ-। କିନ୍ତୁ ସେହି ସଂଧ୍ୟାରେ ରିକ୍‌ସାରେ ବସି, ମାର୍କେଟ ଯିବା ଆସିବା ଭିତରେ ସେ ଯେପରି ସେହି ଗନ୍ଧକୁ ବହୁବାର ଉପଭୋଗ କହିଥିଲା । ପରିଶେଷରେ ତାଙ୍କ ହାତ ମୁଠା ଭିତରେ ତା ହାତ ଆଉ ସେହି ଗନ୍ଧ…. ।

 

କେବଳ ଭାଇଙ୍କ ସହିତ ସେ ମିଶିଛି । ଭାଇଙ୍କ ସାର୍ଟ, ପ୍ୟାଣ୍ଟରୁ କେମିତି ଏକ ଗନ୍ଧ ପାଏ-। କିନ୍ତୁ ସେ କିଛି ବୁଝି ନ ଥିଲା । ବିଭାବସୁଙ୍କ ଗଞ୍ଜି, ସାର୍ଟରେ ମଧ୍ୟ କେମିତି ଏକ ପୁରୁଷ ପୁରୁଷ ଗନ୍ଧ ଅଛି । ହଠାତ୍ ତାର ମନେ ହେଲା, ଏକା ଭାଇ ନୁହନ୍ତି, ସବୁ ପୁରୁଷଙ୍କ ଦେହରେ ବୋଧେ ଗୋଟାଏ ଗୋଟାଏ ଗନ୍ଧ ଅଛି । ତା’ ନହେଲେ ବିଭାବସୁଙ୍କ ଲୁଗାପଟା, ବିଛଣା ଏପରିକି ତଉଲିଆ ସୁଦ୍ଧା ଗନ୍ଧାନ୍ତା କେମିତି ?

 

—ଏମିତି ହଠାତ୍‌ ଚୁପ୍‍ ହୋଇ ଗଲ ଯେ ? ବିଭାବସୁ ହସିଲେ । କ’ଣ ଭାବୁଛ ? ସତରେ, ତମ ଦେହର ଗନ୍ଧକୁ ମୁଁ ଠିକ୍ ବାରି ନେଇ ପାରିବି !

 

କମଳ ତାଙ୍କୁ ଚାହିଁଲା । କିନ୍ତୁ କିଛି ଶୁଣି ପାରିଲା ନାହିଁ । ତା’ ଆଖିରେ ରିକ୍‌ସାରେ ଦେହକୁ ଦେହ ଲଗେଇ ବସିଥିବାର ଦୃଶ୍ୟ ବିଭାବସୁଙ୍କର ସିଗାରେଟ ଖାଇବାର ଠାଣି ଭାସି ଉଠୁଥିଲା । ସେ ଯେମିତି ପ୍ରକୃତିସ୍ଥ ନଥିଲା । ତେଣୁ ସେ କିଛି ଶୁଣି ପାରୁ ନଥିଲା । ତା’ର ସମସ୍ତ ଚେତନା ଶକ୍ତି କେଉଁ ଆଶ୍ଚର୍ଯ୍ୟ ଜଗତକୁ ଯେମିତି ଭାସି ଯାଇଥିଲା । ସେଠି କେଉଁ ଅଦ୍ଭୁତ ଶକ୍ତି ଚୁମ୍ବକ ପରି ତାକୁ କ୍ରମାଗତ ଆକର୍ଷଣ କରୁଥିଲା । ଶୋଇ ପଡ଼ିଥିବା ସମୟ ଭଳି, କମଳ ଅନେକ ଗୁଡ଼ିଏ ପ୍ରଖର ଚେତନା ଶକ୍ତି ହଜାଇ ଦେଇ, ଏଇ ସ୍ରୋତରେ ଭାସି ଯାଉଥିଲା । ତାର ତନୁ ରୋମାଞ୍ଚିତ ହୋଇ ଉଠୁଥିଲା ତାର ଭୀରୁ କୋମଳ ଛାତିର କମ୍ପନକୁ ଦୃଢ଼ତର କରି ।

 

ତାର ମନ ଛଟପଟ ହୋଇ ଉଠିଲା କହିବା ପାଇଁ ଯେ, ଆପଣଙ୍କ ଦେହରେ ମଧ୍ୟ ଗନ୍ଧ ଅଛି । ଆଉ ସେ ଗନ୍ଧ ସହିତ ମୁଁ ମଧ୍ୟ ପରିଚିତା । କିନ୍ତୁ କିମିତି ଏକ ଅଜଣା ମୋହରେ ଜଡ଼ି ରହି ସେ କିଛି ବି କହି ପାରିଲା ନାହିଁ ।

 

ବିଭାବସୁ କମଳର ଆଖିକୁ, ମୁହଁକୁ ଚାହୁଁଥିଲେ । ତା’ର ସାରା ମୁହଁଟା କେମିତି ଥମ୍ ଥମ୍ କରି ଉଠୁଛି । ତାର ଆଖିପତା ପ୍ରାୟ ବୁଜି ହୋଇ ରହିଛି । ନାକପୁଡ଼ା ରହି ରହି ଫୁଲି ଉଠୁଛି । ବିଭାବସୁ କୌଣସି ନାରୀର, ଏମିତି ମୁହଁ କେବେବି ଦେଖି ନାହାନ୍ତି, ଆଜି କମଳ ମୁହଁର ଏହି ଅପୂର୍ବ ଭାବକୁ ଦେଖି ସେ ଚମତ୍‌କୃତ ହେଲେ । ତାଙ୍କ ଆଖିରେ କମଳ, ସେଇ ମୁହୂର୍ତ୍ତରେ କେମିତି ଜ୍ଞାନ ଓ ବୋଧଶକ୍ତିର ଅତୀତ ଏବଂ ଅନ୍ୟରକମ, ଅନନ୍ୟା ହୋଇ ଉଠିଲା ।

 

ବିଭାବସୁ କେତୋଟି ମୁହୂର୍ତ୍ତ ସ୍ତବ୍‌ଧ ହୋଇ ବସି ହଠାତ୍ ନିଜ ହାତଟିକୁ ବଢ଼ାଇ କମଳର ହାତକୁ ଟେକି ନେଲେ । ତାଙ୍କର ମନେ ହେଲା, ତା’ ହାତଟି ଥରୁଛି । ଆଉ ମଧ୍ୟ ତାଙ୍କ ହାତ ଖୁବ୍ ଗରମ ହୋଇ ଯାଇଛି । କେବେ ଅନୁଭବ କରି ନଥିବା ଅନୁଭୂତିରେ ତାଙ୍କ ଛାତି ଭିତରଟା କେମିତି କେମିତି ହୋଇଯାଉଥିଲା ।

 

—କମଳ ।

 

କମଳ ଦେହରୁ ଚେତନା ଶକ୍ତି ହଜିଯାଇଥିଲା । ତାର ମନେ ହେଲା, ଜୀବନୀ ଶକ୍ତି ବି ଯେପରି ତାର ହଜିଯାଇଛି ।

 

‘କମଳ’—କ’ଣ କହିବାକୁ ଯାଇ ବିଭାବସୁଙ୍କ ଓଠ ଦୁଇଟି କମ୍ପି ଉଠି ପୁଣି ସ୍ଥିର ହୋଇଗଲା ।

 

କମଳ ଦେଖୁଥୁଲା, ତା’ ସାମ୍ନାରେ ମଧୁର–ସୁଖର ସାଗର । ସେହି ସାଗରର ଢେଉରେ ସେ ଖଣ୍ଡେ ଆହୁଲାହୀନ ତରଣୀ ପରି ଭାସୁଛି । ଆସୁଛନ୍ତି ବିଭାବସୁ....ଅନେକ ଦୂରରୁ ସେ ଆସୁଛନ୍ତି । ଖଣ୍ଡେ ଛୋଟ ନଉକା ଉପରେ ବସି ଆହୁଲା ପକେଇ ପକେଇ, ତାଆରି ଆଡ଼କୁ ସେ ଆସୁଛନ୍ତି ।

 

କ’ଣ ଯେମିତି କହିବାକୁ ଯାଇ, କମଳ ବି କିଛି କହି ପାରିଲା ନାହିଁ ।

 

ବିଛଣାରେ ପଡ଼ି ଛଟପଟ ହେଉଥିଲେ ବିଭାବସୁ । ନିଜ କଥା ନିଜକୁ ଆଶ୍ଚର୍ଯ୍ୟ ଲାଗୁଥିଲା । ବିଛଣା ଧରୁ ଧରୁ ଯାହାକୁ ନିଦ ଘୋଟି ଆସେ, ଆଜିକାଲି ନିଦ ତା ଆଖିରୁ ଯାଉଛି କୁଆଡ଼େ ? ସବୁ ସମୟରେ ସେ ସେମିତି କମଳ’ର ଭାବନାରେ ଆଚ୍ଛନ୍ନ ରହୁଛନ୍ତି । ଏପରି ହେଲା କେମିତି ? କାହିଁକି ? ପ୍ରତିଟି ମୁହୂର୍ତ୍ତରେ କମଳକୁ ସେ ଭାବୁଛନ୍ତି ଇଚ୍ଛା କରି । ପୁଣି ବେଳେ ବେଳେ ଅଜାଣତରେ କମଳର ଭାବନା ଆସିଯାଏ । ସେ’ ତ କେବେ ବି କାହାର କଥା ଭାବନ୍ତି ନାହିଁ । ଭାବିବା ବିଷୟରେ ତାଙ୍କର ଧାରଣା ହିଁ ନଥିଲା । କିନ୍ତୁ ତାଙ୍କର ଏ’ କଣ ହେଲା ? ସେ’ତ ଏମିତି ନଥିଲେ ।

 

ଅନେକ ଦିନ ପରେ, ଅନେକ ଅନେକ ବର୍ଷ ପରେ, ହୁଏତ ଜୀବନରେ ପ୍ରଥମ କରି, ଘର କଥା ମନେ କଲେ ବିଭାବସୁ । ଯେଉଁ ଘରେ ରହି ମଧ୍ୟ, ‘ଘର’ ପରି ମନେ ହୋଇନି, ଭାବିବା ଭଳି କିଛି ନାହିଁ । ଆପଣାର ଲୋକ ନିଜର ମନେ ହୋଇ ନାହାନ୍ତି । ସବୁ କେମିତ ବନ୍ଧନ ହୀନ । ପ୍ରଖର ନଦୀ ସ୍ରୋତରେ ସବୁ ଯେମିତି ଆପଣା ଛାଏଁ’ ଭାସି ଭାସି ଯାଇଛି । ଦେଖୁଥିଲେ ବି ଯେମିତି ଦୃଷ୍ଟି ପଡ଼ିନାହିଁ ।

 

ସେମାନେ ଚାରି ଭାଇ । ବଡ଼ ଭାଇ ସୂର୍ଯ୍ୟ କୁମାର ସ୍ଥାନୀୟ କଲେଜରେ ଦର୍ଶନ ଅଧ୍ୟାପକ । ତାଙ୍କ ତଳ ଭାଇ ଆଦିତ୍ୟ କୁମାର ରୋମାନିଆରେ ଡାକ୍ତର ଅଛନ୍ତି । ସେଇଆଡ଼େ ବାହା ହୋଇ, ସେଇଠି ଘର କଲେଣି । ତାଙ୍କ ତଳ ଭାଇ ତପନ କୁମାର ଗୋଟିଏ ବିଦେଶୀ ଫାର୍ମରେ ଉଚ୍ଚ ପଦସ୍ଥ ଅଫିସର ଅଛନ୍ତି । ବର୍ଷେ ହେବ କମ୍ପାନୀ ତାଙ୍କୁ ଗାଡ଼ି ଯୋଗାଇଛି । ଆଉ ସବା ସାନ ହେଉଛନ୍ତି ନିଜେ ବିଭାବସୁ । ବଡ଼ ଭାଇ ତାଙ୍କଠାରୁ କୋଡ଼ିଏ ବର୍ଷ ବଡ଼ ହେବେ ।

 

ଚାରି ଭାଇଙ୍କର ନାଆଁର ସେହି ଗୋଟିଏ ଅର୍ଥ ପ୍ରକାଶ ପାଉଛି । ଉପର ତିନି ଭାଇଙ୍କର ନାମକରଣ କରିଥିଲେ ବାପା । କିନ୍ତୁ ତାଙ୍କର ଜନ୍ମ ପରେ ମା’ କହିଲେ, ତିନି କୁମାରଙ୍କର ଗୁଣାବଳୀରୁ ଜଣା ପଡ଼ୁଛି ସେମାନେ ରାବଣ ପରି ବୀର ହେବେ । ଏଇଟିକୁ ଝିଅ ହେବ ବୋଲି ଆଶା କରିଥିଲି । କିନ୍ତୁ ତା’ ହେଲା ନାହିଁ । ଏହାକୁ ଆଉ କୁମାରରେ ଭୂଷଣ ନକରି, ବିଭାବସୁ ନାଆଁ ଦିଅ ।

 

ମା’ଙ୍କ କଥା ବିଭାବସୁଙ୍କର ସ୍ପଷ୍ଟ ମନେ ନାହଁ । ଝାପ୍‌ସା ଝାପ୍‌ସା ମନେ ପଡ଼େ । ତାଙ୍କୁ ଯେତେବେଳେ ସାତ ବର୍ଷ ହୋଇଥିଲା, ସେତିକିବେଳେ ମା’ ସବୁଦିନ ପାଇଁ ଚାଲିଗଲେ । ମା’ ଯେତିକିଟା ମନେ ଅଛନ୍ତି, ବିଭାବସୁଙ୍କର ମନେ ହୁଏ, ସେ ଖୁବ୍ ଶାନ୍ତ, ସ୍ନିଗ୍‌ଧ, ସ୍ନେହମୟୀ ଥିଲେ । ମା’ଙ୍କ ଗଢ଼ଣ ସେ ଆଣିଛନ୍ତି ବୋଲି ଭୂଷଣ ମଉସା କହନ୍ତି । ତାଙ୍କର ଟିକେ ଟିକେ ମନେ ପଡ଼େ, ରୋଷେଇ କରିବା ପାଇଁ ଘରେ ପୂଝାରୀ ବ୍ରାହ୍ମଣ ଥାଏ । କିନ୍ତୁ ମା’ ଅନେକ ସମୟରେ ଜଳଖିଆ, ପିଠା ପଣା କରିବାକୁ ରେଷେଇ ଘରକୁ ଯାଆନ୍ତି । ସେତିକିବେଳେ ବିଭାବସୁଙ୍କୁ ମା’ ଖୁବ୍ ଭଲ ଦିଶନ୍ତି । ନିଆଁ ଧାସରେ ମା’ଙ୍କର ବନହଳଦୀ ରଙ୍ଗର ସୁନ୍ଦର ମୁହଁଟି ଲାଲ ହୋଇ ଯାଇଥାଏ । ବାଁ ନାକରେ ନାଲି ପଥର ବସା ଛୋଟ ନାକ ଫୁଲଟିରୁ ରଙ୍ଗ ଛିଟିକି ଆସି, ମା’ଙ୍କ ଗାଲ ଦି’ଟାକୁ ଯେମିତି ବେଶୀ ଲାଲିଆ କରିଦିଏ । କପାଳରେ ବିନ୍ଦୁ, ବିନ୍ଦୁ ଝାଳ । ପିଠି ସାରା ଝାଳରେ ବ୍ଳାଉଜ ଓଦା ହୋଇ ଶାଢ଼ି ଓଦା ହୋଇ ଯାଇଥାଏ । ମା’ଙ୍କ ମୁଣ୍ଡରୁ ସେହି ସମୟରେ ଓଢ଼ଣା ଖସି ଗଲେ, ସେ ବିଭାବସୁଙ୍କୁ ଡାକି କହନ୍ତି, ଓଢ଼ଣାଟା ମୁଣ୍ଡରେ ଦେଇଦେବା ପାଇଁ । ସେ କିନ୍ତୁ ଓଢ଼ଣା ନ ଦେଇ ମା’ଙ୍କ ବେକରେ ହାତ ଗୁଡ଼େଇ ପିଠିରେ ଓହଳି ପଡ଼ନ୍ତି । ମା’ଙ୍କ ବେକମୂଳ, ମୁହଁର ଝାଳ ସବୁ ତାଙ୍କ ମୁହଁରେ, ପାଟିରେ ଲାଗିଯାଏ । ସେ ମା’ଙ୍କ ଦେହକୁ ଶୁଙ୍ଘି ପକାନ୍ତି । ଓଠରେ ଜିଭ ବୁଲେଇ କହନ୍ତି । ତମ ଝାଳ କ’ଣ ଲୁଣିଆ ଲାଗୁଛି ମା– । ମା’ ପାଟି କରି ଉଠନ୍ତି, ଛାଡ଼ ଛାଡ଼– । ଅସନାଟା, ହଇରେ ତୁ’ ଝାଳ ଚାଖୁଛୁ ?

 

ମା’ଙ୍କ କଥାରେ ସେ ହସନ୍ତି ଏବଂ ଆହୁରି ଜୋର୍‌ରେ ଭିଡ଼ି ଧରନ୍ତି । ମା’ ମଧ୍ୟ ହସନ୍ତି । କହନ୍ତି, ପୁର ଖାଇବା ପାଇଁ ଇଚ୍ଛା ହେଲାଣି ପରା ? ହଉ, ପ୍ଳେଟ୍ ଆଣ—। ସେ ଦୌଡ଼ି ଯାଇ ପ୍ଳେଟ୍ ଆଣନ୍ତି । ଛେନା ନଡ଼ିଆର ମସଲା ପକା ପୁରରୁ କିଛି ମା ପ୍ଳେଟ୍‌ରେ ଦିଅନ୍ତି । ସେ ତାଙ୍କରି ପାଖରେ ବସି ଖାଆନ୍ତି । ଦେଖନ୍ତି, ଜନ୍ତନି ବିଣ୍ଡାଏ ହାତରେ ଧରି ଘୂରେଇ ଘୂରେଇ ମା’ କେମିତି ଖୋଳଟିଏ କରୁଛନ୍ତି । ସେଥିରେ ପୁର ଭରୁଛନ୍ତି । ତାକୁ ପୁଣି ବୁଲେଇ ବୁଲେଇ ଗୋଲ ପିଠାଟିଏ କରି ଥୋଉଛନ୍ତି । ଚୁଲିରେ ଘିଅ କଡ଼େଇ ବସିଛି । ତିଆରି କରିଥିବା ପିଠାକୁ କଡ଼େଇରେ ପକେଇ ଭାଜୁଛନ୍ତି । ଏହି ପିଠାକୁ ବାପା ଭଲ ପାଆନ୍ତି । ତାଙ୍କୁ ମଧ୍ୟ ଭଲ ଲାଗେ । ମା’ ତେଣୁ ଏହି ପିଠା ବେଶୀ କରନ୍ତି । ମା’ଙ୍କ ପରେ ଘରେ ଆଉ ପିଠା ହେଲା ନାହିଁ । ଭାଉଜ ଦୁହେଁ ପିଠା ପଣା ପାଖ ମାଡ଼ନ୍ତି ନାହିଁ ।

 

ମା’ଙ୍କ ମୃତ୍ୟୁ ପୂର୍ବରୁ ହିଁ ଦୁଇ ଭାଇଙ୍କର ବିବାହ ହୋଇ ଯାଇଥିଲା । ବିଭାବସୁ ବାପା ମା’ଙ୍କର ଶେଷ–ବୟସର ସନ୍ତାନ । ଥରେ ବାପା ପଚାରିଥିଲେ । ତତେ ଭାଇମାନେ ବେଶୀ ଭଲ ପାଆନ୍ତି ନାଁ ଭାଉଜ ମାନେ ?

 

ସେଇ ଛୋଟ ବୟସରେ, ଏଇ ପ୍ରଶ୍ନ ଶୁଣି ବିଭାବସୁଙ୍କୁ ଅଡ଼ୁଆ ଲାଗିଥିଲା । ମା’ ମରିଯିବା ପରେ ବଡ଼ ଭାଇ ଓ ସାନ ଭାଇ ତାଙ୍କୁ ଡାକୁ ଥିଲେ ତାଙ୍କ ଘରେ ଶୋଇବା ପାଇଁ । ବାପା ସମସ୍ତଙ୍କ ପାଇଁ ଅଲଗା ଅଲଗା କୋଠରୀଟିଏ ମାନ କରି ଦେଇଥିଲେ । ଭାଇମାନଙ୍କ କଥା ଶୁଣି ବାପା କିନ୍ତୁ କହିଥିଲେ, ତା’ ମା’ ବିଛଣାରେ ସେ ଶୋଉ— । ବିଭାବସୁ ଦେଖିଛନ୍ତି, ଭାଉଜ ଦୁହେଁ ବାପା’ଙ୍କ କଥା ଶୁଣି ମୁହଁ ବୁଲେଇ କେମିତିକା ହସ ହସିଥିଲେ । ହେଲେ ବାପା ଆଉ କିଛି ନ ପଚାରି, ଏମିତି କଥା କ’ଣ ପଚାରୁଛନ୍ତି ? ଭଲ ପାଇବାରେ କ’ଣ କମ ବେଶୀ ଅଛି ? ସେ ଠିକ୍ ବୁଝି ପାରିଲେ ନାହିଁ । ଅବାକ୍ ହୋଇ ବାପାଙ୍କୁ ଚାହିଁ ରହିଲେ । ହଠାତ୍ ତାଙ୍କ ମୁଣ୍ଡକୁ ଭୂଷଣ ମଉଷାଙ୍କ ନାଆଁ ଆସିଗଲା ଓ ସେ ସଙ୍ଗେ ସଙ୍ଗେ କହି ପକେଇଲେ, ମତେ ଭୂଷଣ ମଉସା ସବୁଠାରୁ ବେଶୀ ଭଲ ପାଆନ୍ତି । ମନେ ଅଛି, ତାଙ୍କର ଏ କଥାରେ ବାପା ଦୀର୍ଘଶ୍ଵାସ ଛାଡ଼ିଥିଲେ ।

 

ଭୂଷଣ ମଉସା ବିଭାବସୁଙ୍କର କୌଣସି ଆତ୍ମୀୟ ନୁହନ୍ତି । ବାପା ଓକିଲ ଥିଲେ । ମକଦ୍ଦମା ସଂକ୍ରାନ୍ତିୟ କାମରେ ଥରେ ସେ ମଫସଲକୁ ଯାଇଥିଲେ । ସେଇଠାରୁ ଭୂଷଣ ମଉସାଙ୍କୁ ସଙ୍ଗରେ ଆଣି ଆସିଥିଲେ । ଭୂଷଣ ମଉସା ଭଲ ଲୋକ । ମା’ଙ୍କୁ ସେ ଖୁବ୍ ଭକ୍ତି କରନ୍ତି । ମାନନ୍ତି-। ମା’ ମଲା ପରେ ବିଭାବସୁଙ୍କର ସମସ୍ତ ଦାୟିତ୍ଵ ଭୂଷଣ ମଉସାଙ୍କ ଉପରେ ପଡ଼ିଲା । ଆଉ ଭୂଷଣ ମଉସା କାନ୍ଧ ଗାମୁଛାରେ ଆଖି ଲୁହକୁ ପୋଛି ପୋଛି, ତାଙ୍କର ସମସ୍ତ କାମ ନିଜ ହାତରେ କରି ଯାଆନ୍ତି ।

 

ଦିନେ ତାଙ୍କୁ ଡାକି ବାପା କହିଲେ, ‘‘ବିଭୁ, ଏଠି ରହିଲେ ତୁ ପାଠ ପଢ଼ି ପାରିବୁ ନାହିଁ । ହଷ୍ଟେଲରେ ରହ । ପ୍ରତି ସପ୍ତାହରେ ମୁଁ ଓ ତୋ ଭୂଷଣ ମଉସା ତତେ ଦେଖିବାକୁ ଯିବୁ । ଛୁଟି ହେଲା ମାତ୍ରେ ମୁଁ ଯାଇ ତତେ ନେଇ ଆସିବି ।” ତା’ ପରେ ବାପା ଟିକିଏ ରହିଗଲେ । ତାଙ୍କୁ ଚାହିଁଲେ । ତାଙ୍କ ହାତ ଧରି, ପାଖକୁ ଟାଣି ନେଲେ । ମୁଣ୍ଡକୁ ଆଉଁସି ଦେଇ କହିଲେ, ତୋ’ ମା’ ତତେ ସବୁଠାରୁ ବେଶୀ ସ୍ନେହ କରୁଥିଲା । ତୁ ମଣିଷ ପରି ମଣିଷଟିଏ ହେବୁ, ଭାଇମାନଙ୍କ ପରି ହେବୁ ନାହିଁ, ଏମିତି କେତେ କଥା ସେ ଭାବୁଥିଲା, କଳ୍ପନା କରୁଥିଲା । ତୁ’ ତା’ ଆଶାକୁ ପୂର୍ଣ୍ଣ କରିବୁ-। ଭଲ ପାଠ ପଢ଼ି, ଭଲ ମଣିଷଟିଏ ହେବୁ, ଠିକ୍ ତୋ’ ମା’ ପରି । ବୁଝିଲୁ ?

 

ସେଦିନ ବିଭାବସୁ କିଛି ବୁଝି ନଥିଲେ ମଧ୍ୟ ଏତିକି ବୁଝିଲେ, ବାପା ମା’ଙ୍କ କଥା କହୁଛନ୍ତି । ଆଉ ମା’ଙ୍କ କଥା ମନେ ପଡ଼ିବା କ୍ଷଣି ତାଙ୍କ ଆଖିରୁ ଲୁହ ଝରିଥିଲା ।

 

କିଛି ଦିନ ପରେ ବିଭାବସୁଙ୍କୁ ହଷ୍ଟେଲରେ ରହିବାକୁ ପଡ଼ିଥିଲା । କାର୍‌ରେ ନେଇ ଯାଉ ଯାଉ ବାପା ବୁଝେଇଲା ପରି କହିଥିଲେ, ‘‘ହଷ୍ଟେଲ ଟା ଘର ନୁହେଁ । ସେଠି ତୋ’ରି ପରି ଆହୁରି କେତେ ପିଲା ଅଛନ୍ତି । ସେମାନଙ୍କ ସହିତ ମିଳିମିଶି ଚଳିବୁ । ସମସ୍ତଙ୍କୁ ଭଲ ପାଇବୁ । ସେଠି ନିଜ କାମ ନିଜେ କରିବାକୁ ହେବ । ବଡ଼ ମଣିଷ ଭଲ ମଣିଷ ହେବାକୁ ହେଲେ କଷ୍ଟ ସହିବାକୁ ହୁଏ ।’’ ବାପା ତାଙ୍କୁ ଛାଡ଼ି ଦେଇ ଆସିଲା ବେଳେ, ଆଖିରୁ ଦୁଇ ଧାର ଲୁହ ଗଡ଼ି ପଡ଼ିଲା । ବାପାଙ୍କ ମୁହଁ ଥମ୍ ଥମ୍ ହୋଇ ଉଠିଲା । ଭୂଷଣ ମଉସା ଆଖି ପୋଛି ପୋଛି ସେଠୁ ଚାଲିଗଲେ । ମୁହୂର୍ତ୍ତକ ପରେ ବାପା ତାଙ୍କ ପାଖକୁ ଆସି କହିଲେ, ‘ବିଭୁ, ପୁରୁଷ ପୁଅ କାନ୍ଦନ୍ତି ନାହିଁ । ଲୁହଟା ପୁରୁଷ ପାଇଁ ନୁହେଁ । ସ୍ତ୍ରୀ ଲୋକ ମାନେ ସିନା କାନ୍ଦନ୍ତି । କିନ୍ତୁ ତୁ କାହିଁକି କାନ୍ଦୁଛୁ’ କହୁ କହୁ ପକେଟରୁ ରୁମାଲ କାଢ଼ି ତାଙ୍କ ଆଖି ପୋଛି ଦେଇଥିଲେ । ‘ତୁ ବଡ଼ ହେବୁ । ତୁ ମଣିଷ ହେବୁ ।’ ସେହିଦିନଠାରୁ ବିଭାବସୁ ଆଉ କେବେ ବି କାନ୍ଦି ନାହାନ୍ତି । ଏପରିକି ବାପାଙ୍କ ମୃତ୍ୟୁରେ ବି ନୁହେଁ ।

 

ବାପା ଗମ୍ଭୀର ପ୍ରକୃତିର ଥିଲେ । ମା’ଙ୍କ ମୃତ୍ୟୁ ପରେ ସେ ଆହୁରି ଗମ୍ଭୀର ହୋଇଗଲେ-। ଘରେ ପ୍ରାୟ କାହାରି ସହିତ କଥା କହନ୍ତି ନାହିଁ । ଭୂଷଣ ମଉସା ତାଙ୍କ ଖବର ବୁଝନ୍ତି । ଭାଇ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ । ବଡ଼ ଭାଉଜ ନିଜ ଘରଟି ଭିତରେ ଶୋଇଥାନ୍ତି । କେବେ କେମିତି ବାପଘର ଯାଆନ୍ତି । ସବୁବେଳେ ଟିପ୍ ଟପ୍ ଉପରେ ଥାଆନ୍ତି । ପ୍ରାୟ ସବୁ ଦିନେ ବାହାରକୁ ବୁଲି ଯାଆନ୍ତି । ପ୍ରତି ସଂଧ୍ୟାରେ ସାନ ଭାଇଙ୍କ ସହିତ କ୍ଳବ୍ ଯାଆନ୍ତି । ସେଠାରୁ ଟଳି ଟଳି ଫେରନ୍ତି । ଘରେ ବାନ୍ତି ଉଚ୍ଛାଳ କରି, ଗ୍ଳାସ୍ ବୋତଲ ଭାଙ୍ଗି, ଦୁହେଁ ସେହି ପୋଷାକରେ, ସେଇଭଳି ଶୋଇ ପଡ଼ନ୍ତି ।

 

ବାପା କିଛି କହନ୍ତି ନାହିଁ । ନିଜ ଘରୁ ବାହାରନ୍ତି ନାହିଁ । କେମ୍ବ୍ରିଜ୍‌ରୁ ବାହାରି ଆସିବା ସଙ୍ଗେ ସଙ୍ଗେ, ରାତାରାତି ବିଭାବସୁ କେମିତି ଯେମିତି ପ୍ରାପ୍ତ ବୟସ୍କ ହୋଇଗଲେ । ଦୁଇବର୍ଷ ହେଲା ଘରକୁ‌ ଆସି ନ ଥିଲେ । ସେଥର ଘରକୁ ଆସି, ହଠାତ୍ ଯେମିତି ସବୁ ବୁଝିଗଲେ । ଦିନେ ତାଙ୍କୁ ଭୂଷଣ ମଉସା କହିଲେ, ‘‘ବିଭୂ, ତୁ କିନ୍ତୁ ତୋ ସ୍ତ୍ରୀକୁ ଏମିତି ହେବାକୁ ଦେବୁ ନାହିଁ ।’’

 

କିଛି ବୁଝି ନ ପାରିବା ଦୃଷ୍ଟିରେ ବୀଭାବସୁ ଚାହିଁଲେ । ଭୂଷଣ ମଉସା କହିଲେ, ‘‘ଏସବୁ ଦୁଃଖ ମା’ ମୋରି ଆଗରେ କହୁଥିଲେ । ଘରେ ବାପା ମା’ ଅଛନ୍ତି । ଅଥଚ ପୁଅ ବୋହୂ ତାଙ୍କୁ କିଛି ନକହି, ନ ପଚାରି ମନ ଇଚ୍ଛା କାମ କରିଯିବେ ? ତମ ବଂଶର ବୋହୂ ପୁଣି କ୍ଳବ ଯିବ । ନଛୁଇଁବା ଜିନିଷ ଖାଇବ, ପିଇବ…”ଭୂଷଣ ମଉସାଙ୍କ ମୁହଁ ଦୁଃଖରେ କଠିନ ହୋଇ ଉଠିଲା ।

 

ସ୍ପଷ୍ଟ ମନେ ଅଛି, ମେଡ଼ିକାଲ କଲେଜର ସେଇଟା ପ୍ରଥମ ବର୍ଷ ଥିଲା । ବାପା ଅସୁସ୍ଥ ଶୁଣି, ସେ ଘରକୁ ଆସିଥିଲେ । ବାପା ତାଙ୍କୁ ପାଖକୁ ଡାକିଲେ । ବସିବାକୁ କହିଲେ । ତକିଆ ତଳୁ ସିଲ୍ କରା ଲଫାପାଟାଏ କାଢ଼ି, ତାଙ୍କ ହାତକୁ ଦେଇ କହିଲେ, “ଏଇଟାକୁ ରଖି ଥା— । ଆଜିଠାରୁ ମୋର ଯେତେ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ୍ ତୁ । କେବଳ ଗୋଟିଏ ସର୍ତ୍ତ ମୁଁ ରଖିଛି । ଭୂଷଣ ଯେତେଦିନ ବଂଚିଥିବ ତାକୁ ତୁ ଭଲ ଭାବରେ ରଖିବୁ । ବିଭୁ, ମନେ ରଖିବୁ, ସେ ଲୋକଟି ବଡ଼ ଦୁଃଖୀ । ତାର କେହି ନାହିଁ । ତାକୁ ଯେମିତି ତୁ ହଇରାଣ କରିବୁ ନାହିଁ । ଦୁଃଖ ଦେବୁ ନାହିଁ । ଆଉ ଗୋଟାଏ କଥା— । ମୋର ମୃତ୍ୟୁ ପରେ ତୁ ମୋର ଓ ତୋ’ ମା’ର ଶ୍ରାଦ୍ଧ ପ୍ରତି ବର୍ଷ ଦେବୁ । ତା’ମାନେ ଆମର ମୃତ୍ୟୁ ଦିନଟିକୁ ତୁ କେବଳ ମନେ କରିବୁ ଦିନଟିଏ ଆଉ କିଛି ନୁହେଁ । ଏକଥା କେବେ ବି ଭୁଲି ଯିବୁ ନାହିଁ । ଆମ ଧର୍ମରେ ଏଇଟାହିଁ ପୁତ୍ରର ବଡ଼ କର୍ତ୍ତବ୍ୟ । ”

 

ବାପା କ’ଣ ସବୁ କଥା ଜାଣି ପାରିଥିଲେ ? ବଡ଼ଭାଇ ଥାଉ ଥାଉ ବିଭାବସୁଙ୍କ ଉପରେ କାହିଁକ ଏ ଦାୟିତ୍ଵ ଦେଇଗଲେ ? କଥାଟା ତାଙ୍କୁ କେମିତି କେମିତି ଲାଗିଲା । କିନ୍ତୁ ଦେଖାଗଲା, ବାପା ମା’ଙ୍କ ଶ୍ରାଦ୍ଧ ଦୁଇ ଭାଇ ପାଳନ କଲେ ନାହିଁ କି ବିଭାବସୁଙ୍କୁ ବାପା ଯେ ସମସ୍ତ ସମ୍ପତ୍ତି ଦେଇଗଲେ, ସେଥିପାଇଁ ତାଙ୍କୁ କିଛି କହିଲେ ନାହିଁ । ଗୋଟିଏ ଭାଇ ଓ ତାଙ୍କ ସ୍ତ୍ରୀ ବିଦେଶରେ ରହିଲେ । ଘରେ ଯେଉଁ ଦୁଇ ଭାଉଜ, ସେମାନେ ଦୁଇ ବିପରୀତ ମେରୁର ଅଧିବାସୀ, ଭାଇ ଦୁହେଁ ମଧ୍ୟ ସେମିତି । ଦୁହିଁଙ୍କର ପିଲା ପିଲି କିଛି ନାହିଁ । ବଡ଼ଭାଇ ତାଙ୍କ କଲେଜ, ତାଙ୍କ ପାଠ ତାଙ୍କ ଛାତ୍ରଙ୍କୁ ନେଇ ବ୍ୟସ୍ତ ଥାନ୍ତି । ବଡ଼ଭାଉଜ ପୂଜାଉଜା କରନ୍ତି, ତାନ୍ତ୍ରିକମାନଙ୍କ ସହିତ କ’ଣ ପରାମର୍ଶ କରନ୍ତି । ଅନେକ ସମୟରେ କନ୍ଦା କଟା କରନ୍ତି । ତାଙ୍କୁ ବଡ଼ ଦୁଃଖୀ ଓ ଅସହାୟ ମନେ ହୁଏ । ହାତରେ ବେକରେ ଡଉଁରିଆ ମାଳ ମାଳ । ଆଉ ଏହାର ଠିକ ଓଲଟା ସାନ ଭାଉଜ । ତାଙ୍କ ଘର ଦ୍ଵାର ଚକ୍ ଚକ୍ । ଚଟାଣରେ ଦାମୀ ଗାଲିଚା । ଷ୍ଟିଲ୍‌ ଆଲମାରୀ, ଫ୍ରିଜ୍ ଅଛି । ଫ୍ରିଜ୍ ଭିତରେ ଦାମୀ ଦାମୀ ବିଦେଶୀ ବୋତଲ ସବୁ ଥାକ ଥାକ ସଜା ହୋଇ ରହିଛି । ଥରେ ସାନ ଭାଉଜ ବିଭାବସୁଙ୍କୁ ଜିଜ୍ଞାସା କରିଥିଲେ ଏ ସବୁ ଜିନିଷ ଚାଖିଛ ? ବିଭାବସୁ ନୀରବ ରହିଲେ । ସାନ ଭାଉଜ ସାନ ଝିଅଟିଏ ପରି ହସି ହସି ଲୋଟିଗଲେ । ପରେ କହିଲେ, ଦେଖ ନା ଟିକେ ଟେଷ୍ଟ କରି । କେତେ ଦିନ ଆଉ ‘ମଫ’ ହୋଇ ରହିଥିବ ।

 

ଭୂଷଣ ମଉସା ଥରେ ବିଭାବସୁଙ୍କୁ କହିଲେ, ମୁଁ ତ ବୁଢ଼ା ହେଲି ଆଉ ବା କେତେଦିନ ? ତୁ’ ଏଥର ବାହା ହ । ବାହା ନ ହେବା ଯାଏ ତ ଶ୍ରାଦ୍ଧ ଦେଇ ପାରିବୁ ନାହିଁ ବିଭାବସୁ ଚୁପ୍‍ ରହିବା ଦେଖି ସେ ପୁଣି କହିଲେ, ଯେଉଁ ଝିଅଟି ସାନ ମା’ଙ୍କ ପାଖକୁ ଆସୁଛନ୍ତି, ସେ ଭାରି ଭଲ ଝିଅଟିଏ ରେ ! ତୁ ତାଙ୍କୁ ହିଁ ବାହା ହ ।

 

ବିଭାବସୁ ହସିଲେ । କହିଲେ, ଏକଦମ୍ ପାତ୍ରୀ ଠିକ୍ କରି ଦେଲଣି । କ’ଣ ସାନ ଭାଉଜ କିଛି ଶିଖେଇଛନ୍ତି କି ? କଠୋର ଗମ୍ଭୀର କଣ୍ଠରେ ଭୂଷଣ ମଉସା କହିଲେ, ନାଃ ! ତୋ’ ସାନ ଭାଉଜ ମୋ ସହିତ କଥା ହୁଅନ୍ତୁ ନାହିଁ । ତାଙ୍କର ଚାକରମାନଙ୍କ ସହିତ ସମ୍ବନ୍ଧ ନାହିଁ । ତେବେ ସେଇ ଝିଅଟି ଖୁବ୍ ଶାନ୍ତ ଶାନ୍ତ ଦିଶନ୍ତି । ଭାରି ଭଲ ବୋଲି ଜଣା ପଡ଼ନ୍ତି ।

 

ବିଭାବସୁ ମଧ୍ୟ ସେହି ଝିଅଟିକୁ ଦେଖିଛନ୍ତି । ଝିଅଟି ନାଆଁ ତଟିନୀ । ସାନ ଭାଉଜଙ୍କର ଭଉଣୀ ସମ୍ପର୍କୀୟ ହେବ । ବି.ଏ. ପଢ଼ୁଛି । ମଝିରେ ମଝିରେ ଆସି, ଟଙ୍କା ନେଇଯାଏ । ଘଣ୍ଟାଏ ଅଧ ଘଣ୍ଟାଏ ବସେ । ତା’ପରେ ଯେମିତି ଆସିଥାଏ, ସେମିତି ନିଃଶବ୍ଦରେ ଚାଲିଯାଏ । ଝିଅଟିର ବୁଦ୍ଧି ଅଛି କିନ୍ତୁ ସାମର୍ଥ୍ୟ ନାହିଁ । ଲାବଣ୍ୟ ଅଛି କିନ୍ତୁ ତାହା ଦାରିଦ୍ର୍ୟର କଷାଘାତରେ ମ୍ଳାନ, ବିଷଣ୍ଣତାର ପ୍ରତିମୂର୍ତ୍ତିଟିଏ ଯେମିତି ! ଥରେ ଅଧେ ବିଭାବସୁଙ୍କ ସହିତ କଥା ମଧ୍ୟ ହୋଇଛି । ତାଙ୍କ ମୁଣ୍ଡରେ କ’ଣ ପଶିଲା କେଜାଣି । ହଷ୍ଟେଲକୁ ଫେରିଯିବା ପୂର୍ବରୁ ସାନ ଭାଉଜଙ୍କୁ କହିଦେଇ ଗଲେ, ତମର ସେହି ଭଉଣୀ, ତଟିନୀକୁ ମୁଁ ବିବାହ କରିବାକୁ ଇଚ୍ଛା କରୁଛି । ପ୍ରସ୍ତାବ ପକେଇବ ତ-!

 

ଏହା ଯେମିତି ଗୋଟାଏ ହସ କଥା– ! ସାନ ଭାଉଜ ଖିଲି ଖିଲି ହୋଇ ହସି, ଲୋଟିଗଲେ । କିନ୍ତୁ କୌଣସି ଉତ୍ତର ଦେଲେ ନାହିଁ । ବିଭାବସୁ ମଧ୍ୟ ହଷ୍ଟେଲକୁ ଚାଲିଗଲେ । ପଢ଼ା ପଢ଼ିରେ ମନଦେଲେ । ଆଗରେ ପରୀକ୍ଷା ।

 

ପରୀକ୍ଷା ପରେ ଘରକୁ ଆସି ଖିଆଲ ହେଲା, ଅନେକ ଦିନ ହେଲା ତଟିନୀକୁ ସେ ଦେଖି ନାହାନ୍ତି । ଭୂଷଣ ମଉସାଙ୍କୁ ଜିଜ୍ଞାସା କଲେ, ତଟିନୀ ଆସୁଛି ତ ?

 

—ସେ ଆଉ ଆସିବେ ନାହିଁ । ତୋ’ ସାନ ଭାଉଜ ତାଙ୍କୁ ବାରଣ କରି ଦେଇଛନ୍ତି ।

 

—ତେବେ ସେ ଚଳୁଛି କେମିତି ? ବିସ୍ମୟରେ ପଚାରିଲେ ସେ ।

 

—ତମ ଭାଉଜ ତାଙ୍କ ଘରକୁ ଯାଇ ଯାହା ଦେବାର ଦେଇ ଆସନ୍ତି । ତା’ପରେ ଟିକିଏ ଅଟକି ରହି ଭୂଷଣ ମଉସା କହିଲେ, ‘‘ତୁ’ ଏଡ଼େ ବୋକା ବୋଲି ମୁଁ କ’ଣ ଜାଣିଥିଲି । ତଟିନୀକୁ ବୋହୂ କରି ଆଣି, ନିଜ ଆସନରୁ ଉଚ୍ଚରେ ବସିବାକୁ ତୋ’ ସାନ ଭାଉଜ ଦେବେ କାହିଁକି ?”

 

ଜୀବନରେ ପ୍ରଥମ କରି ଯେମିତି ତାଙ୍କ ଭିତରେ କିଛି ଗୋଟାଏ ପ୍ରତିକ୍ରିୟା ସୃଷ୍ଟି ହେଲା-। ଘୃଣାରେ ତାଙ୍କର ସମସ୍ତ ଶରୀର ଝିମି ଝିମି ହୋଇଗଲା । କିନ୍ତୁ ଭୂଷଣ ମଉସା ବାରଣ କଲେ, ଏକଥାକୁ ଘଣ୍ଟାଚକଟା କରିବା ପାଇଁ । ଝିଅଟିର କ୍ଷତି ହୋଇପାରେ ।

 

ଚାହିଁବା ପରି ଦୃଢ଼ ଚିତ୍ତରେ ଚାହିଁଲେ ତାହା ମିଳେ–ଏମିତି ବିଶ୍ଵାସ କେମିତି କେଜାଣି ବିଭାବସୁଙ୍କର ପିଲାଦିନରୁ ଅଛି । ସେ କେବଳ ଚା‌ହିଁଲେ, ତଟିନୀ ସହିତ ଥରଟିଏ ସାକ୍ଷାତ କରିବାପାଇଁ । ଆଉ ସତକୁ ସତ ଦିନେ ଗୋଟାଏ ଛକରେ ତଟିନୀ ସହିତ ଦେଖା ହୋଇଗଲା । କିନ୍ତୁ ତାର ଏ' କି ଚେହେରା ? ମେଦହୀନ ଶେତାଳିଆ ଚେହେରା, ଆଖି ଦୁଇଟି ଭିତରକୁ ପଶିଯାଇଛି । ସେଥିରେ ଅସରନ୍ତି କ୍ଳାନ୍ତି ଭରି ରହିଛି । କୁଞ୍ଚୁ କୁଞ୍ଚୁ, ବହଳ କଳା କେଶରାଜି ବହୁଦିନ ଧରି ଯେମିତି ତେଲ ପାଇନି । ତାକୁ ଦେଖୁ ଦେଖୁ ହିଁ ବିଭାବସୁ ଉତ୍‌ଫୁଲ୍ଲ ହୋଇ ଡାକ ପକାଇଲେ, ତଟିନୀ… । ଦୌଡ଼ିଯାଇ ତା ପାଖରେ ଠିଆ ହୋଇଯାଇ, ଖୁସିରେ କହି ଉଠିଲେ, ଆଜିକାଲି ଆଉ କାହିଁକି ଆମ ଘରକୁ ଯାଉ ନାହଁ ? ଆମକୁ ଏକଦମ୍ ଭୁଲି ଗଲଣି ନା ? ଭୂଷଣ ମଉସା ତମକୁ ମନେ ପକାଉଛି । କାହିଁକି ଆଉ ଯାଉନାହଁ ?

 

ତଟିନୀ ଗୋଟିଏ ପ୍ରଶ୍ନର ମଧ୍ୟ ଉତ୍ତର ଦେଲା ନାହିଁ । ଶୂନ୍ୟ ଦୃଷ୍ଟିରେ କେବଳ ଚାହିଁ ରହିଥିଲା । ବିଭାବସୁ କହିଲେ ଚାଲ ଗୋଟାଏ କ୍ୟାଣ୍ଟିନ୍‌ରେ ବସି କଫି ପିଉ ପିଉ କଥା ହେବା । ତମ ସହିତ ଅନେକ କଥା ଅଛି । ତଟିନୀ ତାଙ୍କ ସହିତ କ୍ୟାଣ୍ଟିନ୍‌କୁ ଗଲା । ଖାଇସାରି କଫି ପିଉ ପିଉ ସେ ପଚାରିଲେ, କେମିତି ଅଛ ?

 

ଚନ୍ଦ୍ରାଛନ୍ନ କଣ୍ଠରେ ତଟିନୀ କହିଲା, ଆପଣମାନେ ସମସ୍ତେ ଭଲ ଅଛନ୍ତି ?

 

–ନା, ମୁଁ ଅନ୍ତତଃ ଭଲ ନାହିଁ । ମତେ ଦେଖି ତାହା ଜାଣି ପାରୁ ନାହଁ ? ବିଭାବସୁ କୌତୁକ କଲେ ।

 

କିନ୍ତୁ ତାଙ୍କର ଏ କୌତୁକ ଯେମିତି ତଟିନୀକୁ ସ୍ପର୍ଶ କଲା‌ନାହଁ । ସେ ଶୁଷ୍କ ହସ ହସିଲା । କହିଲା, ହାସପାତାଳରେ ଗୋଟାଏ ରୋଗୀ ଆଉ ଏକ ରୋଗୀକୁ ଯେମିତି ଜିଜ୍ଞାସା କରେ କେମିତି ଅଛି, ଏ ମଧ୍ୟ ଠିକ୍ ସେମିତି କଥା ।

 

ହଠାତ୍ ବିଭାବସୁ ପଚାରିଲେ, ଆମ ଘରେ ତମର ପ୍ରବେଶ–ନିଷେଧ କାହିଁକି ହେଲା, ତା’ ଜାଣିଛ ?

 

ତଟିନୀ ମୁଣ୍ଡ ହଲେଇ ହଁ କଲା ।

 

–ମୋ ଉପରେ ତମର ରାଗ ହେଲା ନାହିଁ ?

 

ସେ କିଛି ନ କହି କେବଳ ତନ୍ନ ତନ୍ନ କରି ତାଙ୍କୁ ଯେମିତି ଦେଖିଲା । ତା’ପରେ ଧୀର, ଶାନ୍ତ ଅଥଚ ଦୃଢ଼ ସ୍ଵରରେ କହିଲା–ମୁଣ୍ଡ ଭିତରୁ ସେ ଭୂତକୁ ଘଉଡ଼େଇ ଦିଅନ୍ତୁ । ଅପା ମୋତେ ଭାରି ଭଲପାଏ । ତାର କୌଣସି କ୍ଷତି ମୁଁ କରିପାରିବି ନାହିଁ ।

 

ତାର ଏକଥାରେ ବିଭାବସୁଙ୍କର ଖୁବ୍ ରାଗ ହେଲା । ସେ କଠୋର କଣ୍ଠରେ କହିଲେ, ଭଲପାଏ ନା ଭିକ୍ଷା ଦିଏ ?

 

—ମିଛ କଥା । ମୁଁ ସେସବୁ ବିଶ୍ଵାସ କରିବି ନାହିଁ । କିଏ କାହାକୁ ଘୃଣା କରୁଛି, ତାର ହିସାବ କିଏ ରଖୁଛି ? ତା’ପରେ ସେ ତାଙ୍କୁ ଚାହିଁ କହିଲେ, ନିଜର ଭାଇକୁ ଆପଣ ଚିହ୍ନିଛନ୍ତି ? ?

 

ତଟିନୀର ଏ’କି ପ୍ରଶ୍ନ । ହଠାତ୍ ତପନ ଭାଇଙ୍କ କଥା ଆସିଯିବ ଏକଥା ସେ ଭାବିନଥିଲେ । ସତେତ, ସେମାନେ ପରସ୍ପରକୁ କେତେ ଟିକେ ବା’ ଚିହ୍ନିଛନ୍ତି ! ସେ ନୀରବ ରହିଲେ ।

 

ତଟିନୀ ଚୁପ୍ ଚାପ ବସିଲା । ତା’ ମୁହଁରେ ଭାବନାର ଚିହ୍ନ । ତା’ କପାଳ ଚିନ୍ତାରେ କୁଞ୍ଚେଇ ଯାଇଛି । ସେ ଟେବୁଲ୍‌କୁ ଚାହିଁ, ନଖରେ ଗାର କାଟିଲା ! ତାପରେ ତା’ ସ୍ଵର ଯେମିତି ଗୋଟାଏ ଗହୀରିଆ କୂଅରୁ ଭାସି ଆସିଲା । ‘‘ଆପଣ ମତେ ନେଇ ଯାହା ଭାବିଛନ୍ତି ତାହା ସମ୍ଭବ ନୁହେଁ । ସମ୍ପର୍କରେ ମୁଁ ବି ଆପଣଙ୍କର ଭାଉଜ ପରି ହେବି । ମୋ ଗର୍ଭରେ ବର୍ତ୍ତମାନ ତିନିମାସର ଶିଶୁ ଅଛି । ଏସବୁ କଥା ଅପା ଜାଣେ । ତାର ପିଲାଟିଏ ଦରକାର । ତେଣୁ ଏ ଶିଶୁକୁ ମତେ ବଞ୍ଚେଇ ରଖିବାକୁ ହେବ । ମୋର କୌଣସି ଅଭାବ ସେ ରଖିନାହିଁ । ରଖିବ ନାହିଁ ମଧ୍ୟ ।

 

ବିଭାବସୁଙ୍କ ଦେହ ବରଫ ପାଲଟି ଯାଇଥିଲା । ସେ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଏ’ତ ଆତ୍ମହତ୍ୟା !

 

—ଯିଏ ଯେମିତି ଭାବିବ ତା’ ପାଇଁ ସେମିତି । ଅକମ୍ପିତ କଣ୍ଠରେ ତଟିନୀ କହିଲା ।

 

—କିନ୍ତୁ ଆଉ କିଛି ଦିନ ପରେ ତ ଆଉ ଲୁଚେଇ ହେବ ନାହିଁ । ସେତେବେଳେ… ? ବିଭାବସୁ ବିସ୍ମୟରେ ପଚାରିଲେ ।

 

ସେହିପରି ସ୍ୱରରେ ତଟିନୀ କହିଲେ, ଲଜ୍ଜା ସେହିମାନଙ୍କର ଯେଉଁମାନଙ୍କର ଟଙ୍କା ନାହିଁ-। ମୋର ଟଙ୍କା ଅଛି, ଡାକ୍ତର ଅଛି, ନର୍ସିଂହୋମ୍ ଅଛି କିନ୍ତୁ ଲଜ୍ଜା ନାହିଁ ।’’ ତା’ପରେ କିଛିକ୍ଷଣ ନୀରବ ରହି କହିଲା, ଟିକିଏ ପରେ ରାସ୍ତାକୁ ବାହାରି ଦେଖିବେ, କେତେ ଲୋକ, କିଏ କେଉଁ ପ୍ରକାର ବଞ୍ଚିଛନ୍ତି, ଆଉ କିଏ କେଉଁ ଭାବରେ ଜନ୍ମ ହେଉଛି, କେଉଁଠି ଜନ୍ମ ହେଉଛି, ତାର ସଠିକ୍ ହିସାବ କ’ଣ ଆମ ପାଖରେ ଅଛି ?

 

ବିଭାବସୁଙ୍କର ସାରା ଶରୀର ଝିମ୍ ଝିମ୍ ହୋଇଗଲା । ସେ ଉଠି ପଡ଼ିଲେ । ବିଲ୍ ତୁଟେଇ ଦେଇ ରାସ୍ତାକୁ ଆସିଲେ । କେହି କାହାକୁ କିଛି ନ କହି ଦୁଇ ଦିଗରେ ଚାଲିଗଲେ ।

 

ଏଇ ବର୍ଷ, ଗତ ଦଶହରା ଛୁଟିରେ ସାନ ଭାଇ ବମ୍ବେ–ଦାଦରରୁ ସାନ ଭାଉଜଙ୍କ ସହିତ ଆସି ପହଞ୍ଚିଲେ । ସେ ବର୍ଷେ ହେବ ବମ୍ବେ–ଦାଦରକୁ ବଦଳି ହୋଇ ଯାଇଥିଲେ । ସାନ ଭାଉଜଙ୍କ କୋଳରେ ପାଞ୍ଚ ମାସର ଶିଶୁ ପୁତ୍ର ଥିଲା । ବଡ଼ ଭାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ହଇରେ, ଏତେବଡ଼ କଥାଟାଏ ହେଲା, ଆମକୁ ଜଣେଇଲୁ ନାହିଁ ? ସାନ ଭାଇ ତଳକୁ ମୁହଁ ପୋତି କୁଣ୍ଠିତ କଣ୍ଠରେ କହିଲେ, ଅପରାଧ ଦେବେ ନାହିଁ । ଗୁରୁଦେବଙ୍କର ବାରଣ ଥିଲା ଯେ ସନ୍ତାନ ହେବା ପୂର୍ବରୁ ଜଣେଇବା ପାଇଁ । ସେଇଥି ପାଇଁ...

 

ଖୁବ୍ ଖୁସୀ ବଡ଼ ଭାଇ । ଉଦାର ହସି ହସି କହିଲେ, ଭଲ, ଭଲ । ସାନ ଭାଉଜ ବିଭାବସୁଙ୍କୁ ଅନେଇ ହସିଲେ । କହିଲେ, ଏ ଘରେ ଆଜିଯାଏ ତମେ ସାନ ଥିଲ । କିନ୍ତୁ ତୁମ ସହିତ ବାଦ କରି ଇଏ ଆସିଲା– । ତମର ଏଥର ପ୍ରମୋଶନ ହୋଇଗଲା… ଦୁଇ ଭାଉଜ ହସି ଉଠିଲେ ।

 

ଛୋଟ ପୁଅଟିକୁ ଚାହିଁ ବିଭାବସୁଙ୍କ ଆଖି ସାମ୍ନାରୁ ଗୋଟାଏ ଭାରି ପରଦା ଙ୍ଘୁଚିଗଲା । ସଂସାରର ଆଉ ଗୋଟାଏ ପାଖକୁ ଚାହିଁ ସେ ଯେମିତି ଅନ୍ଧ ହୋଇଗଲେ— ।

 

ଓଃ ! ସଂସାରଟା ସତେ କ’ଣ !

 

ଜୀବନ ଟା ବା କ'ଣ !!

 

ହଠାତ୍ ତାଙ୍କର ମା’ଙ୍କ କଥା ମନେ ପଡ଼ିଲା । ଅନେକ ଦିନ, ଅନେକ ବର୍ଷ ପରେ ତାଙ୍କର ମା’ କଥା ଯେମିତି ମନେ ପଡ଼ିଥିଲା । ସେ ତାଙ୍କ ଶୋଇବା ଘରକୁ ଆସି, ବାପା ମା’ଙ୍କ ଫଟୋକୁ ଚାହିଁ ରହିଲେ । ତା’ପରେ ପ୍ରଣାମ କଲେ । ମୁଣ୍ଡ ତଳକୁ ପୋତି ସ୍ଵଗତୋକ୍ତି କଲେ, ତମେ ଦୁହେଁ ଆଜି ମୋ ଭିତରେ ବଂଚି ରହିଛି ।

 

ବିଭାବସୁ କେବେ କାହାରି କଥା ଭାବି ନଥିଲେ । ତାଙ୍କ ମନ କାହାରି ପାଇଁ ଡହଳ ବିକଳ ହୋଇ ନାହିଁ । ଭୂଷଣ ମଉସା କହିଲେ ବୋଲି ସେ ତଟିନୀ କଥା ସାନ ଭାଉଜଙ୍କୁ କହିଥିଲେ । ସେ କେବେ ବିବାହ କଥା ଭାବି ନାହାନ୍ତି । ତାଙ୍କର ବିରାଗୀ ଭ୍ରମର ମନଟି ଯେ ସତରେ ଦିନେ ବନ୍ଦୀ ହୋଇ ଯିବ, ଏକଥା କ’ଣ ସେ କେବେ ବି ଭାବିଥିଲେ !

 

ସେହି ମନ ଭ୍ରମର ଆଜି କମଳ କଳିରେ ବନ୍ଦୀ !

 

ନିଜର ପରିବର୍ତ୍ତନ ନିଜେ ସେ ବୁଝି ପାରୁଥିଲେ ।

 

କମଳକୁ ସେ ଭଲ ପାଇଛନ୍ତି । ତାଙ୍କର ସେହି ଭଲ ପାଇବାଟାକୁ ଅତି ସ୍ପଷ୍ଟ ଭାବରେ ସେ ଅନୁଭବ କରି ପାରୁଥିଲେ । ତାଙ୍କର ମନେ ହେଉଥିଲା, ‘ଭଲପାଇବା’କୁ ସେ ଦେଖି ପାରୁଛନ୍ତି-। ଦେଖି ମୋହିତ ହେଉଛନ୍ତି ।

 

ଆଜି ସଂଧ୍ୟାରେ କମଳର କ’ଣ ହେଲା ? ତା’ ଦେହର ଗନ୍ଧ କଥା ଶୁଣୁ ଶୁଣୁ ସେ ଏମିତି କାହିଁକି ହୋଇଗଲା ? ସେହି ସବୁ କଥା ଓ ନିଜର ଅନୁଭୂତି, ତାଙ୍କ ମନକୁ ଏକ ସୁଖକର ପୁଲକରେ ଆଚ୍ଛନ୍ନ କରି ରଖିଥିଲା । ଏପରି ଆଶ୍ଚର୍ଯ୍ୟ ସୁଖ ଏବଂ ଆନନ୍ଦ ସେ ଆଗରୁ କେବେ କେଉଁଠି ପାଇ ନଥିଲେ । ତାଙ୍କ ମନ କେବେ ମଧ୍ୟ କେଉଁ କାରଣରୁ ଏତେ ଅଧୀର ଓ ଉତ୍ତଳା ହୋଇ ନଥିଲା । ପୂର୍ଣ୍ଣ କଳସୀରେ ଜଳ ଢାଳିଲେ ତାହା ଯେପରି ଉଚ୍ଛଳି ପଡ଼େ, ସେହିପରି ତାଙ୍କ ମନ–କଳସୀକୁ ପୂର୍ଣ୍ଣକରି ଅଜସ୍ର ସୁଖାନୁଭୂତି ଉଛୁଳି ପଡ଼ୁଥିଲା । ତାକୁ କମଳର କମନୀୟ ମୁହଁଟି ବ୍ୟତୀତ ଅନ୍ୟକିଛି ଦିଶୁ ନଥିଲା— ।

 

ଆଜିକାର ଘଟଣାଟିକୁ ନିଜ ମନରେ ବାରମ୍ବାର ଏପଟ ସେପଟେ କରୁଥିଲେ ବିଭାବସୁ-ହେଲେ ନିର୍ଦ୍ଦିଷ୍ଟ ଭାବରେ କିଛି ଗୋଟାଏ ସେ ଭାବି ପାରୁ ନଥିଲେ । ତାଙ୍କର ମନେ ହେଲା, ହଠାତ୍ ଯେମିତି ତାହା ଘଟିଗଲା । ସେ କିଛି ବୁଝିପାରିଲେ ନାହିଁ । କମଳ ମଧ୍ୟ କିଛି ବୁଝିପାରି ନାହିଁ ବୋଧେ । ଦୁଇ ଜଣଙ୍କର ଅବୁଝା ଭିତରେ ହିଁ ଏ ରକମ ଘଟିଗଲା । ସେତେବେଳେ କମଳ ଯେମିତି ଅନ୍ୟ ରକମ ହୋଇ ଉଠିଥିଲା ! ମୋ’ ପାଇଁ ତାଙ୍କ ମନ ଭିତରେ ଯେ କ’ଣ ହେଉଥିଲା, ତାହା ବିଭାବସୁଙ୍କର ବୁଝିବାର ବାହାରେ । ହେଲେ ସେ ଏତିକି ବୁଝିଲେ । ଅନେକ କଥା ଅଛି, ଯାହାକି କହି ହୁଏ ନାହିଁ ଅଥଚ ବୁଝି ହୁଏ ।

 

ସାଙ୍ଗସାଥୀମାନଙ୍କଠାରୁ ସେ କେତେ କଥା କେତେ ପ୍ରକାରରେ ଶୁଣିଛନ୍ତି । କେବଳ ଶୁଣିଛନ୍ତି ମାତ୍ର । ହେଲେ ସେ ସବୁ ତାଙ୍କ ମନକୁ ସ୍ପର୍ଶ କରିନାହିଁ । କୌଣସି ନାରୀପାଇଁ ତାଙ୍କ ମନ ତ ବହୁ ଦୂରର କଥା, ତାଙ୍କ ଆଖି ସୁଦ୍ଧା ଆତୁର ହୋଇ ନାହିଁ । ଅଥଚ କମଳ ପାଇଁ.....

 

ତାଙ୍କ ପାଇଁ କମଳ ବ୍ୟତିକ୍ରମ । କମଳକୁ ଦେଖିଲେ, ବୋଉ କଥା ମନକୁ ଆସେ । ବୋଉ ପରି କମଳ ଦେହର ରଙ୍ଗ ଗୋରା ନୁହେଁ କିମ୍ବା ସେମିତି କିଛି ନିର୍ଦ୍ଦିଷ୍ଟ ସାମଞ୍ଜସ୍ୟ ମଧ୍ୟ ନାହିଁ-। ତଥାପି କାହିଁକି ସେମିତି ମନେ ହୁଏ କେଜାଣି ! ଠିକ୍ ବୁଝିପାରନ୍ତି ନାହିଁ ବିଭାବସୁ-

 

ପିଲାଦିନରୁ ମାତୃହୀନା ହୋଇ, ହଷ୍ଟେଲରୁ ହଷ୍ଟେଲକୁ ବୁଲିବୁଲି ସେ ଆଜି ଚବିଶ ବର୍ଷର ଯୁବକ ହୋଇଛନ୍ତି । ଘର ଛଡ଼ା ହୋଇ, ତାଙ୍କର ମାନସିକ ଗଠନ କେମିତି ଯେପରି ଟିକେ ଭିନ୍ନ ପ୍ରକାରର । ସବୁବେଳେ ଏକା ଏକା ଭାବ । ଭିତରଟା ନିଃସଙ୍ଗ ନିଃସଙ୍ଗ । ଅଥଚ ବାହାରେ ସାଙ୍ଗ ସାଥୀଙ୍କ ଗହଣରେ ସେ ସବୁ ସ୍ପଷ୍ଟ ରୂପରେ ଧରାପଡ଼େ ନାହିଁ । ସେ ଯେପରି ଏତେଦିନ ପରେ କମଳକୁ ହିଁ ମନ ପାଖରେ ପାଇଲେ । ଜନ୍ମରୁ ଏକୁଟିଆ ହୋଇ, ସେ ଯେପରି କ’ଣ ଗୋଟାଏ ଚାହିଁ ଆସୁଥିଲେ । ଅଥଚ ‘କ’ଣ’ ଟାକୁ ଠିକ୍‌ ଭାବରେ ବୁଝି ପାରୁନଥିଲେ । ହଠାତ୍‌ ତାଙ୍କର ମନେହେଲା, ସେ ବୋଧେ ଚାହୁଁଥିଲେ ଏପରି ଜଣକୁ, ଯାହାକୁ କି ସେ ଆପଣାର ସବୁ ମନ ପ୍ରାଣ ଦେଇ ଭଲ ପାଇବେ ଆଉ ସେ ମଧ୍ୟ ତାକୁ ସେତିକି ଭଲ ପାଇବେ । ଏତେ ଦିନ ପରେ ସେ ଯେପରି ତାହା ପାଇଛନ୍ତି । ଏହି କଥା ଭାବିବା ମାତ୍ରେ ସେ ଉଲ୍ଲସିତ ହୋଇ ଉଠିଲେ ।

 

ସନ୍ଧ୍ୟାର ଘଟିଣାଟି ପୁଣି ମନକୁ ଆସିଲା । ଘଟଣାଟି ଘଟିଯିବା ପରେ କମଳର ନିସ୍ପୃହତା ଓ ଉଦାସ ଭାବ ଦେଖି ତାଙ୍କର ଲଜ୍ଜା ଓ ଭୟ ହୋଇଥିଲା । ନିଜ ପାଖରେ ନିଜକୁ ଅପରାଧୀ କରି ଠିଆ କରେଇ ଥିଲେ । ନିଜକୁ ଅପରାଧୀ ଜ୍ଞାନ କରି ମନେ ମନେ ସେ ସଙ୍କୁଚିତ ହୋଇ ପଡ଼ିଲେ । କମଳ କ’ଣ ଭାବିଥିବ ? କମଳ ରାଗିଲା, ଖରାପ ବୁଝିଲା–ଏହାହିଁ ତାଙ୍କର ଧାରଣା ହୋଇଥିଲା । କିନ୍ତୁ ତାଙ୍କର ଧାରଣା ଯେ ଏକଦମ୍ ଭୁଲ ତାହା ସେ ବର୍ତ୍ତମାନ ବେଶ୍ ଭଲ କରି ବୁଝି ପାରୁଛନ୍ତି । ସନ୍ଧ୍ୟାପରେ ଜଳଖିଆ ଖାଇବାକୁ ସେ ମନା କରୁଥିଲେ । ସେ ମନା କରିବା ମାତ୍ରେଇଁ ଜଲିର ପରିହାସ ବାଣ ଆରମ୍ଭ ହୋଇ ଯାଇଥିଲା । ଆଉ କମଳର..ଆଗକୁ ଭାବି ପାରିଲେ ନାହିଁ ବିଭାବସୁ । କେମିତି ଏକ ନୂତନ ଅନୁଭବରେ ତାଙ୍କ ଛାତି ଥରି ଉଠିଲା । ମନଟା ଏକ ଅନନୁଭୂତ ଅନୁଭୂତିରେ ରହି ରହି କମ୍ପି ଉଠୁଛି.... ।

 

ଗୋଟାଏ କମଳା, ଗୋଟାଏ ସେଓ ଖାଇ ଦେଲେ ଆପଣଙ୍କ ପେଟ ଭର୍ତ୍ତି ହୋଇଯିବ ନାହିଁ କି ଅଜୀର୍ଣ୍ଣ ହେବନାହଁ; ବରଂ ଯେଉଁ ମନମାରି ବସିଛନ୍ତି.. । କମଳ ଓଠରୁ ହସର ମୁକ୍ତା ଗୋଟି ଗୋଟି ହୋଇ ଝରି ପଡ଼ିଥିଲା । ମୁଗ୍‌ଧ ଚକିତ ଚାହାଣୀରେ ଅନେଇଥିଲେ ବିଭାବସୁ । ଆଃ ! ଏଇ ହସର ମୁକ୍ତାକୁ ଯଦି ଗୋଟିଏ ମାଳ କରାଯାଇ ପାରନ୍ତା…

 

ଆରେ, ଏମିତି ଅନେଇଛନ୍ତି କ’ଣ ମ । ଲଜ୍ଜାରେ ଆରକ୍ତ ହୋଇ ଉଠିଲା କମଳର ପତଳା ଆନନ । ଏଇ ମୁହଁଟି ଅତୀବ ଚମତ୍କାର । ଏଇତକ ଖାଇ ନିଅନ୍ତୁ—ମୁଁ ଆସୁଛି । ଅପୂର୍ବ ଏକ ଛନ୍ଦପାତରେ ସେଠୁ ଚାଲିଯାଇଥିଲା କମଳ ।

 

କମଳ ଯିବାପରେ ବି ସେ ମୁଗ୍‌ଧ ବିହ୍ଵଳ ହୋଇ ତାର ଗତିପଥକୁ ଅନାଇଥିଲେ । ଟିକିଏ ପରେ ଜଲିକୁ ସଙ୍ଗରେ ନେଇ ଫେରିଥିଲା କମଳ । ହାତରେ ଦି କପ୍ ଚା ଧରି । ଜଲି ତା’ ଚା ଗ୍ଲାସଟାକୁ ଧରିଥିଲା ।

 

କି ବିଭାସ ଭାଇ ! ଏମିତି ନିରୀହ ମେଷ ଶାବକ ପରି ନିର୍ବୋଧ ଦୃଷ୍ଟିରେ ଅନେଇଛ ଯେ !

 

ବିଭାବସୁ କହିଲେ, ବଡ଼ଭାଇଙ୍କୁ ଏମିତି କହିବା ତୋର ନିଶ୍ଚୟ ଅନ୍ୟାୟ ଜଲି ।

 

—ହେଇପାରିଥାଏ, ତେବେ ତମେ ଯେପରି ଅନାଇଛ ତାକୁ ମେଣ୍ଢା ଛୁଆର ଚାହାଣୀ ବ୍ୟତୀତ ଆଉ କି ଚାହାଣୀ କୁହାଯାଇପାରେ କୁହ ତ !

 

ଜଲିର କଥା କହିବାର ନାଟକୀୟ ଭଙ୍ଗୀରେ ତିନିଜଣଯାକ ହସି ଥିଲେ ।

 

—ତମକୁ ବୋଧେ, ଭାବିବା ରୋଗ ଆକ୍ରମଣ କଲାଣି ? ଭୂରୁ ନଚାଇ ଜଲି କହିଲା ।

 

—ଭାବିବା ରୋଗ । ବିସ୍ମିତ ହେଲେ ବିଭାବସୁ ।

 

—ହଁ, ଭାବିବା ରୋଗ । ଏହା ଏକ ସଂକ୍ରାମକ ରୋଗ । ମୋର ଧାରଣା ଜଣକଠାରୁ ଏ ରୋଗ ତମକୁ ସଂକ୍ରମିତ ହୋଇଛି । ଏ ରୋଗ କେବଳ ସଂକ୍ରାମକ ନୁହେଁ, ବଡ଼ ଭୟଙ୍କର ମଧ୍ୟ, କହି ଜଲି ହସିଲା ।

 

କମଳ ଦେଖିଲା ଜଲି ତାରି ଆଡ଼କୁ କଥାର ମୋଡ଼ ଘୂରାଇ ଦେଉଛି । ଜଲିଟା ଭାରି ଦୁଷ୍ଟ । କମଳ ମନରେ ଲଜ୍ଜା ଆସିଲା । ସେ ଚା ପିଆ କପ୍‌କୁ ନେଇ ଚାଲିଗଲା ।

 

ବିଭାବସୁ ବୁଝିଲେ ଯାହା ହଠାତ୍ ଘଟିଗଲା ସେଥିପାଇଁ କେହି ଦାୟୀ ହୋଇ ନ ପାରନ୍ତି-। କମଳ ଖରାପ ଭାବି ନାହିଁ । ରାଗି ନାହିଁ । ତା’ଯଦି ହୋଇଥାନ୍ତା ତେବେ…ତେବେ ସେ ଏରକମ ମୁହଁ କରି ନ ଥାନ୍ତା ! ତାର ମୁହଁ ସେତେବେଳେ କେମିତି ଟଳ ଟଳ କରି ଉଠିଲା–ଏକ ନୂତନ ଆଭାରେ ଉଦ୍‌ଭାଷିତ ହୋଇ ଉଠିଥିଲା । ଠିକ୍ ଯେପରି ସଜ ସକାଳର କଅଁଳ ଛନ ଛନ ଖରା ଟିକକ କମଳ କଳି ଉପରେ ପଡ଼ିଲେ, କଢ଼ଟି ଯେପରି ଫିଟି ଫିଟି ପାଖୁଡ଼ା ମେଲି ଆସେ... । ସେ ମୁହଁରେ କ’ଣ ରାଗ ବା ବିରକ୍ତ ଥିଲା ? ନାଁ ! କେବେବି ନ ଥିଲା । ଯଦି ଥାଆନ୍ତା ତେବେ ସେ ପଦ୍ମଫୁଲ ପରି ମୁଖକରି ତାଙ୍କୁ କଣ ଅନେଇ ଥାଆନ୍ତା ? ସବୁଦିନ ପରି ଆଜି ରାତିରେ ମଧ୍ୟ କମଳ ଖାଇବାକୁ ଦେଇଥିଲା । ମଟର, ବିଲାତି, ବାଇଗଣ, ଆଳୁକୁ କି ଚମତ୍କାର ଭାବରେ କମଳ ରାନ୍ଧିଥିଲା-। ମାଇଁ କହିଲେ କମଳ ଆଜି ସବୁ ରାନ୍ଧିଛି । ମୁଁ ଯେତେ ନାହିଁ କଲି ସେ ଶୁଣିଲା ନାହିଁ । ପିଲାଟି ଏଠୁ ଚାଲିଯିବା ପରେ ମୁଁ’ ହିଁ ବେଶୀ ହଇରାଣ ହେବି । ସେ ଆସିଲା ଦିନୁ ସବୁ କାମକୁ ନିଜ ଉପରକୁ ନେଇଛି ।

 

ମାମୁଁ ହସି ହସି କହିଲେ ତା’ ହେଲେ କୁନିକୁ ଏଠୁ ଛାଡ଼ିବା ନାହିଁ । ଏଇଠି ରଖିନେବା ।

 

‘ତମେ ସିନା ଥଟ୍ଟାରେ କହୁଛ । ହେଲେ ମୋର ଯଦି ବଡ଼ ପୁଅଟିଏ ଥାଆନ୍ତା ନାଁ ! ରହିଗଲେ ମାଇଁ । ତା’ ପରେ ଈଷତ୍ ହସି କହିଲେ ଅପା ପାଦ ଧରି ମୁଁ ଏଇ କୁନିକୁ ମାଗି ଆଣନ୍ତି…

 

ସତେ ? ଠୋ ଠୋ ହୋଇ ହସି ଉଠିଲେ ମାମୁଁ…ତେବେ ଜଲିକୁ ଦେଇ କୁନିକୁ ବଦଳ କରି ଆଣୁ ନାହଁ–

 

ସେ ଉଦ୍ଦଣ୍ଡୀ, ଦୁର୍ଦ୍ଦଣ୍ଡୀକୁ ନେଇ ଅପା କାହିଁକି ତାର ଏତେ ଭଲ ଝିଅଟିକୁ ମତେ ଦେବ ଯେ—

 

ପଛରେ ପରସୁ ପରସୁ ମାମୁଁଙ୍କ ହସରେ କମଳ ଲଜ୍ଜା ପାଇଥିଲା । ବିଭାବସୁଙ୍କର ମନେ ହେଇଥିଲା, ସେଡ଼େ ସୁସ୍ୱାଦୁ ତରକାରୀ ସେ ଯେପରି ଜୀବନରେ ପ୍ରଥମ କରି ଖାଉଛନ୍ତି । ଏତେ ସୁନ୍ଦର ରାନ୍ଧିପାରେ କମଳ । ସେହି କଥା କହିବାକୁ ସେ ଚାହୁଁଥିଲେ ମଧ୍ୟ ଅକାରଣ ସଂକୋଚରେ କିଛି କହି ପାରିଲେ ନାହିଁ । କମଳ ମୁହଁକୁ ସେ ଚାହିଁଦେଲେ, କମଳ ଯେତେବେଳେ ତାଙ୍କରି ପ୍ଳେଟରେ ତରକାରୀ ଦେଉଥିଲା ।

 

ଇସ୍ ! ଲଜ୍ଜାରକ୍ତ ମୁଖକମଳଟି ମୃଦୁ ମନ୍ଦ ହାସ୍ୟରେ କେଡ଼େ ଉଜ୍ଜଳ ଦିଶୁଛି । ଈଶ୍ଵର ତାଙ୍କ ସୃଷ୍ଟିର ସମସ୍ତ କମନୀୟତା ଆଣି ସତେ ଯେପରି ଗଢ଼ିଛନ୍ତି କମଳର ମୁଖ ପଦ୍ମଟିକୁ ।

 

କମଳ ରାଗିନାହଁ । ଖରାପ ବୁଝି ନାହିଁ । କିଛି ଭାବି ନାହିଁ । ଏହା ଉତ୍ତମ ରୂପେ ବୁଝି ମଧ୍ୟ ବିଭାବସୁଙ୍କ ମନ ଶାନ୍ତ ହୋଇ ପାରୁନଥିଲା । ଏକ ଅସ୍ଵାଭାବିକ ଚଞ୍ଚଳତା ଭିତରେ ତାଙ୍କ ମନ ଘୂରି ବୁଲୁଥିଲା ।

 

କମଳ ସଂସ୍ପର୍ଶରେ ଆସି, ତା’ ସହିତ କଟିଥିବା ମୁହୂର୍ତ୍ତ ଗୁଡ଼ିକର ଅନୁଭୂତିକୁ ବାରମ୍ବାର ନିଜ ଛାତି ତଳେ ଅନୁଭବ କରୁଥିଲେ ସେ । କେଉଁ ଗୋଟିଏ ଅନୁଭୂତି ବି ତାଙ୍କ ପାଖରେ ସ୍ଵାଭାବିକ ଭାବରେ ଧରା ଦେଉ ନଥିଲା । ସେ ବିହ୍ଵଳ ହୋଇ ପଡ଼ୁଥିଲେ । ଉତ୍ତଳା ହୋଇ ଉଠୁଥିଲେ । ଭଲ ପାଇବାର ବିଚିତ୍ର ଏବଂ ବିଭିନ୍ନ ଅନୁଭୂତି ଗୁଡ଼ିକ ତାଙ୍କ ପାଖରେ ଜଟିଳ ଓ ଅତିରିକ୍ତ ହୋଇ ଦେଖା ଦେଉଥିଲା । ସେ ଯେତେବେଳେ ଆନନ୍ଦ ଅନୁଭବ କରୁଥିଲେ, ସେତେବେଳେ କେଉଁ କାରଣରୁ ଯେପରି ବେଦନା ବି ଅନୁଭବ କରୁଥିଲେ । କମଳର ଭାବନା ଭିତରେ କେତେବେଳେ ସେ ପୂର୍ଣ୍ଣତା ଅନୁଭବ କରୁଥିଲେ ତ ପରକ୍ଷଣରେ ହିଁ ମନେ ହେଉଥିଲା ତାହା କେମିତି ଫାଙ୍କା ଲାଗୁଛି । ଏକଦମ୍ ଶୂନ୍ୟ ମନେ ହେଉଛି । ଗୋଟିଏ ସମୟରେ, ମନ ଭିତରେ ସେ ତୃପ୍ତି ଓ ବେଦନା, ଆନନ୍ଦ ଓ ଯନ୍ତ୍ରଣା ଅନୁଭବ କରିବା ପରେ ବି ତାଙ୍କର ଚିନ୍ତା କମଳକୁ କେନ୍ଦ୍ର କରି ଘଣ୍ଟାର କଣ୍ଟା ପରି ଘୂରୁଥିଲା ।

 

ଅକାରଣଟାରେ ସେ ଉତ୍ତପ୍ତ ହୋଇ ଉଠୁଥିଲେ । ନିଜ ଭିତରେ ଅଶ୍ଵସ୍ତିର ଢେଉ ତୁହାକୁ ତୁହା ଉଠୁଥିଲା । ଏପରି ଅବସ୍ଥା ତାଙ୍କର ଆଗରୁ କେବେ ବି ହୋଇ ନଥିଲା । ଏ’ ତାଙ୍କର କ’ଣ ହେଉଛି ? ସ୍ଥିର ସରୋବର ଆଜି ସମୁଦ୍ର ପାଲଟିଛି । ସ୍ଥିର ଜଳରେ ଆଜି ତରଙ୍ଗ ଅଶାନ୍ତ ହୋଇ ଉଠୁଛି । କାହିଁକ ? କ’ଣ ପାଇଁ ? କ’ଣ ପାଇଁ ତାଙ୍କ ହୃଦୟରେ ତରଙ୍ଗ ଏମିତି ଉତ୍ତଳା ହୋଇ ଉଠୁଛି !

 

ବିଭାବସୁଙ୍କର ହଠାତ୍ ହୃଦ୍‌ବୋଧ ହେଲା, ତାଙ୍କର ବୟସ ହୋଇଛି । ବିବାହ କରିବାର ବୟସ ଆସିଛି ।

 

ଏହି କଥା ଭାବିବା ମାତ୍ରେ ତାଙ୍କ ମନରେ ବର୍ଣ୍ଣାଳୀ ସୃଷ୍ଟି ହେଲା । ‘ମନ’ଟା ସୁରଭିତ ହୋଇଉଠିଲା…

 

ସେ ଚକିତ ହୋଇ ନିଜକୁ ଚାହିଁଲେ..

 

ତୃପ୍ତିରେ ନିଜ ଛାତିର ଲୋମ ଗୁଚ୍ଛକୁ ମୁଠାମୁଠା କରି ଟାଣିଲେ । ନିଜ ଭାବନାରେ ନିଜେ ସେ ଖୁସି ହୋଇ ଉଠିଲେ । କମଳକୁ କେନ୍ଦ୍ର କରି ତାଙ୍କ ଭାବନା ରଙ୍ଗୀନ୍ ହୋଇ ଉଠୁଥିବା ଦେଖି, ସେ ଖୁସିହେଲେ I ତାଙ୍କର ମନ, ହୃଦୟ, ବୟସ–କମଳକୁ ଯେ ଭଲ ପାଉଛନ୍ତି । ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ ! ଦେହର ଅଭ୍ୟନ୍ତରରେ, ଯେଉଁଠି ‘ମନ’ ନାମକ ପଦାର୍ଥଟି ଶୋଇଥିଲା, ଏଇ କେତେ ଦିନ ଭିତରେ, କମଳର ସ୍ପର୍ଶ, ସାନ୍ନିଧ୍ୟରେ ସେଇଟି ସଜାଗ ହୋଇ ଉଠିଛି । ଏହା ପୂର୍ବରୁ କେବଳ ପ୍ରାଣ ଥିଲା କିନ୍ତୁ ପ୍ରକୃତ ‘ପ୍ରାଣ’ ନଥିଲା, ମନଥିଲା । ତେବେ ପ୍ରକୃତ ‘ମନ’ଟିଏ ନଥିଲା । ସେହି ଅର୍ଥରେ ବର୍ତ୍ତମାନ ତାଙ୍କର ପ୍ରାଣ, ମନ ଦୁଇଟିଯାକ ଅଛି । ବର୍ତ୍ତମାନ ତାଙ୍କର ସମସ୍ତ ପ୍ରାଣ, ମନ, ଅଭିନବ ଜୀବନପ୍ରାଚୁର୍ଯ୍ୟରେ ଭରପୁର ।

 

ଅନେକ ଗୁଡ଼ିଏ ବାସ୍ତବ, ଅବାସ୍ତବ ବାସନା ସେ ଅନୁଭବ କଲେ । ତାଙ୍କ ଦେହର ଗନ୍ଧ, କମଳର ସ୍ପର୍ଶ, ସାନ୍ନିଧ୍ୟ ପାଇବା ପାଇଁ ତାଙ୍କର ସମସ୍ତ ଇନ୍ଦ୍ରିୟ ଅସ୍ଥିର ହୋଇ ଉଠିଲା ।

 

ଏକ ତିକ୍ତ–ମଧୁର, ଉଷ୍ମ–ଶୀତଳ ଅନୁଭୂତିରେ ସେ ଆଉଟି ହୋଇଗଲେ । ସେ ଭାବିଲେ, ଶାଶ୍ଵତ ସତ୍ୟର ଅର୍ଚ୍ଚନା ପାଇଁ, ମଣିଷର ଯେଉଁ ଦାବୀ ରହିଛି, ଯେଉଁ ଅକୁହା ଆବେଗ ରହିଛି, ଏହା କେବେ ପାପ ନୁହେଁ । ଅନ୍ୟାୟ ନୁହେଁ । ଦେହ, ମନର ପରିତୃପ୍ତିରେ ହିଁ ସୃଷ୍ଟିର ବିକାଶ ନିର୍ଭରଶୀଳ । ଏହା ଭାବିବା ମାତ୍ରେ, କମଳପ୍ରେମରେ ତାଙ୍କର ମନପ୍ରାଣ ଭିଜି ଭିଜି ଗଲା…

 

ଗୋଟାଏ ପଥର ଉପରେ ଦୀର୍ଘଶ୍ଵାସ ଛାଡ଼ି ବସି ପଡ଼ିଲା କମଳ । ତମକୁ ଭାରି କଷ୍ଟ ହେଲା ନା ? ମାମୁଁ ଆସି କମଳ ପାଖରେ ବସିଲା ।

 

–ନାଁ । ତ କମଳ–ତହିଁରେ ତନୁ ବି ଲହୁଣୀ କୋମଳ, ବୁଝିଲୁ ମାମି ? ମାମି ଉପରୁ ଦୃଷ୍ଟି ନେଇ, କମଳ ମୁହଁରେ ଥାପି, ଜଲି କହିଲା, ‘ଦେଖୁନୁ, ତାର କେମିତି ଊର୍ଦ୍ଧ୍ଵଶ୍ଵାସ ବହିଲାଣି ?

 

ଜାଗାଟା ଭାରି ଚମତ୍କାର–ବିଭାବସୁ ଜଲିକୁ ଚାହିଁ କହିଲେ । ଆମେମାନେ ତ ଆଗରୁ ଅନେକ ଥର ଆସିଛୁ ! କେବଳ କୁନି ନୂଆ । ତତେ କେମିତି ଲାଗୁଛି ? ଜଲି କମଳକୁ ଚାହିଁଲା ।

 

ଭାରି ଭଲ ! ପ୍ରକୃତରେ ଖୁବ୍ ଭଲ ଲାଗୁଛି ମତେ । କମଳ ଖୁସି ହୋଇ କହିଲା ।

 

କବି ଲୋକ କିନା, ତେଣୁ ଅଧିକ ଖୁସି ଲାଗିବାର କଥା । ମାମି କମଳକୁ ଚାହିଁ ପରିହାସ କରି ହସିଲା ।

 

ଧେତ୍ ! କମଳ ମୁହଁରେ ଲଜ୍ଜାର ଅରୁଣୀମା ।

 

କମଳ ତା’ ଭାଇଙ୍କ ସହ ଗଡ଼ଜାତ ଅଞ୍ଚଳର ବହୁ ଜାଗା ବୁଲିଛି । ଭବାନୀପାଟଣାର ଜମୁନା ସାଗର ଠାରୁ ଆରମ୍ଭ କରି, କେଉଁଝର ଜିଲ୍ଲାର ଗୁଣ୍ଡିଚା ଘାଗି ପର୍ଯ୍ୟନ୍ତ । କିନ୍ତୁ ଏଠି, ଏଇ ବେଦ ବ୍ୟାସ ପାହାଡ଼ ପରି ତା’କୁ ଅନ୍ୟ କୌଣସି ସ୍ଥାନ ଏତେ ଭଲ ଲାଗି ନ ଥିଲା । ମହାକବି ବେଦବ୍ୟାସ ଏହିଠାରେ ତେବେ ଥିଲେ ? ଜାଗାଟା କେତେ ଶାନ୍ତ, ସ୍ନିଗ୍‌ଧ, ଶୀତଳ, ମନମୁଗ୍‌ଧକର ସତେ । ଏହି ସବୁ ଭାବୁ ଭାବୁ କମଳର ମୁହଁର ଭାବବି ଶାନ୍ତ ଶୀତଳ ଜଣା ପଡ଼ୁଥିଲା ।

 

ଜଲି ଓ ମାମି ହାତ ଧରା ଧରି ହୋଇ, ଝରଣା ଆଡ଼କୁ ଗଲେ । କହିଗଲେ, ସେମାନେ ସାଙ୍ଗେ ସାଙ୍ଗେ ଫେରି ଆସିବେ ।

 

ଈଷତ୍ ଖରା ପଡ଼ୁଥିବା ଗୋଟାଏ ପଥର ଉପରେ ବସିଥିଲା କମଳ । ଗଛ ପତ୍ରର ଗହଳି ଭେଦ କରି ସୁନେଲି ଖରା କମଳର ସାରା ଦେହରେ ବିଞ୍ଚି ହୋଇ ପଡ଼ିଥିଲା । ଏକ ବିଚିତ୍ର ଭଙ୍ଗିରେ ବସିଥିଲା ସେ ।

 

ମୁଗ୍‌ଧ ହୋଇ ଚାହିଁଥିଲେ ବିଭାବସୁ । ନୂଆ ଶାଢ଼ିଟା ଚମତ୍କାର ମାନୁଛି କମଳକୁ । ମୁହଁର କୁଙ୍କୁମ ଠୋପା, ଆଖିର ଗାଢ଼ କଜ୍ଜଳଗାର ଆହୁରି ଅପୂର୍ବା କରି ତୋଳୁଛି ତାକୁ । ଆଜ ତା’ର ଜନ୍ମଦିନ ।

 

କମଳ ଚାହିଁଲା । ବିଭାବସୁ ତାକୁ ହିଁ ଚାହିଁଛନ୍ତି । ସେ ଚାହାଣୀ ଅନ୍ୟ ପ୍ରକାର । ବିଭାବସୁଙ୍କର ଏଇ ଚାହାଣୀଟା ତୀକ୍ଷ୍‌ଣ ତୀର ପରି କମଳର କୋମଳ ହୃଦୟକୁ ବିଦ୍ଧ କରେ ।

 

କମଳ ମୁହଁ ତଳକୁ ପୋତିଲା । ଲଜ୍ଜ୍ୟାର ଫଗୁ ତା’ ମୁହଁକୁ ରକ୍ତାଭ କରିଦେଇଥିଲା । ଛାତିଟା ଦୁକ୍ ଦୁକ୍ ହୋଇ ପଡ଼ୁଥିଲା, ଉଠୁଥିଲା । ତାକୁ ଭାରି ଭଲ ଲାଗୁଥିଲା, ଏମିତି ଏକ ସ୍ନିଗ୍‌ଧ ମଧୁର ସ୍ଥାନରେ, ବିଭାବସୁଙ୍କ ଆଖି ଆଗରେ ବସି ରହିବାକୁ ।

 

ଜଣେ ପୁରୁଷ ସପ୍ରଶଂସ ଦୃଷ୍ଟିରେ ନାରୀକ ଚାହିଁଥିବ–ଏହାହିଁ ତ ନାରୀର ଅବଚେତନ ମନର ଆକାଙ୍‌କ୍ଷା ।

 

ଅନେକ ଗୁଡ଼ାଏ କଥା କହିବାକୁ ଇଚ୍ଛା ହେଉଥିଲେ ମଧ୍ୟ ପଦଟିଏ କଥାବି କହିପାରୁ ନ ଥିଲେ ବିଭାବସୁ । ତାଙ୍କର ପ୍ରତ୍ୟେକ ଜୀବକୋଷ ଯେପର ଉଠ୍ ପଡ଼ ହେବାରେ ଲାଗିଛି । ବେଦବ୍ୟାସ ପାହାଡ଼ର ଶୀତଳ ପବନ ସତେ ଯେପରି ତାଙ୍କର ଦେହ, ମୁଣ୍ଡରେ କଦମ୍ବ ଫୁଲର ରୋମାଞ୍ଚ ନେଇ ଚହଟି ଯାଉଥିଲା ।

 

ନୀରବ ମୁହୂର୍ତ୍ତ ଗୁଡ଼ାକ ବିତି ଯାଉଛି..

 

ବେଦବ୍ୟାସ ପାହାଡ଼ । ରାଉରକେଲାରୁ ପାନପୋଷ ଦେଇ ଆସିବାକୁ ହୁଏ । ଗୋଟିଏ ରାସ୍ତା ମନ୍ଦିରା ଡ୍ୟାମକୁ ଯାଇଛି । ଆର ରାସ୍ତାଟି ଭାଙ୍ଗି ହୋଇ ଯାଇଛି ବେଦବ୍ୟାସ ଆଡ଼କୁ ।

 

ଗତ ରାତିର ଘଟଣା । ଜଲି ମଉସାଙ୍କଠାରୁ ଅନୁମତି ନେଇ ଆସିଲା । ମଉସା ପ୍ରଥମେ ନାହିଁ କରୁଥିଲେ । କହିଲେ ଆଗରୁ କହିଲୁ ନାହିଁ । ଭରଦ୍ୱାଜବାବୁଙ୍କଠାରୁ କାର୍‌ଟା ଆଣିଥିଲେ ଯାଇ ଥାଆନ୍ତ । ସେତ ବର୍ତ୍ତମାନ ପ୍ଳାଣ୍ଟ ଚାଲିଗଲେ ।

 

ଜଲି କହିଲା, ବସ୍‌ରେ ଚାଲିଯିବୁ ବାପା । ବିଭାସ ଭାଇ ଅଛନ୍ତି । କିଛି ଅସୁବିଧା ହେବ ନାହିଁ । ମୁଁ ମାମିକି ଡାକି ଦେଇଛି । ନ ଗଲେ କଥାଟା–ଜଲି ମୁହଁ ଚିପି ଚିପି ହସିଲା । ‘କଥାଟା...’ କହି ଯେଉଁ କଥା ତକ ନ କହିଲା ତାହା ବାପା ବୁଝି ପାରିଲେ । ବିଭାବସୁଙ୍କ ଆଡ଼କୁ ଅନାଇ କହିଲେ, ଜଲି କଥା ଶୁଣୁଛୁଟି ? ଠୋ’ ଠୋ’ ହୋଇ ହସି ଉଠିଲେ ମଉସା ।

 

ମନକୁ ମାରିଦେବାର ଅଭିନୟ କଲା ଜଲି । ମୁହଁକୁ ଈଷତ୍ ଫୁଲେଇ କହିଲା, ମୁଁ କଣ ବେଦବ୍ୟାସ ଦେଖି ନାହଁ ? କୁନି ଦେଖି ନାହିଁ ବୋଲି ସିନା ଖାଲି….ରହିଗଲା ଜଲି । ଟିକିଏ ପରେ କହିଲା, ପୁଣି ତାର କାଲି ଜନ୍ମଦିନ । ତେଣୁ–

 

ଏକ କାନଫଟା ହସରେ ଫାଟି ପଡ଼ିଲା ସେହି ସ୍ଥାନ । ମଉସା ହସୁ ହସୁ କହିଲେ, ତେଣୁ କୁନି ଦେଖିବ ବୋଲି ତୁ ବେଦବ୍ୟାସ ଯିବାକୁ କହୁଛୁ ତ ? ବେଶ୍–ଯିବତ ଆଉ କଣ ? ତେବେ ମାମି ଯିବା କଥା ଡାକ୍ତର ବାବୁ ଜାଣିଛନ୍ତି ତ ? ଜଲି ଆଡ଼କୁ ଚାହିଁ ମଉସା ପୁଣି କହିଲେ, ଏଠୁ ଖାଇ ପିଇ ଏଗାରଟା ବସ୍‌ରେ ଚାଲିଯିବ । ସେଠୁ ଶୀଘ୍ର ଫେରି ଆସିବ । ଶେଷ ବସ୍ ଯାଏ ରହିବ ନାହିଁ । ଭାରି ଥଣ୍ଡା ହେଉଛି । ବସ୍‌ରେ ଜାଗା ନ ଥିଲେ ହଇରାଣରେ ପଡ଼ିବ–

 

–ହଁ, ଆମେ ପାନପୋଷରୁ ସାଢ଼େ ତିନି କିମ୍ବା ଚାରିଟାରେ ଆସିବୁ । ଖୁସି ହୋଇ କହିଲା ଜଲି ।

 

ତା’ପରେ ବେଦବ୍ୟାସକୁ ଯିବା ପାଇଁ ଆଉ କିଛି ଅସୁବିଧା ନ ଥିଲା । ମାମିକୁ ଡାକିବାକୁ ଯିବାକୁ ପଡ଼ି ନ ଥିଲା । ସେ ନିଜେ ହିଁ ଜଲି କଥାନୁଯାୟୀ ଠିକ୍ ସମୟରେ ପହଞ୍ଚି ଯାଇଥିଲା । ଭାତ ଖାଇ ସାରି, ବାହାରି ପଡ଼ିଲେ ସମସ୍ତେ । ଜଲି ମଉସାଙ୍କ କ୍ୟାମେରଟାକୁ ସଙ୍ଗରେ ଆଣିବାକୁ ଭୁଲି ନାହଁ ।

 

ବସରେ ଆସିଲେ ପାନିପୋଷଠାରେ ଓହ୍ଲାଇ ପୋଲ ତଳ ବାଟେ ଏକ ସରୁ ରାସ୍ତାରେ ଗଲେ, ଖୁବ୍ କମ୍ ସମୟରେ ବେଦବ୍ୟାସ ପାହାଡ଼ ପାଖରେ ପହଞ୍ଚି ହୁଏ । ବସରୁ ଓହ୍ଲାଇ ସେହି ବାଟ ଦେଇ ଆଗେଇ ଆସିଲେ ଏହା ଚାରି ଜଣ ।

 

ଚାଲିବାର ଅଭ୍ୟାସ ନଥିବାରୁ କମଳ ହିଁ ଅଧିକ ଶ୍ରମ ପାଇଥିଲା । ସେଠି ପହଞ୍ଚୁ ପହଞ୍ଚୁ, ଦୀର୍ଘଶ୍ଵାସ ଛାଡ଼ି ଗୋଟେ ପଥର ଉପରେ ଲଥ୍ କରି ବସି ପଡ଼ିଲା ।

 

ଜଲି ଓ ମାମି ଫେରି ଆସିଲେଣି । ଗପି ଗପି ଆସୁଛନ୍ତି, ହସୁଛନ୍ତି । ତାଙ୍କୁ ଚାହିଁ କମଳ ବି ହସିଲା । କହିଲା, ହସୁଛୁ କାହିଁକି ?

 

ମାମି ସେହିପରି ହସୁ ହସୁ କହିଲା, ଜାଣିଲ ନାଁ କୁନିଅପା, ଝରଣା ପାଖରେ ଖସ୍ ଖସ୍ ଶବ୍ଦ ଶୁଣି ଜଲି କହୁଛି, ବାଘ ଆସିବ, ଚାଲ ପଳେଇବା । ଏତେ ଡରକୁଳୀ ଦେଖ ତ–ଏତେବେଳେ ଏଠି ପୁଣି ବାଘ 'ଫେଁ ଫେଁ ହୋଇ ହସିଉଠିଲା ମାମି ।

 

ମଉସା ମାଉସୀଙ୍କର ଗୋଟିଏ ଝିଅ କିନା…ପରିହାସ କଲା କମଳ । ଦେଖ୍ କୁନି ସେମିତି କହିବୁ ଯଦି ନାଁ–ଦେଖିବୁ ପୁଣି । ତା’ପରେ ଜଲି ବୁଲି ପଡ଼ି କହିଲା, ଆଛା ବିଭାସ ଭାଇ, ଏଠି କଣ ବାଘ ବାହାରିବା ଅସମ୍ଭବ ? ଝରଣାରୁ ପାଣି ପିଇବାକୁ ବାଘ ଆସେ ନାହିଁ ?

 

ଧେତ୍ । ଏଠି ବାଘ କେଉଁଠୁ ଆସିବ ! ଲୋକେ ଯିବା ଆସିବା କରୁଛନ୍ତି । ଏମିତି ଡରିଲେ ଚଳିବ ? ବିଭାବସୁ ହସିଲେ ।

 

—ଆଚ୍ଛା କୁନି ଅପା, ମହାଭାରତ ରଚୟିତା ପରା କବି ବ୍ୟାସଦେବ ? ମାମି ପଚାରିଲା ।

 

—ହଁ, ଆମର ଶ୍ରେଷ୍ଠ ଗ୍ରନ୍ଥ ମହାଭାରତକୁ ସେ ଲେଖି ଯାଇଛନ୍ତି । କୁମାରୀ କନ୍ୟା ସତ୍ୟବତୀ ତାଙ୍କ ମା’ ନାଁ ? ବିଦ୍ରୂପ କଣ୍ଠରେ କହି, ହସିଲେ ବିଭାବସୁ ।

 

ଆପଣ ପ୍ରଥମେ ‘ଭଲ’ ଜିନିଷକୁ ନ ଦେଖି, ‘ଖରାପ’ ଜିନିଷକୁ କାହିଁକି ଦେଖୁଛନ୍ତି ? ଈଷତ୍ ବିରକ୍ତ ହୋଇ ଉଠିଲା କମଳ । ତା’ପରେ କହିଲା, କିଏ ସତୀ ? କିଏ ବା ଅସତୀ ? ସାଧାରଣତଃ ଧନୀଘର ଝିଅ ବୋହୂମାନେ ସତୀ ଓ ଗରିବ ଘରର ଝିଅ ବୋହୂମାନେ ଅସତୀର ଆଖ୍ୟା ପାଇଥାନ୍ତି । ଯେଉଁ ଦେଶରେ ଏଇ ମନୋବୃତ୍ତି ରହିଆସିଛି ସେଠି ସତ୍ୟବତୀ ପରି କୁମାରୀ କନ୍ୟା ବରଂ ଢେର ଭଲ । ଅନ୍ତତଃ‌ ମହାକବି ‘ବ୍ୟାସ’ମାନେ ତ ଜନ୍ମି ପାରନ୍ତେ !

 

—ତମେ ରାଗି ଯାଉଛ କାହିଁକି ? ବିଭାବସୁ ହସିଲେ ।

 

—ନାଁ, ରାଗୁନାହିଁ । ତେବେ ପ୍ରତ୍ୟେକ ମଣିଷ ‘ଭଲ’କୁ ହିଁ ଦେଖିବା ଉଚିତ୍ ।

 

—କିନ୍ତୁ ସମସ୍ତଙ୍କ ଦ୍ୱାରା ତ ତାହା ହେବ ନାହିଁ କୁନି ଅପା !

 

—ହେବ ମାମି ହେବ । ଚେଷ୍ଟା କଲେ ହେବ । ଅଭ୍ୟାସ କଲେ ହେବ ।

 

—ଏ’ତ କେବଳ ଆଦର୍ଶ । ବିଭାବସୁ ପୂର୍ବ ପରି ହିଁ ହସୁଥିଲେ ।

 

—ବ୍ୟାସଦେବ ମହାଜ୍ଞାନୀ ଥିଲେ ନା ? ମାମି ପଚାରିଲା । ବିଭାବସୁଙ୍କ କଥାର ଉତ୍ତର ଦେଇ ଜଲି କହିଲା, ନିଜେ ଆଦର୍ଶବାଦୀ କି ନା ! ତେଣୁ ଆଦର୍ଶବାଦର କଥା କହିବା ତ ସ୍ଵାଭାବିକ-!

 

କମଳ କିନ୍ତୁ ଏସବୁ କଥାକୁ ସତେ ଯେପରି ଶୁଣିପାରିଲା ନାହିଁ । ସେ ଉତ୍‌ଫୁଲ ହୋଇ ଉଠିଲା ପରି ମାମିକୁ ଚାହିଁ କହିଲା, ଜ୍ଞାନୀ ନଥିଲେ ତ, ପୁଣି ମହାଭାରତ ପରି ଗ୍ରନ୍ଥ ଲେଖି ଯାଇଛନ୍ତି କେମିତି ?

 

–ଜ୍ଞାନୀ ହେଲେ ସେ ଗ୍ରନ୍ଥ ଲେଖି ଦେବେ ଏହାର କୌଣସି ମାନେ ନାହିଁ । ବ୍ୟାସଦେବ ଏକାଧାରରେ ଜ୍ଞାନୀ, ପଣ୍ଡିତ ଓ କବି ଥିଲେ । ବିଭାବସୁ ସହଜ ଭାବରେ କହିଲେ ।

 

—ବ୍ୟାସଦେବଙ୍କ ନାଁରେ ଏକ ତାତ୍ପର୍ଯ୍ୟ ଅଛି, ଜାଣନ୍ତି କମଳ ସ୍ମିତ ହସିଲା ।

 

—ନାଁ, କୁହତ । ବିଭାବସୁ ଆଗ୍ରହ ପ୍ରକାଶ କଲେ ।

 

—କ’ଣ ଅଛି କୁନିଅପା ? ମାମି କମଳ ପାଖକୁ ଲାଗି ଆସିଲା ।

 

—ଜ୍ୟାମିତିରେ ବ୍ୟାସ ପଢ଼ିନାହଁ ?

 

—ଜ୍ୟାମିତି ପାଠର ବ୍ୟାସ ଆଉ ମହାଭାରତର ରଚୟିତା କବି ବ୍ୟାସ କଥା ଯେପରି ଏକ୍‍ ବାର ନାପସନ୍ଦ, ସେହିଭଳି ଭାବରେ ହସି ଉଠିଲେ ବିଭାବସୁ ।

 

ପିଲାଙ୍କ ହସରେ ବୟସ୍କମାନେ ଧ୍ୟାନ ନ ଦେଇ କହିଲା ଭଳି କମଳ କହିଲା, ଆପଣ ନ ବୁଝି କେବଳ ହସୁଛନ୍ତି ।

 

—ଜ୍ୟାମିତିର ବ୍ୟାସ ଆଉ କବି ବ୍ୟାସ କ’ଣ ଏକା ??? ମାମି ପ୍ରଶ୍ନ କଲା ।

—ପ୍ରାୟ ଏକ, ନିର୍ଲିପ୍ତ କଣ୍ଠସ୍ୱର କମଳର ।

—କିପରି ? ବୁଝାଇଲେ ? ବିଭାବସୁ ନିଜ କୋର୍ଟକୁ ତଳକୁ ଟାଣି ସଜାଡ଼ି ନେଲାପରି କଲେ ।

—ବ୍ୟାସର ଅର୍ଥ ଜାଣିଛ ? ମାମିକୁ ଚାହିଁଲା କମଳ ।

—ଏଟା କିଏ ଜାଣି ନାହିଁ ଯେ ? ଜଲି ହସିଲା, ତା’ପରେ କହିଲା କେନ୍ଦ୍ର ବିନ୍ଦୁ, ଭେଦ କରି ଉଭୟ ଦିଗରେ ପରିଧି ପର୍ଯ୍ୟନ୍ତ ବିସ୍ତୃତ ରେଖାର ନାମ ହିଁ ତ ବ୍ୟାସ ।

—ବେଶ୍ ! ବୟସ୍କଭଳି ମୁଖ କରି କମଳ କହିଲା, ବ୍ରହ୍ମକେନ୍ଦ୍ର, ‘‘ବେଦ’’ ଭେଦକରି, ସମତଳ ଓ ଊର୍ଦ୍ଧ୍ଵ ଲମ୍ବ ରେଖା ରୁପେ ବ୍ରହ୍ମା—ପରିଧି ପର୍ଯ୍ୟନ୍ତ ବିସ୍ତୃତ ହୋଇ ଯିଏ ଚାରିଟି ସମକୋଣରେ ସେଇ କେନ୍ଦ୍ର, ବା ପରିଧିକି ବିଭାଗ କରିଛନ୍ତି—ସେହି ହଁ ବ୍ୟାସ ।

‘ସେହି ହିଁ ବ୍ୟାସ’–ଉଚ୍ଚାରଣ କଲା ଜଲି । କମଳର କଥା ଠିକ୍ ଭାବରେ ବୁଝି ନପାରି ସେ ବିସ୍ମିତ ହୋଇଛି ।

—ହଁ ସେହି ହିଁ ‘ବ୍ୟାସ’ ଜଲି । ଏପଟୁ ଦେଖିଲେ ପାଠ, ସେ ପଟୁ ଦେଖିଲେ ଜ୍ଞାନ ।

—ସେ ଯେଉଁ ଚାରୋଟି ସମକୋଣରେ ସେହି କେନ୍ଦ୍ର ବା ପରିଧିକି ବିଭାଗ କଲେ ବୋଲି କହିଲ ସେ କଣ ? ବିଭାବସୁ ବି ବିସ୍ମିତ ।

ବିଭାବସୁଙ୍କୁ ଚାହିଁ କମଳ ହସିଲା । କହିଲା, ଜଲି ଯାହା କହୁଥିଲା ତେବେ ସେଇକଥାଟାହିଁ କଣ ସତ ?

କମଳ ଯାହା କହିଲା ତା’ର ଅର୍ଥକୁ ଠିକ୍ ବୁଝି ପାରିଲେ ବିଭାବସୁ ଓ ଜଲି । ତେଣୁ ଦୁହେଁ ଏକ ସମୟରେ ହସି ଉଠିଲେ । ସେହି ହସିବା ଭିତରେ ବିଭାବସୁ କହିଲେ, ତମେ ମଧ୍ୟ ଜଲିପରି ମତେ ଭାବିଲଣି ନାଁ କ’ଣ ?

କମଳର ଏଥର ହସିବାର ପାଳି ।

—ଆଚ୍ଛା ପାଠ ପଢ଼ୁଛି ଯେ, ସମସ୍ତଙ୍କ ପରିହାସ ସହିବାକୁ ପଡ଼ୁଛି !

—ଏଥର କହତ କୁନି ତୋ’ କଥାତକ । ଜଲି ବ୍ୟସ୍ତହୋଇ ଉଠିଲା ।

କମଳ କହିଲା—ଚାରୋଟି ସମକୋଣ ଯାହା ସେଇଟା ହେଲା ଚାରି ‘ବେଦ’ । ଜୀବ, ଜ୍ଞାନ ବ୍ରହ୍ମକେନ୍ଦ୍ର ‘ବେଦ’କୁ ଭେଦକରି, ଚାରି ଭାଗରେ ଯଥା – ଋକ୍, ଯଜୁଃ, ସାମ ଓ ଅଥର୍ବ ବିଭକ୍ତ କରି, ତତ୍ତ୍ୱ–ଜ୍ଞାନ ବୁଝାଇଥିବାରୁ ହିଁ ‘ବେଦବ୍ୟାସ’ ବୋଲି ସେ ପରିଚିତ ହୋଇଛନ୍ତି । ସେଥି ଯୋଗୁଁହିଁ ସେ ସର୍ବଜ୍ଞ ।

ତା’ପରେ କମଳ ହସିଲା । ହସର ଆଭାରେ ତା’ର ସାରା ମୁହଁ ଟଳ ଟଳ ହୋଇ ଉଠିଲା । ଆଖିପୂରାଇ ହସୁ ହସୁ କହିଲା, ଆପଣମାନେ କାଲିକାର ପିଲା । ଏଥିରୁ କ’ଣ ବଝିବେ । ଚାଲନ୍ତୁ, ବୁଲିବା, ଫଟୋ ଉଠାଇବା ପରା ଜଲି ?

ଯାହା କୁହ କୁନିଅପା, ଏ ଈଶ୍ଵର–ତତ୍ତ୍ୱ–ଜ୍ଞାନ ବିଷୟରେ ତମେ ଏତେ କଥା ଜାଣ ଯେ, ତମ ପାଖରେ ପରାଜୟ ସ୍ଵୀକାର ଛଡ଼ା ଅନ୍ୟ ପଥ ନାହିଁ । ବୋଉବି ଏକଥା କହୁଥିଲା । ତେବେ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଏସବୁ କଥା ତମେ ଜାଣିଲ କିପରି ? ମନେ ରଖୁଛ ବା କିପରି ? –ମାମି ବିସ୍ମୟରେ ସତେ କି ବିମୂଢ଼ ହୋଇ ଯାଇଛି !

 

ଠିକ୍ ସେହି କଥାହିଁ ଭାବୁଥିଲେ ବିଭାବସୁ । ଆଉ ଥରେ ଗୀତା–ପାଠରୁ କମଳ ସହ ତର୍କ କରିଥିଲେ ସେ । ଆଜି ବି କମଳର ‘ବ୍ୟାସ’ ସମୀକ୍ଷା ଶୁଣିଲେ । କମଳ ବୟସରେ ଛୋଟ ହେଲେ ବି ଯଥେଷ୍ଟ ଜ୍ଞାନର ଅଧିକାରିଣୀ—ଏକଥା ମାନି ନେବାକୁ ତାଙ୍କର ଦ୍ୱିଧା ହେଲା ନାହିଁ ।

 

ସମସ୍ତେ ରାମ ସୀତା ମନ୍ଦିର ଅଭିମୁଖେ ଚାଲିଲେ ।

 

କମଳର ଜନ୍ମଦିନ । ତାକୁ କିଛି ଗୋଟିଏ ଉପହାର ଦେବାକଥା । ଏଇ କଥାକୁ ମନ ମଧ୍ୟରେ ହଠାତ୍ ଆବିଷ୍କାର କରି ଉଲ୍ଲସିତ ହେଲେ ବିଭାବସୁ । ହଁ, ନିଶ୍ଚୟ କିଛି ଗୋଟାଏ ଦେବାକୁ ହିଁ ହେବ ।

 

ସକାଳର ଘଟଣା ମନେ ପଡ଼ିଲା । କମଳର ରୁମାଲ ଉପହାର କଥା । ଗାଧୋଇ ସାରି ଲୁଗା ପିନ୍ଧି ମୁଣ୍ଡ କୁଣ୍ଡାଉଥିଲେ ବିଭାବସୁ । ସେ ଘରକୁ କମଳ ଆସିଥିଲା । ଓଠରେ, ମୁହଁରେ ଚାପା ହସର ଲହଡ଼ି । କମଳର ଆସିବା ଉଦ୍ଦେଶ୍ୟ ଥାଇପାରେ ଏ କଥା ବା ସେ ଭାବନ୍ତେ କାହିଁକି ? କମଳକୁ ଚାହିଁ ସେ ହସିଦେଲେ । କହିଥିଲେ, ଆଜି ତମ ଜନ୍ମଦିନ ପରା ? କ’ଣ ମିଳବ ଆମକୁ ?

 

—କଣ ମିଳବ ବୋଲି ଭାବୁଛନ୍ତି ?

 

—କିଛି ଗୋଟାଏ ବଢ଼ିଆ ଜିନିଷ । ବେଶ ଆନନ୍ଦ ଅନୁଭବ କରୁଥିଲେ ।

 

—ଭାରି ‘ଚମତ୍କାର’ ନା ? ପରିହାସର ହସରେ କମଳର ସାରା ମୁହଁ ଫାଟି ପଡ଼ୁଥିଲା । ବିଭାବସୁ ପ୍ରତି କଥାରେ ‘ଭାରି ଚମତ୍କାର’ କହନ୍ତି । ସେହି କଥାଟାକୁ ହିଁ ଓଲଟାଇ କହିଲା କମଳ ।

 

କମଳ କଥାର ତାତ୍ପର୍ଯ୍ୟ ବୁଝି ପାରିଲେ ବିଭାବସୁ । ହସରେ‌ ଫାଟି ପଡ଼ିଲେ । ହାତରେ ଘଣ୍ଟା ବାନ୍ଧିବେ ବୋଲି, ଟେବୁଲ ଆଡ଼କୁ ବୁଲି ପଡ଼ିଲେ । ଅତି ସନ୍ତର୍ପଣରେ ନିଜ ପଣତ କାନିତଳୁ ବାଁ ହାତକୁ କାଢ଼ି ଆଣି, ଟୁଲ ଉପରେ କିଛି ଗୋଟାଏ ଥୋଇ ଦେଲା କମଳ ।

 

ଘଣ୍ଟାରେ ଚାବି ଦେଇ ସାରି, ହାତରେ ବାନ୍ଧୁ ବାନ୍ଧୁ, ହସର ବନ୍ୟାରେ ଉଛୁଳି ପଡ଼ି ବିଭାବସୁ କମଳକୁ ଚାହିଁ କହିଲେ—କି, କ’ଣ ମିଳବ କହିଲ ନାହିଁ ଯେ ? ନିଜ ପାଟି କଥା ଯେଉଁ ମୁହୂର୍ତ୍ତରେ ଶେଷ ହୋଇ ଯାଇଛି ଠିକ ସେତିକି ବେଳେ ବିଭାବସୁ ଆନନ୍ଦରେ ଏକ ଅସ୍ଫୁଟ ଚିତ୍କାର କରି ଉଠିଲେ ।

 

—ଆରେ, ବାଃ…ଏତେ ଖୁସି କହି, କମଳ ସେ ଘରୁ ସହସା ଅନ୍ତର୍ହିତ ହେଲା ।

 

ମୁଗ୍‌ଧ ହୋଇ ବିଭାବସୁ ଅନାଇ ଥିଲେ । ହାତରେ ଆଉଁସୁ ଥିଲେ । ମୁହଁରେ ଆଣି ଚାପି ଧରୁଥିଲେ ।

 

କମଳ ତା’ ଜନ୍ମଦିନରେ ତାଙ୍କୁ ଉପହାର ଦେଇଛି—ସୂକ୍ଷ୍ମ–ସୂଚୀ–କାର୍ଯ୍ୟର ଏକ ସୁନ୍ଦର ଧଳା ରୁମାଲ । ରୁମାଲ ଏପରି ଭାବରେ ଭଙ୍ଗା ହୋଇଛି, ରୁମାଲର ଏକ କୋଣରେ ଚିତ୍ରିତ ଦରଫୁଟା ପଦ୍ମ ଫୁଲଟି, ଉପରକୁ ଅଛି । ଦରଫୁଟା ପଦ୍ମ ଉପରକୁ, ଆଉ ସେହି କନା ଉପର ଏମ୍ବ୍ରୟଡ଼ରିର ପଦ୍ମ ଉପରେ ସଜ ଫୁଟା ସ୍ଥଳ–ପଦ୍ମ–ଗୁଚ୍ଛ । ବାଁ ପଟକୁ ସୂର୍ଯ୍ୟଙ୍କ ଚିତ୍ର ବୁଣା ଯାଇଛି ।

 

ପଦ୍ମର ଅପର ନାମ କମଳ । ପଦ୍ମ ପାଖୁଡ଼ାକୁ ହାତରେ ସ୍ପର୍ଶ କରୁ କରୁ ଏକ ଅନନୁଭୂତ କମ୍ପନରେ ସେ ଥରି ଉଠିଲେ । ପଦ୍ମ–ଗୁଚ୍ଛକୁ ନାକ ସମ୍ମୁଖରେ ଧରି, ଖୁବ୍ ଜୋର୍‌ରେ ଆଘ୍ରାଣ କଲେ ବିଭାବସୁ । ତାଙ୍କର ମନେ ହେଲା, କମଳକୁ ନୁହେଁ’, ‘କମଳ’କୁ ହିଁ ସେ ଯେପରି ଆଘ୍ରାଣ କରୁଛନ୍ତି ।

 

—ଧ୍ୟାନ ଭାଙ୍ଗିବ ନାହିଁ କି ? ମାଉସୀ ଡାକୁଛନ୍ତି । ବିଭାବସୁ କମଳକୁ ଚାହିଁଲେ । କମଳର ହସିଲା ହସିଲା ଟଣା ଟଣା ଉଜ୍ୱଳ ଆଖି ଆଜି ଖୁବ୍ ଚମତ୍କାର ଦିଶୁଛି ।

 

କମଳ ଚାଲିଗଲା ।

 

—ତମେ ତ ଧ୍ୟାନମଗ୍ନ କରାଇ ଦେଇଗଲ । କହିବାକୁ ଯାଉ ଯାଉ ବିଭାବସୁ କହପାରିଲେ ନାହିଁ । କମଳ ସେଠି ନଥିଲା !

 

କମଳକୁ କ’ଣ ଉପହାର ଦେବେ ବୋଲି ଅନେକ ଭାବିଲେ ବିଭାବସୁ । ଯେତେ ଜିନିଷ କଥା ଭାବିଲେ, କୌଣସିଥିରେ ତାଙ୍କର ମନ ମାନିଲା ନାହିଁ । ତାଙ୍କ ଭାବନାର ପରିସମାପ୍ତି ହେଲା ବେଦବ୍ୟାସ ପାହାଡ଼ରେ । ସେ ଠିକ୍ କରି ନେଲେ କମଳକୁ କ’ଣ ଦେବେ ।

 

ବେଦବ୍ୟାସରୁ ଫେରି ଆସି ସମସ୍ତେ ମାଡ୍ରାସ କ୍ୟାଣ୍ଟିନରେ ଖାଇଲେ । ଜଲି କହିଲା; ବର୍ତ୍ତମାନ ବୋଉ ଶୋଇଥିବ ନଚେତ୍ ଶୋଇ ଉଠିଥିବ । ଘରେ ପହଞ୍ଚି କୁନି ହାତ ତିଆରି କପେ ଚା’ ଖାଇବାଠାରୁ, ବିଭାସ ଭାଇଙ୍କ ଦୋଷା ଖାଇବା ଉତ୍ତମ ।

 

ନିଜର ଖାଇବା ଶୀଘ୍ର ଶେଷ କରିନେଇ ବିଭାବସୁ ଉଠି ପଡ଼ିଲେ‌ । ଏଇଠୁ ଆସୁଛି, ତମେମାନେ ଖାଉଥାଅ–ଜଲିକୁ ଚାହିଁ କହି, ସେ ଦ୍ରୁତ ପଦରେ ଚାଲି ଆସି ସେଠୁ ପାଞ୍ଚ ନମ୍ବର ମାର୍କେଟକୁ ଯାଇ ନିଜର ଇପ୍‌ସିତ୍ ବସ୍ତୁ ଓ ପାନ ଚାରିଖଣ୍ଡ ଆଣି ଫେରି ଆସିଲେ ।

 

ଜଲି ପାନ ଖଣ୍ଡକ ପାଟିରେ ଦେଉ ଦେଉ କହିଲା, ଓଃ ! ଏଇଥି ପାଇଁ ଯାଇଥିଲ ? ଏତେ ଡେରି ଯେ ! ତମେ ପାନ ଆଣିଲ ନାଁ ତମକୁ ପାନ ଆଣିଲା ।

 

—ଯୁଗ ଅନୁସାରେ ଯିଏ ଯାହାକୁ ଆଣି ପାରୁ–ବିଭାବସୁ ହସନ୍ତ ଗଳାରେ କହିଲେ ।

 

ମାମିକୁ‌ ତାଙ୍କ ଘରେ ଛାଡ଼ି, ତିନିଜଣ ଘରକୁ ଫେରି ଦେଖିଲେ ଜଲି କଥାହିଁ ଠିକ୍ ।

 

ସନ୍ଧ୍ୟା ପରେ ପରେ ବହି ଖଣ୍ଡେ ମେଲେଇ, ବସି ପଡ଼ିଲା ଜଲି । ହାଇ ଉପରେ ହାଇ ଆସି ଜଲି ଆଖିରେ ଖାଲି ପାଣି ଭର୍ତ୍ତୀ ହୋଇ ଯାଉଥିଲା ।

 

ଝୁଣା ଦାନୀ ଉପରେ କାଗଜ ପଟାଟାକୁ ହଲାଉ ହଲାଉ କମଳ କହିଲା ମିଛଟାରେ ବହିଟାଏ ଧରି ବସିଛୁ କାହିଁକି ? ଯା— । ଶୋଇ–ପଡ଼ିବୁ ଯା—

 

—ମୁଁ ଯଦି ଫେଲ୍ ହୁଏ ତେବେ ତୋରି ପାଇଁ । ଜଲି କଥାରେ ହସିଲା କମଳ । ଆମରି ପାଇଁ ନାଁ । ତେନ୍ତୁଳି ମଞ୍ଜି ପରି ଘଣ୍ଟା ପାଇଁ ?

 

—ସେ ଖିଁ ଖିଁ ହସ ମୋତେ ଭଲ ଲାଗେ ନାହିଁ । ଉତୁରି ଆସୁଥିବା ହସକୁ ଚାପି ରଖିଥିଲା ଜଲି ।

 

—ଭଲ ଲାଗେ ନାହିଁ ବୋଲି ଜାଣେ ଯେ–ଟିକିଏ ରହିଯାଇ କମଳ ପୁଣି ହସୁ ହସୁ କହିଲା, ସେଇଥି ପାଇଁ ତ କହୁଛି ଯା ଶୋଇ ପଡ଼ିବୁ ବୋଲି ।

 

ବାପା ଗାଳି ଦେବେ । ଶାଲ୍‍ଟାକୁ ପୁଣି ଥରେ ଭଲକରି ଦେହରେ ଗୁଡ଼ାଇ ନେଲା ଜଲି-

 

—ଆଜି ତୁ କ୍ଳାନ୍ତ ବୋଲି ମଉସା ବୁଝିବେ ଯେ ।

 

—ତୋ ମଉସା ବୁଝନ୍ତୁ କି ନ ବୁଝନ୍ତୁ, ତୁ ବୁଝିବୁ । ତତେ ବୁଝେଇ ଦେଇ ମୁଁ ବାବା, ନିଶ୍ଚିନ୍ତ ହେଲି । ଜଲି ଖୁସି ହୋଇ ନିଜ ବିଛଣାରେ ଶୋଇ ପଡ଼ିଲା । ରେଜେଇକୁ ଘୋଡ଼ି ହେଉ ହେଉ କହିଲା, ମୁଁ ଶୋଇଲି । ତୁ ଦାୟୀ ରହିଲୁ ।

 

—ହଁ ! ହସୁ ହସୁ କମଳ ଝୁଣା ଦାନୀ ନେଇ ଚାଲିଗଲା ।

 

ସବୁଘରେ ଝୁଣା ଧୂଆଁ ବୁଲେଇ ଦେଇ ଫେରିଆସିଲା । ଜଲି ଶୋଇ ପଡ଼ିଲାଣି । କ୍ଳାନ୍ତ ଲାଗୁଛି । କିଛି କରିବାକୁ ଇଛା ହେଉନାହଁ । ଶୋଇଲେ ଯେ ନିଦ ଆସିବ ତା’ବି ନୁହେଁ । ପୁଣି ଶୋଇ ସାରି ଉଠି ଖାଇବା ବି ତା’ ପକ୍ଷେ ଅତ୍ୟନ୍ତ କଷ୍ଟକର କଥା । ଉଠି ନ ଖାଇଲେ ମଉସା ନିଜେ ଆସି ହାତଧରି ଟାଣିବେ । ତା’ ଅପେକ୍ଷା ଖିଆପିଆ ଯାଏ ଚିଆଁଇବା ବରଂ ଭଲ ।

 

ବିଛଣାରେ ଶୋଉ ଶୋଉ ଯେଉଁମାନଙ୍କୁ ନିଦ ଆସିଯାଏ, ସେମାନଙ୍କ ଭିତରେ କମଳ ନାହିଁ । ବିଛଣାରେ ଅନେକ ସମୟ ଧରି ନିଦକୁ ଅପେକ୍ଷା କରିବାକୁ ପଡ଼େ । ଜଲି ସଙ୍ଗେ ସଙ୍ଗେ ଶୋଇ ଗଲାଣି ।

 

ଗପ କି କବିତାଟାଏ ଲେଖିଲେ କେମିତ ହୁଅନ୍ତା ?? ନାଁ ଭାରି ହାଲିଆ ଲାଗୁଛି । ଲେଖିବା ସମ୍ଭବ ନୁହେଁ ।

 

ବିଭାବସୁ ଶୋଇ ପଡ଼ିଲେଣି ବୋଧେ । ଆଜି ବି ଭାରି ଶୀତ ହେଉଛି । ଶାଲ୍‍ଟାକୁ ଦେହରେ ଭଲ କରି ଗୁଡ଼େଇ ନେଲା ।

 

କ୍ଳାନ୍ତି ଓ ଶ୍ରାନ୍ତିରେ ମନଟା ପୂର୍ଣ୍ଣ ହୋଇ ଯାଇଛି । କେମିତି କେମିତି ଲାଗୁଛି । ହଠାତ୍ ମନଟା ଏପରି କାହିଁକି ହୋଇଗଲା ? କମଳ ବୁଝି ପାରୁ ନଥୁଲା । ଜଲି ଶୋଇ ନ ଥିଲେ ତା’ ସହ ଗପ କରା‌ ଯାଇଥାନ୍ତା ।

 

ଜଲି ନିଘୋଡ଼ ନିଦରେ ଶୋଇ ଗଲାଣି । ନିଦର ନିଝୁମତା । ତା ନିଶ୍ୱାସରୁ ଜଣା ପଡ଼ୁଛି-

 

—କ’ଣ ନିଦ ମାଡ଼ିଲାଣି ? ପର୍ଦ୍ଦା ଠେଲି ଭିତରକୁ ସହାସ୍ୟ ବଦନରେ ପଶି ଆସିଲେ ବିଭାବସୁ ।

 

—ନାଁ, ମତେ ଏତେ ଶୀଘ୍ର ନିଦ ହୁଏ ନାହିଁ । କମଳ ଠିଆ ହେଉ ହେଉ, ପତଳା ଦୁଇଟା ଓଠକୁ ଈଷତ୍ ଭାଙ୍ଗି ହସିଲା । ତାର ସାଦା ସୁନ୍ଦର ଦାନ୍ତ ଗୁଡ଼ିକ ଦେଖା ଗଲା ସ୍ପଷ୍ଟ ଭାବରେ-। ଡାଳିମ୍ବ ମଞ୍ଜି ପରି ତାର ଦାନ୍ତ ।

 

ବିଭାବସୁ କମଳର ସୁନ୍ଦର ହାସ୍ୟ ଟିକିକକୁ ଚକ୍ଷୁଭରି ଦେଖୁଥିଲେ । ଏମିତି ଠିଆ ହୋଇ ରହିଲେ ଯେ ? ବସନ୍ତୁ ! ପାଖ ଚୌକିକି ମୁହଁର ଇଙ୍ଗିତରେ ଜଣାଇଲା କମଳ ।

 

ବିଭାବସୁ ଚୌକିରେ ବସୁ ବସୁ କହିଲେ, ସାର୍ ଆସିଲେ ଛାତ୍ର ଛାତ୍ରୀମାନେ ଯେପରି ବସିବା ସ୍ଥାନରୁ ଉଠି ଠିଆହୋଇ ପଡ଼ନ୍ତି, ତମେ ସେମିତି ଉଠି ଠିଆ ହୋଇ ପଡ଼ୁଛ ଯେ ।

 

କମଳ ନିରୁତ୍ତର ହେଲା । ନିଶବ୍ଦ ହସ ହସି ବସି ପଡ଼ିଲା ।

 

—ତମର ପାଣ୍ଡୁ ଲିପିକୁ ପଢ଼ି ଦେଇଛି । ଗଳ୍ପଗୁଡ଼ିକ ଭାରି ଚମତ୍କାର । ସତେ ! ଏମିତି ଚମତ୍କାର ଗଳ୍ପ ତମେ ଲେଖ କେମିତି କମଳ ?

 

କ’ଣ କହିବାକୁ ଯାଇ ହସି ପକେଇଲା କମଳ । ବିଭାବସୁଙ୍କର ଏଇ ‘ଭାରି ଚମତ୍କାର’ ଶୁଣିଲେ ହିଁ ତାକୁ ହସ ଲାଗେ ।

 

–ହସିଲ ଯେ ! ଅପ୍ରସ୍ତୁତ ହେଲେ ବିଭାବସୁ ।

 

–ଏଇ ଆପଣଙ୍କ କଥାରେ । କି’ ଗପ ଯେ–ଆପଣ ଏତେ ଚମତ୍କାର ଚମତ୍କାର ହେଉଛନ୍ତି ।

 

–ନିଜକୁ ନ୍ୟୁନ କରନ୍ତି କେବଳ ମହତମାନେ ।

 

କମଳ ଲକ୍ଷ କଲା, ବିଭାବସୁ ଉଦାସୀଆ ଦିଶୁଛନ୍ତି । ସେ କ୍ଳାନ୍ତ‌ ହୋଇ ପଡ଼ିଛନ୍ତି ବୋଲି ତାର ମନେ ହେଲା ।

 

ତମ ରୁମାଲଟି ମୋ ପାଖରେ ଆଜୀବନ ରହିବ କମଳ । ତମ ‌ପୁଷ୍ପ ଗୁଚ୍ଛଟିକୁ ମୁଁ ସୁଟକେଶ ଭିତରେ ରଖି ଦେଇଛି ।

 

ବିଭାବସୁଙ୍କ କଥାରେ ପିଲାଳିଆ ଢଙ୍ଗ ଥିଲେ ବି ହସି ପାରିଲା ନାହିଁ କମଳ । ସହଜ ଭାବରେ କହିଲା, ଫୁଲ ତ ଶୁଖିଯିବ । ଆଉ ରୁମାଲକୁତ ମୁଁ ରଖିବାକୁ ଦେଇ ନାହିଁ । ବ୍ୟବହାର କରିବେ—

 

ନାଁ ! ମୁଁ ତାକୁ ସାଇତି ରଖିବି କମଳ ! ଦେଖୁଥିବି ସାଇତି ରଖିଥିବି । ବିଭାବସୁଙ୍କ ସ୍ଵରରେ ଭାବପ୍ରବଣତାର ଚିହ୍ନି ବାରି ହୋଇ ପଡ଼ୁଥିଲା ।

 

କମଳ କହିଲା, ରୁମାଲ ଖଣ୍ଡେତ ।

 

—ତମ ପାଖରେ ଯାହା ଅତି ହେୟ, ମୋ ପାଖରେ ତାହା ଅତି ମୂଲ୍ୟବାନ ।

 

କମଳ ମୁହଁର ରଙ୍ଗ ବଦଳି ଗଲା । ବିଭାବସୁଙ୍କ ସ୍ଵ ରରେ, କଥାରେ କ’ଣ ଥିଲା କେଜାଣି, ତା’ ମନରେ ଅସ୍ଥିରତା, ଛାତି ତଳେ‌ କମ୍ପନ ସୃଷ୍ଟି ହେଲା । ସ୍ଥିର ହୋଇ ପଡ଼ିଲି ସେ ! ଯେମିତ ତାର ଚେତନାକୁ ସେ ଖୁବ୍ ଅସ୍ପଷ୍ଟ ଭାବରେ ଅନୁଭବ କରୁଛି । ବିଭାବସୁଙ୍କ ମୁଖ ନିସୃତ ‘‘ମୋ ପାଖରେ ତାହା ଅତି ମୂଲ୍ୟବାନ’ କଥାଟାକୁ ବୁଝି ମଧ୍ୟ ଯେପରି ବୁଝି ପାରୁ ନଥିଲା ସିଏ । ତାର ଆଖି ସାମ୍ନା । କାନ୍ଥରେ ନିବଦ୍ଧ ଥିଲେ ବି ତାର ଦୃଷ୍ଟି ଶୂନ୍ୟରେ ହିଁ ହଜି ଯାଇଥିଲା ।

 

ଠିକ୍ ଏହି ସମୟରେ, କମଳର ଅଲକ୍ଷ୍ୟରେ ବିଭାବସୁ ନିଜ ହାତ ମୁଠାଟି କମଳର କୋଳ ଉପରେ ଖୋଲି ଦେଲେ । ତାପରେ ଅତି‌ ସତର୍କରେ ହାତଟାକୁ ନେଇ ଆସୁ ଆସୁ କହିଲେ, ଆରେ ବାଃ ତମର ଆଜି ଖୁବ ଶୁଭଦିନ ! ଦେଖନା, ରାତିଟାରେ ଦେହରେ ଆସି ପ୍ରଜାପତି ବସୁଛି–’

 

କମଳ ବିଭାବସୁଙ୍କ ଆଖିରେ ଆଖି ମିଳାଇଲା । ତାପରେ ନିଜ ‌କୋଳ ଉପରକୁ ଆଖି ନୁଆଇଁ ଆଣିଲା । ତା’ କୋଳରେ ଗୋଟେ ପ୍ରଜାପତି ! କେତୋଟି ମୁହୂର୍ତ୍ତ ଲାଗି ବିହ୍ୱଳ ହୋଇ ପଡ଼ିଲା କମଳ । ସେ‌ ପ୍ରଥମେ ବୁଝି ପାରିଲା ନାହିଁ, ପରେ ବୁଝିପାରି ଈଷତ୍ ହସିଲା । ଆସ୍ତେ କରି ଡାହାଣ ହାତରେ ସେଇ ପ୍ରଜାପତଟିକୁ ତୋଳିନେଲା ।

 

ସୁନା ପାଣିଢ଼ଳା ସୁନ୍ଦର ଏକ ପ୍ରଜାପତି ! !

 

ଅବିକଳ ପ୍ରଜାପତିଟିଏ ପରି ଦିଶୁଛୁ । ଆଖିରେ ସବୁଜ ରଙ୍ଗର ଦୁଇଟି କାଚ ବସିଛି । କମଳର ମନେ ହେଲା, ସତରେ ହିଁ ଯେମିତି ଛୋଟ ଏକ ସୁନ୍ଦର ପ୍ରଜାପତି ତା ହାତ ପାପୁଲିରେ ଆସି ବସିଛି ।

 

ବିଭାବସୁ କମଳର ମୁହଁକୁ ଦେଖୁଥିଲେ । କମଳର ବିସ୍ମୟ ପୁଲକ, ଖୁସି ଓ ଆନନ୍ଦକୁ ଅନୁଭବ କରିବା ପାଇଁ ସେ ନିଷ୍ପଲକ ନୟନରେ ମୁହୂର୍ତ୍ତ ଗଣୁଥିଲେ ।

 

କମଳ ମୁହଁ ଟେକିଲା । କ’ଣ କହିବ ବୋଲି ଯେପରି କିଛି‌ ଭାବିଲା । ହଠାତ୍ ତାର କ’ଣ ମନେ ପଡ଼ିଗଲା ! ମୁହଁରେ ଚାପା ହସ ନଇଁ ଆସିଲା । କହିଲା, ‘ଭାରି ଚମତ୍କାର ସତେ’ । ଅବିକଳ ବିଭାବସୁଙ୍କ‌ କହିବାର ଭଙ୍ଗୀକୁ ନକଲ କରି ନେଲା କମଳ ।

 

ତା’ପରେ ଦୁହେଁ ଏକ ସମୟରେ ମୃଦୁ କଣ୍ଠରେ ହସି‌ ଉଠିଲେ ।

 

ସନ୍ଧ୍ୟାର ପ୍ରହର ଅନେକ ବେଳୁ ଗଡ଼ିଗଲାଣି । ଶୀତର ପ୍ରାବଲ୍ୟ ନେଇ, ସଞ୍ଜୁଆ ଗହଳ ଚହଳର କୌଣସି ଶବ୍ଦ ଆଉ ନାହିଁ । ବିଭାବସୁ ଡ୍ରଇଁ ରୁମ୍‌ର ସୋଫାଟାଏ ଉପରେ ବସି ପଡ଼ି ଝରକାକୁ ଉଦ୍ଦେଶ୍ୟହୀନ ଭାବେ ଚାହିଁ ରହିଲେ । ଏଇ ମାତ୍ର ସେ ଗରମ କୋର୍ଟ ଦେହରୁ ଛାଡ଼ିଲେ-। ଗଞ୍ଜି ଉପରେ ସାର୍ଟଟିଏ କେବଳ ଦେହରେ ଅଛି । ଅଥଚ କୌଣସି ଥଣ୍ଡା ତାଙ୍କୁ ଲାଗୁ ନାହିଁ-। ଏଥିରେ ସନ୍ଦେହ ନାହିଁ ଯେ ମନ ତାଙ୍କର ବିଚଳିତ ଅଛି ।

 

ସୋଫା ଟେବୁଲ୍ ଉପରେ ଗୋଡ଼ ଲମ୍ବେଇ ବସିଲେ ବିଭାବସୁ । ଝରକାର ପର୍ଦ୍ଦା ଉଡ଼ୁଛି-। ଦେଖାଯାଉଛି ବଗିଚାର କିଛି ଅଂଶ । ଚନ୍ଦ୍ର ଆକାଶର କେଉଁ କଣରେ କେଜାଣି ତାର ଜରିଜରିଆ କିରଣ କିନ୍ତୁ ଅଜାଡ଼ି ହୋଇ ଯାଇଛି ଝରକା, ସେ ପାଖେ । ମନ୍ଦାର ଗଛଟା ଦିଶୁଛି । ତାର ଗାଢ଼ ସବୁଜ ପତ୍ରଗୁଡ଼ିକ ଜହ୍ନ କିରଣରେ କେମିତି ଗୋଟାଏ ଚିକି ଚିକିଆ ଦିଶୁଛି । ଝରକାଟା ଆଜି ଖୋଲାଅଛି କାହିଁକି ? ଶୀତ ରାତିରେ ତ ଝରକା ଖୋଲାହେବାର କଥା ନୁହେଁ । ଖୋଲା ଝରକା ବାଟେ ଜହ୍ନ କିରଣ ଏମିତି ପଡ଼ିଛି ଯେ, ଘରଟା ସେହି ଆଲୋକରେ ଅସ୍ପଷ୍ଟ ଭାବରେ ବାରିହୋଇ ଯାଉଛି । ଘର ଅନ୍ଧାର କରି, ଏକୁଟିଆ ଚୁପ୍ ହୋଇ ବସି ସେହି ଜହ୍ନ ଆଲୁଅକୁ ଚାହିଁ ଚାହିଁ ସେ ଭାବୁଥିଲେ, ଅନେକ କିଛି ଭାବୁଥିଲେ ।

 

ବିଭାବସୁ କେବେ ବି ଏପରି ନିଶ୍ଚଳ ହୋଇ ବସି ନାହାନ୍ତି । ବସି ପାରନ୍ତି ନାହିଁ । ଏପରି ନିଶ୍ଚଳ ହୋଇ ବସି, ଭାବିପାରନ୍ତି ନାହିଁ । ବସି ବସି ଭାବିବାକୁ ଭଲ ଲାଗେ ନାହିଁ । ବରଂ କେହି ବସିଥିବାର ଦେଖିଲେ ହସି ଉଠନ୍ତି । କହନ୍ତି, କେମିତି ଏପରି ବସିରହିଛୁ ମତେ ଟିକେ ଶିଖେଇ ଦେଲୁ ! ସେ ସବୁଦିନେ ଗହଳଚହଳ ହାସ୍ୟ–ବିନୋଦ ମଧ୍ୟରେ ନିଜକୁ ହଜେଇ ଦିଅନ୍ତି । ଏମିତି ଭାବରେ ହଜି, ମଜ୍ଜେଇ ଦିଅନ୍ତି ଯେ ଆଉ ତାଙ୍କର ପତ୍ତା ମିଳେ ନାହିଁ ।

 

ଦୀର୍ଘଦିନ ଧରି ଏମିତି ନିଜକୁ ହଜେଇ ଦେଇ, ସେ ଯେପରି ଆଜି ଖୋଜି ପାଇଛନ୍ତି । ଏପରି ଭାବେ ଖୋଜି ପାଇଛନ୍ତି ଯେ, ତାଙ୍କର ସେହି ‘ମୁଁ’ ଟିକୁ ଦେଖି ସେ ନିଜେ ବିସ୍ମିତ ହୋଇ ଉଠୁଛନ୍ତି । ଆଜି ସେ ନିଜ ଭିତରେ ଚୁପ୍‌ ହୋଇ ବସିଛନ୍ତି । ସତେକି, ଅନେକ କିଛି କଥା କହିଯିବାର ଆକୁଳତାରେ ନିଶ୍ଚୁପ ।

 

ଘରସାରା ଆଜି ନିର୍ଜନ । କେହି କୁଆଡ଼େ ନାହିଁ । ସବୁଦିନ ପରି ଆଜି ରେଡ଼ିଓ ବାଜୁ ନାହିଁ । ଏଘର ସେଘର ବୁଲି ବୁଲି କୋଳାହଳ ସୃଷ୍ଟି କରୁଥିବା ଜଲିର ପାଟି ଶୁଭୁନାହିଁ । ସେପାଖ ଘରେ ଜଲି ଓ କମଳର କଥାବାର୍ତ୍ତା ଶବ୍ଦ ମଧ୍ୟ ନାହିଁ । ବାରଣ୍ଡାରୁ ଟୁଣ୍‌ଟାଣ୍‌ ବାସନର ଝଣ୍‌ଣ ଝଣ୍‌ଣ ଶବ୍ଦ ବି ନାହିଁ । ଅଥଚ ଏହି ନିର୍ଜନତା ଆଜି ତାଙ୍କୁ କିପରି ଅସ୍ୱାଭାବିକ କରି ଦେଇଛି । ଏଇ କେତେଦିନ ଧରି ନୂତନ ଢାଞ୍ଚାରେ ତାଙ୍କର ଭାବନା ଯେ ଶାଖାପ୍ରଶାଖା ମେଲି ବିଚ୍ଛୁରିତ ହୋଇ ପଡ଼ିଛି ଏବଂ ଶାଖାପ୍ରଶାଖର ପତ୍ର ଗହଳରେ ବସି, ହଳଦୀ ବସନ୍ତଟିଏ ତରଙ୍ଗ ତରଙ୍ଗ ହୋଇ ଚତୁର୍ଦ୍ଦିଗକୁ ଚାହିଁ, କୁଳୁରୁ କୁଳୁରୁ ହେଉଛି, ଏହା ସେ ଗଭୀର ଭାବରେ ଅନୁଭବ କରୁଛନ୍ତି ।

 

ବିଭାବସୁ ମନେ ମନେ ହସିଲେ । ହଳଦୀ ବସନ୍ତ ? ଏ ହଳଦୀ ବସନ୍ତଟି କଏ ? ପୃଥିବୀରେ ବସନ୍ତ ଋତୁ ରାଜୁତି କଲେ, ହଳଦୀ ବସନ୍ତ ଏଡ଼ାଳ ସେଡ଼ାଳ ଉଡ଼ିବୁଲେ । ଅଥଚ ବସନ୍ତ ନ ଆସି ଯେଉଁ ହଳଦୀ ବସନ୍ତ, ଛାତି ଭିତରେ ଏଡ଼ାଳରୁ ସେଡ଼ାଳ ହୁଏ ଆଉ ମନ, ଅବୋଧ ବାଳକ ପରି ତା’ ପଛେ ପଛେ ଧାଏଁ । କିଏ ସେହି ହଳଦୀ ବସନ୍ତ ? ପ୍ରେମ ନାଁ । ପ୍ରେମିକା ? କିଏ-?

 

ଏଥର ତାଙ୍କ ଓଠ ଧାରରେ ନିଃଶବ୍ଦ ହସ ଖେଳିଗଲା । ସଞ୍ଜ ପ୍ରହରଟାରେ ଅଳସ ମନ ଏହିପରି ନିର୍ଜନତାରେ ବି ଅଥୟ ହେଉଛି । ମନେ ହେଉଛି ଏଇ ନିର୍ଜନତା, ଏଇ ନିଶ୍ଚୁପ ବାତାବରଣ ଭିତରେ, ଏଇ ରାକା, ଏଇ ପତ୍ର–ମର୍ମର ଯେପରି କହୁଛି, ବନ୍ଧୁ ସଜଳ ସଞ୍ଜକୁ ନଷ୍ଟ କରି ଦିଅ ନାହିଁ । ଭାଷା ଦିଅ, ଗୀତ ଦିଅ, ରଙ୍ଗ ଦିଅ । ଏ ଯେ ଚମତ୍କାର ଏକ ଅନବଦ୍ୟ ଲଗ୍ନ ।

 

ଆଜି ସନ୍ଧ୍ୟାରେ, ବାହାରେ ଟିକିଏ ବୁଲି ଆସି ଗେଟ୍ ଖୋଲି ଭିତରକୁ ପଶିଲା ବେଳକୁ, ମାମୁ ମାଇଁ ଓ ଜଲି ବାରଣ୍ଡାରୁ ତଳକୁ ଓହ୍ଲାଇ ଆସୁଛନ୍ତି । ସମସ୍ତେ ପୋଷାକ ପତ୍ର ପିନ୍ଧି ଏକଦମ୍ ଫିଟ୍‌ଫାଟ୍‌ । ତାଙ୍କୁ ଦେଖୁ ଦେଖୁ ମାମୁ କହିଉଠିଲେ, ଆଜି ଚାନ୍ଦବାବୁଙ୍କ ଘରେ ନିମନ୍ତ୍ରଣ । ତାଙ୍କ ପୁଅର ଜନ୍ମଦିନ । ନଗଲେ ନଚଳେ । ସ୍ଵାମୀ ସ୍ତ୍ରୀ ଦୁହେଁ ଆସି ଡାକି ଯାଇଛନ୍ତି । ଯେତେ କହିଲେ ବି କମଳ ଯିବାପାଇଁ ରାଜି ହେଲା ନାହିଁ । ସେ ଘରେ ଏକା ଅଛି । ଆମେ ଚିନ୍ତିତ ଥିଲୁ । ତୁ’ ଆଉ ବାହାରକୁ ଯିବୁ ନାହିଁ ତ ?

 

ମାମୁଙ୍କ କଥା ନ ସରୁଣୁ ମାଇଁ କହିଲେ କୁନିର ସେହି ଗୋଟିଏ କଥା–‘ମୁ’ ଅଛି ବୋଲି ଯିବି କାହିଁକି । ମତେ ସେ ସବୁ ଭଲ ଲାଗେ ନାହିଁ । ସେମାନେ ତ ତାକୁ ବି କହିଛନ୍ତି ଯିବାକୁ ହେଲେ ସେ ଆଦୌ ରାଜି ହେଲା ନାହିଁ । ସେ କାଳେ ଏକୁଟିଆ ଭୟ ପାଇବ ବୋଲି ମୁଁ ଚିନ୍ତିତ ଥିଲି । ଯା ହେଉ, ତୁମେ ଆସିଗଲ । ଏ ଥଣ୍ଡାରେ ଆଉ ବାହାରକୁ ଯିବ କାହିଁକି ? ଘରେ ଥିବ । ଆମେ ଶୀଘ୍ର ଫେରି ଆସିବୁ ।

 

ବିଭାବସୁ କିଛି କହିବା ପୂର୍ବରୁ ସେମାନେ ଚାଲିଗଲେ । ଯିବାବେଳେ ଜଲି ଦୁଷ୍ଟ ହସ ହସି ଆଖିରେ ଇଙ୍ଗିତ କରିଦେଇ ଗଲା । ଭାରି ଫାଜିଲ୍‌ ହୋଇ ଗଲାଣି ସେ । ହସୁ ହସୁ ବିଭାବସୁ ବାରଣ୍ଡା ଉପରକୁ ଉଠିଆସିଲେ । ହଠାତ୍ ଘରଟା ତାଙ୍କୁ କିପରି ଅସ୍ୱାଭାବିକ ଲାଗିଲା । ସେ ଯେମିତି ଥତମତ ହୋଇଗଲେ ! ଘରେ କମଳ ଏକା ଅଛି । ଆଉ ବର୍ତ୍ତମାନ ସେ ବାହାରୁ ଆସିଲେ–ଭାବୁ ଭାବୁ ସେ ତରତର ହେଲାଭଳି ଡ୍ରଇଁରୁମ୍‌ରେ ଯାଇ ଠିଆହୋଇ ଗଲେ । ଚାରି ଆଡ଼ ତାଙ୍କୁ କେମିତି ଗୋଟାଏ ଶୂନଶାନ ଲାଗିଲା ।

 

ସେହି ନିଶୂନ ଘରେ କେତେ ସମୟ ସେମିତି ଠିଆହୋଇ ରହିଲେ ଥକ୍‌କା ହେଲା ପରି-! ମନର ଦୂରନ୍ତ ଆଶା, ଅଭିଳାଷ, ତାର ସ୍ଵକୀୟ ରଙ୍ଗରେ ଚିତ୍ର କରି ନେଉଛି ଯେପରି, ସବୁକିଛି, ଏଇ ଘରଦ୍ୱାର ଓ ବିଶେଷ ଉପଲକ୍ଷ୍ୟ ନେଇଥିବା ଏଇ ନିର୍ଜନତା ! ସବୁ ନୂଆ ଦିଶୁଛି ! ସବୁ ଦିନିଆଁ ସଞ୍ଜ ଯେପରି ଆଜି ନୁହେଁ । ସବୁ ଦିନର ଘର ବି ଆଜି ନୁହେଁ । ଆଜି ସବୁ ନିଆରା । ଅଲଗା-। ସ୍ଵତନ୍ତ୍ର ଓ ଅନନ୍ୟ ।

 

ବିଭାବସୁଙ୍କ ମନରେ କ’ଣ ଗୋଟାଏ ପ୍ରବଳ ବେଗରେ ବହି ଆସି, ପୁଣି ରୋକି ହୋଇ ଯାଉଥିଲା । ସେ ସେହିପରି ଠିଆ ହୋଇ ରହି, ନିଜ ଛାତିକୁ ସାଉଁଳିଲେ । ସିଗାରେଟ ଖଣ୍ଡେ ଖାଇବାକୁ ତାଙ୍କର ପ୍ରବଳ ଇଚ୍ଛା ହେଲା । ମନେ ପଡ଼ିଗଲା, କମଳ ବାରଣ କରିଛି । ନାଁ, ସେ ଖାଇବେ ନାହଁ ।

 

ହଠାତ୍ ସେ ଭାବିଲେ, କିନ୍ତୁ କାହିଁକି ସେ ଖାଇବେ ନାହିଁ ? କମଳ ମନା କରୁଛି ବୋଲି ସେ କାହିଁକି ସିଗାରେଟ୍ ଖାଇବେ ନାହିଁ ? କମଳ ତାଙ୍କର... ସେ ଆଉ ଆଗକୁ ଭାବି ପାରିଲେ ନାହିଁ । ‘କମଳ ତାଙ୍କର କିଏ’ ଏ କଥା ଯେପରି ସେ କୌଣସି ମତେ ଭାବି ପାରିଲେ ନାହିଁ । ନିଜ ଭିତରେ କିପରି ଏକ ଅସ୍ଥିରତା ଅନୁଭବ କଲେ ।

 

—ଆରେ, ଆପଣ ଏମିତି ଠିଆ ହୋଇଛନ୍ତି ଯେ ? ପୋଷାକ ବଦଳାଇବେନି ? କମଳର ପାଟି ଶୁଣି, ବୁଲିପଡ଼ି ତାକୁ ଚାହିଁଲେ ବିଭାବସୁ । କହିଲେ, ଯାଉଛି ।

 

ଅଥଚ ଗଲେ ନାହିଁ ବିଭାବସୁ । ସେମିତି ହିଁ ଠିଆ ହୋଇ ରହିଲେ । ଆଖି ତୋଳି କମଳକୁ ସିଧା ଚାହିଁଲେ । କେଶ କେଇ କେରା କପାଳରେ ଝୁଲି ପଡ଼ିଛି । ଚମତ୍କାର ଶାଢ଼ିଟିଏ ପିନ୍ଧିଛି କମଳ । ତାର ଚେହେରାର ବୈଶିଷ୍ଟ୍ୟ ଏତିକି ଯେ, ଯେକୌଣସି ଶାଢ଼ି ତାକୁ ମାନେ ଓ ବିନା ପ୍ରସାଧନରେ ବିନା ପରିପାଟୀରେ ସେ ଭଲ ଦିଶେ । ଆଜି ଏଇ ସଞ୍ଜରେ, ଏହି ବିଶେଷ ଉପଲକ୍ଷ୍ୟର ନିର୍ଜନତା ଯେ ତାକୁ ଆହୁରି ସୁନ୍ଦର କରି ଦେଇଛି । କମଳ ତାଙ୍କ ଆଖି ଆଗରେ ଏମିତି ଠିଆ ହୋଇ ରହନ୍ତା କି, ସେ ନିଷ୍ପଲକ ଦୃଷ୍ଟିରେ ଯୁଗ ଯୁଗ ଧରି ଖାଲି ଚାହିଁ ରହନ୍ତେ । ହଁ, ଖାଲି ଚାହିଁ ରହନ୍ତେ !

 

ତାଙ୍କ ଚାହାଣୀରେ କମଳ ଯେପରି ଲାଜରା ହେଲା । ତା’ ମୁହଁରେ ଗୋଲାପି ଆଭା ଫିଟି ଆସୁଥିଲା । ସେ ସଙ୍ଗେ ସଙ୍ଗେ ଫେରି ପଡ଼ି କହିଲା, ପୋଷାକ ବଦଳାନ୍ତୁ । ମୁଁ ଚା’ ଆଣୁଛି । ଅପେକ୍ଷା ନ କରି କମଳ ଚାଲିଗଲା ।

 

ବିଭାବସୁ କୋର୍ଟଟାକୁ ଦେହରୁ କାଢ଼ି, ସୋଫା ଉପରେ ପକାଇ ଦେଲେ । ତା’ପରେ କ୍ଳାନ୍ତ ହେଲା ପରି, ସୋଫା ଉପରେ ବସି ପଡ଼ିଲେ । ଜହ୍ନ ଆଲୁଅକୁ ଚାହିଁ ଚାହିଁ ଭାବିଲେ ।

 

କିଛି ସମୟ ପରେ ଚା’ ନେଇ ଆସିଲା କମଳ । ଘର ଅନ୍ଧାର ଦେଖି ଆଶ୍ଚର୍ଯ୍ୟ ହେବା ଭଳି କହିଲା, କି ଆଶ୍ଚର୍ଯ୍ୟ, ଘରଟା ଅନ୍ଧାର କରି ବସିଛନ୍ତି କାହିଁକି ? ମୁଁ ପଡ଼ିବି ଯେ, ଲାଇଟ ଜାଳନ୍ତୁ—

 

ବିଭାବସୁ ସୁଇଚ ଅନ୍ କରି, ଘର ଆଲୁଅ କଲେ । ହାତ ବଢ଼ାଇ କମଳ ହାତରୁ ଚା’ ନେଲେ ।

 

କମଳ ଚା’ ବଢ଼େଇ ଦେଇ, ଚୁପ୍ କରି ଠିଆ ହେଲା । ତା’ପରେ ଚାଲି ଯାଉଥିଲା । ବିଭାବସୁ କହିଲେ, ବସ !

 

କମଳ ଅଳ୍ପ ଦୂରକୁ ଚାଲି ଯାଇଥିଲା । ସେ ଦିନର ସେହି ହଳଦିଆ ଶାଢ଼ିଟିକୁ ଆଜି କମଳ ପିନ୍ଧିଛି । ବେଶ୍ ଭଲ ଦିଶୁଛି । ଫେରି ଯିବାର ତରଙ୍ଗାୟିତ ଛନ୍ଦରେ ତାର ବେଣୀ ଦୋଳାୟିତ ହୋଇ ଉଠିଥିଲା । ସତେକି ଏଇ ନିସ୍ତବଧ ରାତିର ସକଳ ନୀରବତାରେ ପକ୍ଷ ସଂଚାର କରି ଉଡ଼ି ଯାଉଛି ହଳଦୀ ବସନ୍ତଟିଏ । ଅଥଚ ଏଇଟା କୋଠରୀ ଟିଏ, ଏଇଟା ବନ ନୁହେଁ, ଆକାଶ ନୁହେଁ, ଏପରି କି ଏ ଲଗ୍ନ ବସନ୍ତ ବି ନୁହେଁ ।

 

ବିଭାବସୁ ଅକସ୍ମାତ କହି ଉଠିଲେ, ଚମତ୍କାର ।

 

ଗ୍ରୀବା ଭାଙ୍ଗି ଫେରି ଚାହିଁଲା ବା ମରାଳଟିଏ । ଆଉ ଏହି ଫେରି ଚାହିଁବାର ଠାଣି ଟିକକ ତ ଆହୁରି ଭାବମୟ । ସତେତ, ଚାହିଁବାରେ ଆକୁଳ ଆଖି ଦୁଇଟିର ଏ କେଉଁ ନୀରବ ଅଭିବ୍ୟକ୍ତି ?

 

କଥା କୁହେ, ଗୀତ ଗାଏ, ଏମିତିକି ଏକ ଅଧୀର ଉନ୍ମାଦନାରେ ସତେକି କୋଳାଗ୍ରତ କରିନେବାର ପରମ ଉଲ୍ଲାସ ଦେଇଯାଏ, ଏଇ ଆଖିର ଚାହାଣୀ ଟିକକ ।

 

କମଳ ଗ୍ରୀବା ବଙ୍କେଇ କହିଲା, କଣ ଚମତ୍କାର, ଚା ?

 

ଚା’ କପ୍‌ଟିକୁ ଟିପୟ ଉପରେ ଥୋଇ ବିଭାବସୁ କହିଲେ, ନାଁ ଚା ନୁହେଁ ।

 

—ତେବେ ? ଆଶ୍ଚର୍ଯ୍ୟ ହେଲା କମଳ । ଏଥର ବୁଲିପଡ଼ି ସିଧା ହୋଇ ଠିଆ ହେଲା ସେ ।

 

—ତେବେ, କମନୀୟତା କାହାକୁ କୁହାଯାଏ ମୁଁ ଜାଣେ ନାହିଁ । ହେଲେ କମନୀୟ କ’ଣ ଆଜି ମୁଁ ତାହା ସାରା ହୃଦୟରେ ଭରି ନେଲି । ତାହା ଏତେ ଯେ, ରକ୍ତରେ ଖେଳି ଗଲାଣି । ଏମିତି ଏକ ନିର୍ଜନ ନିଶୂନ ଶୀତ ରାତିରେ ବି ବସନ୍ତ ଆସେ । ଶାଖା ପ୍ରଶାଖାରେ ହଳଦୀ ବସନ୍ତ ଡେଇଁ ବୁଲେ । ହଳଦୀ ବସନ୍ତର ପକ୍ଷ ସଞ୍ଚାଳନରେ ଯେତିକି କମନୀୟତା ସେତିକି ସ୍ୱପ୍ନ । ଯେତିକି ସୁଖ, ସେତିକି ଆକୁଳତା । ହଳଦୀ ବସନ୍ତ କ’ଣ ଏକ ଅନନ୍ତ ତୃଷ୍ଣା ... ?

 

ଚମକି ଉଠିଲା କମଳ । ତା’ ଭିତରେ ଏକ ପ୍ରଚଣ୍ଡ ଭୂମିକମ୍ପ ହୋଇ ଯାଉଛି ଯେପରି ! ଏସବୁ କ’ଣ କହୁଛନ୍ତି ବିଭାବସୁ ? ସେ ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ଚାହିଁଲା । ତାଙ୍କର କଥାଗୁଡ଼ିକ ତା’ ଛାତି ଭିତରକୁ ଥରାଇ ଦେଉଛି, ପୁଣି ସ୍ରୋତ ପରି ତାକୁ ଭସେଇ ନେଉଛି । ସେ କହିବାକୁ ଭୁଲି ଗଲା ଯେ, ହଳଦି ବସନ୍ତରୁ ମନ ଛଡ଼େଇ, ଚା’ରେ ମନ ଦିଅ । ଚା ଥଣ୍ଡା ହୋଇ ଯାଉଛି । କିନ୍ତୁ ସେ କିଛି କହିପାରିଲା ନାହିଁ । ସେ ଯେପରି ବିଭାବସୁଙ୍କର ସେହି ଆୟତ ଆଖିର ମଧୁର ଚାହାଣୀରେ ଆବିଷ୍ଟ ହୋଇଗଲା । ଅଜଣା ସ୍ରୋତରେ ଭାସି ଯାଉ ଯାଉ ହଠାତ୍ ଅନୁଚ୍ଚ ସ୍ୱରରେ କହି ଉଠିଲା, କେହିଜଣେ କବି କହିଥିଲେ, ହଳଦୀବସନ୍ତ କୁଆଡ଼େ ପ୍ରେମର ପ୍ରତୀକ । ତେବେ ତୃଷ୍ଣା ଟା କ’ଣ...କହୁ କହୁ, କଥା ଅସମାପ୍ତ ରଖି ହିଁ ସ୍ଥାନଛାଡ଼ି ଚାଲିଗଲା କମଳ ।

 

ବିଭାବସୁ କମଳର ଚାଲିଯିବାର ଛନ୍ଦକୁ ଭାବପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ । ତା’ କଥା ପଦକ ତାଙ୍କ ମନରେ ଅନୁରଣିତ ହେବାକୁ ଲାଗିଲା । କମଳ ଯେଉଁ କଥା କହିଗଲା, ତାହା ତାର ସଲ୍ଲଜତା । ସସ୍ମିତ ମୁଖର ପରିପ୍ରକାଶଟିଏ । ସେହି, ସେହି କଥାକୁ ବାରମ୍ବାର ମନେ ମନେ କହି କହି ସେ କେମିତି ଆବିଷ୍ଟ ହୋଇ ପଡ଼ିଲେ ।

 

ଚାରିଆଡ଼େ ନିର୍ଜନତାର ଏକ ଶାନ୍ତ ଧୀର ବାତାବରଣ । ଶୁଭୁଛି କେବଳ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ । ବିଭାବସୁ ଡ୍ରଇଁ ରୁମ୍‌ରେ ସେହିପରି ବସିଥିଲେ । ତୀବ୍ର ଆଲୋକ ପାଇଁ ଜହ୍ନ ଆଲୁଅ ଜାଣି ହେଉ ନାହିଁ । ସେ ମୋହଗ୍ରସ୍ତ ହେଲା ଭଳି, ଅବା କି ଏକ ତାଡ଼ନାରେ ଘରୁ ପଦାକୁ ବାହାରି ଆସିଲେ ।

 

ସାମ୍ନାରେ ଜହ୍ନ ଝରଝରି ଯାଉଛି ! ଆଃ, ଜହ୍ନ ଏମିତି ଝରିଯାଏ...ତା’ଠୁଁ ଆହୁରି କମନୀୟ ଭାବରେ ମନ ବି ଝରିଯାଏ । ଏଇ ମନ ଝରିବାଟା କେବେ କେଉଁ ବ୍ୟକ୍ତିର ସ୍ଥୂଳ ଚକ୍ଷୁରେ ପଡ଼େ ନାହିଁ । କେବଳ ଯାହା ପାଇଁ ମନ ଏପରି ଜ୍ୟୋତ୍ସ୍ନା ପରି କର୍ପୂର ହୋଇ ଝରିଯାଏ ଏ ଝରିବାରେ ନିଜେ ଭିଜି ଯଦି ନଭିଜାଇ ଦିଏ, ତେବେ ଏହି ନିଃଶେଷ ହୋଇଯିବାର ମୂଲ୍ୟ କ’ଣ ? ଆନନ୍ଦ କ’ଣ ? ସୌରଭ ବା କାହିଁ ?

 

ବିଭାବସୁ ମନକୁ ମନ କହି ଉଠିଲେ, କମଳ, ଦେଖ, ମୁଁ କେମିତି ଏହି ଜ୍ୟୋତ୍ସ୍ନା ପରି ଝରିଝରି ଯାଉଛି । ଆସ କମଳ, ଆସ । ଝରି ଯିବାର ଏଇ ମୁକ୍ତ ପ୍ରାଙ୍ଗଣରେ ନିଜର ସ୍ୱକୀୟ ଭଙ୍ଗିମାରେ ଠିଆ ହୋଇ ରହ । ମୋର ସବୁ ଜ୍ୟୋତ୍ସ୍ନା ମୁଁ ତମ ଉପରେ ଅଜାଡ଼ି ଦିଏ । ତମକୁ ଏହି ନିଃଶେଷିତ ଜୋତ୍ସ୍ନାରେ ସଂପୂର୍ଣ୍ଣ ଜୁଡ଼ୁବୁଡ଼ୁ କରି ଦିଏ । ବିହ୍ୱଳ ଚାହାଣୀଟି ନେଇ ତମେ କେବଳ ଚାହିଁ ରହ । ଏଠି ମୋର ପ୍ରେମ ଶିଳ୍ପୀ ହେଉ, ମୁହୁର୍ତ୍ତକୁ ସେ ଯୁଗଟିଏ କରି ଦେଉ । କମଳ, ଏ କେଉଁ ବିପୁଳ ଅନୁଭବ ତମେ ମତେ ଦେଲ ? କୁହ କମଳ; ଏହି ଆକୁଳତାର ଅନ୍ୟ ନାମ କଣ ପ୍ରେମ......

 

ଆଉ ତମେ ଯେଉଁ କଥା ପଦକ କହୁ କହୁ ଢୋକି ନେଇଗଲ, ଯାହାର ଅର୍ଥ ହଳଦୀ ବସନ୍ତ ପ୍ରେମ ହେଲେ, ତୃଷ୍ଣା ତାର ଅନନ୍ତ– ?

 

କାହିଁକି ତମେ ସେହି କଥା କହିଦେଇ ଗଲ ?

 

ସତେ ସତେ କ’ଣ ଏ ମୋର ପ୍ରେମ ?

 

ବିଭାବସୁ ହଠାତ୍ କେମିତି ନିଜ ଭିତରୁ ନିଜେ ଛିଟିକି ପଡ଼ିଲେ । ଛିଟିକି ପଡ଼ିଲେ ଜ୍ୟୋତ୍ସ୍ନାଭରା ଖୋଲା ଅଗଣାକୁ । ସେଠି ସବୁଠି କମଳର ମୁହଁ, ତାର ଆଖି ଏବଂ ତାର ସେହି ଅନନ୍ୟ ଚାହାଣୀ ! ଚାହାଣୀଟା ଇସାରାପୂର୍ଣ୍ଣ ପରି ମନେ ହେଲା । କିନ୍ତୁ କି ଇସାରା ଦେଉଛି କମଳ-? ଏ କେଉଁ ଲଗ୍ନର ସୁରଭିଯୁକ୍ତ ନିବେଦନ !

 

ଅନେକ ସମୟ ସେମିତି ଜହ୍ନ କିରଣ ଅଜାଡ଼ି ହୋଇ ପଡ଼ୁଥିବା ଏକ ଖୋଲା ଲନ୍‌ରେ ହଜେଇ ଦେଇ, ବିଭାବସୁ ପ୍ରକୃତିସ୍ଥ ହେଲେ । ଯୁଗେ ଯୁଗେ ନାରୀକୁ ରହସ୍ୟମୟୀ କୁହାଯାଇଛି । କବି ପୁଣି ନାରୀକୁ ଈଶ୍ୱରଙ୍କ ପରି ଅଜ୍ଞେୟ ବୋଲି ମଧ୍ୟ କହିଛନ୍ତି । ହେଲେ ସବୁ ନାରୀ, ନାରୀ ନୁହନ୍ତି । ନାରୀ ହେବାରେ ଯେଉଁ ବିଶେଷ ସୌନ୍ଦର୍ଯ୍ୟର କଳାତ୍ମକ ଅଭିବ୍ୟକ୍ତି ମନକୁ ଅଛନ୍ନ କରେ, ତାହା ସବୁ ନାରୀଙ୍କ ଠାରେ ନଥାଏ । ତେଣୁ ହିଁ ବୋଧେ, ନାରୀ ଭିନ୍ନ ଭିନ୍ନ ଭାବରେ, ବିଭିନ୍ନ ଭାଷାରେ ବହୁ ପ୍ରକାରେ ରୂପ ପାଇଛି । ଯିଏ ତାକୁ ଯେପରି ଦେଖିଛି, ଅନୁଭବିଛି, ତାକୁ ହିଁ ଆଙ୍କି ଯାଇଛି–ଏହା ସେ ଭଲ ଭାବରେ ବୁଝିଲେ ।

 

ଜୀବନରେ ମା’ଙ୍କୁ ହରାଇଥିଲେ ମଧ୍ୟ, ଭାଉଜମାନଙ୍କୁ ଦେଖିଛନ୍ତି ସେ । ଦେଖିଛନ୍ତି ପୁଣି ସହପାଠିନୀ, ପରିଚିତ, ଅପରିଚିତ, ନାରୀଙ୍କୁ । ଦୂରରୁ, ପୁଣି ଖୁବ୍‌ ନିକଟରୁ ମଧ୍ୟ । ଏପରି କି ଭୂଷଣ ମଉସାଙ୍କ କଥା ଶୁଣି ସାରିବା ପରେ, ସେ ତଟିନୀର ଖୁବ୍‌ ପାଖକୁ ଯିବାକୁ ଚାହିଁଥିଲେ । ତଟିନୀ ପାଇଁ ମନ ତଟିଥିଲା, ଉଚ୍ଚାଟ ହୋଇ ନ ଥିଲା । ଅଝଟ ଶିଶୁ ପରି ବାର ବାର କହି ନ ଥିଲା, ଆସ ମୁଁ ତମକୁ ଭିଜେଇ ଦେବି । ସଂପୂର୍ଣ୍ଣ ଭାବେ ଭିଜେଇ ଦେବି । ଦେଖ, ମନ ମୋର ବର୍ଷାପରି ଝରି ଝରି ଯାଉଛି । ଏହି ବର୍ଷାରେ ଭିଜେଇ ଦେଇ ନ ପାରିଲେ ସବୁ ବ୍ୟର୍ଥତା ଯେ ଘନିଭୂତ, ଆଚ୍ଛାଦିତ କରିଦେବ ଜୀବନକୁ !

 

ସେ ପ୍ରକୃତିସ୍ଥ ହେଲେ । ମନର ଏହି ନିଃଶବ୍ଦ ସଂଳାପ କ’ଣ ମନରେ ବାଜୁଥିବ ? କମଳ କ’ଣ ଏପରି ଅନୁରୂପ ଭାବନାରେ ଆଉଟି ହେଉଥିବ ? ତେବେ ସେ ପ୍ରକୃତରେ କମଳକୁ ଭଲ ପାଇ ବସିଛନ୍ତି ଏବଂ ଭଲ ପାଇବାର ସେହି ଆଶ୍ଚର୍ଯ୍ୟ ରୂପଟିକୁ ଦେଖି ନିଜେ ମୁଗ୍‌ଧ ଚକିତ ହେଉଛନ୍ତି । ତାର ଅନାସ୍ୱାଦିତ ସ୍ଵାଦକୁ ଅସ୍ଵାଦନ କରି ଆମୋଦିତ ହେଉଛନ୍ତି ।

 

ତାଙ୍କ ମନରେ ଖୁସି ଖୁସି ଭାବ ଉଛୁଳି ପଡ଼ିଲା । ସେ ଲନ୍‌ରେ ପଦଚାରଣା କଲେ । ତା'ପରେ ଘର ଭିତରକୁ ଫେରି ଆସିବାକୁ ଭାବିଲେ । କମଳ ଘର ଭିତରେ ଏକା ଅଛି । କ’ଣ କରୁଥିବ ? ସେ ଘରକୁ ଯିବା ପୂର୍ବରୁ ଚାରିଆଡ଼େ ଥରେ ଦୃଷ୍ଟି ଘୂରାଇ ନେଲେ ! କି ସୁନ୍ଦର ଜହ୍ନ ଆଲୁଅ ! ଜହ୍ନ ରାତିକୁ ସେ କ’ଣ ଏପରି ଭାବରେ କେବେ ଦେଖିଥିଲେ ?

 

ଚମକି ଉଠିଲେ ବିଭାବସୁ । ଏ କିଏ । ଇଉକାଲିପଟାସ୍ ଗଛ ତଳେ ଏ କିଏ ! ଏ କେଉଁ କମନୀୟ ସ୍ଥାପତ୍ୟର ଅପୂର୍ବ ମୂର୍ତ୍ତି ? ଆଶ୍ଚର୍ଯ୍ୟ !

 

ଶୀତ ରାତିର ହେମାଳ ଭିତରେ ବଗିଚା ଭିତରେ, ଗଛ ମୂଳରେ କମଳକୁ ଚୁପ୍‌ଚାପ୍‌ ଠିଆ ହୋଇ ରହିଥିବାର ଦେଖି, ସେ ଚମତ୍‌କୃତ ହେଲେ । ହଠାତ୍‌, ନିଜ ଭିତରେ ପ୍ରବଳ ଉଦ୍‌ବେଗ ଅନୁଭବ କଲେ । ସେ ପାଦ ଚିପି ଚିପି ଯାଇ କମଳର ପଛ ପଟରେ ଠିଆ ହେଲେ । କମଳ ଏକ ଦୃଷ୍ଟିରେ ଚାହିଁ ରହିଛି ଶୂନ୍ୟକୁ । ଯେଉଁଠି ରୂପା ରଙ୍ଗରେ ଜଳଜଳ ଆକାଶ ଅନେକ ଜରିକାମ ହୋଇଥିବା ଓଢ଼ଣିଟିରେ, ସାମ୍ନାର ପାହାଡ଼କୁ ଢାଙ୍କି ଦେଇଛି । ଏଇ ପାହାଡ଼ ସେପାଖରେ ଇସ୍ପାତ୍ କାରଖାନା ଅଛି । ତାର ଧୂଆଁ ଦେଖାଯାଏ । ପୃଙ୍ଗା ଶବ୍ଦ କାନକୁ ଶୁଭେ । କମଳ ସେହି ପାହାଡ଼କୁ ଏକ ଦୃଷ୍ଟିରେ ଚାହିଁ ରହି, ଏପରି କ’ଣ ଦେଖୁଛି ?

 

ପଛପଟୁ ସେ ତା’ କାନ୍ଧରେ ନିଜର ଡାହାଣ ହାତ ପାପୁଲିକୁ ରଖିଲେ । ଭିଜା କଣ୍ଠରେ ଡାକିଲେ, କମଳ....

 

କଣ ! କମଳ ଚମକି ପଡ଼ିଲ ନାହିଁ । ମୁହଁ ବୁଲେଇ ଚାହିଁଲା ମଧ୍ୟ ନାହିଁ । ସେ କ’ଣ ଏହା ହେବ ବୋଲି ଜାଣିଥିଲା ? ଭାବିଥିଲା ? ସେ ପୂର୍ବପରି ଠିଆ ହୋଇ, କାନ୍ଧ ଉପରେ ଥିବା ବିଭାବସୁଙ୍କ ହାତ ଉପରେ ନିଜର ଏକ ହାତକୁ ଜଡ଼େଇ ରଖିଲା ପ୍ରବଳ ଆବେଗରେ !

 

ବିସ୍ମିତ ବିଭାବସୁ ମାଧୁର୍ଯ୍ୟ ରସରେ ଜୁଡ଼ୁବୁଡ଼ୁ, ହୋଇଗଲେ ଅବା !

 

ଅନେକ ସମୟ ଦୁହେଁ ସେମିତି ଠିଆ ହୋଇ ରହିଲେ । ଝଲକା ଝଲକା କନକନିଆ ପବନ ଆସି ଦେହରେ, ମୁହଁରେ ବାଡ଼େଇ ହେଉଥିଲା । ଅଥଚ ଥଣ୍ଡା ପରିବର୍ତ୍ତେ ଅନେକ ରୋମାଞ୍ଚ ଆସୁଥିଲା ।

 

କେତେବେଳେକେ ବିଭାବସୁ କମଳର ହାତକୁ ମୁଠେଇ ଧରି କହିଲେ, କମଳ, ଘରକୁ ଚାଲ । ପ୍ରଚୁର ଥଣ୍ଡା ।

 

ସେମିତି ଦୂରକୁ ଚାହିଁ କମଳ କହିଲା, ନାଁ ।

 

—ନାଁ ?

 

—ନାଁ ।

 

ହଠାତ୍‌ ବିଭାବସୁ ପଚାରିଲେ, ତମେ ସେମାନଙ୍କ ସହିତ ଗଲ ନାହିଁ କାହିଁକି କମଳ ?

 

—କେବଳ ଏଇଥିପାଇଁ ! ସେମିତି ବିଭାବସୁଙ୍କ ଆଡ଼କୁ ପିଠି କରି, କହିଲା କମଳ ।

 

ଚମକି ପଡ଼ିଲେ ବିଭାବସୁ । ସାରା ଦେହରେ ତାଙ୍କର ବିଦ୍ୟୁତ୍‌ ଶିହରଣ ଖେଳିଗଲା । ସେ ତତ୍‌କ୍ଷଣାତ୍‌ ପଚାରିଲେ, କୋଉଥିପାଇଁ ?

 

ଏଥର ସାମାନ୍ୟ ପଛକୁ ଘୁଞ୍ଚିଯାଇ, ସେମିତି ଆଗକୁ ଚାହିଁ କହିଲା କମଳ, ଏମିତି ଜ୍ୟୋତ୍ସ୍ନାରେ ଭିଜିବା ପାଇଁ । ଏ ଆନନ୍ଦ କ’ଣ କୋଳାହଳମୟ ଉତ୍ସବରେ ମିଳେ ? କହୁ କହୁ ହଠାତ୍ ବୁଲି ପଡ଼ିଲା ସେ । କମନୀୟ ମୁଖଶ୍ରୀ ତାର ଭରା ଜହ୍ନ ଆଲୁଅରେ ଝଲସି ଉଠିଲା ବିଚିତ୍ର ଭାବେ । ଦୃଷ୍ଟିରେ ତାର ଜହ୍ନ ଆଲୁଅ ଚିକ୍‌, ଚିକ୍‌ କରୁଛି । ସେହି ବିହ୍ୱଳ ଚାହାଣୀକୁ ବିଭାବସୁଙ୍କ ଆଖିରେ ଥାପି, ମୃଦୁ ହସି ସେ କହିଲା, ବର୍ଷାରେ ପିଲା ଦିନେ ଅନେକ ଭିଜିଛି । ହେଲେ ଜ୍ୟୋତ୍ସ୍ନାରେ ବି ଭିଜିବାକୁ ହୁଏ, ଆଉ ସେଥିରୁ ଯେଉଁ ମହା ଉଲ୍ଲାସ ମିଳେ... ତାର ତ ପଟାନ୍ତର ନାହିଁ ।

 

ବିଭାବସୁଙ୍କ ଆଖିରେ କମଳ ଉପମାହୀନ ହୋଇପଡ଼ିଲା । ଏପରି କମନୀୟ ମୂର୍ତ୍ତି ହୋଇ ଉଠିଲା କେମିତି କମଳ ? ସତେ କି ସେ କେଉଁ ଦେବନର୍ତ୍ତକୀ ବେଶରେ... ଅଥବା କାବ୍ୟ–ନାୟିକାର ଲୀଳାୟିତ ଠାଣିରେ ...ଠିଆ ହୋଇଛି ।

 

ବିଭାବସୁ କହିଲେ, ତମେ ବର୍ଷାରେ ଭିଜିଛ, ଜ୍ୟୋତ୍ସ୍ନାରେ ବି । ହେଲେ ତମେ କେବେ ଏମିତି ଜ୍ୟୋତ୍ସ୍ନା ପରି, ଝରିଯାଉଥିବା ମନଝରର ଅବାରିତ ଧାରରେ ନିଜକୁ ଭିଜେଇ ପାରିଛ କମଳ ?

 

ନିଜ କଥାରେ ନିଜେ ବିସ୍ମିତ ହେଲେ ବିଭାବସୁ । ସେ କବି ନୁହନ୍ତି । ବହି, ପତ୍ର ପତ୍ରିକା ମଧ୍ୟ ସେମିତି ବିଶେଷ ପଢ଼ା ପଢ଼ି କରନ୍ତି ନାହିଁ । ପାଠ ଆଉ ମଉଜ, ସାଙ୍ଗ ସାଥୀଙ୍କ ସହ ଆଡ଼୍‌ଡା ମାରିବା ବ୍ୟତୀତ ସେ ଆଉ କିଛି ଜାଣନ୍ତି ନାହିଁ । ଏପରି କଥା ତାଙ୍କ ମୁହଁରୁ ବାହାରିଲା କିପରି ? ପ୍ରେମ ଯେ ଭାଷା ଆଣି ଦିଏ, ଏକଥା ମିଛ ନୁହେଁ, ଏହା ସେ ବୁଝିଲେ ।

 

ସଲ୍ଲଜ ଠାଣିରେ ମୃଦୁ କମ୍ପିତ ସ୍ଵରରେ କମଳ କହିଲା, ଜାଣେନି ।

 

ବିଭାବସୁ ପୁଣି ପଚାରିଲେ, ତମେ କେବେ ଅନୁପେକ୍ଷ ସ୍ଵପ୍ନରେ ଭିଜିଛ ? ଏଥର ତଳକୁ ମୁହଁ ପୋତିଲା କମଳ । ଗୋଡ଼ ବୁଢ଼ା ଆଙ୍ଗୁଠିରେ ତଳେ ଗାର ଟାଣୁ ଟାଣୁ ସେହିପରି ଭାବରେ କହିଲା, ଜାଣେନି !

 

—ତମେ କେବେ ଅନ୍ୟକୁ ଜାଣିଛ ? ଜାଣିବାକୁ ଚେଷ୍ଟା କରିଛ ।

 

କମଳ ଏଥର ତଳୁ ଦୃଷ୍ଟି ଉଠେଇ, ବିଭାବସୁଙ୍କୁ ଥରେ ଚାହିଁ, ପୁଣି ତଳକୁ ମୁହଁ ପୋତିଲା । ଲଜ୍ଜାର ଏକ ଅନୁପମ ରଙ୍ଗ, ସ୍ୱୀକୃତିର ନା ବରୁଣ ଆଭାରେ ତାର ମୁହଁକୁ ଢାଙ୍କି ରଖିଲା ଅବା ! ପରିଷ୍କାର ଜହ୍ନ ଆଲୁଅରେ ସେ ରଙ୍ଗାମୁହଁଟି ଆହୁରି ଚମତ୍କାର ଦିଶିଲା ବିଭାବସୁଙ୍କୁ-

 

ଅଜଣା ଏକ ସ୍ରୋତରେ ଭାସି ଯାଉଥିଲେ ସେ । କମଳର ହାତକୁ ହଲାଇ ଦେଇ କହିଲେ, ତମେ କୋଇଲିର ଗୁଞ୍ଜନ ଶୁଣିଛ । ହେଲେ କେବେ ହଳଦୀ ବସନ୍ତର ଗୁଞ୍ଜନ ଶୁଣିଛ ? ଶୁଣିଛ କି ?

 

ଫିକ୍ କରି ହସିଦେଲା କମଳ । ସତେ କି କେତୋଟି ଚାମେଲି ଫୁଲ ଝରି ପଡ଼ିଲା ! ଓଠ ତାର କିଛି କହିବା ପାଇଁ ଥରି ଉଠିଲା । ମୁହଁ ଟେକି ଥରେ ଆଶାୟୀ ନେତ୍ରରେ ଚାହିଁ ରହିଲା ସେ । ଢୋକ ଗିଳି, ତଳକୁ ଦୃଷ୍ଟି କରି, କର୍ମ୍ପିତ କଣ୍ଠରେ କହିଲା, ଏ ଜ୍ୟୋସ୍ନରେ ଆଉ ତେବେ କା’ ପାଇଁ ଠିଆ ହୋଇଥିଲି ।

 

କହୁ କହୁ ସାଙ୍ଗେ ସାଙ୍ଗେ ବିଦ୍ୟୁତ୍ ଗତିରେ ହାତ ଖସାଇ ନେଇ ଘର ଭିତରକୁ ଚାଲିଗଲା କମଳ । ତାର ସେହି ଫେରିଯିବାର ଭଙ୍ଗିକୁ ମୁଗ୍‌ଧ ବିଭୋର ଦୃଷ୍ଟିରେ ଚାହିଁ ରହିଲେ ବିଭାବସୁ । ପ୍ରଶ୍ନର ଉତ୍ତର ସହିତ ଅନବଦ୍ୟ ପ୍ରଶ୍ନ ଟିଏ କରି ଯାଇଛି ସେ ।

 

ହେଲେ ଏ କେଉଁ କମଳ ?

 

ଏ କିଏ ?

 

ସେଦିନ ଯିଏ ଶ୍ରୀରାମ ବନ୍ଦନା ବୋଲୁଥିଲା, ଈଶ୍ଵର ଉପରେ ଏବେ ଚର୍ଚ୍ଚା କରୁଥିଲା, ବେଦବ୍ୟାସରେ ଯିଏ ବ୍ୟାସଦେବଙ୍କ ଉପରେ ସାରଗର୍ଭକ ଟିପ୍‌ପଣୀ ଦେଇ ମନରେ ବିସ୍ମୟ ଆଣୁଥିଲା, ଯିଏ ସଦା ଧୀରସ୍ଥିର, ସ୍ଵଳ୍ପଭାଷି ଶାନ୍ତପ୍ରକୃତିର, ସେହି ଗାରିମାମୟୀ କମଳର, ଏ’ କି ମାଧୁର୍ଯ୍ୟମୟ ପରିପ୍ରକାଶ ? ହଂସୁଲି ଗତିରେ, ସନ୍ତରି ଯାଉଥିବା ଏ କେଉଁ ମାୟାଲୋକର ନିଷିଦ୍ଧ ମରାଳ ଅବା….

 

ବିଭାବସୁ ଥରେ ଆକାଶକୁ, ଥରେ ସମ୍ମୁଖକୁ, ତା’ପରେ ତଳକୁ ଚାହିଁଲେ । ଘରକୁ ଫେରି ଆସୁ ଆସୁ, ମନେ ମନେ ଅନୁଚ୍ଚାରିତ ସ୍ୱରରେ କହିଲେ, ସବୁ ନାରୀ ନାରୀ ନୁହଁନ୍ତି । ଈଶ୍ଵରଙ୍କ ପରି ନାରୀ କେବଳ ରହସ୍ୟମୟ କି ଅଜ୍ଞେୟ ନୁହେଁ ଚିତ୍ତାକର୍ଷକ ମଧ୍ୟ । କମଳ ସେହି ମାଧୁର୍ଯ୍ୟମୟୀ ଚିରକାଳର ନାରୀ ।

 

କାଲି ମୁଁ ଚାଲିଯିବି କମଳ–

 

ବିଭାବସୁଙ୍କ ମଳିନ, ବିଷର୍ଣ୍ଣ ମୁଖକୁ ଚାହିଁ; କଥାଟା ଯେ ମିଛରେ ବା ପରିହାସରେ ସେ କହୁଛନ୍ତି, ଏହା ଭାବି ପାରିଲା ନାହିଁ କମଳ । ସେ ଏକ ରକମ ଅସ୍ଫୁଟ ଭାବେ ଚାପା ଚିତ୍କାର କରି ଉଠିଲା, କାଲି ?

 

—ହଁ । କାଲି । ଏଇ ଛୋଟ ଶବ୍ଦ ମଧ୍ୟରେ ବିଭାବସୁଙ୍କର ଦୀର୍ଘ–ଶ୍ଵାସ ମିଶିଥିଲା । ତା’ପରେ ସେ କମଳ ହାତକୁ ଟେଲିଗ୍ରାମଟିକୁ ବଢ଼େଇ ଦେଲେ ।

 

ନିର୍ଜୀବ ହାତ ବଢ଼େଇ ବିଭାବସୁଙ୍କ ହାତରୁ ଟେଲିଗ୍ରାମ. କାଗଜ ଆଣି, ଦେଖିଲା କମଳ-। କଲେଜ ଆସନ୍ତା ପଅରଦିନ ଖୋଲୁଛି । ଟେଲିଗ୍ରାମ କରିଛନ୍ତି ବିଭାବସୁଙ୍କର ଜଣେ ବନ୍ଧୁ-! ଧର୍ମଘଟ ଯୋଗୁ କଲେଜ ବଡ଼ଦିନ ଛୁଟି ଥାଇ ବନ୍ଦ ହୋଇ ଯାଇଥିଲା । ଲମ୍ବା ଛୁଟି ମିଳିବାରୁ, ବିଭାବସୁ ମାମୁଁଙ୍କ ପାଖକୁ ଚାଲି ଆସିଥିଲେ । କଲେଜ ଖୋଲିବ, ଏଥର ଯିବା କଥା-

 

କମଳ ନିସ୍ତବ୍‌ଧ ହୋଇ ପଡ଼ିଲା । ବିଭାବସୁ ଦିନେ ଚାଲିଯିବେ, ଏହା ସେ ଜାଣିଥିଲା । କିନ୍ତୁ ହଠାତ୍ ଯେ ଟେଲିଗ୍ରାମ ପାଇ, ଏପରି ଭାବରେ ଚାଲିଯିବେ …

 

ସେ’ ବି ତ ଏଠୁ ଦିନେ ଚାଲିଯିବ ! ବିଭାବସୁ ଓ ସେ….ଆଗପଛ ହୋଇ ଏ ଘର ଛାଡ଼ି ଚାଲିଯିବେ ! ହେଲେ ଏହି ରାଉରକେଲାର ସ୍ମୁତି...ଏହି ଦିନ ଗୁଡ଼ିକର ସ୍ମୁତି…

 

ଏ ସ୍ମୁତି ସଦା ମୁଖର, ସଦା ସୁଖର ହୋଇ ରହିଥିବ ! ।

 

ବିଭାବସୁଙ୍କର ଚାଲିଯିବା କଥା ଶୁଣି ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲା କମଳ-। ଆହତ ଡୋଳାକୁ ସିମେଣ୍ଟ ଚଟାଣ ଉପରେ ଅଜାଡ଼ି ଦେଇ, ସେ ଚୁପ୍ ହୋଇ ଠିଆ ହୋଇ ରହିଲା-

 

ବିଭାବସୁ, ଚାହିଁଲେ, କମଳ ମୁଖର ଜ୍ୟୋତି ପାଣ୍ଡୁର ହୋଇ ଉଠିଛି । ତା’ ମୁହଁର ବିଷଣ୍ଣ, କରୁଣ ଭାବ ତାକୁ ମଳିନ କରି ଦେଇଛି । ତାର ସେହି ମଳିନ ରୂପକୁ ଚାହିଁ ତାଙ୍କ ଛାତି ଭିତରଟା ଦୁଃଖରେ ଆଉଟି ହୋଇଗଲା । ସେ ନିସ୍ପନ୍ଦ ହୋଇ ତାକୁ ଚାହିଁ ଠିଆ ହୋଇ ରହିଲେ ।

 

ଘର ଭିତରଟା ହଠାତ୍ ନୀରବ ଏବଂ ସ୍ତବ୍‌ଧ ହୋଇଗଲା । ମନେହେଲା କେଉଁ ଅନନ୍ତ ସମୁଦ୍ରର ଦ୍ୱୀପଟିରେ ଦୁଇଟି ପକ୍ଷୀ ପରସ୍ପରକୁ ପରସ୍ପର ଚାହିଁ ବସିଛନ୍ତି । ଆଜି ସେମାନେ ଅତି ଘନିଷ୍ଠ ଅନ୍ତରଙ୍ଗ । ଅନୁରାଗର ସାତ ରଙ୍ଗରେ ତାଙ୍କ ମନ–ପ୍ରାଣ ରଙ୍ଗି ଯାଇଛି । କିନ୍ତୁ କାଲି ସକାଳେ ସେମାନଙ୍କୁ ଭିନ୍ନ ଭିନ୍ନ ପଥରେ ଉଡ଼ି ଯିବାକୁ ହେବ । –ଦୁଇଟି ଛାତି ଭିତରେ ତୁହାକୁ ତୁହା ବେଦନାର ଢେଉ ମଥା ପିଟୁଥିଲା— । ଦୁହେଁ ନିର୍ବାକ ! ! ନିସ୍ପନ୍ଦ ! ପଲକ ଶୂନ୍ୟ ହୋଇ ଠିଆ ହୋଇଥିଲେ । ସତେ ଅବା ପରସ୍ପର, ପରସ୍ପରକୁ ବୁଝୁଥିଲେ ମଧ୍ୟ, ଅନୁଭବ କରୁଥିଲେ ମଧ୍ୟ ମୁହଁ ଫିଟାଇ କିଛି ପ୍ରକାଶ କରି ପାରୁ ନଥିଲେ ।

 

କମଳ ଭାବୁଥିଲା, କାଲି ଏତେବେଳେ ଏ ଘରେ ଆଉ ବିଭାବସୁ ନଥିବେ । ଏଣିକି ଏ ଘରକୁ, ଏଇ କୋଠରୀକୁ ବେଳ ଅବେଳରେ ହଠାତ୍ କେହି ପଶି ଆସିବେ ନାହିଁ ! ଆଉ କିଏ ବି ଥଣ୍ଡା କନ୍ କନ୍ ପାପୁଲିକୁ ଆଣି ତାର ଦୁଇ ଗାଲରେ ଛୁଆଁଇ ଦେଇ, ମଧୁର ହସ ହସିବେ ନାହିଁ । ପଛରୁ, ଆସି ଆଉ କେହି ବି ତାର ଆଖି ଦୁଇଟିକୁ ବୁଜି ଧରିବେ ନାହିଁ । ସେ ଶୋଉଥିବା ବିଛଣାରେ ବସି ଆଉ କେହି ବି କହିବେ ନାହିଁ, ‘ତମ ଦେହର ଗନ୍ଧକୁ ମୁଁ ଠିକ୍ ବାରିନେଇ ପାରିବି ! ସେ ଗନ୍ଧ ଖୁବ୍ ଚମତ୍କାର ସତେ’ ! ରିକ୍‌ସାରେ ବସି ବେଦନା ବିଜଡ଼ିତ ସ୍ଵରରେ, ‘ତମେ ଶାନ୍ତ, ସ୍ମିଗ୍‌ଧ ସୁନ୍ଦର’ ବୋଲି ଆଉ କେହି, କେହିବି କହିବେ ନାହିଁ । ଏହି କଥା ସବୁ ମନେ ପଡ଼ିଯିବା ମାତ୍ରେ ଏକ ଉଚ୍ଛ୍ୱସିତ କାନ୍ଦଣାର ଢେଉ ତା’ ଛାତି ଭିତରେ ଉଠି ଉଠି ଆସିଲା । ସେ ବହୁ ଚେଷ୍ଟା କରି ନିଜକୁ ସମ୍ବରଣ କରିନେଲା । ଓଠକୁ ଦାନ୍ତରେ ଚାପି ଧରି ଛଳ ଛଳ ଆଖିରେ ସେ ଥରେ ବିଭାବସୁଙ୍କୁ ଚାହିଁଲା । ତାକୁ ଚାହିଁ ଆଉ କିଏ, ଗାଇବେ ନାହିଁ, ‘କାଳିଆ କମଳ ଦେଖିଲେ କମଳ ।’ ସେ ବିଭାବସୁଙ୍କ ଉପରୁ ଦୃଷ୍ଟି ଫେରାଇ ନେଲା । ତାକୁ ସବୁ କିଛି ଫାଙ୍କା ଫାଙ୍କା ମନେହେଲା । ତାକୁ ଯେମିତି କିଏ ଦି’ ହାତରେ ଟେକି ନେଇ, ରାସ୍ତା ଉପରେ ପ୍ରଚଣ୍ଡ ଶୀତ ଓ ଅନ୍ଧକାର ଭିତରେ ଠିଆ କରେଇ ଦେଲା । ସେ ଭୟରେ ଆଖି ବୁଜିଦେଲା । ହଠାତ୍ ଥରି ଉଠିଲା ।

 

ଚବିଶ ବର୍ଷ ବୟସ୍କ ପୂର୍ଣ୍ଣ–ଯୁବକ ବିଭାବସୁ ନିଷ୍ପଲକ ନେତ୍ରରେ ଚାହିଁଥିଲେ, କମଳର ଚାହିଁଥିବା ଶୂନ୍ୟ ଦୃଷ୍ଟିକୁ । ତା’ ମୁହଁର ମଳିନ, କରୁଣ ଭାବକୁ । ତାକୁ ଚାହିଁ ଚାହିଁ ଯାହା ସେ ଅନୁଭବ କରୁଥିଲେ, ଏଥି ପୂର୍ବରୁ ଆଉ କେବେ ବି କେଉଁଠାରେ ତାହା ଅନୁଭବ କରି ନଥିଲେ । ଆଗରୁ କେତେଥର ଆସି…କେତେଥର ଏ ଘରୁ ସେ ଯାଇଛନ୍ତି ହେଲେ ଏ ଥରକ…

 

କମଳ ପାଇଁ ତାଙ୍କ ମନ ଯନ୍ତ୍ରଣାରେ କାତର ହୋଇ ଉଠିଲା । କମଳ ! କମଳ !! କମଳ !!!

 

କେବଳ କମଳ ହିଁ ଯେପରି ତାଙ୍କର ସମସ୍ତ ମନ ପ୍ରାଣକୁ ଆଚ୍ଛନ୍ନ କରି ରଖିଛି । ବିଭାବସୁ ବୁଝିଥିଲେ, ଏହା ତାଙ୍କର ଭାବପ୍ରବଣତା ନୁହେଁ, ଗୋଟିଏ ଯୁବକର ଯୁବତୀ ଝିଅ–ପ୍ରତି କ୍ଷଣକର ଆକର୍ଷଣ ବା ମୋହ ନୁହେଁ, ବା କମଳର ରୂପ ଗୁଣରେ ମୁଗ୍‌ଧ ହୋଇ ଛଳନା କରିବାର ‘ପ୍ରେମ’ ନୁହେଁ । ଏହା ତାଙ୍କ ମନର ହୃଦୟର, ଶାଶ୍ଵତ ପ୍ରେମ । ନିର୍ମଳ, ନିଷ୍ପଳଙ୍କ ପ୍ରେମ । ଏ ପ୍ରେମର ବିଲୟ ନାହିଁ । ଅସ୍ତ ନାହିଁ । ସମାପ୍ତି ନାହିଁ ।

 

ଏହା ଭାବିବା ମାତ୍ରେ ବିଭାବସୁ କେମିତି ଏକ ନୂତନ ଅନୁଭବରେ ଉତ୍ତେଜିତ ହୋଇ ପଡ଼ିଲେ । ଡାକିଲେ, କମଳ !

 

କମଳ ଆଖି ତୋଳି ବିଭାବସୁଙ୍କୁ ଚାହିଁ ପାରିଲା ନାହଁ । ବିଭାବସୁ ହଠାତ୍ କମଳର ହାତକୁ ନିଜ ହାତରେ ମୁଠେଇ ଧରିଲେ । କହିଲେ, କମଳ ! ଏହା ମୋ ମନର ଦୁର୍ବଳତା ନୁହେଁ ବା କ୍ଷଣିକ ଉତ୍ତେଜନା ନୁହେଁ । ଏହା ମୋ ଅନ୍ତରର କଥା ! ‘ମୁଁ ତମକୁ ଭଲପାଏ କମଳ ! ମୁଁ ତମକୁ ଚାହେଁ ।’ ଏକ ନିଶ୍ଵାସରେ ଏତକ କଥା କହିଦେଇ ବିଭାବସୁ କେମିତି ଧଁ ସଁ ହୋଇଗଲେ ।

 

‘ମୁଁ ତମକୁ ଭଲପାଏ’—ଏହା ବ୍ୟତୀତ କମଳ ଆଉ କିଛି ଶୁଣି ପାରିଲା ନାହିଁ । ତାର ମନେହେଲା, ଚତୁର୍ଦ୍ଦିଗ ସତେ କି ଘୂରୁଛି କି ଅବା କେଉଁ ଏକ ଅଜଣା ପ୍ରଖର ସ୍ରୋତରେ ସେ ଯେପରି ହଠାତ୍ ଭାସି ଯାଉଛି…...

 

‘ଏଇ କମଳଟିକୁ ମୁଁ ମୋର ଅଞ୍ଜଳି ଭରି ତୋଳି ନେବାକୁ ଚାହେଁ… କହ, କହ କମଳ, ତମେ ତମ କଥା କହ…” ଅଗାଧ ସ୍ନେହର ଧାରା ଅନ୍ତରରେ ବହି ଚାଲିଥିଲା । ସେହି ଧାରାର ଦୁଇ ବିନ୍ଦୁ ଦୁଇଟି ଆଖିରେ ଚିକ୍ ଚିକ୍, କରି ଉଠୁଥିଲା ! ସେହି ଧାରାର ସ୍ପର୍ଶରେ କଣ୍ଠ–ସ୍ଵର ବି ଓଦା ହୋଇ ଯାଇଥିଲା ।

 

ବିଭାବସୁ କମଳକୁ ଝୁଙ୍କେଇ ଦେଲେ !

 

କ’ଣ କହିବ କମଳ ! ସେ’ ଯେ ଶୂନ୍ୟ….ଏକଦମ୍ ଶୂନ୍ୟ ହୋଇ ଯାଇଛି !

 

ନଦୀ ଯେପରି ପ୍ରବାହିତ ହେଉଥିବା ସମୟରେ ହିଁ ଅବକାଶ ପାଏ, ଅଗ୍ନି ଯେପରି ଜଳୁଥିବା ଅବସ୍ଥାରେ ଶିଖା ରୂପରେ ହିଁ ପ୍ରକାଶ ପାଏ, ଫୁଲର ସୁଗନ୍ଧ ଯେପରି ପବନରେ ବିସ୍ତୀର୍ଣ୍ଣ ହେଉଥିବା ସମୟରେ ଅବଦାନ ପାଏ .. ସେ ତ ଆଜି ସେହିପରି ହିଁ ହୋଇଯାଇଛି ! ତାର ମନ ବିଭାବସୁଙ୍କ ଉଦ୍ଦେଶ୍ୟରେ ଅଗ୍ନି ସଦୃଶ ଦେଦୀପ୍ୟମାନ ହେଉଛି । ତାର ପ୍ରେମ ସେପରି ବିଭାବସୁଙ୍କ ଅଭିମୁଖରେ ପ୍ରବାହିତ ହେଉଛି… ତାର ପ୍ରାଣ ବି ତ ପୁଷ୍ପର ସୁଗନ୍ଧ ପରି, ବିଭାବସୁଙ୍କ ମଧ୍ୟରେ ବିସ୍ତୀର୍ଣ୍ଣ ହୋଇ ଯାଉଛି । ବିଭାବସୁ ଯେ ତାକୁ କଣ ଦେଲେ, ସେ କଥା ସେ କହି ପାରିବ ନାଁ । ବିଭାବସୁ ଜାଣି ପାରିବେ ? ସେ ଯେ ତାକୁ ଆଜି ପୂର୍ଣ୍ଣ କରିଛନ୍ତି ! ଏକଥା କେଉଁ ଭାଷା ଦେଇ ସେ ପ୍ରକାଶ କରିବ, କରିପାରିବ ??

 

କମଳ କିଛି ବି କହିପାରିଲା ନାହିଁ । କେବଳ ସେମିତି ଠିଆ ହୋଇଥିଲା !

 

ବିଭାବସୁ କହିଲେ, ମୁଁ ତମକୁ ଭୁଲି ପାରିବି ନାହିଁ । ତମକୁ ଭୁଲିବାକୁ ମୁଁ ଚାହିଁବି ନାହିଁ । ଦିନ ଦିନ ଧରି ତମ କଥା ଭାବିବି, ଯେଉଁଦିନ ଯାଏ ତମେ ମୋର ଏକାନ୍ତ ନିଜର ହୋଇ ମୋ ପାଖକୁ ନ ଯାଇଛ । କମଳ ! ପ୍ରତି ରାତିରେ ଶୋଇବା ପୂର୍ବରୁ ତମେ ହିଁ ମୋର ଭାବନାର ବିଷୟ ହେବ ! ତମର ସ୍ମୃତି ମୋ ହୃଦୟରେ ଚିର ଉଜ୍ଜ୍ୱଳ ଓ ଜାଜୋଲ୍ୟମାନ ରହିଥିବ । ଆହତ ବକ୍ଷରେ ତମର ରୁମାଲ୍, ସେଥିର ଚିତ୍ରିତ କମଳ, ପୁଣି ସେହି ପୁଷ୍ପ–ଗୁଚ୍ଛ, ଏହି ସବୁର ସ୍ମୃତି ଚିହ୍ନ ଧାରଣ କରି ଜୀବନର ସୁଦୀର୍ଘ ପଥ ମୁଁ ଅତିବାହିତ କରିଯିବି… ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ତାଙ୍କୁ କାନ୍ଦ ମାଡ଼ିଲା ।

 

କମଳର ଓଠ ଫୁଲି ଉଠୁଥିଲା । ଯନ୍ତ୍ରଣାରେ ଗଳା ଫାଟିଗଲା ପରି ଲାଗୁଥିଲା । କ’ଣ କହିବାକୁ ଯାଇ ମଧ୍ୟ ସେ କିଛି କହି ପାରିଲା ନାହିଁ । ତା’ ସ୍ଵର ଯେପରି ବୁଜି ହୋଇ ଯାଇଥିଲା ।

 

ହଠାତ୍ ଦାଣ୍ଡରେ ଘର୍‌ର ଘର୍‌ର ଶବ୍ଦ… ! ତା’ ପରେ ହର୍ଣ୍ଣ….ଗୋଟାଏ ଜିପ୍‌ର ଶବ୍ଦ… । ଝରକା ଆଡ଼େ ଚାହିଁଦେଲା କମଳ । ଅସ୍ଫୁଟ ଆର୍ତ୍ତନାଦ କରି ଉଠିଲା, ‘ଭାଇ…ଭାଇ ଆସିଲେଣି…’

 

—ଭାଇ । ବିଭାବସୁଙ୍କର ବିସ୍ମୟ ବିମୂତ ସ୍ଵର ।

 

—ଜଲି ତେଣୁ ଦୌଡ଼ି ଆସି କହିଲା, କୁନି ଦିନେଶ ଭାଇ ଆସିଲେଣି ଲୋ–

 

କମଳର ଛାତି ଥରି ଉଠିଲା ! ସେହି କମ୍ପନ ତାର ସମଗ୍ର ଶରୀରରେ ଖେଳିଗଲା । ସେ’ ଠିଆ ହୋଇ ରହିବାର ଶକ୍ତି ହରାଇଲା । ଖଟ ଉପରେ ଲଥ୍‌କିନା ବସି ପଡ଼ି, ତଳକୁ ଚାହିଁ ରହିଲା ।

 

କମଳର ବିବର୍ଣ୍ଣ, ବିଷଣ୍ଣ ମୁହଁକୁ ଚାହିଁ, ବିଭାବସୁ ଦ୍ରୁତ ପଦପାତରେ ସେ ଘରୁ ବହିର୍ଗତ ହେଲେ ।

 

ମାଇଁଙ୍କ ସହିତ ଯିଏ କଥା ହେଉଥିଲେ, ସେ’ ଯେ କମଳର ଭାଇ ଦୀନେଶବାବୁ ଏହା ବୁଝିଲେ ବିଭାବସୁ । ସେ ଶୁଣିଲେ, ମାଇଁଙ୍କୁ ସେ କହୁଛନ୍ତି–

 

–ମୁଁ ଏଇ ସଙ୍ଗେ ସଙ୍ଗେ ଚାଲିଯିବି ମାଉସୀ !

 

–କି ଅସମ୍ଭବ କଥା ତୁ କହୁଛୁ, ଦିନେଶ୍ !

 

ଦିନେଶ୍ ବାବୁ ହସିଲେ । ମୁଣ୍ଡରେ ବାଁ ହାତକୁ ସାଉଁଳାଇ ସାଉଁଳାଇ କହିଲେ, ଅଫିସ୍ କାମରେ ଅଫିସ ଜିପ୍ ନେଇ ଆସିଛି । କ’ଣ ରହିହେବ ମାଉସୀ ? ଆଉ କେବେ ଆସିଲେ… ‘କୁନି କାଇଁ ? ତାକୁ ଶୀଘ୍ର ବାହାରିବାକୁ କହନ୍ତୁ–

 

ବିଭାବସୁ ଚାହିଁଥିଲେ ! ଦେଖିଲେ, ଦିନେଶ୍‌ବାବୁଙ୍କ ହସ ସହିତ କମଳ ହସର ସାଦୃଶ୍ୟ ଅଛି । ଦିନେଶ୍‌ବାବୁଙ୍କର ଶେଷ କେତେ ପଦ କଥା ଶୁଣି, ବିଭାବସୁଙ୍କର ପାଦତଳ ମାଟି ଯେପରି ତଳକୁ ତଳକୁ ଖସି ଯାଉଛି…

 

ସେ ସମସ୍ତଙ୍କ ଅଲକ୍ଷ୍ୟରେ, ବଗିଚାର ସ୍ଥଳ ପଦ୍ମ ଗଛ ମୂଳକୁ ଚାଲିଗଲେ । ଜାନୁୟାରୀର ପ୍ରଚଣ୍ଡ ଶୀତ ତାଙ୍କୁ ସବୁଦିନ ପରି ଥଣ୍ଡା ‌ଲାଗିଲା ନାହିଁ । ମନର ବିପର୍ଯ୍ୟୟ ଅବସ୍ଥାରେ ଓ କେମିତି ଏକ ଉତ୍ତେଜନାରେ ସେ ଅସ୍ଥିର ହୋଇ ପଡ଼ିଥିଲେ । ଏହି ବଗିଚାରେ କମଳ ସହିତ ଶିଶିର ଭିଜା କେତେ ସକାଳ, ମଧୁର ମଧ୍ୟାହ୍ନ, ସୁରଭିତ ସଂଧ୍ୟା….ଜ୍ୟୋତ୍ସ୍ନାବିଧୌତ ବିଭାବରୀର ସରସ ମୁହୂର୍ତ୍ତ କଟି ଯାଇଛି । ଅନିର୍ବଚନୀୟ ବେଦନାରେ ବିଭାବସୁଙ୍କର ମସ୍ତିଷ୍କର ଶିରା–ପ୍ରଶିରା ଟଣକି ଉଠିଲା ।

 

କମଳର ଭାଇ, ଦିନେଶ ବାବୁ ଆସିଛନ୍ତି । ସଙ୍ଗେ ସଙ୍ଗେ କମଳ ଚାଲିଯିବ । ଆଉ ଟିକିଏ ପରେ ଚାଲିଯିବ… ।

 

ସେ’ ମଧ୍ୟ କାଲି ଯିବେ । କିନ୍ତୁ ରାଉରକେଲାରେ ଏଇ ଯେଉଁ କେତୋଟି ଦିନ ବିତିଲା…ତାର ସ୍ମୃତି ତ ଜୀବନରେ ଚିର ଜାଜ୍ଜୋଲ୍ୟ–ମାନ ହୋଇ ରହିବ ।

କମଳ ଚାଲିଯିବ…କମଳ ଚାଲିଯିବ…..

ମସ୍ତିଷ୍କ ଭିତରେ ସହସ୍ର କଣ୍ଠରେ କିଏ ଯେପରି ଚିତ୍କାର କରି ଉଠୁଛି । ସେ ସହ୍ୟ କରି ପାରିଲେ ନାହିଁ । କମଳ ଯେ ତାଙ୍କ ପୂର୍ବରୁ ଚାଲିଯିବ…ଆଉ ଟିକିଏ ପରେ ଚାଲିଯିବ....ଏହା ସେ ସହ୍ୟ କରି ପାରୁ ନଥିଲେ… । ସେ ସେହି ଗଛ–ମୂଳେ ବସି ପଡ଼ିଲେ ।

ନିଜ ଭଲପାଇବା, ନିଜ ହୃଦୟର ଭାବ, ନିଜର ନୂତନ ଅନୁଭୂତି ଭିତରେ ସେ କିପରି ଗୋଳି ହୋଇ ଯାଉଥିଲେ । କେତେବେଳେ ଭରି ଭରି ଯାଉଥିଲେ ତ…କେତେବେଳେ ଶୂନ୍ୟ ହୋଇ ଯାଉଥିଲେ ।

ବେଦବ୍ୟାସ ପାହାଡ଼ ତଳର ସେହି ନଦୀକୂଳ କଥା ତାଙ୍କର ମନେ ପଡ଼ିଲା ! ବଣୁଆ ନାଁ ଅଜଣା ଫୁଲ ତୋଳିବାରେ ଜଲି, ମାମି ବ୍ୟସ୍ତ ଥିଲେ ! ଆଉ ଏକ ଲୟରେ କମଳ ଚାହିଁଥିଲା ନଦୀର ସେହି ନିସ୍ତରଙ୍ଗ ଭାବକୁ... । ଅନେକ ସମୟ ଚାହିବା ପରେ କେମିତି ଗଭୀର ସ୍ଵରରେ କହିଥିଲା, ଲକ୍ଷ କୋଟି ଯୁଗରୁ କେମିତି ଏଇ ଏକଇ ସୁରରେ ଧ୍ଵନିତ ହୋଇ ଚାଲିଛି ଏହି ନଦୀ, ନା-? ଏ ଧ୍ଵନି ବିଚିତ୍ରମୟ । କାନଡେରି ତ ଶୁଣିଲେ ବୁଝିହୁଏ ନାହିଁ । ଶବ୍ଦ ଯେପରି ଅବିରାମ ଏକଇ ସୁରରେ ବନ୍ଧା… । ଏ ଧ୍ଵନି ପ୍ରତିଧ୍ୱନିତ ହୁଏ ନାହିଁ । ଏ ଧ୍ୱନି ଜଡ଼ର ନୁହେଁ, ଏ ଧ୍ଵନି ଜୀବନର-। ଏ ଧ୍ଵନି କୌଣସି ବସ୍ତୁ ସଂଘାତରେ ଉତ୍‌ପନ୍ନ ନୁହେଁ, ଏ ଧ୍ଵନି ଭିତରେ ଜୀବନର ଅଭିପ୍ରାୟର ପ୍ରକାଶ ଅଛି ।

କମଳ କବି । ସେଦିନ କଥା କହିବା ଭିତରେ ଅନେକ ପ୍ରଶ୍ନ ପଚାରିଥିଲା କମଳ । ଆଜି ସେହି ସବୁ ପ୍ରଶ୍ନର ଉତ୍ତର ତାଙ୍କ ଭିତରେ ଯେପରି ସଜାଡ଼ି ହୋଇ ଥୁଆ ହୋଇଛି ! ସେହି ବିଚିତ୍ରମୟ ଧ୍ଵନି ଶୁଣୁ ଶୁଣୁ ବିଭାବସୁ ଏ ପୃଥିବୀ ଛାଡ଼ି, ଅନ୍ୟ ପୃଥିବୀକୁ ଚାଲିଗଲେ । ନିଜ ଭାବନାରେ ନିଜେ ମଗ୍ନ ହୋଇଗଲେ ।

ନିଜର ଚେତନାଶକ୍ତିକୁ ହଜେଇ କେତୋଟି ମୁହୂର୍ତ୍ତ ବିତେଇ ଦେବାପରେ, ନିଜ ନାଁ । ଧରି କିଏ ଡାକୁଥିବାର ଶୁଣି, ସଂବିତ୍ ଫେରି ପାଇଲେ ବିଭାବସୁ । ମାମୁଁ ଡାକୁଛନ୍ତି । ସେ ଉଠିଗଲେ ।

କିରେ, ଏ ଥଣ୍ଡାରେ ବାହାରଟାରେ କ’ଣ କରୁଥିଲୁ ?

ମାମୁଁଙ୍କ ଦୃଷ୍ଟିରେ ତାଙ୍କୁ ବଡ଼ ଅଶ୍ଵସ୍ତି ଲାଗିଲା । ନିଜ ମନର ଭାବ ଯେପରି ଜଣା ନପଡ଼େ, ସେ ସଚେତନ ହେଲେ । ନୀରବରେ ଠିଆ ହେଲେ ।

—ସାଇକେଲ ନେଇ ଗଲୁ ମିଠା ନେଇ ଆସିବୁ–—ମାମୁଁଙ୍କ କଥାରେ ବିଭାବସୁ ନିଜର ପ୍ୟାଣ୍ଟ ଇତ୍ୟାଦି ଆଣିବାକୁ ଘର ଭିତରକୁ ଗଲେ ।

—ଏ ମୋର ଭଣଜା ବିଭାବସୁ—ମାମୁଁ ହସିଲେ । ବିଭାବସୁ ହାତ ଯୋଡ଼ି ଦିନେଶ୍‌ ବାବୁଙ୍କୁ ନମସ୍କାର କଲେ ।

ପ୍ରତିନମସ୍କାର କରି ଦିନେଶ୍ କହିଲେ, କ’ଣ କରୁଛନ୍ତି ?

—ବର୍ତ୍ତମାନ ରାଞ୍ଚି ମେଡ଼ିକାଲ କଲେଜରେ ହାଉସ ସର୍ଜନ । ବିଭାବସୁ ଚାହିଁଲେ, ମାମୁଁ ତାଙ୍କୁ ଆଖିରେ ଇଷାରା ଦେଉଛନ୍ତି ।

 

ବିଭାବସୁ ଟିଫିନ୍ କ୍ୟାରିୟର ଧରି ପଦାକୁ ଯାଉ ଯାଉ ବାଧା ଦେଲେ ଦିନେଶ ବାବୁ । ଏ ସବୁ କିଛି ଆବଶ୍ୟକ ନାହିଁ । ଆମେମାନେ ଏଇ ବର୍ତ୍ତମାନ ଖାଇ, ଆସୁଛୁ । ସେ ସବୁ ଆପଣ କିଛି ଭାବନ୍ତୁ ନାହିଁ । ତା’ପରେ ବିଭାବସୁଙ୍କୁ ଚାହିଁ କହିଲେ, ଆପଣ ଟିଫିନ୍ କ୍ୟାରିୟର ଥୋଇ ଦେଇଆସନ୍ତୁ ।

 

ମାମୁଁ ପଚାରୁଛନ୍ତି–ଏଇ ସଙ୍ଗେ ସଙ୍ଗେ ଯିବୁ ?

 

ଦିନେଶ୍ ବାବୁ ହସିଲେ । ଆଜ୍ଞା ହଁ ।

 

ତା’ପରେ ମାଉସୀଙ୍କୁ ଚାହିଁ କହିଲେ, ଖୁବ୍ ଥଣ୍ଡା ପଡ଼ିଛି ମାଉସୀ, ଶୀଘ୍ର ଚାଲିଯିବା ଭଲ-। କୁନିକୁ କହନ୍ତୁ ସେ ବାହାରୁ ।

 

ଏହାପରେ ଆଉ କ’ଣ କୁହାଯାଇ ପାରେ । ବିଭାବସୁ ଦାଣ୍ଡକୁ ନଯାଇ, ଘର ଭିତରକୁ ଲେଉଟି ଗଲେ । ସେ ନୀରବରେ ମ୍ଲାନ ମୁଖରେ ଗୋଟିଏ ସ୍ଥାନରେ ଠିଆ ହୋଇରହିଲେ । ତାଙ୍କ ମାନସ ପଟରେ ଅନେକ କଥା....ଭସା ମେଘ ପରି ଭାସି ଭାସି ଯାଉଥିଲା ।

 

ଦିନେ ଶେଷ ନିଶୀଥର ସ୍ଵପ୍ନ ଧରି ଅଚାନକ ସେ ପହଞ୍ଚି ଯାଇଥିଲେ ଏଠି—କାଲି ସେ ବିଦାୟ ନେଇ ଯିବେ ଠିକ୍ ଦିବସର ଅବସାନ ପରେ ସେଦିନ ଥିଲା କଳା–ଅନ୍ଧାର ରାତିର ଶେଷ ଯାମକାଲି ଖରା ନଥିଲେ ମଧ୍ୟ ଆଲୋକ ଥିବ । ସେହି ଅନ୍ଧାର ଏହି ଆଲୋକ… ଅନେକ ବ୍ୟବଧାନ । ଏହି ବ୍ୟବଧାନ ତଳେ ଦୁଇଟି ବିକଳ ଆତ୍ମାର ଯେଉଁ ସ୍ଵର୍ଣ୍ଣ ଉପନ୍ୟାସିକ ଅତୀତ ଜଡ଼ି ରହିଛି, ସେ କଥା ଅନ୍ୟ କେହି ନବୁଝି ଥିଲେ ବି ମର୍ମେ ମର୍ମେ ଅନୁଭବ କରୁଥିଲେ, କରି ପାରୁଥିଲେ ବିଭାବସୁ । ଏକ ଅବ୍ୟକ୍ତ ବେଦନାରେ ତାଙ୍କ କଣ୍ଠତଟ ବିଦୀର୍ଣ୍ଣ ହୋଇ ପଡ଼ୁଥିଲା ।

 

କମଳ ସ୍ଥାଣୁଟି ପରି ବସି ରହିଛି ସେହି ଖଟଟି ଉପରେ, ସେତିକିବେଳୁ । ଗୋଡ଼ ଦୁଇଟି ତଳକୁ ଓହଳିଛି । ବାଁ ପାଦରେ ଡାହାଣ ପାଦକୁ ଛନ୍ଦି ଦେଇ, ଡାହାଣ ପାଦରେ ରହି ରହି ଚଟାଣକୁ ଆଘାତ କରୁଛି ।

 

ଜଲି କମଳର ଲୁଗାପଟା ଭାଙ୍ଗି, ଚମଡ଼ା ସୁଟ୍‌କେଶରେ ସଜାଡ଼ି ଦେଉଛି । ଖାତା, ବହି ସଜାଡ଼ି ଥୋଉଛି । ତା’ ମୁହଁ ଥମ୍ ଥମ୍ ଦିଶୁଛି । ଦୁହେଁ ଚୁପ୍ ଚାପ୍ । ଜଣେ ବସି ରହିଛି । ଆଉ ଜଣେ କାନ୍ଦ କାନ୍ଦ ଭାବକୁ ଚାପି ରଖି, ଥମ୍ ଥମ୍ ମୁହଁରେ, ଜିନିଷ ପତ୍ର ସଜାଡ଼ି ଦେଉଛି । ଘରଟା ପୁରି ଉଠିଥିଲା । ଛୁଟିଟା ଖୁବ୍ ମଜ୍ଜାରେ କଟିଲା । ଆଜି କମଳ ଚାଲିଯିବ; କାଲି ବିଭାସ ଭାଇ ଚାଲିଯିବେ । ଘରଟା ଯେଉଁ ଖାଲି କି ସେହି ଖାଲି ଖାଲି… ଜଲି ଅନ୍ୟମନସ୍କ ହୋଇ କିନିଷ ସଜାଡ଼ି ଯାଉଥିଲା ।

 

କମଳର ଖୋଜିଲା ଖୋଜିଲା ଚାହାଣୀ ଥରକୁ ଥର ଘୁରି ଯାଉଛି । କାହାନ୍ତି ? କାହାନ୍ତି ସେ ? କୁଆଡ଼େ ଗଲେ ? ସେତିକି ବେଳୁ ଯାଇଛନ୍ତି ଯେ ଯାଇଛନ୍ତି । ଭାଇ ନ ଥିଲେ, ଜଲି ଦ୍ଵାରା ଡାକି ହୁଅନ୍ତା ।

 

ଭାଇ !

 

ତା’ ପାଇଁ ବାତ୍ସଲ୍ୟ–ସ୍ନେହ ମମତାର ଏକ ଉଜାଣୀ ଯମୁନା । ପୁଣି ଦୃଢ଼ ଶୃଙ୍ଖଳା ଓ କଠୋର ଶାସନକାରୀର ଚାବୁକଧାରୀ ।

 

କମଳ ଭାବୁଥିଲା, ସେ ବର୍ତ୍ତମାନ ଚାଲିଯିବ । କାଲି ବିଭାବସୁ ମଧ୍ୟ ଚାଲିଯିବେ । ନୀଡ–ହରା ଦୁଇଟି ପକ୍ଷୀ ପରି ସେମାନେ, ମାତ୍ର କେତୋଟି ଦିନ ପାଇଁ ଏକାଠି ରହିଥିଲେ । ବର୍ତ୍ତମାନ ନିଜ ନିଜର ପଥରେ ଉଡିଯିବାକୁ ହେବ । ଦୀର୍ଘ ନିଶ୍ଵାସ ଛାଡ଼ିଲା କମଳ । କିଏ ଜାଣେ, ପୁଣି ହୁଏତ ଦୀର୍ଘ ଜୀବନ ଭିତରେ ଆଉ ଥରେ ଚାଷୁସର ସୁଯୋଗ ମିଳବ କି ନାହିଁ ! ସେତେବେଳେ ଆଜିର ଏଇ ଆନ୍ତରିକତା ‘ଅତୀତ' ଭିତରେ ଝାଉଁଳି ପଡ଼ିଥିଲେ ବି ଛିନ୍ନ ପୃଷ୍ଠା ଗୁଡ଼ିକ ସେମିତି ସ୍ମୃତି ବହନ କରି ପଡ଼ି ରହିଥିବ ତା’ ମୃଣୟ ଜୀବନର ଅବସାନ ପର୍ଯ୍ୟନ୍ତ ।

 

ଆରେ, ବିଭାସ କି, ଗଲ ବାପା ଜଲିକୁ ଟିକିଏ ଡାକି ଦେବ ।

 

ମାଇଁଙ୍କ କଥାରେ ବିଭାବସୁ ଜଲିକୁ ଡାକିବା ପାଇଁ ଘର ଭିତରକୁ ଗଲେ । ଜଲି ସୁଟ୍‌କେଶରେ ଚାବି ଦେଇ ସାରି କହୁଥିଲା, ଏଇ, ଚାବି ନେ । ଆରେ, ସେମିତି ଚୁପ୍ ହୋଇ ବସିଛୁ କଣ ? ଚିଠି ଦେବୁ । ରଜକୁ ଆସିବୁ । ଆସିବୁ ଟି ? –ଏ’ ଶୁଣୁଚୁ….କ’ଣ ମୁନି ପାଲିଟି ଗଲୁ ନାଁ । କଣ ବା–

 

ବିଭାବସୁ ନିଜର ଚାତକ ଦୃଷ୍ଟି ବୁଲେଇ ନେଇ ଗଲେ କମଳର ଅଙ୍ଗ ସୌଷ୍ଠବ ଉପରେ-। ବିଦାୟୀ ଲଗ୍ନର ସୁବେଶା କମଳ ତାଙ୍କୁ ଅପରୂପା ପରି ମନେ ହେଲା । ସତେ ଯେପରି ପ୍ରଥମ ଥର ପାଇଁ ସେ ଆଜି ନୂତନ ଭାବରେ ଦେଖୁଛନ୍ତି ଏଇ ତନ୍ୱି–ତରୁଣୀଟିକୁ । କମନୀୟ ତନିମା ଉପରେ ସ୍ୱଚ୍ଛ–ଶୁଭ୍ର ପରିପାଟୀ ଏକ ଶାନ୍ତ–ସ୍ନିଗ‌୍‌ଧପୂର୍ଣ୍ଣ ମାଧୁର୍ଯ୍ୟର ଜୁଆର ସୃଷ୍ଟି କରିଛି । ଚମ୍ପା ରଙ୍ଗର ସମ୍ବଲପୁରୀ ଶାଢ଼ି ଖଣ୍ଡିଏ ପିନ୍ଧିଛି କମଳ । ବକ୍ଷ ଉପରେ ଝୁଲି ପଡ଼ିଛି ସୁଦୃଶ୍ୟ ଲକେଟ୍‌ଟି-। ମଉନାବତୀ ରାଜକନ୍ୟା ପରି ତନ୍ୱୀ କମଳ ବସିଛି ।

 

ଆଖିରେ ଆଖି ମିଶିଯିବା ପରେ, ମୂହୁର୍ତ୍ତକ ଲାଗି ଦୁଇଟି ଛାତି ମୃହୁର୍ମୁହୁଃ ଥରି ଉଠିଲା……

 

ମାଇଁ ଡାକୁଥିବା କଥା କହିବା ମାତ୍ରେ, ଜଲି ସଙ୍ଗେ ସଙ୍ଗେ ସେ ଘରୁ, ରୋଷେଇ ଘର ଆଡ଼କୁ ଚାଲିଗଲା ।

 

ଘରେ ଅଖଣ୍ଡ ନୀରବତା ।

 

ଲୁବ୍‌ଧ ପଥିକ ପଥ-ପ୍ରାନ୍ତରର ଅତସୀ-କୁସୁମକୁ ଚାହିଁ ରହିଥିଲା ପରି ଅସ୍ଵାଭାବିକ ଭାବରେ ତନ୍ମୟ ହୋଇ ବିଭାବସୁ କମଳକୁ ବିମୁଗ୍‌ଧ ବିସ୍ମୟରେ ଚାହିଁ ରହିଥିଲେ ।

 

କମଳର ଓଠ ଦୁଇ ହଠାତ୍ ଈଷତ୍ ଥରି ଉଠିଲା । ଯେପରି କି କଣ କହିବାକୁ ଯାଇ ସେ କିଛି ବି କହିପାରୁ ନାହିଁ । ନିଜ ଭିତରେ କେମିତି ଏକ ଆକୁଳ ସୁରର କରୁଣ ମୂର୍ଚ୍ଛନା ମଥା‌ ପିଟି ହେଉଛି । ସେହି ଅଶ୍ରୁତ ସ୍ଵରଝଙ୍କାର ତା’ ନିର୍ଜ୍ଜନ–ମନରେ ଧ୍ଵନି ବୁଣି ବୁଣି ଯାଉଛି…

 

ବିଭାବସୁ କମଳକୁ ନିଷ୍ଫଲକ ନୟନରେ ଚାହିଁ ରହିଥିଲେ–କମଳ ଚାଲିଯିବ ! କାଲି ସକାଳେ ପୂଜାର୍ଚ୍ଚନା ହେବ ନାହିଁ । ଶ୍ଳୋକ ଶୁଭିବ ନାହିଁ । ମାଇଁ ଡେରିରେ ଗାଧାନ୍ତି । ଖରା ଟାଣ ହେଲେ ମାଇଁ ଗାଧୋଇବେ ଓ ପୂଜା କରିବେ । ବଗିଚାରେ ପାଣି ଦେଉ ଦେଉ ଆଉ କିଏ ଗାଇବ ନାହିଁ, ‘ଜଗବନ୍ଧୁ ହେ ଗୋସାଇଁ—’ ସେ’ ପଛରୁ ଛପି ଯାଇ, କାହାରି ଆଖିକୁ ଆଉ ବୁଜି ଧରିବେ ନାହିଁ । ତାଙ୍କର ମନେ ପଡ଼ିଲା, କମଳର ଜନ୍ମଦିନ ରାତିରେ, ସେହି ପ୍ରଜାପତିଟିକୁ କମଳର କୋଳ ଉପରେ ଥୋଇ ଦେଇ, ସେ କିପରି ତାକୁ ଚମକାଇ ଦେଇଥିଲେ ଆଉ ସେ ଯେତେବେଳେ କହିଥିଲେ, ‘ମାର୍କେଟ ସାରା ମୁଁ ‘କମଳ’ ଟିଏ ଖୋଜିଲି, ହେଲେ କେଉଁଠି ବି ପାଇଲି ନାହିଁ । ’

 

—ପାଇଲେ ନି ? କମଳ ସକୌତୁକ ସ୍ୱରରେ କହିଥିଲା–

 

—ନାଃ । କେଉଁଠି ବି ପାଇଲି ନାହିଁ ।

 

—ସତେ ?

 

କେଜାଣି କେମିତି, କମଳର ଏଇ “ସତେ” ଶୁଣି ବିଭାବସୁ ଯେମିତି ଅନେକ ଅବୁଝା କଥା ବୁଝି ଯାଇଥିଲେ । ଅନେକ ଅଜଣା କଥା ଜାଣି ପାରିଥିଲେ । କମଳ ମୁହଁକୁ ଚାହିଁ ଦେଖିଥିଲେ, ତା’ ମୁହଁରେ ବିଚିତ୍ର ଓ ମନୋରମ ହସ ଢେଉ ଭାଙ୍ଗୁଛି । ଅଥଚ ସେହି ହସ ତଳେ ଯେପରି ଲୁଚି ରହିଥିଲା କୃତ୍ରିମ ଅଭିମାନ । ଭୂରୁ ଦୁଇଟି ଈଷତ୍ ବଙ୍କା । ତାର ଭୂରୁ ଦୁଇଟି ଚମତ୍କାର ଭାବରେ ସୁନ୍ଦର । ଓଠକୁ ସାମାନ୍ୟ ବଙ୍କେଇ, ଧନୁ–ସଦୃଶ କରି, ହସୁଛି କମଳ । ବିଭାବସୁ ମୁଗ୍‌ଧ ହୋଇ ସେହି ମୁହଁକୁ, ସେହି ହସକୁ ଦେଖୁଥିଲେ । ଦେଖି ଦେଖି ସେ ଅନୁଭବ କଲେ, କମଳ ଯେପରି ‘ସତେ’ କହି ତାଙ୍କୁ ଥଟ୍ଟା କରୁଛି । କାହିଁକି ଥଟ୍ଟା କରୁଛି, ତାହାବି ଯେପରି ହଠାତ୍ ସେ ବୁଝି ପାରିଲେ । ନିଜ ଭିତରେ ବନ୍ଦ–ଦ୍ୱାର ହଠାତ ଯେପରି ଶବ୍ଦ କରି ଖୋଲି ଯାଇଥିଲା–

 

ତା’ପରେ ସେ ଚତୁରତା କଲେ । ନିଜ ଭୁଲ୍‌କୁ ସଂଶୋଧନ କରିବାକୁ ଯାଇ କହିଲେ, ‘ମୋର କିନ୍ତୁ ଭୁଲ୍ ହୋଇଗଲା ଯେ…ଟିକିଏ ରହିଯାଇ, ନିଃଶବ୍ଦ ହସ ହସି ପୁଣି କହିଲେ, 'ଏଠି ଯେ ଏକ ଚମତ୍କାର ‘କମଳ’କୁ ପାଇଛି..ତା’ପରେ ସେ ମୃଦୁ ଶବ୍ଦ କରି ହସି ଉଠିଥିଲେ ।

 

ତାଙ୍କ କଥା ଶୁଣି କମଳ ହଠାତ୍‌ ଆରକ୍ତ ହୋଇ ଉଠିଥିଲ । ଲଜ୍ଜାର ସେହି ପାଟଳିମା ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କମନୀୟ କରି ତୋଳିଥିଲା । କମଳ ତଳକୁ ମୁହଁ ପୋତି ଦେଇଥିଲା ।

 

ଏ ସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ! କିଏ ଜାଣେ, ଜୀବନର ଆଗକୁ କାହାପାଇଁ କ’ଣ ରହିଛ !! ରେଡ଼ିଓରୁ ମୃଦୁ ଅଥଚ ସ୍ପଷ୍ଟ ସ୍ୱରରେ ଭାସି ଆସୁଛି, ସଙ୍ଗୀତ ଲହରୀ…

 

‘ଆଓ ଦୋନୋ ବିଛଡ୍ ଯାୟ ଦୋନୋ କି ନଜଦିକ୍ ସେ ।

ଏହି ତୋ ଜିନ୍ଦେଗୀ ହାୟ ଏହି ମୋହବତ୍ ।’

 

“ଆସ, ଆମେ ପରସ୍ପରଠାରୁ ବିଚ୍ଛିନ୍ନ’ ହୋଇଯିବା, କାରଣ ପ୍ରିୟତମା, ବିଛିନ୍ନତାହିଁ ତ ଜୀବନ ଆଉ ଏହାହିଁ ତ ଭଲ ପାଇବା । ”

 

ଦୁହିଁଙ୍କ ଛାତି ଭିତରୁ କାନ୍ଦଣାର ଏକ ଯନ୍ତ୍ରଣା କୁଣ୍ଡଳି ପକାଇ ପକାଇ ଉପରକୁ ଉଠି ଆସୁଥିଲା…….. ।

 

ଜଲି ହାତରେ ପ୍ଲେଟ୍‌ଟାଏ ଧରି ପଶି ଆସିଲା । କମଳ ପାଖରେ ବସିପଡ଼ି, ମୋହନ ଭୋଗରୁ ଟିକିଏ ତା’ ପାଟିକୁ ଦେଇ କହିଲା, ଚିଠି ଦେବୁ । ଭୁଲି ଯିବୁନି । ତୁ’ ଆଜି ଗଲୁ । କାଲି ବିଭାସ ଭାଇ ଚାଲିଯିବେ । ….ଘରଟା ଜମାରୁ ଭଲ ଲାଗିବ ନାହିଁ…. । ମୁଁ କେମିତି ରହିବି ଯେ..ଜଲିର କଣ୍ଠ ଆର୍ଦ୍ର ହୋଇ ଆସିଲା । ସଦା ହାସ୍ୟମୟୀ ଜଲି ମୁହଁରୁ ହସ ଲିଭି ଯାଇଥିଲା– !

 

କମଳ ଆଖିରୁ ଧାର ଧାର ଲୁହ ବହିଯାଉଛି…..ଅଳ୍ପ ଟିକିଏ ଖାଇ, କମଳ ପାଣି ପିଇଲା-। କହିଲା ଭୋକ ନାହିଁ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି.... । ଶୀତ ରାତି ଗାଢ଼ ହୋଇ ଆସୁଛି । ଦିନେଶ୍ ବାବୁ ଯିବା ପାଇଁ ତର ତର ହେଲେ—। କମଳର ସୁଟ୍‌କେଶ୍, ବ୍ୟାଗ୍ ଜିପ୍‌ରେ ଥୁଆ ହୋଇ ସାରିଲାଣି– ।

 

ସମସ୍ତେ ଆଗେଇ ଯାଉଛନ୍ତି... ।

 

କମଳକୁ ପଛରୁ କିଏ ସେମିତି ଟାଣି ଧରୁଛି… । ପଛକୁ ଫେରି ଚାହିଁଲା ସେ ! ନା, କେହି ନାହିଁ ! ତା’ ପଛରେ ଜଲି ଓ ତା’ ଆଗରେ ମାଉସୀ ଅଛନ୍ତି ।

 

ଦାଣ୍ଡ ବାରଣ୍ଡାରେ ସେଇ ଯେଉଁଠି ଚାମେଲି ଲତାଟା କୋଠା ଉପରକୁ ମାଡ଼ିଯାଇ କୁଞ୍ଜ ପରି ହୋଇଛି, ସେଇଠି ଠିଆ ହୋଇଛନ୍ତି ବିଭାବସୁ । ଜହ୍ନ ଆଲୁଅର ଛାଇ ଅନ୍ଧାରରେ ସେ ସ୍ଵପ୍ନ ପରି ବୋଧ ହେଉଛନ୍ତି ! କିମିତି ଏକ ଅଜଣା ମାୟାରେ ଆଚ୍ଛନ୍ନ ହୋଇ, ସେ ଠିଆ ହୋଇଗଲା ।

 

ବିଭାବସୁ ନିର୍ବାକ, ସ୍ଥାଣୁ । ଠିଆ ହୋଇ ଚାହୁଁଛନ୍ତି–କମଳ ପିନ୍ଧିଛି ଚମ୍ପା ରଙ୍ଗର ଶାଢ଼ିଟିଏ ! ନୀଳ ରଙ୍ଗର କାଡିଗନ୍‌ଟି ତା ଶାଢ଼ିବୃତ୍ତା ତନୁର ଅର୍ଦ୍ଧଭାଗକୁ ଚମତ୍କାର ଭାବରେ ଚାପି ଧରିଛି । ବାଁ ହାତ କହୁଣୀ ଉପରେ, ତାର କଳା ଶାଲଟି ଝୁଲି ପଡ଼ିଛି ।

 

ବିଭାବସୁଙ୍କର ହଠାତ୍ ବୋଧ ହୋଲା–ଶୀତର ଏଇ ଶେଷ ସନ୍ଧ୍ୟାରେ କମଳକୁ ନୁହେଁ, ହଳଦୀ–ବସନ୍ତଟିଏ ସେ ଦେଖୁଛନ୍ତି । ସେ ଉଡ଼ିଯିବ ଦୂର ଶ୍ୟାମଳ ବନାନୀକୁ–ବସନ୍ତର ଆଗମନୀ ସଙ୍ଗୀତ ଗାଇଗାଇ—

 

ତାଙ୍କ ଭିତରଟା ଛଟପଟ ହୋଇ ଉଠିଲା, ସେହି ହଳଦୀ–ବସନ୍ତଟିକୁ ହାତରେ ଧରି, ସାଉଁଳି ଦେବାକୁ । ସେ ଦାନ୍ତରେ ଓଠ କାମୁଡ଼ି ଧରିଲେ । ତାଙ୍କର କଣ୍ଠନାଳୀ ଓ ଛାତି ଯନ୍ତ୍ରଣାରେ ଫାଟି ପଡ଼ୁଥଲା !

 

ମୁହୂର୍ତ୍ତକ ପାଇଁ ବିଭାବସୁ ଓ କମଳର ଦୃଷ୍ଟି ଏକ ହୋଇଗଲା !

 

ଏକ ସମୟରେ ଦୁହେଁ ବିଦ୍ୟୁତ୍ ଶିହରଣ ଅନୁଭବ କଲେ । ଏକ ବିଚିତ୍ର ଅନୁଭୂତିର ସୁର, ଦୁହିଁଙ୍କ ଭିତରେ ଅନୁରଣିତ ହୋଇ ଉଠିଲା । ଦୁହେଁ ସେହି ସୁରର ଆବିର୍ଭାବକୁ ଅନୁଭବ କଲେ । ସେମାନଙ୍କର ମନେହେଲା, ଏହି ସୁର ହୃଦୟର ସୁର । ସେହି ସୁରର ଆରୋହଣ ଅବରୋହଣର, ପ୍ରଶାନ୍ତ ଛାଇ–ଆଲୁଅର ପଥରେ ସେମାନେ ଯେପରି ମୂର୍ଚ୍ଛନା ପରି ମିଳାଇ ଯାଉଛନ୍ତି–

 

ଲକ୍ଷ୍ୟ ଲକ୍ଷ୍ୟ ନକ୍ଷତ୍ର ଭରା ଆକାଶର ଚନ୍ଦ୍ରାତପ ତଳେ ନୀରବରେ, ନିର୍ଜନରେ, ସମସ୍ତଙ୍କ ଅଜାଣତରେ, ଦୁଇଟି ହୃଦୟର ମିଳନରେ ଯେଉଁ ଅଶ୍ରୁତ–ସ୍ଵର ଝଙ୍କାର ତୋଳିଲା, ସେହି ସ୍ୱରର ବର୍ଣ୍ଣ–ଛଟାର ଖେଳାରେ ତାଙ୍କ ଆଖିକୁ ପୃଥିବୀର ଆଲୋକ ମ୍ଳାନ ଦେଖାଗଲା । ସମୁଦ୍ର ଢେଉ ପରି, ସେ କେଉଁ ଅଜଣା ଢେଉରେ ସେମାନେ ସଂପୂର୍ଣ୍ଣ ଭିଜିଗଲେ । ଅନନୁଭୂତ ଏକ ତୀବ୍ର–ରୋମାଞ୍ଚ ଦେହ, ମନର ରନ୍ଧ୍ରେ ରନ୍ଧ୍ରେ ସଞ୍ଚରି ଗଲା ।

 

ସେହି ମୁହୂର୍ତ୍ତରେ ସତରେ ଯେପରି ଦୁହେଁ ଦୁହିଁଙ୍କଠାରୁ ପ୍ରତିଶ୍ରୁତି ପାଇଗଲେ– ! ସେମାନଙ୍କ ମନରେ ଅସୁମାରି ଫୁଲ ଫୁଟିଗଲା । ବାସ ଚହଟିଗଲା– । ଗୋଟିଏ ସୁରରେ ଦୁଇଟି ହୃଦୟକୁ ବାନ୍ଧି, ଦୁହେଁ ଦୁହିଁଙ୍କଠାରୁ ଦୂରରେ ରହିବାର ଶକ୍ତି, ସାହାସ ଖୋଜି ପାଇଲେ ।

 

ଗୋଟିଏ ମୁହୂର୍ତ୍ତ ମାତ୍ର ! ଗୋଟିଏ ମୁହୂର୍ତ୍ତ ମାତ୍ର ଅଟକି ରହି, ଗୋଟିଏ ପଲକରେ ଚାହିଁ ଦେଇ, କମଳ ଆଗକୁ ପାଦ ବଢ଼ାଇଲା !

 

ଆଉଁ, ସେହି ଅଶ୍ରୁତ–ସ୍ୱର ସମୁଦ୍ରର ବିପୁଳ ଢେଉରେ ଭିଜିଯାଇ, ଆବେଗ ବିଧୂର ଦୃଷ୍ଟିରେ ବିଭାବସୁ ଦେଖିଲେ, କମଳ ଚାଲିଯାଉ ନାହିଁ; ସେ’ ତାଙ୍କର ହୃଦୟରେ ପରିପୂର୍ଣ୍ଣତାର କଳିଟିଏ ପରି ଫୁଟି ଯାଉଛି, ତାର ସମସ୍ତ ପାଖୁଡ଼ା ଖୋଲି ଖୋଲି ଯାଉଛି ! ତାର ସୁଗନ୍ଧ ବିଞ୍ଚି ହୋଇ ପଡ଼ୁଛି ।

 

ସେ ଆକାଶକୁ ଚାହିଁଲେ । ତା’ପରେ ପୃଥିବୀକୁ…ହଠାତ୍‌ ତାଙ୍କର ମନେହେଲା, ସେ ଜୀବନରେ କମଳକୁ ପାଆନ୍ତୁ ବା ନ ପାଆନ୍ତୁ ହେଲେ ତାଙ୍କ ହୃଦୟର, ନିଷିଦ୍ଧ–ସରସୀରେ ଏ ଯେଉଁ ‘କମଳ’ ଫୁଟିଗଲା ତାହା ଚିରଦିନ ଅମଉଳା ରହିବ । ତାର ସୌରଭରେ ତାଙ୍କ ହୃଦୟ ସୁରଭିତ ହେଉଥିବ ।

 

ଠିକ୍ ସେହି ସମୟରେ କମଳର ମଧ୍ୟ ମନେ ହେଲା, ତା’ଜୀବନରେ ବିଭାବସୁ ଆସନ୍ତୁ ବା ନ ଆସନ୍ତୁ ହେଲେ ତା’ ହୃଦୟ–ଆକାଶରେ ଏ ଯେଉଁ ବିଭାବସୁ’ର ଉଦୟ ଘଟିଲା, ସେ ବଞ୍ଚିଥିବା ଯାଏ ତାର ଆଉ ଅସ୍ତ ନାହିଁ । ଏହି ଆଲୋକ ଚିର ଅମଳିନ, ଚିର ଭାସ୍ୱର ରହିବ ।

 

ଅଦେଖା ସୂର୍ଯ୍ୟର ଉଦୟରେ ଅଦେଖା କମଳ ଫୁଟିଗଲା....

Image